ପରଲୋକରେ ରାମବିଳାସ ପାସୱାନ, ଚିରାଗଙ୍କ ଉପରେ ଅତିରିକ୍ତ ରାଜନୈତିକ ବୋଝ

0
344

ନୂଆଦିଲ୍ଲୀ: ବିହାରର ରାଜନୀତିରେ ଅନ୍ୟତମ ସଫଳ ଓ ଲୋକପ୍ରିୟ ନେତା ତଥା କେନ୍ଦ୍ର ଖାଦ୍ୟ, ଉପଭୋକ୍ତ କଲ୍ୟାଣ ମନ୍ତ୍ରୀ ରାମବିଳାସ ପାସୱାନଙ୍କର ୭୪ ବର୍ଷ ବୟସରେ ଗୁରୁବାର ପରଲୋକ ହୋଇଯାଇଛି । ମୃତ୍ୟୁ ପୂର୍ବରୁ ସେ ଗୁରୁତର ଅସୁସ୍ଥ ଥିଲେ । ସେଥିପାଇଁ ତାଙ୍କୁ ଦିଲ୍ଲୀସ୍ଥିତ ଇସ୍କର୍ଟ ଫୋର୍ଟିଜ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ମୃତ୍ୟୁ ପରେ ପୁଅ ଚିରାଗ ପାସୱାନଙ୍କ ଉପରେ ଅତିରିକ୍ତ ରାଜନୈତିକ ବୋଝ ଲଦି ହୋଇଯାଇଛି । ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ପ୍ରତିଷ୍ଠାତା ତଥା ଟାଣୁଆ ନେତା ରାମବିଲାସ ପାସୱାନଙ୍କର ବିହାରରେ ଏକ ବିଶାଳ ବ୍ୟକ୍ତିତ୍ୱ ଥିଲା । ତାଙ୍କର ମୃତ୍ୟୁ ପରେ ଦଳକୁ ଏକ ଶକ୍ତ ଝଟକା ଲାଗିଛି । କାରଣ ଆସନ୍ତା ମାସରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।

୮ ଥର ଲୋକସଭାକୁ ନିର୍ବାଚିତ


ବିହାର ରାଜନୀତିରେ ରାମବିଳାସ ପାସୱାନ ଜଣେ ବିଜୟୀ ରାଜନେତା ଥିଲେ । ଦୀର୍ଘ ୫୧ ବର୍ଷର ରାଜନୀତି ହେଉଛି ତାହାର ପ୍ରମାଣ । ସଂଯୁକ୍ତ ସୋଶିଆଲିଷ୍ଟ ପାର୍ଟିରୁ ଟିକେଟ ପାଇ ୧୯୬୯ ମସିହାରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ । ଏହି ଦିନ ଠାରୁ ସେ ଆଉ ପଛକୁ ଫେରି ନଥିଲେ । ବିଭିନ୍ନ ସମୟରେ ସେ ୮ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ହାଜିପୁର ଲୋକସଭା ଆସନରୁ ସର୍ବାଧିକ ଭୋଟ ପାଇ ବିଜୟୀ ହୋଇଥିଲେ । ଏତଦ୍ ବ୍ୟତୀତ ସମାଜରେ ସେ ଅନ୍ୟ କ୍ଷେତ୍ରରେ ମଧ୍ୟ ଅନ୍ୟ ସଫଳତା ହାସଲ କରିଥିଲେ ।

ରାମବିଳାସ ପାସୱାନଙ୍କ ବାଦରେ କିଛି ସ୍ମରଣୀୟ ଅନୁଭୂତି…


-ବିହାରର ଖଗଡ଼ିଆ ଜିଲ୍ଲାର ଶହରବନ୍ନୀ ଗାଁରେ ୧୯୪୬ ମସିହାରେ ଜନ୍ମ ହୋଇଥିଲେ ରାମବିଳାସ ପାସୱାନ ।
-କୋଶୀ କଲେଜ, ପିଲଖି ଓ ପାଟଣା ବିଶ୍ୱବିଦ୍ୟାଳୟରୁ ଆଇନ ବିଷୟରେ ସ୍ନାତକ ଓ ସ୍ନାତୋକତ୍ତର ଡ୍ରିଗ୍ରୀ ।
-ମେଧାବୀ ଛାତ୍ର ଥିଲେ । ପାଦରେ ଚାଲି ଚାଲି ୨ଟି ନଦୀ ଅତକ୍ରମ କରି ସ୍କୁଲ ପହଂଚୁଥିଲେ ।
-ସ୍ୱର୍ଗତ ପାସୱାନ ଚଳଚ୍ଚିତ୍ର ଦେଖିବାକୁ ଭଲପାଉଥିଲେ । ପାଖରେ ଟଙ୍କା ନଥିଲେ ଧାନ-ଚାଉଳ ବିକ୍ରି କରି ସିନେମା ହଲ ପହଂଚି ଯାଉଥିଲେ ।
-ୟୁପିଏସସି ପରୀକ୍ଷାରେ ପାସ ହୋଇ ଡିଏସପି ପର୍ଯ୍ୟନ୍ତ ଚାକିରି କରିଥିଲେ ।
-୬୦ ବର୍ଷ ପରେ ନିଜର ସ୍କୁଲ ଶିକ୍ଷକଙ୍କୁ ଭେଟି ଏକଦା ସେ ଭାବବିହ୍ୱଳ ହୋଇଯାଇଥିଲେ । କିନ୍ତୁ ଗୁରୁଙ୍କ ପୁଅଙ୍କୁ ଚାକିରି ଖଣ୍ଡିଏ କରାଇ ଦେଇପାରି ନଥିବାରୁ ଦୁଃଖ ପ୍ରକାଶ କରିଥିଲେ ।
-୧୯୬୦ରେ ରାଜକୁମାରୀ ଦେବୀଙ୍କୁ ପ୍ରଥମ ବିବାହ । ୧୯୮୧ରେ ପଂଜାବୀ ଝିଅ ତଥା ଏୟାରହୋଷ୍ଟେସ ରୀନା ଶର୍ମାଙ୍କୁ ବିବାହ କରିଥିଲେ ।

