ନାରୀ କେବେବି ଅବଳା ନୁହେଁ

0
1135

ଆପଣ ଅନେକ କବିତା ଓ ଗଳ୍ପ ଲେଖିଛନ୍ତି । ଲେଖିବାର ପ୍ରେରଣା କେଉଁଠୁ ମିଳିଥିଲା ଆପଣଙ୍କୁ ?

ପିଲା ଦିନରୁ ମୋର ଅମେଳାପୀ ଓ ଅତ୍ମମଗ୍ନ ରହିବାର ସ୍ବଭାବ ମୋତେ ଲେଖିବାକୁ ବାଧ୍ୟ କରିଥିଲା। ବହୁତ ପରେ, ମାନେ ଯେବେ ସ୍କୁଲ୍ ଛାଡି କଲେଜ ଆସିଲି,ସେତେବେଳେ ଭାବିଲି ସେସବୁ ପତ୍ରିକାକୁ ପଠେଇବାକୁ। ସେ ସମୟରେ ମୋର ମାଆ ହିଁ  ମୋର ପ୍ରେରଣାଦୟିନୀ ଥିଲେ।

ସୁଚେତା ମିଶ୍ର ଆଜି ଯେଉଁ ପରିଚୟରେ ପରିଚିତ ସେଥିପାଇଁ ନିଜକୁ ଗଢ଼ିଥିଲେ ନା ଆପେ ଆପେ ଗଢି ହେଇ ଯାଇଥିଲେ ?

ପରିଚୟକୁ ମୋର ଭାରି ଭୟ। କହିଁକିନା ଏହା ଅନ୍ୟଦ୍ବାରା ଗଢାହୁଏ ପୁଣି ଭଙ୍ଗାଯାଏ।ମୁଁ  ମୋ ଭଳି ବଞ୍ଚିବାକୁ ଚାହେଁ। ଯାହା ଠିକ୍ ସେମିତି-କାହା ଇଚ୍ଛା  ବା ଆଦେଶରେ ନୁହେଁ। ଶିଉଳି ମାଡିଯାଇଥିବା ହ୍ରଦ ତଳର ଚଳେ ସ୍ବଚ୍ଛ ପାଣି ବୋଧେ ମୁଁ । ଏତିକି ମୋର ପରିଚୟ,ଆଉ ବାକି ଯାହା ସମାଜ ମୋତେ ପିନ୍ଧେଇଛି।

ପ୍ରଥମ ଲେଖାର ଅନୁଭୂତି କିପରି ଥିଲା ଓ ତାର ପାଠକୀୟ ପ୍ରଶଂସା କିପରି ଥିଲା ?

ଉଣେଇଶହ ଏକାନବେରେ ମୋର ଝଙ୍କାରରେ ବାହାରିଥିଲା କବିତାଟିଏ ପ୍ରଥମକରି । ମୋ ସହପାଠୀ କହିଥିଲା କଲେଜରେ। ମୁଁ  ସେ ପୃଷ୍ଠଟି ଦେଖିବା ପାଇଁ  ଖରାରେ ଦୁଇ କିଲୋମିଟର୍ ଚାଲି ଚାଲି ଯାଇଥିଲି। ଅପେକ୍ଷା କରିବାକୁ ଧୈର୍ଯ୍ୟ ନ ଥିଲା।

 ଆପଣଙ୍କର ଗୋଟେ କବିତା ‘ଛୋଟ ଝିଅ’ ନାମରେ ଅଛି । ସେଇ କବିତାଟିକୁ ଲେଖିବା ସମୟରେ ସମାଜର କୌଣସି ଏକ ଝିଅର ଚିତ୍ର ମନକୁ ଆସିଥିଲା ନା କବୀ ନିଜେ ଏକ ଛୋଟ ଝିଅ ହେଇ ତାଙ୍କ ଭାବନା କୁ ବୟାନ କରିଥିଲେ ସେ କବିତାରେ ?

କିଛି ବର୍ଷ ତଳେ ମୋତେ ମୋର ଜଣେ ଛାତ୍ରୀ କହିଥିଲା,ତାର କକା ଦ୍ବାରା ସେ ବଳାତ୍କାର ହେବା କଥା। ସେ ଘାଆ ମୋ ଭିତରେ ମୋତେ କଷ୍ଟ ଦେଇ ଆସୁଥିଲା। କବିତା ଟି ଲେଖିସାରିବି ମୁଁ  ସେ ପୀଡାରୁ ମୁକ୍ତି ପାଇନି।

ଆପଣ ଅନେକ ଗୁଡିଏ କବିତା ନାରୀ ମାନଙ୍କ ଉପରେ ଲେଖିଛନ୍ତି ଯେଉଁଥିରେ ସ୍ପଷ୍ଟ ବାରି ହୋଇପଡେ ସହସ୍ର ନାରୀଙ୍କ ଅସହାୟ ଜୀବନ ଓ ପୁରୁଷ ସମାଜ ପ୍ରତି ଏକ ଘୃଣା ଭାବ । ଏପରି କାହିଁକି ?

ପୁରୁଷ ସମାଜ ପ୍ରତି ଘୃଣା ନାହିଁ ମୋର- କ୍ଷୋଭ ଆଉ ଦୟା ଅଛି। ନାରୀ-ପୁରୁଷକୁ ନେଇ ସମାଜରେ ଥିବା ଅସମାନତା ମୋତେ ଖିନଭିନ୍ କରିଛି। ଯାହା ଠିକ୍  ନୁହେଁ  ମୁଁ  ତାହାହିଁ  କହେ। ହଁ, ନାରୀ ମୋ ଭିତରେ କେବେବି ଶୁଖୁନଥିବା ଗୋଟେ ଦଲଦଲ ଘାଆ।

କୋଡିଏ ରୁ ଉର୍ଦ୍ଧ୍ବ ପୁରସ୍କାର ପ୍ରାପ୍ତ କରିଛନ୍ତି ।କେଉଁ ପୁରସ୍କାରଟି ଆପଣଙ୍କ ଲେଖକୀୟ ଜୀବନକୁ ସାର୍ଥକ କରିଛି ବୋଲି ଅନୁଭବ କରନ୍ତି ?

କବିଟିଏ ନିଜ ଛାତି ଭିତରେ ଗୋଟେ ଅକାତକାତ ଗାଡ ଧରି ବୁଲୁଥାଏ ଯାହାକୁ କୌଣସି ପୁରସ୍କାର ଦ୍ବାରା ପୂରେଇ ହେବନି। ପୁରସ୍କାର ଟିକିଏ ମଲମ,ପୀଡା ଦୂରେଇ ଦେବାର ସାମୟିକ ଉପଚାର। ଯେତେ ପୁରସ୍କାର ମିଳିଛି ମୋତେ ତାକୁ ମୁଁ  ମଥାରେ ଥୋଇଛି କାନ୍ଦିପକେଇଛି।। ନିଜକୁ ବୁଝେଇଛି,ମୁଁ  ଏକେଲା ନୁହେଁ, ମୋ ସହ ପ୍ରିୟଜନ ଅଛନ୍ତି।

ସବୁ ନାରୀଙ୍କ ପାଇଁ ସୁଚେତା ମିଶ୍ର ଏକ ଆଦର୍ଶ ଓ ସାହସୀ ନାରୀ ଯିଏକି ନିଜେ ହିଁ ନିଜର ସାଥି ହୋଇ ସମାଜ କୁ ଦେଖାଇ ପାରିଛନ୍ତି । ଅନୁରୋଧ ରହିବ  ସେଇ ଅସହାୟ ଓ ଅବଳା  ନାରୀ ମାନଙ୍କ ପାଇଁ କିଛି କହିବେ ଯେଉଁମାନେ ଅତ୍ୟାଚାରିତ ହୁଅନ୍ତି ବାଧ୍ୟ ହୋଇ  ଅଥଚ ସାହସ ନଥାଏ ଏକା ବଂଚି ସମାଜକୁ ଦେଖାଇଦେବାରେ ।

ଦୁଇଟି କଥା। ପ୍ରଥମତଃ ନାରୀ କେବେବି ଅବଳା ନୁହେଁ। ଯିଏ ମୃତ୍ୟୁର କୋଳକୁ ଡେଇଁପଡି ଜୀବନକୁ ଜନ୍ମ ଦିଏ ତାକୁ ଦୁର୍ବଳା,ଅସହାୟା,ଭୟାଳୁ କହିବା ମୁର୍ଖାମୀ । ନାରୀ ସହିଯାଏ ବହୁତ କିଛି ଅଭଙ୍ଗା ରଖିବ ବୋଲି। ନାରୀ ଉଗ୍ରା ହେଲେ ଶହେ ତାଣ୍ଡବ ନାଚିପାରେ। ଦ୍ବିତୀୟ କଥାଟି ହେଉଛି, ନାରୀ ଅବିବାହିତା ରହି ସମ୍ମାନ,ଶାଳୀନତା ଓ ମର୍ଯ୍ୟାଦା ସହିତ ଦୃଢ ଭାବରେ ସମାଜରେ ନିଜ ପରିଚୟରେ ନିଜେ ଛିଡା ହେବା। ପୁରୁଷର ଚରିତ୍ରର ଦାଗ ଖରା ବାଜିଲେ ଉଡିଯାଏ,  ହେଲେ ନାରୀର ପଣତକାନିର ଦାଗ ସେ ମଲାଯାଏଁ ସମାଜକୁ ଉଜ୍ଜ୍ବଳ ଦିଶୁଥାଏ ଓ ତା ଉପରେ ଆଲୋକପାତ କରି ତର୍ଜମା କରିବାର ଏକ ବିକଳ ଆନନ୍ଦ ପୁରୁଷ ନିଏ। ମୁଁ  ଏ ସବୁକୁ ଖାତିର୍ କରିନି,ବଜ୍ର ଭଳି ଦୃଢ ହେଇଛି,ଛଳଛଳ ଥାଇବି।

