ଦାଦାବଟି: ନିୟନ୍ତ୍ରଣ ଲାଗି ପୋଲିସ କରୁଛି ଉଦ୍ୟମ

0
381

ଭୁବନେଶ୍ୱର: ରାଜ୍ୟର ୫ଟି ମହାନଗରରେ ବର୍ଷ ବର୍ଷ ଧରି ‘ଦାଦାବଟି’ ଧନ୍ଦା ଚାଲିଆସୁଛି । ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ତୁଳନାରେ ରାଜଧାନୀ ଭୁବନେଶ୍ୱର ଓ କଟକ ମହାନଗର ନିଗମ ଅଂଚଳରେ ‘ଦାଦା’ଙ୍କର ପ୍ରାଦୁର୍ଭାବ ଟିକେ ଅଧିକ । ସେହିଭଳି ରାଜ୍ୟର ଅନ୍ୟ ସହରରେ ମଧ୍ୟ ଦାଦାବଟି କାମ ଚାଲିଆସୁଛି । କିଛି ଅସାମାଜିକ, କୁଖ୍ୟାତ ଅପରାଧୀମାନେ ନିଜକୁ ଦାଦା ଭୂମିକାରେ ଗଢ଼ି ନୀରିହ ଧନଶାଳୀ, ଶିଳ୍ପପତି, ବ୍ୟବସାୟୀଙ୍କ ଠାରୁ ବେଆଇନ ଅସୁଲି କରିଆସୁଛନ୍ତି । ଦାଦାମାନେ ପୋଲିସକୁ ଡରୁନାହାନ୍ତି । ସେଥିପାଇଁ ଜେଲରୁ ଫେରିବା ପରେ ମଧ୍ୟ ଅପରାଧିକ କାମରେ ନ୍ୟସ୍ତ ରହୁଛନ୍ତି । ଭୁବନେଶ୍ୱର-କଟକରେ ଏହି ଦାଦାମାନଙ୍କୁ ନିୟନ୍ତ୍ରଣରେ ଆଣିବା ଲାଗି ୨ ଦିନ ତଳେ କମିଶନରେଟ ପୋଲିସ ‘ଦାଦାବଟି କୁ ନା’ ଭଳି ଏକ ମିଶନ ଆରମ୍ଭ କରିଛି । କିନ୍ତୁ ଦ୍ୱୈତ୍ୟ ନଗରୀରେ ଯେଭଳି ଭାବରେ ଦାଦାବଟି ଓ ଅପରାଧୀଙ୍କ ସଂଖ୍ୟା ବଢ଼ିଚାଲିଛି, ଏହି ମିଶନ ସୁନିଶ୍ଚିତ ସଫଳ ହେବ, ତାହାର କିଛି ଗ୍ୟାରେଣ୍ଟି ନାହିଁ । କାରଣ ମିଶନ ଆରମ୍ଭ ହେବାର ୨୪ ଘଣ୍ଟା ପୂରି ନଥିବା ବେଳେ ରାଜଧାନୀର କୁଖ୍ୟାତ ଦାଦା ରାଜା ଆଚାର୍ଯ୍ୟ ଗିରଫ ହୋଇଛି ।

ଦାଦାବଟି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଅ: ଡିଜିପି

ଦଶହରା ସମୟରେ ଅପରାଧକୁ ଫୁଲମାଳ କରି ଦିନକାଟୁଥିବା ବ୍ୟକ୍ତିମାନେ ଅଧିକ ସକ୍ରିୟ ହୋଇଥାନ୍ତି । ଏହି ସମୟରେ ଆର୍ଥିକ ଗତିବିଧି ସକ୍ରିୟ ହେଉଥିବାରୁ ବ୍ୟବସାୟୀଙ୍କୁ ଟାର୍ଗେଟ କରି ଦାଦାମାନେ ଚାନ୍ଦା ଅସୁଲି କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଦାଦାବଟି ବରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାଲାଗି ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ, କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଗୁଇନ୍ଦା ନିର୍ଦ୍ଦେଶକ, ଭୁବନେଶ୍ୱର ଓ କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପୁରସ୍କାର ପ୍ରାପ୍ତ ସୂଚନାକାରୀଙ୍କ ନାମ ଗୋପନ ଜରୁରୀ

ମିଶନ ଆରମ୍ଭ ହେବାକ୍ଷଣି ଭୁବନେଶ୍ୱର-କଟକ କମିସନରେଟ ପୋଲିସ ଡ. ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ, ଦ୍ୱୈତ୍ୟ ନଗରୀରେ ଦାଦାବଟି ଉପରେ ରୋକ ଲାଗିବ । ଏଥି ପାଇଁ ହେଲ୍ପଲାଇନ ଜାରି ହେବ । ଲୋକେ ହେଲ୍ପ ଲାଇନ ମାଧ୍ୟମରେ ଲୋକେ ଗୋପନ ଭାବେ ପୋଲିସକୁ ଦାଦାବଟି ସଂପକିର୍ତ ସୂଚନା ଦେଇପାରିବେ । ସୂଚନାକାରୀଙ୍କୁ ପୋଲିସ ପୁରସ୍କାର ମଧ୍ୟ ଦେବ । ଦାଦାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିଭଳି ପ୍ରତି ଥାନାରେ ୧୫ ଦିନରେ ଦାଦାବଟି ସଂପର୍କୀତ ସମୀକ୍ଷା ହେବ । ଏଥିରେ ପ୍ରଶ୍ନ ଉଠୁଛି ଯେ, ଦାଦାବଟି ସଂପର୍କୀତ ସୂଚନାକାରୀଙ୍କ ନାମ ତ ଗୋପନ ରଖାଯିବ, କିନ୍ତୁ ସେ ଯେତେବେଳେ ପୁରସ୍କାର ପାଇବ, ତା’ର ନାମ କ’ଣ ସେତେବେଳେ ଗୋପନ ରଖାଯାଇପାରିବ । ଯଦି ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ନାମ ଗୋପନ ନ ରଖାଯିବ, ତା’ହେଲେ ସଂପୃକ୍ତ ବ୍ୟକ୍ତିଙ୍କ ଜୀବନ ପ୍ରତି ଅଧିକ ବିପଦ ରହିଛି ।