ଆସନ୍ତାକାଲି ଅନ୍ତିମ ସଂସ୍କାର


ସ୍ୱର୍ଗତ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କ ପାର୍ଥିବ ଶରୀର ଆସନ୍ତାକାଲି ବିହାରରେ ଅନ୍ତିମ ସଂସ୍କାର ହେବ । ଅନ୍ତିମ ସଂସ୍କାର ପୂର୍ବରୁ ଆଜି ତାଙ୍କ ମରଶୀରକୁ ଅନ୍ତିମ ଦର୍ଶନ ଲାଗି ଦିଲ୍ଲୀସ୍ଥିତ ସରକାରୀ ନିବାସ (୧୨ ଜନପଥ)କୁ ନିଆଯାଇଥିଲା । ଏଠରେ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ମରଶରୀର ପାଟଣା ଅଭିମୁଖେ ବାହାରିଥିଲା । ପାସୱାନଙ୍କ ପାର୍ଥିବ ଶରୀରକୁ ଶନିବାର କିଛି ସମୟ ପାଇଁ ପାଟଣାସ୍ଥିତ ଲୋକ ଜନଶକ୍ତି ପାର୍ଟି କାର୍ଯ୍ୟାଳୟରେ ରଖାଯିବ । ସେଠାରେ ତାଙ୍କୁ ପ୍ରଶଂସକ, ଦଳୀୟ ନେତା ଓ ଆତ୍ମୀୟ ସ୍ୱଜନ ଶ୍ରଦ୍ଧାଞ୍ଜଳି ଦେବେ ।

ପାପା…ମୋ ସହିତ ଆପଣ ଥିବେ: ଚିରାଗ


ଭାରତ ମାତ ଜଣେ ବିଚକ୍ଷଣ ଓ ବୁଦ୍ଧିମାନ ରାଜନେତାଙ୍କୁ ହରାଇଛି । ତାଙ୍କର ପରଲୋକରେ ଆଜି ଦେଶବ୍ୟାପୀ ରାଷ୍ଟ୍ରୀୟ ଶୋକ ଦିବସ ପାଳନ କରାଯାଇଛି । ଜାତୀୟ ପତାକା ‘ତ୍ରିରଙ୍ଗା’କୁ ଅର୍ଦ୍ଧନିମ୍ନଗାମୀ କରାଯାଇଛି । ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ ପାସୱାନ ପିତା ରାମବିଳାସଙ୍କୁ ହରାଇ ଲେଖିଛନ୍ତି- ପାପା, ଆପଣ ଏହି ଦୁନିଆରେ ନ ଥିଲେ, ଯେଉଁଠି ବି ଥିବେ, ସବୁବେଳେ ମୋ ସହିତ ରହିବେ ।

ରାଷ୍ଟ୍ରପତି କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦୀ ଦୃଷ୍ଟିରେ ରାମବିଳାସ


ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିରେ ରାମବିଳାସ ପାସୱାନ ଜଣେ ଭଲ ରାଜନୈତିଜ୍ଞ ଥିଲେ । ରାଷ୍ଟ୍ରପତି କୋବିନ୍ଦ ଶେକଜଣାଇବା ସହ କହିଛନ୍ତି, ପାସୱାନ ଜଣେ ଦୂରଦର୍ଶୀ ନେତା ଥିଲେ । ତାଙ୍କର ଗଣନା ସର୍ବାଧିକ ସକ୍ରିୟ ଥିଲା । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଦୁଃଖ ବାର୍ତ୍ତା କହିବା ପାଇଁ ମୋପାଖରେ ଶବ୍ଦ ନାହିଁ । ପାସୱାନଙ୍କ ମୃତ୍ୟୁ ଦେଶର ରାଜନୀତିରେ ଏକ ଶୂନ୍ୟତା ସୃଷ୍ଟି କରିଛି । ଏହା ପୂରଣ ହେବା ଆଶା କମ ବୋଲି ମୁଁ ମନେ କରୁଛି । ପାସୱାନଙ୍କ ଭଳି ବନ୍ଧୁ ମିଳିବା କଷ୍ଟକର ବୋଲି ମୋଦୀ କହିଛନ୍ତି ।

Share the article

LEAVE A REPLY