ଚାଷୀ ନାମ ପଂଜୀକରଣକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

0
399

ଭୁବନେଶ୍ୱର: ଖରିଫ ୨୦୨୦-୨୧ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କର ନାମ ପଂଜୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ଅଗଷ୍ଟ ମାସ ୩୧ ତାରିଖ ଖରିଫ୍‌ ଧାନ ସଂଗ୍ରହ ନିମନ୍ତେ ଚାଷୀ ନାମ ପଂଜୀକରଣ ଶେଷ ତାରିଖ ହୋଇଥିବା ବେଳେ ସମସ୍ତ କ୍ଷେତ୍ରାଧିକାରୀ, ଡିଆର୍‌ସିଏସ୍‌, ଏଆର୍‌ସିଏସ୍‌ମାନେ ପ୍ୟାକ୍ସ ପରିଦର୍ଶନ କରି ଚାଷୀ ନାମ ପଂଜୀକରଣ କାର୍ଯ୍ୟକୁ ତଦାରଖ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ବୁଧବାର ଲୋକସେବା ଭବନଠାରେ ଆୟୋଜିତ ଭିଡିଓ କନ୍‌ଫରେନ୍ସ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଚାଷୀ ନାମ ପଂଜୀକରଣ, ରାସନ୍‌ କାର୍ଡର ଆଧାର ସଂଯୋଗୀକରଣ ଓ ବୈଧିକରଣ, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରାସନ୍‌ ସାମଗ୍ରୀ ଯୋଗାଣ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାସନ୍‌ ସାମଗ୍ରୀ ବଣ୍ଟନ ଏବଂ ମିଲରମାନଙ୍କ ଦ୍ୱାରା କଷ୍ଟମ୍‌ ମିଲିଂ ଚାଉଳ ପ୍ରଦାନ ଆଦିର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ।

ଖରିଫ୍‌ ଧାନ ସଂଗ୍ରହ ନିମନ୍ତେ ରାଜ୍ୟରେ ଅଦ୍ୟାବଧି ୭ ଲକ୍ଷ ୯୬ ହଜାର ୫୧୦ ଜଣ ଚାଷୀ ସେମାନଙ୍କର ନାମ ପଂଜୀକରଣ କରିଛନ୍ତି। ଗଜପତି, ସମ୍ବଲପୁର, କନ୍ଧମାଳ, ଯାଜପୁର, କଳାହାଣ୍ଡି, କଟକ ଆଦି ଜିଲ୍ଲାଗୁଡ଼ିକରେ ବିଗତବର୍ଷ ତୁଳନାରେ ଚାଷୀ ନାମ ପଂଜୀକରଣ ସନ୍ତୋଷଜନକ ହୋଇଥିବା ବେଳେ ଅନ୍ୟ ଜିଲ୍ଲାଗୁଡ଼ିକରେ ଧାର୍ଯ୍ୟ ସମୟ ମଧ୍ୟରେ ସମସ୍ତ ଚାଷୀ ନାମ ପଂଜୀକରଣ କାର୍ଯ୍ୟ ଶେଷ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

 ଚାଷୀ ନାମ ପଂଜୀକରଣ ଓ ନବୀକରଣ ଫର୍ମ ଚାଷୀମାନଙ୍କ ମଧ୍ୟରେ ବଣ୍ଟନ କରି ସେମାନଙ୍କର ନାମ  ପଂଜୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କହିଥିଲେ । ଏଥି ସହିତ ଚାଷୀମାନଙ୍କର ଜମି କାଗଜପତ୍ର ଯାଞ୍ଚ ସହିତ ବ୍ୟାଙ୍କ ଆକାଉଣ୍ଟ, ବୋରେୱଲ୍‌ ଏବଂ ଉଠାଜଳସେଚନ ବାବଦରେ ମଧ୍ୟ ଯାଞ୍ଚ କାର୍ଯ୍ୟ ସଂପନ୍ନ କରି ନିର୍ଭୁଲ ଚାଷୀ ପଂଜୀକରଣ ତାଲିକା ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।

ବୈଠକରେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କର ଆଧାର କାର୍ଡ ସଂଯୋଗ ଓ ଆଧାର ବୈଧିକରଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଛି । ଅଦ୍ୟାବଧି ୩ କୋଟି ୨୨ ଲକ୍ଷ ୮୬ ହଜାର ୬୯ ଜଣ ହିତାଧିକାରୀଙ୍କ ଆଧାର ସଂଯୋଗୀକରଣ କରାଯାଇଥିବାବେଳେ ତନ୍ମଧ୍ୟରୁ ୮୮ ପ୍ରତିଶତ ହିତାଧିକାରୀଙ୍କ ଆଧାର ବୈଧିକରଣ କାର୍ଯ୍ୟ ସରିଛି । ଆଧାର ସଂଯୋଗୀକରଣ ହୋଇନଥିବା ହିତାଧିକାରୀ ରାସନ୍‌ କାର୍ଡ ସହିତ ଆଧାର ସଂଯୋଗ ଓ ଆଧାର ବୈଧିକରଣ କାର୍ଯ୍ୟକୁ ଶୀଘ୍ର ଶେଷ କରିବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ।

କଷ୍ଟମ ମିଲିଂ ରାଇସରେ ମିଲରମାନଙ୍କ ଦ୍ୱାରା ଚାଉଳ ପ୍ରଦାନ ସଂପର୍କରେ ସମୀକ୍ଷା କରିବା ଅବସରରେ ଯେଉଁସବୁ ସ୍ଥାନଗୁଡ଼ିକରେ ଅଦ୍ୟାବଧି କମ ଚାଉଳ ସଂଗୃହୀତ ହୋଇଛି ସେଠାରେ ମିଲରମାନଙ୍କଠାରୁ ଯଥାଶୀଘ୍ର ଚାଉଳ ସଂଗ୍ରହ କରି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳ ଯୋଗାଇଦେବା ନିମନ୍ତେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ। ଭିଡିଓ କନ୍‌ଫରେନ୍ସ ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ବୀର ବିକ୍ରମ ଯାଦବ ଓ ଓଡ଼ିଶା ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ବରିଷ୍ଠ ଅଧିକାରୀ ତଥା ସମସ୍ତ ଜିଲ୍ଲାର ମୁଖ୍ୟ ଯୋଗାଣ ଅଧିକାରୀ, ଯୋଗାଣ ଅଧିକାରୀ, ଏଆର୍‌ସିଏସ୍‌ ଡିଆର୍‌ସିଏସ୍‌ ଓ ଯୋଗାଣ ନିରୀକ୍ଷକମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here