Tuesday, September 10, 2024
Homeଖବରଡାକ୍ତରାଣୀଙ୍କୁ ଛାଡ଼ିଲାନି ଦୁଷ୍କର୍ମକାରୀ

ଡାକ୍ତରାଣୀଙ୍କୁ ଛାଡ଼ିଲାନି ଦୁଷ୍କର୍ମକାରୀ

କୋଲକାତାର ଏକ ସରକାରୀ ଡାକ୍ତରଖାନାରୁ ଗତ ୯ ତାରିଖ ଦିନ ଜଣେ ପ୍ରଶିକ୍ଷଣପ୍ରାପ୍ତ ମହିଳା ଡାକ୍ତରଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ପୁରା ଦେଶବ୍ୟାପୀ ଚର୍ଚ୍ଚା ହେଉଛି। କୋଲକାତାରୁ ଦିଲ୍ଲୀ ଯାଏଁ ସରକାର ହସ୍‌ପିଟାଲରେ ଆନ୍ଦୋଳନ ଜାରି ରହିଛି। ସର୍ବସାଧାରଣ ସ୍ଥାନରେ ଜଣେ ମହିଳା ଡାକ୍ତରଙ୍କୁ ଅଭିଯୁକ୍ତ କେଉଁଭଳି ପରିସ୍ଥିତିରେ ଏହି ଲଜ୍ଜାଜନକ କାମ କରିପାରିଲା, ସେ‌ନେଇ ବୁଦ୍ଧିଜୀବୀମାନେ ଚିନ୍ତାପ୍ରକଟ କରିଛନ୍ତି। ସୁରକ୍ଷା କର୍ମୀ ସେହି ସମୟରେ କ’ଣ କରୁଥିଲେ? ଟ୍ରେନି ଡାକ୍ତରଙ୍କ ସହ ଘଟିଥିବା ଘଟଣା ସାରା ଦେଶର ଡାକ୍ତରମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ସମେତ ସମଗ୍ର ଦେଶର ଡାକ୍ତରମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। କୋଲକାତା ଘଟଣାକୁ ନେଇ ଦେଶରେ ମଙ୍ଗଳବାର ଡାକ୍ତରମାନଙ୍କର ଆନ୍ଦୋଳନ ଜାରି ରହିଛି।

ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ପଶ୍ଚିମବଙ୍ଗ ସରକାରଙ୍କ ଠାରୁ ସେମାନେ ତିନୋଟି ଦାବି ଆଶା କରୁଛନ୍ତି। ପ୍ରଥମେ ଏହି ମାମଲାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କୁ ଦଣ୍ଡ ମିଳିବା ଦରକାର। ଦ୍ବିତୀୟତଃ କେଉଁ କାରଣପାଇଁ ଏହି ଅପରାଧ ଘଟିଛି ତାହାର ଗଭୀର ତଦନ୍ତ ହେବା ଦରକାର। ତୃତୀୟତଃ କର୍ମକ୍ଷେତ୍ରରେ ଡାକ୍ତର, ବିଶେଷ କରି ମହିଳାଙ୍କ ସୁରକ୍ଷାରେ ଉନ୍ନତି ଆଣିବା ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବା ଦରକାର।

ସ୍ୱେଚ୍ଛାସେବୀ ଦ୍ବାରା ଦୁଷ୍କର୍ମର ଶିକାର

ଶ୍ୟାମବଜାର ଅଞ୍ଚଳରେ ଥିବା ସରକାରୀ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା କରାଯାଇଥିବା ନେଇ ଗତ ଶୁକ୍ରବାର ଦିନ ଜଣାପଡ଼ିଥିଲା। ଡାକ୍ତରଖାନାର ସ୍ୱେଚ୍ଛାସେବୀ ଭାବେ ପରିଚିତ ଅଭିଯୁକ୍ତ ଜଣକ ମଦ ପିଇ ସେମିନାର ହଲରେ ବିଶ୍ରାମ ନେଉଥିବା ବେଳେ ତାଙ୍କୁ ଏକୁଟିଆ ଦେଖି ଦୁଷ୍କର୍ମ କରିଥିଲା। ତେବେ ଏହି ସମୟରେ ଅଭିଯୁକ୍ତ ନିଜ ବ୍ଲୁଟୁଥ୍ ହେଡସେଟକୁ ଘଟଣାସ୍ଥଳରେ ଛାଡି ଦେଇଥିଲା, ଯାହାକୁ ଆଧାର କରି ଅଭିଯୁକ୍ତକୁ ଚିହ୍ନଟ କରାଯାଇ ଗିରଫ କରାଯାଇଥିଲା। ସିଆଲଦାର ଏକ ନିମ୍ନ ଅଦାଲତ ଅଭିଯୁକ୍ତକୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି, ଯେଉଁଠାରେ ପୁଲିସ ତାଙ୍କୁ ପଚରାଉଚରା କରୁଛି।

