ଭୁବନେଶ୍ବର: ୨୪ ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଜୀବନରେ କେବେ ବି ବିନା କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଏକାକୀ ଯାଇ ତୃଣମୂଳ ସ୍ତରରେ ବସବାସ କରୁଥିବା ଓଡ଼ିଆ ଲୋକଙ୍କୁ ଭେଟି ନାହାନ୍ତି। ରାଜ୍ୟର କୋଟିଏ ଲୋକ କାମଧନ୍ଦା ନପାଇ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ପ୍ରତିମାସରେ ପ୍ରବାସୀ ଓଡ଼ିଆଙ୍କର ମୃତଦେହ ଘରୁ ଫେରୁଛି। ପ୍ରବାସୀ ଓଡ଼ିଆ ଶ୍ରମିକ ବାହାରେ ନିର୍ଯାତନାର ଶିକାର ହେଉଛନ୍ତି। ଏଖବର ମୁଖ୍ୟମନ୍ତ୍ରୀଙ୍କ ପାଖରେ ନଥାଏ ବୋଲି ବିରୋଧୀମାନେ ଅଭିଯୋଗ ଆଣିଥାନ୍ତି। ତାଙ୍କ ଦଳର ଜଣେ ବରିଷ୍ଠ ନେତା ତାଙ୍କୁ ଯେମିତି ନଚାନ୍ତି, ସେ ସେହିଭଳି ନାଚନ୍ତି ବୋଲି କୁହନ୍ତି। ତଥାପି ସେ ଲୋକଙ୍କୁ କୁହନ୍ତି ଆପଣମାନେ ଖୁସି ତ…। ରାଜ୍ୟର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ, ରୋଜଗାର, କୃଷି କ୍ଷେତ୍ରରେ ଭଲ ବ୍ୟବସ୍ଥା ହୋଇଛି ଭାବି ମୁଖ୍ୟମନ୍ତ୍ରୀ ଏହା ବାରମ୍ବାର ବିଭିନ୍ନ ଜନସଭାରେ କହୁଥାନ୍ତି।
ଆଉ ଗୋଟିଏ କଥା ହେଲା, ୨୦୧୯ ମସିହାରୁ ମୁଖ୍ୟମନ୍ତ୍ରୀ ସବୁବେଳେ କହି ଆସୁଛନ୍ତି ସାଢ଼େ ୪ କୋଟି ଓଡ଼ିଆ ମୋର ପରିବାର। ଯଦି ଏତେ ଲୋକ ତାଙ୍କର ପରିବାରର ସଦସ୍ୟ, ତାହେଲେ କାହିଁକି ସେ ଏଥିରୁ ଜଣେ ଲୋକଙ୍କୁ ଯୋଗ୍ୟ ଭାବି ବାର୍ଦ୍ଧକ୍ୟ ସମୟରେ ନିଜ ପାଖରେ ରଖୁନାହାନ୍ତି। ଅଥଚ ଜଣେ ତାମିଲ ବାବୁଙ୍କ ନିଜ ପାଖରେ ରଖି ଲୋକହସା ହେଉଛନ୍ତି। ବିଗତ ଏକ ସପ୍ତାହ ହେଲା ତାମିଲ ବାବୁ ତାଙ୍କ ହାତକୁ ଟାଣିବା, ଗୋଡରେ ଗୋଇଠା ମାରିବା ହେଉଛି ଏହାର ଉଦାହରଣ, ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ସେ ଟ୍ରୋଲ ହେଉଛନ୍ତି। ଅନ୍ୟ ଏକ କଥା ହେଲା ସେ ଯଦି ୨୪ ବର୍ଷରେ ଏତେ ବିକାଶ କରିଦେଇଛନ୍ତି, ଚଳିତ ସାଧାରଣ ନିର୍ବାଚନରେ ରାଜ୍ୟରେ ଏତେ ହିଂସାକାଣ୍ଡ କାହିଁକି ଘଟୁଛି। ପୁଣି ଯାହା ହିଂସାକାଣ୍ଡ ହେଉଛି, ଏଥିରେ ବିଜେଡି ନେତାଙ୍କର ସଂପୃକ୍ତି ରହୁଛି।
ଖୁସି ନାହାନ୍ତି ରାଜ୍ୟବାସୀ
ଏହାରି ମଧ୍ୟରେ ରାଜ୍ୟରେ ଗତ ମାସ ୧୩ ତାରିଖ ଠାରୁ ଆରମ୍ଭ ହୋଇ ୪ଟି ପର୍ଯ୍ୟାୟରେ ମତଦାନ ଜୁନ ୧ ତାରିଖରେ ଶେଷ ହୋଇଛି। ବୁଥ ବାହୁଡ଼ା ମତ ଯଦିଓ ବାହାରି ସାରିଛି, ତଥାପି ଜୁନ୍ ୪ ତାରିଖରେ ହେବାକୁ ଥିବା ନିର୍ବାଚନ ଫଳାଫଳକୁ ଅପେକ୍ଷା କରିବାକୁ ହେବ। ମାତ୍ର ଏଠାରେ କୁହାଯାଇପାରିବ ଯେ, ୨୪ ବର୍ଷରେ ନବୀନ ପଟ୍ଟନାୟକ ଖୁସି ନାହାନ୍ତି କି ଓଡ଼ିଶାବାସୀ ମଧ୍ୟ ଖୁସି ନାହାନ୍ତି। ଚଳିତ ନିର୍ବାଚନରେ ବିଜୟୀ ହେବା ପାଇଁ ନବୀନ ପଟ୍ଟନାୟକଙ୍କ ଦଳ ଅର୍ଥ ଓ ବାହୁବଳ ସହିତ ସରକାରୀ କଳ ବ୍ୟବହାର କରିଛନ୍ତି, ଯାହାର ଚିତ୍ର ବିଭିନ୍ନ ସମୟରେ ଦେଖାଯାଇଛି। ବରିଷ୍ଠ ଆଇଏସ୍, ଆଇପିଏସ ନିଲମ୍ବିତ ଓ ବଦଳି ହେବା ହେଉଛି ଉଦାହରଣ। କ୍ୟାମେରା ସାମ୍ନାରେ ଟଙ୍କା ବଣ୍ଟା ଯିବା ହେଉଛି ପ୍ରମାଣ।
ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କୁ ଆକ୍ରମଣ
ପ୍ରଥମ, ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ଭଳି ଚତୁର୍ଥ ପର୍ଯ୍ୟାୟରେ ମତଦାନ ପୂର୍ବରୁ ଏବଂ ମତଦାନ ସମୟରେ ବିଜେଡିର କର୍ମୀମାନେ ମାତ୍ରାଧିକ ହ୍ରିଂସକ ସାଜିଛନ୍ତି। କଟକ ଜିଲ୍ଲା ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ମାଳଶାସନ ୧୮୪ ଓ ୧୮୫ ନମ୍ବର ବୁଥରେ ହିଂସା ସୃଷ୍ଟି କରିଛନ୍ତି। ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ୩ଜଣ ସମର୍ଥକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ସହ ଠେଙ୍ଗାରେ ପିଟିଛନ୍ତି। ସମସ୍ତ ଆହତଙ୍କୁ ସାଲେପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ବୁଥ୍ କ୍ୟାପଚରିଂ କରିବାକୁ ବିରୋଧ କରିବାରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗତ ୩୦ ତାରିଖ ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ସାର ଫେରୁଥିବା ବେଳେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ବିଜେଡି କର୍ମୀମାନେ ଆକ୍ରମଣ କରିଥିଲେ। ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାନକୁଟା ଗାଁରେ ପ୍ରଚାରରୁ ଫେରିଲା ବେଳେ ୨୦ରୁ ଅଧିକ ବିଜେପି କର୍ମୀଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। କରଞ୍ଜମାଳର ପୂର୍ବତନ ସରପଞ୍ଚ ରମେଶ ନାୟକ ଓ ତାଙ୍କର ସହଯୋଗୀମାନେ ଖଣ୍ଡା, ଭୁଜାଲିରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏହି ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି।
୪ ପର୍ଯ୍ୟାୟରେ ସୀମା ଟପିଲା ହିଂସା
ସାଧାରଣ ନିର୍ବାଚନ-୨୦୨୪ ମନେ ରହିବ। ଓଡ଼ିଶାରେ ଏଥର ନିର୍ବଚନୀ ହିଂସା ସୀମା ଟପିଛି। ପ୍ରଥମ ପର୍ଯ୍ୟାୟ ମତଦାନ ଦିନ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରାଯାଇଥିଲା। ତାଙ୍କୁ ଏଭଳି ଆକ୍ରମଣ କରାଗଲା, ଯେଉଁଥି ପାଇଁ ତାଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରିବାକୁ ପଡ଼ିଲା। ଏହି ଘଟଣାର ଦିନକ ପରେ ଆସିକା ଲୋକସଭା ଅଧୀନ ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ପୋଷ୍ଟର ମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଏହି ଘଟଣାରେ ଜଣେ ବିଜେପି କର୍ମୀଙ୍କର ମୃତ୍ୟୁ ହୋଇଥିଲା। ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ବରଗଡ଼ରେ ଜଣେ ଅଟୋ ଡ୍ରାଇଭରଙ୍କୁ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା।