ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଦେଇଥିବା ପ୍ରତିଶ୍ରୁତିରେ ଆକର୍ଷିତ ହୋଇ ରାଜ୍ୟର ଜନତା ଓଡ଼ିଶାରେ ବିଜେପି ସରକାର ଆଣିଛନ୍ତି। ୨୪ ବର୍ଷର ବିଜେଡି ସରକାର ନିର୍ବାଚନ ହାରିବା ପରେ ଏବେ ରାଜ୍ୟବାସୀ ନୂଆ ସରକାରଙ୍କ ଠାରୁ ବହୁତ କିଛି ଆଶା କରୁଛନ୍ତି। ଓଡ଼ିଶାର ଜନତା ଚାହାନ୍ତି ମୋହନ ମାଝୀ ଲୋକଙ୍କର ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ଲୋକଙ୍କର ସମସ୍ୟା ବୁଝନ୍ତୁ। ରାଜ୍ୟବାସୀ ସରକାରଙ୍କ ଠାରୁ ଚାହାନ୍ତି, ଯେପରିକି ସେମାନଙ୍କୁ ବିଧାନସଭା ସମ୍ମୁଖ ଗାନ୍ଧୀମାର୍ଗ ହେଉ ବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସାମ୍ନାକୁ ଆସିବାକୁ ନପଡୁ। କେହି ବ୍ୟକ୍ତି ଯଦି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହାନ୍ତି, ସେଥି ପାଇଁ ସେ ଅନୁମତି ଦିଅନ୍ତୁ। ଓଡ଼ିଆ ଅସ୍ମିତାକୁ ଗୁରୁତ୍ବ ଦିଅନ୍ତୁ।
ଏବେ ରାଜ୍ୟ ସରକାର ଲୋକଙ୍କୁ ଦେଇଥିବାର ପ୍ରତିଶ୍ରୁତି କିଭଳି ପାଳନ କରୁଛି, ତାହା ଦେଖିବାର ଅଛି। ଆଗାମୀ ୫ ବର୍ଷରେ ଓଡ଼ିଶା ୧ ନମ୍ବର ରାଜ୍ୟ ହେବ କି ନାହିଁ, ତାହା ଯେତିକି ଯେତିକି ପ୍ରସଙ୍ଗ ନୁହେଁ, ତାଠାରୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ରୋଜଗାର, ଚାକିରି, ବେକାରୀ ସମସ୍ୟା ଦୂର କରାଯିବା ଅଧିକ ଗୁରୁତ୍ବପୂର୍ଣ୍ଣ। ଦାଦନ ଯନ୍ତ୍ରଣା ହେଉଛି ରାଜ୍ୟର ସବୁଠାରୁ ବଡ଼ ସମସ୍ୟା। କୋଟିକୋଟି ଓଡ଼ିଆ ଲୋକ ଯେତେବେଳେ ବାହାର ରାଜ୍ୟରେ ଖଟୁଛନ୍ତି, ସେମାନଙ୍କ ମଧ୍ୟରୁ ଅନେକଙ୍କୁ ନିର୍ଯାତନାର ସାମ୍ନା କରିବାକୁ ପଡ଼ିଥାଏ। ଦକ୍ଷିଣ ଭାରତୀୟ ରାଜ୍ୟରେ ଦାଦନ ଖଟୁଥିବା ପ୍ରବାସୀ ଓଡ଼ିଆଙ୍କୁ ଅଧିକ ନିର୍ଯାତନାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବିଗତ କିଛି ବର୍ଷ ହେଲା ଅନୁମାନ କରାଯାଉଛି, ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ସର୍ବାଧିକ ମୃତଦେହ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କେରଳରୁ ଆସିଛି। ତେବେ ସରକାର ଆରମ୍ଭରୁ ଏକ ଆଭାସ ମିଳୁଛି ଯେ, ଓଡ଼ିଆ ଅସ୍ମିତା ନେଇ ବିଜେପି ଆଗକୁ ବଢ଼ିପାରେ।
ଓଡ଼ିଶାରେ ବିଜେପି ରାଜ୍
ଓଡ଼ିଶାରେ ବିଜେପି ରାଜ୍ ଆରମ୍ଭ ହୋଇଯାଇଛି। ଭୁବନେଶ୍ବର ଜନତା ମଇଦାନରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିଛନ୍ତି। କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସୁରମା ପାଢ଼ୀଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି) ବାଚସ୍ପତି କରିଛି। ସେହିପରି କ୍ୟାବିନେଟ୍ ମନ୍ତ୍ରୀ ଭାବେ ସୁରେଶ ପୂଜାରୀ, ରବି ନାରାୟଣ ନାଏକ, ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ର, ପୃଥ୍ବୀରାଜ ହରିଚନ୍ଦନ, ଡ. ମୁକେଶ ମହାଲିଙ୍ଗ, ବିଭୂତି ଜେନା, ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ରାଷ୍ଟ୍ରମନ୍ତ୍ରୀ ଭାବେ ଗଣେଶ ରାମସିଂ ଖୁଣ୍ଟିଆ, ସୂର୍ଯ୍ୟବଂଶୀ ସୂରଜ, ପ୍ରଦୀପ ବଳସାମନ୍ତ, ଗୋକୁଳାନନ୍ଦ ମଲ୍ଲିକ ଓ ସଂପଦ ସ୍ବାଇଁ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ, ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ବିଜେପିର ନବନିର୍ବାଚିତ ସାଂସଦ ଓ ବିଧାୟକ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲସିଂହ ତୋମର, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ବ ନେତା, କର୍ମୀ ଓ ସାଧାରଣ ଜନତା ଉପସ୍ଥିତ ଥିଲେ।
ଜନସାଧାରଣଙ୍କ ସମସ୍ୟା ବୁଝିଲେ
କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଚତୁର୍ଥ ଥର ପାଇଁ ବିଧାୟକ ମୋହନ ମାଝୀଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ଘୋଷଣା କଲା ପରେ ସେ ଯେତେବେଳେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିବାକୁ ଗଲେ ସାଥୀରେ ଉପମୁଖ୍ୟନ୍ତ୍ରୀ କନକବର୍ନ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କୁ ନେଇକି ଯାଇଥିଲେ। ଏଥିରେ ନିବନିର୍ବାଚିତ ବିଧାୟକମାନଙ୍କୁ ମଧ୍ୟ ସାମିଲ କରାଯାଇଥିଲା। କିନ୍ତୁ ଏହା ପୂର୍ବରୁ ଯିଏ ମୁଖ୍ୟମନ୍ତ୍ରୀ ଥିଲେ ଯେତେବେଳେ ବି ରାଜ୍ୟପାଳଙ୍କ ପାଖକୁ ଯାଉଥିଲେ, ସେ ବିଧାୟକମାନଙ୍କୁ ଗୁରୁତ୍ବ ଦେଇ ନଥିଲେ। ମୋହନ ମାଝୀ ରାଜ୍ୟର ବଡ଼ ଦାୟିତ୍ବ ନେବା ପୂର୍ବରୁ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ମଧ୍ୟ ଆଶୀର୍ବାଦ ନେଇଥିଲେ। ଏହି ସମୟରେ ସେ ବିଭିନ୍ନ ବର୍ଗର ଲୋକଙ୍କ ସହ ମିଶିବା ସହିତ ସେମାନଙ୍କ ସମସ୍ୟା ବିଷୟରେ ଅବଗତ ହୋଇଥିଲେ। ସେହିପରି ନୂଆ ସରକାର କିପରି ହେବା ଦରକାର ବୋଲି ଜନସାଧାରଣଙ୍କୁ ପଚାରିଥିଲେ। ଏପରିକି ଯାହା ସେମାନଙ୍କର ସମସ୍ୟା ଅଛି ତାହା ନିଶ୍ଚୟ ଦୂର ହେବ ବୋଲି ସେ ପ୍ରତିଶୃତି ଦେଇଥିଲେ।
ଲୋକମାନଙ୍କ ସେବା କରିବେ: ପ୍ରିୟଙ୍କା
ମୋହନ ମାଝୀଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡି କହିଛନ୍ତି, ମୋ ସ୍ୱାମୀ ମୁଖ୍ୟମନ୍ତ୍ରୀ ପଦ ପାଇଛନ୍ତି। ସେଥିପାଇଁ ବହୁତ ଖୁସି ଲାଗୁଛି, ଗର୍ବ ଅନୁଭବ ମଧ୍ୟ କରୁଛି। ଏଥିପାଇଁ ଓଡ଼ିଶାବାସୀ ମଧ୍ୟ ବହୁତ ଖୁସି ଅଛନ୍ତି।ସେ ଆହୁରି କହିଛନ୍ତି, ମୋ ସ୍ୱାମୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଭାବି ନ ଥିଲି,ହେଲେ ମନ୍ତ୍ରୀ ହେବେ ବୋଲି ଆଶା ଥିଲା। ଘୋଷଣା ହେବା ପରେ ସବୁ ଜଣାପଡ଼ିଲା। ଲୋକମାନଙ୍କ ସେବା କରିବା ପାଇଁ ତାଙ୍କୁ ବଛାଯାଇଛି। ସେ ଜୀବନସାରା ଲୋକମାନଙ୍କ ସେବା କରିବେ। ମହାପ୍ରଭୁ ଶ୍ରୀଜଗନ୍ନାଥ, ମାଆ ତାରିଣୀଙ୍କ ଆଶୀର୍ବାଦ ଯୋଗୁଁ ଆଜି ଏ ଖୁସିର ମୁହୂର୍ତ୍ତ ଆସିଛି ବୋଲି ମୋହନ ମାଝୀଙ୍କ ପତ୍ନୀ କହିଛନ୍ତି।