ଭୁବନେଶ୍ବର: ମଦ ବ୍ୟକ୍ତିଗତ ପାଇଁ ଯେତିକି କ୍ଷତିକାରକ, ତା’ଠାରୁ ପରିବାର ଓ ସମାଜ ପାଇଁ ଅଧିକ ହାନୀକାରକ। ମଦକୁ ନେଇ ସମାଜରେ ହିଂସା ମଧ୍ୟ ବୃଦ୍ଧି ପାଉଛି। ଅନେକଙ୍କ ପରିବାର ଉଜୁଡି ଯାଉଛି। ଏହା ସତ୍ତ୍ବେ ମଧ୍ୟ ଲୋକେ ମଦପିଇବା ବନ୍ଦ କରୁନାହାନ୍ତି। ସରକାର ମଧ୍ୟ ରାଜସ୍ବ ଲୋଭରେ ମଦକୁ ନିଷିଦ୍ଧ କରିପାରୁ ନାହାନ୍ତି। ଏହି କାରଣରୁ ମଦଜନିତ ମୃତ୍ୟୁ ପ୍ରତିଦିନ ଦେଖାଯାଉଛି। ଭାରତ ଭଳି ଜନବହୁଳ ଦେଶରେ ମଦଜନିତ ମୃତ୍ୟୁ ଚିନ୍ତା ବଢ଼ାଉଛି। ଭାରତରେ ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରୁ ୩୮.୮ ଜଣଙ୍କ ମଦ ପାଇଁ ମୃତ୍ୟୁ ହେଉଛି। ପଡୋଶୀ ଚୀନରେ ଏହି ସଂଖ୍ୟା ୧୬.୧। ଗତ ୧୮ ତାରିଖରେ ତାମିଲନାଡୁର କଲ୍ଲାକୁରୁଚି ଜିଲ୍ଲାରେ ବିଷାକ୍ତ ମଦ ପାଇଁ ବଡ଼ ଅଘଟଣ ଘଟିଥିଲା। ୧୦ ଦିନ ଭିତରେ ୫୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ଦେଢ଼ ଶହ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ସାଉଦୀ ଆରବରେ ମଦ ପ୍ରସ୍ତୁତି, ବିତରଣ, ପିଇବା ଓ ଆମଦାନୀକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ଭାରତରେ କିଛି ରାଜ୍ୟରେ ମଦ ପ୍ରସ୍ତୁତି ଓ ବିକ୍ରି ନେଇ କଟକଣା ଲାଗୁ ହୋଇଥିବା ବେଳେ ଅନ୍ୟ ରାଜ୍ୟଗୁଡ଼ିକରେ ସରକାର ମଦରୁ ଭଲ ରାଜସ୍ବ ପାଇଥାନ୍ତି। ଏହି କ୍ରମରେ ବିହାର, ଗୁଜରାଟ, ମିଜୋରାମ ଓ ନାଗାଲାଣ୍ଡରେ ମଦ ପ୍ରସ୍ତୁତି ଓ ବିକ୍ରି ଉପରେ ସଂପୂର୍ଣ୍ଣ କଟକଣା ଲାଗୁ ହୋଇଛି। କିନ୍ତୁ ସରକାର ଚୋରା କାରବାରକୁ ଅଟକାଇପାରି ନାହାନ୍ତି। କିନ୍ତୁ ଓଡ଼ିଶା ସରକାର ରାଜସ୍ବ ବୃଦ୍ଧିରେ ମଦର ବଡ଼ ଭୂମିକା ରହୁଛି। ଓଡ଼ିଶା ସରକାର ଆର୍ଥିକ ବର୍ଷ ୨୦୧୨-୧୩ରେ ମଦରୁ ୧୩୭୯.୯୧ କୋଟି ଟଙ୍କା ରାଜସ୍ବ ସଂଗ୍ରହ କରିଥିଲେ। କିନ୍ତୁ ଦଶବର୍ଷ ପରେ ୨୦୨୨-୨୩ରେ ଏହା ୩୬୭ ପ୍ରତିଶତ ଅଧିକ ହୋଇ ୬,୪୫୫ କୋଟି ଟଙ୍କାରେ ପହଞ୍ଚାଇଥିଲେ। ରାଜସ୍ବ ପାଇଁ ମଦକୁ ଏଭଳି ପ୍ରୋତ୍ସାହନ ଦିଆଯିବା ଦ୍ବାରା ସମାଜ ପ୍ରତି ବଡ଼ଧରଣର ନକରାତ୍ମକ ପ୍ରଭାବ ପଡୁଛି।
ବିହାରରେ ମଦ କଟକଣା, ମାନୁନାହାନ୍ତି ଲୋକେ
