ଭୁବନେଶ୍ବର: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଦ୍ବାରା ପରିଚାଳିତ ଓ ଆମେରିକା-ୱେଷ୍ଟଇଣ୍ଡିଜ୍ ଆୟୋଜନରେ ପୁରୁଷ ଟି-୨୦ ବିଶ୍ବକପ୍-୨୦୨୪ରେ ଭାରତୀୟ ଟିମ୍ ଚାମ୍ପିଅନ୍ ହୋଇଛି। ୱେଷ୍ଟଇଣ୍ଡିଜ୍ର ବାରବାଡୋସରେ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲାରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ୭ ରନ୍ରେ ପରାସ୍ତ କରି ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଟିମ୍ ଦ୍ବିତୀୟ ଥର ଟି-୨୦ ବିଶ୍ବକପ୍ ବିଜେତା ପାଲଟିଛି। ପୂର୍ବରୁ ଭାରତ ୨୦୦୭ରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ଏହି ଭଳି ଚାମ୍ପିଅନ ହୋଇଥିଲା। ଧୋନୀଙ୍କ ନେତୃତ୍ବ ୨୦୧୧ରେ ଓ କପିଳଦେବଙ୍କ ନେତୃତ୍ବରେ ଭାରତ ୧୯୮୩ ମସିହାରେ ଚାମ୍ପିଅନ୍ ହୋଇଥିଲା।
ଭାରତ ଗତ ୫ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରେ ୮ୱିକେଟ୍ରେ ମ୍ୟାଚ୍ ଜିତିବା ସହିତ ଟି-୨୦ ବିଶ୍ବକପ୍-୨୦୨୪ ଅଭିଯାନ ଆରମ୍ଭ କରିଥିଲା। ଏହି ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଭାରତ ‘ଗ୍ରୁପ-ଏ’ରେ ଥିଲା ଏବଂ ପାକିସ୍ତାନ ଓ ଆମେରିକାକୁ ମଧ୍ୟ ପରାସ୍ତ କରିଥିଲା। କାନାଡା ବିପକ୍ଷ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ସୁପର-୮ ପର୍ଯ୍ୟାୟରେ ଆଫଗାନିସ୍ତାନ, ବାଂଲାଦେଶ ଓ ଅଷ୍ଟ୍ରେଲିଆକୁ ପରାସ୍ତ କରି ସେମିଫାଇନାଲକୁ ପ୍ରବେଶ ସହ ଇଂଲଣ୍ଡକୁ ମୁକାବିଲା କରିଥିଲା। ମୋଟାମୋଟି ଭାବେ କହିବାକୁ ଗଲେ ଭାରତୀୟ ଖେଳାଳି କୌଣସି ଗୋଟିଏ ମ୍ୟାଚ୍ ହାରି ନଥିଲେ।
ଫାଇନାଲ ମ୍ୟାଚ୍ ସ୍ମରଣୀୟ
ଫାଇନାଲ ମୁକାବିଲା ରୋମାଞ୍ଚକର ଥିଲା। ବ୍ରିଜ୍ଟାଉନ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୭୬ ରନ୍ ସଂଗ୍ରହ କରିଥିଲା। ୧୭୭ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳି ଥିବା ଦକ୍ଷିଣ ଆଫ୍ରିକାର ପ୍ରାରମ୍ଭିକ ବ୍ୟାଟିଂ ଖରାପ ଥିଲା। ଭାରତ ପରାଜୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ହଠାତ୍ ପରିବର୍ତ୍ତନ ଆସିଯାଇଥିଲା। ଦକ୍ଷିଣ ଆଫ୍ରିକାକୁ ୨୮ଟି ବଲ୍ରୁ ୨୭ ରନ୍ ଦରକାର ଥିଲା। କେବଳ ଏତିକି ନୁହେଁ ହାତରେ ୬ଟି ୱିକେଟ୍ ମଧ୍ୟ ଥିଲା। ସମସ୍ତେ ଭାବୁଥିଲେ ଯେ, ଭାରତ ହାତରୁ ମ୍ୟାଚ୍ ଖସିଗଲା। ଭାରତୀୟ ଟିମ୍କୁ ଅନ୍ଧ ହୋଇ ଭଲ ପାଉଥିବା ଅନେକ ପ୍ରଶଂସକ ଟିଭି ଓ ମୋବାଇଲ ଦେଖିବା ମଧ୍ୟ ବନ୍ଦ କରିଦେଇଥିଲେ। କିନ୍ତୁ ଭାରତୀୟ ବୋଲର ପୁଣି ଫର୍ମକୁ ଫେରିଥିଲେ। ଆଫ୍ରିକାର ପ୍ରଥମ ଟି-୨୦ ବିଶ୍ବକପ୍ ଚାମ୍ପିଅନ ହେବାର ସ୍ବପ୍ନ ଧୂଳିସାତ୍ ହୋଇଗଲା।
ପୂରା ଦେଶରେ ଉତ୍ସାହ
ଭାରତୀୟ ଟିମ୍ ବିଦେଶ ମାଟିରେ ଚାମ୍ପିଅନ ହେବା ନୂଆ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ବିଦେଶ ମାଟିରୁ ଚାମ୍ପିଅନ ହୋଇ ଫେରିଛି। ଏଥରର ଅନୁଭୂତି କିନ୍ତୁ ନିଆରା। କାରଣ ଭାରତୀୟ ଟିମ୍ ମ୍ୟାଚ ଜିତୁ ବୋଲି ୧୪୦ କୋଟି ଭାରତୀୟ କାମନା କରିଥିଲେ। କ୍ରିକେଟକୁ ମାତ୍ରାଧିକ ଭଲ ପାଉଥିବା ଅନେକ ଖେଳାଳି, ପ୍ରଶଂସକ, କୋଚମାନେ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଭାରତ ଶନିବାର ରାତି ସାଢ଼େ ୧୧ଟାରେ ଯେତେବେଳେ ମ୍ୟାଚ୍ ଜିତିଲା, ପୂରା ଦେଶରେ ଉତ୍ସବର ମାହୋଲ ଦେଖାଯାଇଥିଲା। ଗାଁରୁ ସହର ଓ ପଲ୍ଲୀ ଠାରୁ ଦିଲ୍ଲୀ ଯାଏଁ ଉତ୍ସାହ ଦେଖାଯାଇଥିଲା। ବଡ଼ବଡ଼ ସହରରେ ବାଣ ଫୁଟିଥିଲା।
ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ଭାରତର ବିଜୟରେ କେବଳ ସାଧାରଣ ଜନତା ନୁହଁନ୍ତି। ବରଂ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁସି ଅନୁଭବ କରିଛନ୍ତି। ବିଶିଷ୍ଟ ବ୍ୟକ୍ତିମାନେ ଭାରତୀୟ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି, କେବେ ପରାଜୟର ଚିନ୍ତା ନକରିବା ସହିତ, ଟିମ୍ କଠିନ ପରିସ୍ଥିତିରେ ସମୟ ବିତାଇଛି ଏବଂ ଟୁର୍ଣ୍ଣାମେଣ୍ଟରେ ଉତ୍କର୍ଷ କୌଶଳ ପ୍ରଦର୍ଶନ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ଭାରତୀୟ କ୍ରିକେଟ୍ ଟିମ୍ ପାଇଁ ଗର୍ବିତ। ଏହି ମ୍ୟାଚ୍ ଏକ ଐତିହାସିକ ଥିଲା। ଏହି ମହାନ ବିଜୟ ପାଇଁ ସମସ୍ତ ଦେଶବାସୀଙ୍କ ତରଫରୁ ଭାରତୀୟ ଟିମ୍କୁ ଅଭିନନ୍ଦନ। ଆଜି ୧୪୦ କୋଟି ଦେଶବାସୀ ଆପଣଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଗର୍ବିତ ଅନୁଭବ କରୁଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଭାଷାରେ ଚାମ୍ପିଅନ ହେବ ଆମ ଦେଶ ପାଇଁ ଗର୍ବର ମୁହୂର୍ତ୍ତ। ଶ୍ରୀ ମାଝୀ କହିଛନ୍ତି, ବିଶ୍ୱକପ ବିଜେତା ସମସ୍ତ ଖେଳାଳି ଏବଂ ସହଯୋଗୀମାନଙ୍କୁ ଅନେକ ଅନେକ ଅଭିନନ୍ଦନ। ଆଗକୁ ଭାରତୀୟ କ୍ରିକେଟ ଏହିପରି ଅନେକ ସଫଳତା ହାସଲ କରି ଦେଶକୁ ଗୌରାବାନ୍ୱିତ କରୁ ଏତିକି କାମନା।
କ’ଣ କହିଲେ ପୂର୍ବତନ ଅଧିନାୟକ
ଭାରତୀୟ ଟିମ୍କୁ ୨୦୦୭ ଟି-୨୦ ବିଶ୍ବକପ୍ ଚାମ୍ପିଅନ କରାଇଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କହିଛନ୍ତି, ଭାରତର ଏହି ବିଜୟରେ ଗାଁରୁ ସହର ପର୍ଯ୍ୟନ୍ତ ଉତ୍ସବର ମାହୋଲ ଦେଖାଯାଇଛି। ସମସ୍ତେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଉଛନ୍ତି। ମ୍ୟାଚ ସମୟରେ ମୋର ହୃଦ୍ସ୍ପନ୍ଦନ ବଢ଼ିଯାଇଥିଲା। କିନ୍ତୁ ଭାରତୀୟ ଟିମ୍ ପ୍ରଶସଂନୀୟ ପ୍ରଦର୍ଶନ କରିଛନ୍ତି। ଚାପରେ ଥାଇ ମଧ୍ୟ ନିଜକୁ ନିୟନ୍ତ୍ରଣ କରିଛନ୍ତି। ଶେଷରେ ବିଜୟୀ ହୋଇଛନ୍ତି। ସେ ଭାରତୀୟ ଟିମକୁ ଫଟୋ ସେୟାର କରିବା ସହିତ ଏଥିରେ କ୍ୟାପସନ ଯୋଡ଼ିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ମୋର ହୃଦ୍ସ୍ପନ୍ଦନ ବଢ଼ିଯାଇଥିଲା। ଶାନ୍ତ ରହିବା, ନିଜ ଉପରେ ବିଶ୍ବାସ ରଖିବା ଏବଂ ଆପଣମାନେ ଯାହା କଲେ, ସେଥିପାଇଁ ସାବାସ୍। ଭାରତୀୟ ଓ ବିଶ୍ବବାସୀଙ୍କ ତରଫରୁ ଧନ୍ୟବାଦ।