ମିଶନର ପ୍ରଥମ ଶିକାର କୁଖ୍ୟାତ ଅପରାଧୀ ରାଜା ଆଚାର୍ଯ୍ୟ

୨୦୦୮ ଏପ୍ରିଲରେ ବହୁଚର୍ଚ୍ଚି ଜୁଡୋ କୋଚ ବିରଞ୍ଚି ଦାସର ହତ୍ୟା ମାମଲାରେ ୧୦ ବର୍ଷ ଜେଲଦଣ୍ଡ ଭୋଗିସାରିଥିବା ରାଜା ଆଚାର୍ଯ୍ୟ ଓ ତାର ସହଯୋଗୀ ନୃସିଂହ ବେହେରା ଓ ବିଜୟ ଦାସଙ୍କୁ ପୋଲିସ ଗିରଫ କରିଛି । ରାଜାର ସହଯୋଗୀମାନେ ୟୁନିଟ-୧ ଓ ୟୁନିଟ-୨ ମାର୍କେଟରୁ ଦାଦାବଟି ସଂଗ୍ରହ କରି ଫେରୁଥିବା ବେଳେ ପୋଲିସ ସେମାନଙ୍କୁ ଶନିବାର ଗିରଫ କରିଥିଲା । ରାଜାର ଇସାରାରେ ସହଯୋଗୀମାନେ ସ୍ଥାନୀୟ ଅଂଚଳର ବ୍ୟବସାୟୀମାନଙ୍କୁ ଭୟଭୀତ କରାଇ ଦାବାବଟି ସଂଗ୍ରହ କରୁଥିଲେ । ଗତକାଲି ବରମୁଣ୍ଡା ବସଷ୍ଟାଣ୍ଡରୁ ମଧ୍ୟ ୪ ଜଣଙ୍କୁ ଦାଦାବଟି ଆଦାୟ କରୁଥିବା ବେଳେ ଗିରଫ କରାଯାଇଛି ।

ବ୍ରହ୍ମପୁରରେ ଭାଇ-ଭଉଣୀଙ୍କୁ ଆକ୍ରମଣ

ମିଶନ ‘ଦାଦାବଟିକୁ ନା’ ଅଭିଯାନ ଭୁବନେଶ୍ୱର ଓ କଟକରେ ଆରମ୍ଭ ହୋଇଛି । ତେଣୁ ବ୍ରହ୍ମପୁର ସମେତ ରାଜ୍ୟର ଅନ୍ୟ ମହାନଗରରେ ଦାଦାମାନେ ଡରି ନାହାନ୍ତି । ବ୍ରହ୍ମପୁର ବଡ଼ବଜାର ଥାନା ଅଂଚଳରେ ଦାଦାବଟିକୁ କେନ୍ଦ୍ର କରି ଭାଇ-ଭଉଣୀ ଖଣ୍ଡାରେ ଆକ୍ରମଣର ଶିକାର ହୋଇଛନ୍ତି । ଲକ୍ଷ୍ମୀନୃସିଂହ ସାହି ନିବାସୀ କାଳିଆ ପାତ୍ରଙ୍କ ଅଭିଯୋଗ ଅନୁସାରେ କିଛି ଦୁର୍ବୃତ୍ତଙ୍କୁ କାଳିଆଙ୍କ ପାଖରୁ ୧୦ ହଜାର ଟଙ୍କା ନ ମିଳିବାରୁ ଆକ୍ରମଣ କରିଛନ୍ତି । ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ କାଳିଆଙ୍କ ଭଉଣୀ ଏସ ସୁନିତା ପାତ୍ର ଆହତ ହୋଇ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

୨୦୦୦ ଟଙ୍କା ଦାଦାବଟି ମାଗି ଭଦ୍ରକରେ ଜଣେ ଗିରଫ

ଭଦ୍ରକ ସଦର ଥାନା ଅନ୍ତର୍ଗତ ଗେଲପୁରର ବାବୁଲି ନାୟକ ନାମରେ ଜଣେ ବ୍ୟକ୍ତି ୨୦୦୦ ଟଙ୍କା ଦାଦାବଟି ମାଗି ଶୁକ୍ରବାର ଗିରଫ ହୋଇଛି । ସେ ଦୁର୍ଗାପୂଜା ପାଇଁ ଲକ୍ଷ୍ମୀନାରାୟଣ ଜେନା ନାମରେ ଜଣେ ବ୍ୟକ୍ତିଙ୍କ ଠାରୁ ଦାଦାବଟି ମାଗିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ।

Share the article

LEAVE A REPLY