ଭୁବନେଶ୍ବର: ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ନବୀନ ସରକାରେ ଓଡ଼ିଶାର ବଜେଟ୍ ୨ ଲକ୍ଷ କୋଟି ଟଙ୍କା ଥିଲା। ଗତବର୍ଷ ଏଥିରେ ୧୫ ପ୍ରତିଶତ ବୃଦ୍ଧି କରାଯାଇ ୨,୩୦,୦୦୦ କୋଟି ରଖାଯାଇଥିଲା। ଚଳିତ ଆର୍ଥିବ ବର୍ଷରେ ମୋହନ ସରକାର ନିଜର ପ୍ରଥମ ବଜେଟରେ ପୂର୍ବ ବର୍ଷ ତୁଳନାରେ ୧୫ ପ୍ରତିଶତ ବୃଦ୍ଧି କରି ଏହାକୁ ୨,୬୦,୦୦୦ କୋଟିରେ ପହଞ୍ଚାଇଛନ୍ତି। ବିଜେପି ସରକାର ନିର୍ବାଚନ ପ୍ରତିଶ୍ରୁତିକୁ ପୂରଣ କରିବାକୁ ଯାଇ କୃଷକ ଓ କୃଷି ସଂପର୍କିତ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦେଇଛନ୍ତି। ସେହିପରି ସାମାଜିକ ସରକାରକୁ ବିଜେପି ସରକାରରେ ଗୁରୁତ୍ବ ମିଳିଛି। ବରିଷ୍ଠ ନାରିକଙ୍କ ମୁହଁରେ ହସ ଦେଖିବାକୁ ମିଳିଛି। ଗରିବ, ମହିଳା, ଯୁବବର୍ଗ, ଚାଷୀ ଓ ଓଡ଼ିଆ ଅସ୍ମିତାର ଝଲକ ମୋହନଙ୍କ ବଜେଟ୍ରେ ସ୍ଥାନ ଦିଆଯିବାକୁ ଉଦ୍ୟମ କରାଯାଇଛି।
ନିର୍ବାଚନ ପ୍ରଚାର ସମୟରେ ବିଜେପି କହିଥିଲା ଯେ, କ୍ଷମତାକୁ ଆସିଲେ ଚାଷୀଙ୍କୁ ଗୁରୁତ୍ବ ଦିଆଯିବ। ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣାଯିବ। କଟନୀ-ଛଟନୀ ହେବ ନାହିଁ। ଚାଷୀଙ୍କୁ ଜଳସେଚନ ସୁବିଧା ମିଳିବ। ପରିବା ଓ ଫଳ ଚାଷ ପାଇଁ ପ୍ରତି ବ୍ଲକରେ ଶୀଳତ ଭଣ୍ଡାର ଖୋଲାଯିବ। ସରକାର ଏହି ପ୍ରତିଶ୍ରୁତି ପୂରଣ କରିବାକୁ ଉଦ୍ୟମ କରିଛନ୍ତି। କୃଷି ଓ ଆନୁସାଙ୍ଗିକ କ୍ଷେତ୍ରରେ ଗତ ଆର୍ଥିକ ବର୍ଷରେ ୨୪,୮୨୯ କୋଟି ଟଙ୍କା ବ୍ୟୟବରାଦ ରଖାଯାଇଥିବା ବେଳେ ମୋହନ ସରକାର ୨୦୨୪-୨୫ରେ ୩୬ ପ୍ରତିଶତ ବୃଦ୍ଧି କରିଛନ୍ତି। ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ୩୩,୯୧୯ କୋଟି ଟଙ୍କାର ବଜେଟ୍ ରଖିଛନ୍ତି। ଦେଶର ଧାନ ଉତ୍ପାଦନରେ ଓଡ଼ିଶା ତୃତୀୟ ସ୍ଥାନରେ ଥିବାରୁ ଧାର୍ଯ୍ୟ ଏମ୍ଏସ୍ପି ଠାରୁ ୮୦୦ ଟଙ୍କା ଅଧିକ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସରକାର ଚଳିତ ଖରିଫ ଋତୁରେ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣିବେ। ସମୃଦ୍ଧ କୃଷକ ଯୋଜନା, ସିଏମ୍ କିଷାନ ଯୋଜନା ଓ ଶ୍ରୀଅନ୍ନ ଯୋଜନା ଲାଗୁ କରିଛନ୍ତି।
କ’ଣ କହିଲେ ବିରୋଧୀ?