କ୍ଷୋଭର ବିଷୟ ହେଲା ଯେ, ବିହାର ସରକାର ମଦ ପ୍ରସ୍ତୁତି ଓ ବିକ୍ରି ଉପରେ କଟକଣା ଲଗାଇଛନ୍ତି ସତ। ପାରିବାରିକ ହିଂସା ଓ ଅନ୍ୟ ହିଂସାତ୍ମକ ଘଟଣା ହ୍ରାସ କରିବା ଲକ୍ଷ୍ୟରେ ନୀତୀଶ କୁମାରଙ୍କ ସରକାର ୨୦୧୬ ମସିହାରେ ମଦ ଉପରେ କଟକଣା ଲଗାଇଥିଲେ। କିନ୍ତୁ ଲୋକେ ଧୂମଧାମରେ ମଦ ପିଇ ମାତାଲ ହେଉଛନ୍ତି। ବିହାରରେ ମଦ ମୃତ୍ୟୁ ଘଟଣା ଅନେକ ସମୟରେ ଦେଖାଯାଉଛି। ୨୦୨୨ ଡିସେମ୍ବର ମାସରେ ବିହାରରେ ବିଷାକ୍ତ ମଦ ପିଇ ୭୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଦେଶରେ ଜୋରଦାର ଚର୍ଚ୍ଚା ହୋଇଥିଲା। ନୀତୀଶ ସରକାରଙ୍କୁ ବିତରୋଧୀ ଦଳ ସହିତ ଅନ୍ୟ ରାଜ୍ୟର ଲୋକେ ମଧ୍ୟ ସମାଲୋଚନା କରିଥିଲେ।
ବାପାଙ୍କୁ ପୁଅ-ବୋହୂ, ମାଙ୍କୁ ପୁତ୍ରଙ୍କ ହତ୍ୟା
ବିହାରରର ମୁଜାଫରପୁରରେ ଦୁଇଟି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି। ଜିଲ୍ଲାର ମୁଶହରୀ ଅଞ୍ଚଳରେ ୨ଟି ଭିନ୍ନଭିନ୍ନ ହତ୍ୟାକାଣ୍ଡ ହୋଇଛି। ମଣିକା ହରିକେଶ ପଂଚାୟତର ମଣିକା ହରିକେଶରେ ଭୁସ୍ସା ଛକ ନିବାସୀ ବିରଜୁ ଭଗତ (୫୦)ଙ୍କ ହତ୍ୟା ତାଙ୍କର ପୁଅ ଓ ବୋହୂ କରିଛନ୍ତି। ହତ୍ୟା ପରେ ପୁଅ ଇନ୍ଦ୍ରେଶ କୁମାର ଫେଣାର ଅଛି। ଇନ୍ଦ୍ରେଶଙ୍କ ପତ୍ନୀଙ୍କୁ ନେଇ ପୁଲିସ ପଚରାଉଚରା କରୁଛି। ଇନ୍ଦ୍ରେଶ ମଦ ପିଇ ବାପାଙ୍କୁ ସବୁବେଳେ ମାଡ଼ ମାରୁଥିଲା। ଅନ୍ୟ ଏକ ଘଟଣା ଗାଂଗପୁର ଗାଁରେ ଘଟିଛି। ଶାନ୍ତି ଦେବୀ (୬୦)ଙ୍କୁ ହତ୍ୟା କରାଯାଇଛି। ପୁଲିସ ଏହି ଘଟଣାରେ ତାଙ୍କର ପୁଅ ମନୋଜ ମାଝୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଥାନା ଅଧିକାରୀ ରଂଜୀତ କୁମାର ଗୁପ୍ତା କହିଛନ୍ତି, ପ୍ରହ୍ଲାଦପୁର ପଂଚାୟତର ଗଂଗାପୁର ନିବାସୀ ମାଂଝୀ ଟୋଲାର ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ ଯେ, ଶାନ୍ତି ଦେବୀଙ୍କୁ ମନୋଜ ନିଶାସକ୍ତ ଅବସ୍ଥାରେ ଇଟାରେ ଛେଚିଥିଲା। ଉଭୟ ଘଟଣା ମଦକୁ ନେଇ ଘଟିଛି।
ହତ୍ୟାର କାରଣ ପାଲଟିଲା ମଦ
ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଜଣେ ବ୍ୟକ୍ତି ମଦନିଶାରେ ବିବାଦକୁ ନେଇ ବଡ଼ଭାଇକୁ କୁରାଢ଼ୀରେ ହାଣି ହତ୍ୟା କରିଛି। ଏହା ପରେ ଅଭିଯୁକ୍ତ ସାନଭାଇ ଥାନାରେ ଯାଇ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ପୁଲିସ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି। ମୃତବ୍ୟକ୍ତି ହେଲେ ରାମ ଆଶୟଙ୍କ ପୁଅ ରମେଶ। ଲକ୍ଷ୍ନୌର ବନ୍ଥରା ଅଞ୍ଚଳରେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ହୋଇଛି। ଏଠାରେ ଜଣେ ବ୍ୟକ୍ତି ନିଜର ବଡ଼ ଭାଇ ରମେଶ ଆଶୟଙ୍କୁ ଗାଳି ଦେବାରୁ ଧାରୁଆ କୁରାଢ଼ୀରେ ଆକ୍ରମଣ କରିଛି। ଫଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବଡ଼ଭାଇର ମୃତ୍ୟୁ ହୋଇଛି। ହତ୍ୟା ପରେ ଅଭିଯୁକ୍ତ ଥାନାକୁ ଯାଇ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି।
ମଦ ମୁକ୍ତ ହେବ କି ଓଡ଼ିଶା?
ଓଡ଼ିଶାରେ ମଦର ବନ୍ୟା ଛୁଟୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ସ୍ବୀକୃତିପ୍ରାପ୍ତ ମଦ ଦେକାନ ତୁଳନାରେ ବେଆଇନ ଭାବେ ପ୍ରସ୍ତୁତି ଅଧିକ ହେଉଛି। ଏହାର ଉଦାହରଣ ହେଲା ପ୍ରତିବର୍ଷ ହଜାର ହଜାର ଲିଟର ମଦ ଜବତ ହେବା ଓ ଏହି ମାମଲାରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା। ରାଜ୍ୟରେ ନୂଆ ସରକାର ଆସିଲା ପରେ ଆଗାମୀ ଦିନରେ ରୂପରେଖ କ’ଣ ହେବ, ତାହା ସମୟ କହିବ। କିନ୍ତୁ ନିକଟରେ ଅନ୍ତର୍ଜାତୀୟ ନିଶା ନିବାରଣ ଦିବସ ଅବସରରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ମଦମୁକ୍ତ ଓଡ଼ିଶା ବୟାନ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା। ଚଳିତ ନିର୍ବାଚନ ପୂର୍ବରୁ ନିଶାମୁକ୍ତ ଓଡ଼ିଶା ପାଇଁ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ରାଜ୍ୟ ବିଜେପି। ନିର୍ବାଚନୀ ଇସ୍ତାହାରରେ ଦଳ ପକ୍ଷରୁ ଯେଉଁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହାକୁ ପାଳନ କରିବା ଲାଗି କିଛି କ୍ଷେତ୍ରରେ ସରକାର ଉଦ୍ୟମ ଆରମ୍ଭ କରିସାରିଛନ୍ତି। ଏ ଦୃଷ୍ଟିରୁ ରାଜ୍ୟରେ ମଦ ବିକ୍ରି ନିଷିଦ୍ଧ ହୋଇପାରେ ବୋଲି ଆଶା କରାଯାଉଛି।