ରାଜ୍ୟରେ କରୋନା ମୃତ୍ୟୁ ହଜାରେ ଟପିଲା

0
473

ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ଯୋଗୁଁ ଓଡ଼ିଶାରେ ୧ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି । ରାଜ୍ୟ ସରକାର ଏହା ନିଜେ ସ୍ୱୀକାର କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟ ଜରିଆରେ ଦିଆଯାଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ୨୦୨୦ ଅକ୍ଟୋବର ୧୧ ତାରିଖ ସୁଦ୍ଧା ମୋଟ୍ ୧ ହଜାର ୨୨ ଜଣଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟରେ ଗତ ମାର୍ଚ୍ଚ ମାସ ୧୫ ତାରିଖ ଦିନ ଭୁବନେଶ୍ୱରର ଜଣେ ଯୁବକ ପ୍ରଥମ ଥର ପାଇଁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେହିଦିନ ଠାରୁ ଏପର୍ଯ୍ୟନ୍ତ ୨ ଲକ୍ଷ ୫୨ ହଜାର ୨୩୯ ଜଣ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇସାରିଛନ୍ତି । କିନ୍ତୁ ଏଥିରୁ ଅକ୍ଟୋବର ୧୦ ତାରିଖ ଯାଏଁ ୨ ଲକ୍ଷ ୨୪ ହଜାର ୨୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଗତ ଏପ୍ରିଲ ୬ ତାରିଖ ଦିନ ରାଜ୍ୟରେ କରୋନା ଯୋଗୁଁ ଭୁବନେଶ୍ୱରରୁ ଜଣେ ବୃଦ୍ଧଙ୍କ ପ୍ରଥମେ ମୃତ୍ୟୁ ହୋଇଥିଲା । ଠିକ ମାସକ ପରେ ଅର୍ଥାତ ମେ’ ମାସ ୬ ତାରିଖ ଦିନ ପୁଣି ଜଣେ ଭୁବନେଶ୍ୱରର ବରିଷ୍ଠ ନାଗରିକ ପ୍ରାଣ ହାରିଥିଲେ । ଏହାରି ମଧ୍ୟରେ ୫୩ ଜଣ ଲୋକ କରୋନାରୁ ସୁସ୍ଥ ହେବା ପରେ ପ୍ରାଣ ହରାଇଛନ୍ତି ।

କେଉଁ ଜିଲ୍ଲାରୁ କେତେ କରୋନା ମୃତ୍ୟୁ


ଗଂଜାମ ଜିଲ୍ଲାରୁ ସର୍ବାଧିକ ୨୨୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ଦ୍ୱିତୀୟ ସର୍ବାଧିକ ୧୭୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେହିଭଳି କଟକ ଜିଲ୍ଲାରୁ ୮୪ ଜଣ, ପୁରୀ ଜିଲ୍ଲାରୁ ୬୮ ଜଣ, ବାଲେଶ୍ୱର ଜିଲ୍ଲାରୁ ୫୫ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୪୫ ଜଣ ରାୟଗଡ଼ା ଜିଲ୍ଲାରୁ ୩୯ ଜଣ, ନୟାଗଡ଼ରୁ ୩୫ ଜଣ, ମାଲକାନଗିରି ଜିଲ୍ଲାରୁ ୩୧ ଜଣ, କନ୍ଧମାଳ, ବଲାଙ୍ଗୀର ଜିଲ୍ଲାରୁ ୨୫ ଜଣ ଲେଖାଏଁ, ଗଜପତି, ସମ୍ବଲପୁର ଜିଲ୍ଲାରୁ ୨୪-୨୪ ଜଣ, ଭଦ୍ରକ, କଳାହାଣ୍ଡି, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫ ଜଣ ଲେଖାଏଁ, ବରଗଡ, ଜଗତସିଂହପୁର ଜିଲ୍ଲାରୁ ୧୪-୧୪ ଜଣ, କୋରାପୁଟ, ଯାଜପୁର ଜିଲ୍ଲାରୁ ୧୩ ଜଣ ଲେଖାଏଁ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲାରୁ ୧୨ ଜଣ ଲେଖାଏଁ, ସୁବର୍ଣ୍ଣପୁର ଜିଲ୍ଲାରୁ ୧୦ ଜଣ, ଅନୁଗୁଳ ଜିଲ୍ଲାରୁ ୮ ଜଣ, ନବରଂଗପୁର ଜିଲ୍ଲାରୁ ୭ ଜଣ, ବୌଦ୍ଧ ଜିଲ୍ଲାରୁ ୬ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩ ଜଣ, ଦେବଗଡ଼ ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

କୋଟି କୋଟି ଟଙ୍କା ଖର୍ଚ୍ଚ, ଜନସାଧାରଣରେ ଅସନ୍ତୋଷ


ରାଜ୍ୟ ସରକାର କରୋନା ଭାଇରସ ସଂକ୍ରମଣ ସହ ମୁକାବିଲା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ପ୍ରଶାସନର ଦୁର୍ବଳତା ଯୋଗୁଁ ସାଧାରଣ ଲୋକ ସନ୍ତୁଷ୍ଟ ନାହାନ୍ତି । ବିଗତ ଦିନରେ କୋଭିଡ କେୟାର ସେଣ୍ଟର, କୋଭିଡ ହସ୍ପିଟାଲ, କ୍ୱାରେଣ୍ଟାଇନ ସେଣ୍ଟରରେ ବ୍ୟାପକ ଅସୁବିଧା ହୋଇଛି । ଚିକିତ୍ସା ଅଭାବରେ ରାଜ୍ୟର ଏକାଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ଅଭିଯୋଗ ଆସିଛି । ଅନେକ ସ୍ଥାନରେ ପ୍ରବାସୀ ଓଡ଼ିଆମାନଙ୍କୁ ଠିକ ଭାବରେ ଖାଦ୍ୟ ମିଳି ନଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଅବ୍ୟବସ୍ଥା ଯୋଗୁଁ କ୍ୱାରେଣ୍ଟାଇନ ସେଣ୍ଟର ଛାଡ଼ି ପ୍ରବାସୀମାନେ ପଳାୟନ କରିଥିବା ମଧ୍ୟ ନଜର ରହିଛି ।

LEAVE A REPLY

Please enter your comment!
Please enter your name here