ମମତା ଦେଲେ ପ୍ରତିଶ୍ରୁତି

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୀଡ଼ିତାଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ଭେଟିଥିଲେ। ସେ କହିଥିଲେ ଯେ, ରବିବାର ସୁଦ୍ଧା ପୁଲିସ ଏହି ପୁରା ମାମଲାର ସମାଧାନ କରିବାରେ ସକ୍ଷମ ନ ହୁଏ, ତେବେ ମାମଲା ସିବିଆଇକୁ ହସ୍ତାନ୍ତର କରାଯିବ। ବିକ୍ଷୋଭକାରୀ ଆବାସିକ ଡାକ୍ତରମାନେ ମଧ୍ୟ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିବାକୁ ବାରମ୍ବାର ଦାବି କରି ଆସୁଥିଲେ। ଶେଷରେ ଏହି ମାମଲାର ତଦନ୍ତ ଦାୟିତ୍ବ ସିବିଆଇ ହାତକୁ ଯାଇଛି। କଲିକତା ହାଇକୋର୍ଟ ମଙ୍ଗଳବାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କୋଲକାତା ପୁଲିସ୍‌ ବର୍ତ୍ତମାନ ଘଟଣାର ତଦନ୍ତ କରିବା ସହ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ସାରିଛି। ତଥାପି ଆଜି ହାଇକୋର୍ଟ ସିବିଆଇକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।

ମମତାଙ୍କୁ ବିରୋଧୀଙ୍କ ଟାର୍ଗେଟ୍‌

 ବିଜେପି ଏହି ପ୍ରସଙ୍ଗରେ ମମତା ସରକାରଙ୍କୁ ଘେରିବା ଆରମ୍ଭ କରିଛି। ମମତା ସରକାରରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଖରାପ ହୋଇଛି ବୋଲି ବିଜେପି କହିଛି। ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପଶ୍ଚିମବଙ୍ଗ ସରକାର ତ୍ୱରିତ ଓ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି।  

୪ଥର ବିବାହ କରିଥିଲା ଅଭିଯୁକ୍ତ

ଅଭିଯୁକ୍ତକୁ କଠୋର ଦଣ୍ଡ ଦେବାକୁ ଦାବି ହେଉଛି। ଅଭିଯୁକ୍ତ ସ୍ୱେଚ୍ଛାସେବୀ ସଞ୍ଜୟ ରାୟଙ୍କ ସମ୍ପର୍କରେ ପୁଲିସ ସୋମବାର ଅନେକ ଖୁଲାସା କରିଛି। ଅଭିଯୁକ୍ତ ଜଣକ ଅଶ୍ଳୀଳ ଭିଡିଓ ଦେଖିବାର ନିଶାସକ୍ତ ଥିଲା ଏବଂ ମୋବାଇଲରେ ଏଭଳି ଅନେକ ଅଶ୍ଳୀଳ ଭିଡିଓ ଦେଖିବାକୁ ମିଳିଥିଲା। ମୋବାଇଲ୍ ଫୋନ୍‌ରୁ ମିଳିଥିବା ସାମଗ୍ରୀ ଅତ୍ୟନ୍ତ ନିଷ୍ଠୁର ଓ ହିଂସାତ୍ମକ ବୋଲି ପୁଲିସ କହିଛି। ଅଭିଯୁକ୍ତ ରୟ (୩୩) ୪ ଥର ବିବାହ କରିଥିଲା। ତଦନ୍ତ ବେଳେ ସେ ପତ୍ନୀଙ୍କ ସହ ମଧ୍ୟ ହିଂସା କାଣ୍ଡ ଘଟାଇଥିବା ପୁଲିସ ଜାଣିବାକୁ ପାଇଥିଲା। ରୟଙ୍କ ପଡ଼ୋଶୀମାନେ କହିଛନ୍ତି ଯେ ତାଙ୍କ ପ୍ରଥମ ପତ୍ନୀ ବେହାଲାର ହୋଇଥିବା ବେଳେ ଦ୍ୱିତୀୟ ପତ୍ନୀ ପାର୍କ ସର୍କସର ବାସିନ୍ଦା। ସେ ବାରାକପୁରର ଜଣେ ଯୁବତୀଙ୍କୁ ତୃତୀୟ ବିବାହ କରିଥିଲା। ଏହାପରେ ସେ ସହରର ଅଲିପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲା।

ଏସ୍‌ସିବିରେ ଦୁଷ୍କର୍ମ ଅଭିଯୋଗ

କଟକସ୍ଥିତ ଏସସିବି ମେଡିକାଲରେ କାର୍ଡିଓଲୋଜି ବିଭାଗରେ ଜଣେ ଡାକ୍ତରଙ୍କ ନାମରେ ଗୁରୁତର ଅସଦାଚରଣ ଅଭିଯୋଗ ଆସିଛି। ସଂପୃକ୍ତ ଡାକ୍ତର ଜଣେ ରୋଗୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏନେଇ ରୋଗୀଙ୍କ ସମ୍ପର୍କୀୟ କଟକ ମଙ୍ଗଳାବାଗ ଥାନାରେ ଏନେଇ ଏତଲା ଦେଇଛନ୍ତି। ଦୁଷ୍କର୍ମ ଅଭିଯୋଗରେ ରୋଗୀଙ୍କ ସମ୍ପର୍କୀୟ ତାଙ୍କ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି। ଏଥିରେ ଅଭିଯୁକ୍ତ ଡାକ୍ତର ଗୁରୁତର ଆହତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ଦେଇଛନ୍ତି ଆଡିସିନାଲ ଡିସିପି ଅନିଲ ମିଶ୍ର। ଆଗକୁ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇ ଘଟଣାର ଯାଞ୍ଚ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments