ପୁରସ୍କାର ଗୋଟେ ଚକୋଲେଟ୍ , ତଂଟିରେ ଲାଗି ଯାଇପାରେ

0
972

ନାମ–ଅଜୟ ପ୍ରଧାନ ଜନ୍ମ ତାରିଖ–୧୦.୦୬.୧୯୬୨ ଶିକ୍ଷା–ସ୍ନାତକୋତ୍ତର (ଇଂରାଜୀ ଓ ଓଡ଼ିଆ ଭାଷା ସାହିତ୍ୟ) ପ୍ରକାଶିତ ପୁସ୍ତକ–  ଦୀର୍ଘ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଓଡ଼ିଆ କବିତାରେ ମଗ୍ନ , ଏ କବିଂକର ଠାଣି ଓ ସାଂଗୀତିକ ବାଣୀରେ ରୁଦ୍ଧିମଂତ ୧୦ଟି କବିତା ସଙ୍କଳନ: ଭୂମିପର୍ବ(୧୯୯୧),ଶବ୍ଦ ସାତ ତାଳ, ସେଇ ସବୁ କଥା,ବଇଦା’ନା ଓ ଅନ୍ୟମାନେ,ଅପୂର୍ବା, ଆନନ୍ଦ ଭୈରବୀ, ପାଣି ଦେବତା,ମୁସାଫିରର ଡାଏରୀ,ରାମବାଣ ଓ କହିବେନି ଟି!(୨୦୨୦) ।ଏବଂ, ଗଳ୍ପ ସଂକଳନ ୧ଟି–ନନ୍ଦିତା ଆସୁଛି ।
ସମ୍ମାନ ଓ ପୁରସ୍କାର–ଶ୍ରୀକ୍ଷେତ୍ରଶ୍ରୀ,ବିଶ୍ଵମୁକ୍ତି କବିତା ସମ୍ମାନ,ପଶ୍ଚିମା କବିତା ସମ୍ମାନ,ଜ୍ଞାନଦା କବିତା ସମ୍ମାନ ,ବସନ୍ତ ମୁଦୁଲି କବିତା ପୁରସ୍କାର (ପ୍ରତ୍ୟାଖ୍ୟାନ), କବି କମଳା କାନ୍ତ କବିତା ସମ୍ମାନ ଇତ୍ୟାଦି।

ଆପଣ ଚାରି ଦଶନ୍ଧିରୁ ଉର୍ଦ୍ଧ୍ଵ ସମୟ ଧରି କାବ୍ୟ ସାଧନା କରି ଆସୁଛନ୍ତି , କେତେ ସଫଳ ହୋଇପାରିଛନ୍ତି ବୋଲି ଭାବନ୍ତି ? 

କାବ୍ୟ ସାଧନା ଏବେ ବି ଜାରୀ ଅଛି। ସଫଳତା ଛଡ଼ା ମୁଁ ଅନ୍ୟ କିଛି ଜାଣିନାହିଁ ଏବଂ ବିଫଳତା ଯଦି କୋଉଠି ଥାଏ ତା ମୋତେ ରୋକି ପାରି ନାଇଁ।  କେତେ ? – ସଂପର୍କରେ  କହିପାରିବେ ଆପଣମାନେ। 

ଆପଣ ୧୯୮୦ ରୁ ୨୦୧୦ ମସିହା ପର୍ଯ୍ୟନ୍ତ ପତ୍ରପତ୍ରିକାରେ ଯେତିକି ସକ୍ରିୟ ଥିଲେ, ବର୍ତ୍ତମାନ ଧିମେଇ ଯାଇଛନ୍ତି କାରଣ କଣ?

ଗତ ଦଶନ୍ଧିରେ ଯଦି ଧିମା ହେଇଥାଏ ତେବେ ସେଥିପାଇଁ ସାହିତ୍ୟ ଜନିତ ଅଳସୁଆମୀ ଓ ସରକାରୀ କାମରେ ପେଶିହେବା ଇ ମୁଖ୍ୟ କାରଣ ହେଇପାରେ ।

ଆପଣଙ୍କ ସମକାଳୀନ କାବ୍ୟ ସାହିତ୍ୟରେ ଆପଣଙ୍କୁ ଅନ୍ୟତମ ଟ୍ରେଣ୍ଡ ସେଟର କୁହାଯାଏ । ଆପଣଙ୍କ ସ୍ଵକୀୟ ଟ୍ରେଣ୍ଡ କୁ ମୁଖ୍ୟ ସ୍ରୋତରେ କେତେ ମାତ୍ରାରେ ଗତିଶୀଳ କରି ପାରିଛନ୍ତି ?