ବୃତ୍ତି ରେ ଆପଣ ଜଣେ ଶିକ୍ଷୟତ୍ରୀ । ଏହି ମହାମାରୀ ସମୟରେ ଛାତ୍ର / ଛାତ୍ରୀ ଙ୍କ  ପାଠ୍ୟକ୍ରମ ଓ ସେମାନଙ୍କ ସୁସ୍ଥତା କୁ ନେଇ ଆପଣଙ୍କ ମନର ବ୍ୟାକୁଳତା ଓ ବ୍ୟସ୍ତତା କିପରି ରହିବ ?

ପିଲାମାନେ ତାଙ୍କର  ମାଆ,ବାପା,ଅଭିଭାବକଙ୍କ ସହିତ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟକୁ ନେଇ ମୁଁ ଚିନ୍ତିତ ନୁହେଁ। ମାର୍ଚ୍ଚ କୋଡିଏ ରୁ ଆମେ ପଢେଇ ଆସୁଛୁ ଅନ୍ ଲାଇନ୍ ମାଧ୍ୟମରେ। କେବଳ  ପିଲାଙ୍କ ସହିତ ନ ରହିପାରିବାର ଦୁଃଖ ଅଛି। ଗୁରୁଶିଷ୍ୟ ସଂପର୍କ  କଣ ଏବେ ଅଧିକ ପ୍ରାଞ୍ଜଳ ହେଉଛି। ଶ୍ରେଣୀରେ ସେମାନଙ୍କ ସହିତ ରହି ମୁଁ  ଶିଖେ ସେମାନଙ୍କଠୁ, କବିତା ଲେଖିବାବି….

ଆପଣଙ୍କ ସ୍ୱପ୍ନର ସହର କେଉଁଟି, ଯେଉଁଠି ଆପଣ ବାକିତକ  ଜୀବନ ବିତେଇବାକୁ ପସନ୍ଦ କରିବେ ?

ମୋ ସ୍ବପ୍ନର ସହରଟି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରିଥିବା ଗୋଟେ ଫୁଲର ସହର ଯେଉଁଠି ହତ୍ୟା,ଲୁଣ୍ଠନ,ଶୋଷଣ,କ୍ରୁରତା ନଥିବ। ଯେଉଁଠି ଥାଇ ମୁଁ  ନିଜକୁ ପ୍ରଥମେ ମଣିଷ ଓ ପରେ ନାରୀଟିଏ ବୋଲି ଗର୍ବ ଅନୁଭବ କରିପାରିବି।

ଅନେକ ଗୁଡିଏ ଭାଷାରେ ମଧ୍ୟ ଆପଣଙ୍କର କିଛି କବିତା ଅନୁଦିତ ଓ ପ୍ରକାଶିତ । ତାର ପାଠକୀୟ ପ୍ରଶଂସା କିପରି ରହିଛି ?

କବିତା ଭାଷାକୁ ବି ଅତିକ୍ରମି ଯାଏ ବୋଲି ମୁଁ  ଭାବେ।ଯାହା ହୃଦୟସ୍ପର୍ଶୀ ଓ ପାଠକପ୍ରିୟ ତାହା ଯେ କୌଣସି  ଭାଷାରେ ଅନୁଦିତ ଓ ପ୍ରକାଶିତ ହେଲେ ବି ଏକାଭଳି  ଆଦର ଓ ପ୍ରଶଂସାର  ହକଦାର। ମୁଁ  ଏ ଦୃଷ୍ଟିରୁ ନିଶ୍ଚୟ ଭାଗ୍ୟବତୀ।

Share the article

LEAVE A REPLY