ଡବଲ ଇଂଜିନ ସରକାର ଡବଲ ଓଡ଼ିଶାବାସୀଙ୍କୁ ନିରାଶ କରିଛି। ଆମେ ଏହି ବଜେଟ୍ ନେଇ ଖୁସି ନାହୁଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାକୟ ଗଣମାଧ୍ୟମକୁ କହିଛନ୍ତି। କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି, ଚାଷୀ ଓ ମହିଳାଙ୍କ ପାଇଁ କିଛି ନାହିଁ। ଯାହା ଆଗରୁ ଥିଲା, ସେଥିରେ ୧୦ରୁ ୧୫ ପ୍ରତିଶତ ଟଙ୍କା ବଢ଼ିଛି। ଏହା ଏକ ହାୱା। ମୋହନ ସରକାରଙ୍କ ବଜେଟ୍ରେ କେବଳ ନାମ ପରିବର୍ତ୍ତନ ହୋଇଛି। ଲୋକଙ୍କୁ ଭୁଲାଇବା ପାଇଁ ଏହି ବଜେଟ୍। ଗରିବମାନଙ୍କୁ ମାରିବା ପାଇଁ ଏହି ବଜେଟ୍ ପ୍ରସ୍ତୁତ ହୋଇଛି।
୩ ବର୍ଷରେ ୨୫ଲକ୍ଷ ‘ଲକ୍ଷପତି ଦିଦି’ ଲକ୍ଷ୍ୟ
ରାଜ୍ୟ ସରକାର ଆଗାମୀ ୩ ବର୍ଷ ମଧ୍ୟରେ ମହିଳା, ଶିଶୁ ବିକାଶ ଓ ମିସନ ଶକ୍ତି ପାଇଁ ୧୭,୯୪୨ କୋଟିର ବ୍ୟୟବରାଦ କରିଛନ୍ତି। ଏଥିରେ ସୁଭଦ୍ରା ଯୋଜନାରେ ୧୦,୦୦୦, ମମତା ଓ ପ୍ରଧାନମନ୍ତ୍ରୀ ମହିଳା ବିକାଶ ଯୋଜନାରେ ୫୨୧ କୋଟି, ପୋଷଣ ଅଭିଯାନରେ ୨୯୫ କୋଟି ସାମିଲ ରହିଛି। ସେହିପରି ମିସନ ଶକ୍ତି ଯୋଜନାରେ ୧୧୭୯ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ଶିଳ୍ପ ପୁଞ୍ଜର ପ୍ରତିଷ୍ଠା, ଉତ୍ପାଦିତ ଦ୍ରବ୍ୟ ଗୁଡିକର ବିପଣନ ଓ ପ୍ରଚାର ପ୍ରସାର ନିମନ୍ତେ ୨୦୨୭ ସୁଦ୍ଧା ଓଡିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାର ଲକ୍ଷ୍ୟ ରହିଛି। ଜାତୀୟ ଗ୍ରାମୀଣ ଜୀବିକା ମିସନ ଅଧିନସ୍ଥ ଜୀବିକା ସଂଯୋଜକ ପଦକ୍ଷେପ ଗୁଡିକାର ସହାୟତାରେ ଏକ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ମାଧ୍ୟମରେ ସରକାରୀ ଦ୍ରବ୍ୟ ଓ ସେବା ଆହରଣ, ଗୁରୁତ୍ୱପୂର୍ଣ୍ଣ ସରକାରୀ ବ୍ୟବସାୟ ସୃଷ୍ଟି ଏବଂ ଅଧିକ ଆୟ ଓ ଜୀବିକା ଅର୍ଜନ ସୁଯୋଗ ସୃଷ୍ଟି କରାଯାଇ ଅଧିକ ସଂଖ୍ୟକ ଲକ୍ଷପତି ଦିଦି ସୃଷ୍ଟି କରାଯିବ।
ଶିକ୍ଷା ପାଇଁ ନୂଆ ଯୋଜନା
ଛାତ୍ରଛାତ୍ରୀ, ଶିକ୍ଷକ, ଭିତ୍ତିଭୂମିର ଗୁଣବତ୍ତା ଓ ସାମଗ୍ରିକ ଶିକ୍ଷଣ ଅଭିଜ୍ଞତାରେ ଉନ୍ନତି ପାଇଁ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ୩୫,୫୩୬ କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି ମୋହନ ସରକାର। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୫୦ କୋଟି ଟଙ୍କା, ପଞ୍ଚସଖା ଶିକ୍ଷା ସେତୁ ପାଇଁ ୩୩୨ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ୧୩୯ କୋଟି ଟଙ୍କା ଓ ପିଏମ୍ ପୋଷଣ ପାଇଁ ୯୯୭ କୋଟି ଟଙ୍କା ସାମିଲ ରହିଛି। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଏକ ରାଜ୍ୟସ୍ତରୀୟ ଶିକ୍ଷାନୀତିର ବିକାଶ ଏବଂ ପ୍ରଣୟନକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ଉତ୍ସର୍ଗୀକୃତ। ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ଗଠନ କରାଯାଇ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ ପ୍ରସ୍ତୁତି ସହ ନୀତି ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ ହେବ। ପିଏମ୍-ଶ୍ରୀ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଐତିହାସିକ ନିଷ୍ପତ୍ତି ହୋଇଛି। ଗ୍ରାମୀଣ ଓ ଅର୍ଦ୍ଧ ସହରାଞ୍ଚଳର ପିଲାମାନଙ୍କୁ ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନାମକ ଏକ ନୂତନ ଯୋଜନାର ପ୍ରସ୍ତାବ ଦେଇଛନ୍ତି। ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ଯୋଜନାରେ ପୁରାତନ ଛାତ୍ରଛାତ୍ରୀଙ୍କ ଯୋଗଦାନରେ ବିଦ୍ୟାଳୟର ବିକାଶ ପାଇଁ ସରକାରୀ ଅଂଶ ବାବଦକୁ ୩,୩୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନା ପ୍ରଚଳନ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ୬୦:୪୦ ଅନୁପାତରେ ପାଣ୍ଠି ସହାୟତାରେ ଗୁଣାତ୍ମକ ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟାର ବିକାଶ, ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ସ୍ବୀକୃତି, ସୂଚନା, ଯୋଗାଯୋଗ ଓ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ଡିଜିଟାଲ ଭିତ୍ତିଭୂମି ସୃଷ୍ଟି କରିବା ସହ ବହୁବିଭାଗୀୟ ପାଠ୍ୟକ୍ରମ ମାଧ୍ୟମରେ ନିଯୁକ୍ତି ଦକ୍ଷତା ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯିବ।
ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା
ନବୀନ ସରକାରରେ ଲୋକପ୍ରିୟ ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନାବ ପରିବର୍ତ୍ତନ କରିଛନ୍ତି ମୋହନ ମାଝୀ। ସରକାର ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ୨୧ ହଜାର ୨ ଶହ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରଖିଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଏଣିକି ଲୋକେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ନାମରେ ଜାଣିବେ। ଏଥି ସହିତ ଭାରର ସରକାରଙ୍କ ଆୟୁଷ୍ମାନ ଯୋଜନା ମଧ୍ୟ ଓଡ଼ିଶାରେ ଲାଗୁ ହେବ। ସ୍ବାସ୍ଥ୍ୟ କ୍ଷେତ୍ରରେ ପୂର୍ବରୁ ଯେମିତି ଲାଭ ମିଳୁଥିଲା, ଏବେବି ସେମିତି ମିଳିବ। ନିର୍ବାଚନ ପୂର୍ବ ଇସ୍ତାହାରରେ ପ୍ରତିଶ୍ରୁତି ଅନୁଯାୟୀ ସରକାର ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ରାଜ୍ୟର ନିଜସ୍ବ ସ୍ବାସ୍ଥ୍ୟ ବୀମା ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସଂଯୋଜନ ମାଧ୍ୟମରେ ଯୋଗ୍ୟ ପରିବାରମାନଙ୍କୁ ସରକାରୀ ଓ ବେସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ କ୍ୟାସଲେସ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହା ଦ୍ବାରା ରାଜ୍ୟ ରାଜକୋଷ ଉପରେ ବୋଝ କମିବ। ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ଲୋମାନେ ଦେଶର ସମସ୍ତ ରାଜ୍ୟର ୨୭ ହଜାରରୁ ଅଧିକ ତାଲିକାଭୁକ୍ତ ସରକାରୀ ଓ ଘରୋଇ ଡାକ୍ତରଖାନାରେ କ୍ୟାସଲେସ ଚିକିତ୍ସା ସୁବିଧା ପାଇପାରିବେ।
ସାମାଜିକ ସୁରକ୍ଷା
ମୋହନ ସରକାରଙ୍କ ବଜେଟ୍ ଉପସ୍ଥାପନ କରିବା ଅବସରରେ ବଡ଼ ଘୋଷଣା କରିଛନ୍ତି। ସାମାଜିକ ସୁରକ୍ଷା ଭତ୍ତାକୁ ମାସିକ ୩୫୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହା ୮୦ ବର୍ଷରୁ ଅଧକ ବୟସର ବରିଷ୍ଠ ନାଗରିକ ଓ ୮୦ପ୍ରତିଶତରୁ କମ ହୋଇନଥିବା ଦିବ୍ୟାଙ୍ଗମାନଙ୍କୁ ମିଳିବ। ଉଭୟ ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ଏହି ଭତ୍ତା ମିଳିବ। ଭିନ୍ନକ୍ଷମଙ୍କ ସୁରକ୍ଷା ପାଇଁ ୩୦୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହା ସହିତ ସରକାରୀ ପ୍ରତିଷ୍ଠାନ ଓ ଭିତ୍ତିଭୂମିକୁ ସେମାନଙ୍କ ଯାତାଯାତ ଅନୁକୂଳ କରିବାକୁ ୧୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହାଛଡ଼ା ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ କିନ୍ନରମାନଙ୍କ ଆବାସିକ ସହାୟତାର ଗୁଣବତ୍ତାରେ ଉନ୍ନତି ଆଣିବାକୁ ଜିଲ୍ଲାସ୍ତରରେ ସମନ୍ବିତ ଭିତ୍ତିଭୂମି କଂପ୍ଲେକ୍ସ ପ୍ରତିଷ୍ଠା କରାଯିବ।