ଆପଣ ଯଦି ୯୦ ପରବର୍ତ୍ତୀ ଅର୍ଥାତ୍  ୯୫ରୁ ୨୦୧୫ ମସିହା ଭିତରେ ଯୋଉ ସାମୁହିକ ବାସ୍ତବତା ଓ ବାସ୍ତବର ବହୁମୁଖୀ ବିନ୍ଯାସ ତଥା ବହୁ ସ୍ତରୀୟ ବ୍ଯାପକତା ଅଥବା ଅଂଶୀଦାର–ଦର୍ଶକ ଭୂମିକାକୁ ଦେଖି କହୁଚଂତି; ତେବେ ମୋ ସ’ ପବିତ୍ର ମୋହନ ଦାଶ, ଅଖିଳ ନାୟକ,ସୁରେଶ ନାୟକ , ଭାରତ ମାଝୀ, କେଦାର ମିଶ୍ର, ଲେନିନ୍, ବାସୁଦେବ ସୁନାନୀ,ମନୋଜ ମେହେର,ସୁଚେତା ମିଶ୍ର,ରକ୍ଷକ ନାୟକ,ସ୍ଵପ୍ନା ମିଶ୍ର, ସୀତାଂଶୁ ଲେଂକା, ସରୋଜ ମହାନ୍ତି, ବିରଜା ବଳ, ସରୋଜ ବଳ, ଗାୟତ୍ରୀବାଳା ପଣ୍ଡା,ଚିନ୍ମୟ ବିବେକ, ଦୀନବନ୍ଧୁ ସାହୁ, ସୁବ୍ରତ ଜେନା , ପୀତାମ୍ବର ତରାଇ ସମରେନ୍ଦ୍ର ମହାପାତ୍ର ଇତ୍ୟାଦି ଇତ୍ୟାଦିଂକୁ ନବନିର୍ମାଣର ଗୋଟିଏ ଗୋଟିଏ ସ୍ତଂଭ ବୋଲି ସ୍ଵୀକାର କରିବାରେ ମୁଁ  ଆଦୁ ଡେରି କରିବି ନାହିଁ। ମିଶ୍ର ଭାଷା,ସ୍ଥାନୀୟତା, ଲୋକ ସଂସ୍କୃତି ବିଚାରକୁ ନେଲେ ଆଜି ବି ସେଇ ବାସ୍ତବମୁଖୀ ଧାରା ମୁଖ୍ୟ ସ୍ରୋତ ଭାବେ ଅପରିବର୍ତ୍ତିତ ଅଛି। ମୁଁ ବି ସେଇ ସ୍ରୋତ ସ’ ସମତାଳରେ ଚାଲିଛି।ମୋ ପାଇଁ ଏତିକି କହିବି ଯେ ପାରଂପରିକ କି ଆଧୁନିକ କବି ନୁହେଁ ମୁଁ ସମକାଳର କବି ହବାକୁ ସଦା  ପସଂଦ କରିବି।

ଆପଣଙ୍କର ପ୍ରାୟତଃ ଅଧିକାଂଶ କବିତାର ଶୀର୍ଷକ ଓ କାବ୍ୟ ନିର୍ମାଣ ଶୈଳୀ ଅନ୍ୟମାନଙ୍କ ଠାରୁ ନିଆରା । ୟା’ ପଛର ରହସ୍ୟ କଣ?

ଆପଣଂକ କଥା ମୋତେ ନୂଆ ଲାଗିଲା। ମୁଁ ଅବଶ୍ୟ ମୋର ଭଳି ହବାକୁ ଚାହିଁ ଥିବି ଯୋଉଥିପାଇଁ ଏମିତି ଲାଗିଥାଇ ପାରେ।

  ଏ ‘ ମହାମାରୀ ସମୟରେ ଆପଣ ସ୍ବେଚ୍ଛାକୃତ ଅବସର ନେଇଛନ୍ତି ।ମହାମାରୀ ଭୟରେ ନା ଅନ୍ୟ କିଛି କାରଣ ରହିଛି ?

ଭୟ ନୁହଁ, ମହାମାରୀ ଭାରତକୁ ଆସିବା ପୂର୍ବରୁ ମୁଁ ଚାଲିଆସିଥିଲି। ମୋର ମନେହେଲା ସାହିତ୍ୟ କମ୍ , ଚାକିରୀ ବେଶି ହେଇଗଲାଣି !

ଆପଣଙ୍କର ଏକ କବିତା ସଂକଳନ “ବଇଦା’ନା” , ଏପରି ଏକ ବିଚିତ୍ର ନାମ କରଣ କାହିଁକି? 

ପୁରୀର ଲୋକଚରିତ୍ରଟିଏ ବଇଦା’ନା । ବଇଦା’ନା ଓ ଅନ୍ୟମାନେ ପୁରୀର ବୈଚିତ୍ର୍ଯ ଧରି ରଖିଥିବାରୁ ବୋଧହୁଏ ଆପଣଂକୁ ବିଚିତ୍ର ଲାଗୁଚି। କିଂତୁ ଏଥିରେ କିଛି କଥା ଇ ନାଇଁ। ଦେବଦାସ’ ନାଆଁଟା ଆପଣଂକୁ କେମିତି ଲାଗୁଛି ?

ଆପଣ ବସନ୍ତ ମୁଦୁଲି କବିତା ପୁରସ୍କାର କୁ ପ୍ରତ୍ୟାଖ୍ୟାନ କରିଥିଲେ । ଆଶାନୁରୂପ ପ୍ରାପ୍ତିରେ ବିଳମ୍ବ ପାଇଁ ନା ଅନ୍ୟ କିଛି କାରଣ ?

କାରଣ ଯଦି ଥବ ମୋର ମନେ ନାହିଁ। ସେକଥା ମୁଁ ଭୁଲି ଗଲିଣି । ପୁରସ୍କାର ଗୋଟେ ଚକୋଲେଟ୍ ଆଜ୍ଞା, ତଂଟିରେ ଲାଗି ଯାଇପାରେ।

ଆପଣଙ୍କ ସମକାଳୀନ କେଉଁ ଯୁବ କବି ମାନଙ୍କ କବିତା ଆପଣଙ୍କୁ ପ୍ରଭାବିତ କରେ?

ପ୍ରଭାବିତ କଲା ଭଳି କବିତା ମୁଁ ପାଇନାଇଁ ; କିଂତୁ କିଛି କରିପାରିବେ ବୋଲି ଆଶା କରୁଚି ନିଖିଳେଶ ମିଶ୍ର, ସୂର୍ଯ୍ୟସ୍ନାତ ତ୍ରିପାଠୀ, ପବିତ୍ର ବ୍ରହ୍ମପୁତ୍ର ନାୟକ, କାମଦେବ ମହାରଣା, ସୁଜିତ୍ ଶତପଥୀ,ଯାଦବେନ୍ଦ୍ର ସାହା, ସୁଜାତା ସାହାଣୀଂକ ପରି ଲେଖକମାନଙ୍କ ଠାରୁ।

‘ଓଡିଶା ସାହିତ୍ୟ ଏକାଡେମୀ’ ଉପରେ ଆପଣଙ୍କ ପ୍ରତିକ୍ରିୟା କଣ?

ସାହିତ୍ୟର ଛତ୍ରୀ ହେଇ ରହୁ, ଅନ୍ନଛତ୍ର ନ ହଉ ।

ନୂତନ ପିଢ଼ିଙ୍କ ସ୍ୱରକୁ ନେଇ ଆପଣ ସନ୍ତୁଷ୍ଟ କି? ଯଦି ନୁହେଁ ତେବେ ସେମାନଙ୍କ ପାଇଁ ଆପଣଙ୍କ ବାର୍ତ୍ତା କଣ ରହିବ ?

ସ୍ଵର ବାହାରିଲେ ସିନା ! ସେମାନେ ଯାହା ଲେଖୁଚଂତି ଯଥା: କବିତା ଲେଖକ କବିତାର, ଗଳ୍ପର ଗଳ୍ପ ଲେଖକ ଇତିହାସକୁ ଭଲ ଭାବେ ‘ନିଜେ’ ମୂଳ ବହି ଗୁଡ଼ିକ ପଢ଼ିବାକୁ ଆପ୍ରାଣ ଉଦ୍ୟମ କରିବାକୁ  ଅନୁରୋଧ କରିବି।

Share the article

LEAVE A REPLY