ଦେଶର ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାର ନଂ-୧ ରେ ଡ. ପ୍ରମୋଦ କୁମାର ମିଶ୍ର

0
499

ସମ୍ବଲପୁର: ସମ୍ବଲପୁର ମାଟିର ସୁଯୋଗ୍ୟ ସନ୍ତାନ ବରିଷ୍ଠ ଆଇଏଏସ୍ ତଥା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପ୍ରମୋଦ କୁମାର ମିଶ୍ର ଇଣ୍ଡିଆ ଟୁଡେର ସଦ୍ୟ ସଂସ୍କରଣରେ ପ୍ରକାଶିତ ଦେଶର ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି। ଗତ ୧୭ ବର୍ଷ ଧରି ଏହି ପତ୍ରିକା ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରି ଦକ୍ଷତା ଓ ପ୍ରଭାବ ହାସଲ କରିଥିବା ବ୍ୟକ୍ତିତ୍ୱ ମାନଙ୍କ ତାଲିକା ପ୍ରକାଶ କରାଯାଇଆସୁଛି। ଡ. ମିଶ୍ର ଏହାର ମାନ୍ୟତା ତାଲିକାର ପ୍ରଥମ ଧାଡ଼ିରେ ରହିଆସିଛନ୍ତି। ସେ ଏଥର ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି।

ଇଣ୍ଡିଆ ଟୁଡେର ଦି ହାଇ ଓ ମାଇଟି ଶୀର୍ଷକ ଚଳିତ ସଂସ୍କରଣରେ ଏହା ପ୍ରକାଶ ପାଇଛି। ଏଥିସହିତ ଏଥିରେ ଓଡ଼ିଶାରେ ଜନ୍ମିତ ତାମିଲନାଡ଼ୁ କ୍ୟାଡରର ଆଇଏଏସ ତଥା ଆର୍‌ବିଆଇ ଗଭର୍ଣ୍ଣର ଡ. ଶକ୍ତିକାନ୍ତ ଦାଶ ତୃତୀୟ ଏବଂ ଗୁଜୁରାଟ କ୍ୟାଡ଼ରର ଆଇଏଏସ ତଥା ଭାରତର ମହାଲେଖା ନିୟନ୍ତ୍ରକ ଗିରୀଶ ଚନ୍ଦ୍ର ମୁର୍ମୁ ସପ୍ତମ ସ୍ତାନ ଅର୍ଥାତ ଶ୍ରେଷ୍ଟ ଦଶ ଜଣ ପ୍ରଭାବଶାଳି ପ୍ରଶାସକ ବ୍ୟୁରୋକ୍ରାଟଙ୍କ ମଧ୍ୟରେ ସ୍ଥାନ ହାସଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦୧୪-୨୦୧୯ କାର୍ଯ୍ୟକାଳରେ ମଧ୍ୟ ଡ. ମିଶ୍ର ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ପଦବିରେ ରହିଥିଲେ। ମୋଦୀଙ୍କ ଦ୍ୱିତୀୟ ପାଳିରେ ତାଙ୍କୁ କ୍ୟାବିନେଟ ପାହ୍ୟା ପ୍ରଦାନ କରାଯାଇଛି।

Courtesy: India Today

ଇଣ୍ଡିଆ ଟୁଡ଼େରେ ଡ. ମିଶ୍ରଙ୍କୁ ଦେଶର ପ୍ରାଇମ ମୁଭର ଭାବେ ଅବିହିତ କରାଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ଦେଶର ପ୍ରଶାସନିକ ସ୍ତରରେ ପ୍ରଶାସକ, ବିଶେଷଜ୍ଞ ଏବଂ ରାଜନୀତିଜ୍ଞ ମାନଙ୍କ ନିଯୁକ୍ତି ଦାୟିତ୍ୱ ତାଙ୍କ ଉପରେ ରହିଛି। କୃଷି ଆଇନ ଭଳି ବିଧେୟକ ପ୍ରଣୟନ କରିବା ଠାରୁ ଆରଂଭ କରି କୋଭିଡ-୧୯ ପରିଚାଳନା ପାଇଁ ୧୧ଟି ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ ଭଳି ସଶକ୍ତ ଗ୍ରୁପ ସଂରଚନା ଏବଂ ନିଯୁ୍‌କ୍ତି ପରି ବିବିଧ ଦାୟିତ୍ୱ ତାଙ୍କ ଉପରେ ରହିଛି। ନିକଟ ଅତୀତରେ ବିଭିନ୍ନ ପ୍ରକାରର ଏକାଧିକ ଦାୟିତ୍ୱ ତୁଲାଇବାରେ ସେ ପ୍ରଥମ ପ୍ରମୁଖ ଶାସନ ସଚିବ ଅଟନ୍ତି।

ପରିଶ୍ରମ, କର୍ମତତ୍ପରତା ଏବଂ ପ୍ରଶାସନିକ ଅମଲାତନ୍ତ୍ରୀ ବ୍ୟବସ୍ତା ସମ୍ପର୍କରେ ସଠିକ ବୁଝାମଣା ପାଇଁ ସେ ଶୀର୍ଷ ସ୍ତରରେ ପହଂଚି ପାରିବାରେ ସକ୍ଷମ ହୋଇଛନ୍ତି। ବିକାଶର ସୁଫଳକୁ ପ୍ରତ୍ୟକ୍ଷ ଭାବରେ ସିଧା ସଳଖ ଗରିବ ଲୋକଙ୍କ ପାଖରେ ପହଂଚାଇବା ପାଇଁ ଶାସନର ସବୁ ସ୍ତରରୁ ମଧ୍ୟସ୍ତି କାରବାରକୁ ଉଛେଦ କରିବାକୁ ନିଆଯାଉଥିବା ପଦକ୍ଷେପରେ ଡ. ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସହଯୋଗକାରୀ ଭାବରେ ଆଖ୍ୟାୟିତ କରାଯାଇଛି।

ପତ୍ରିକାର ଏହି ଅକ୍ଟୋବର ସଂଖ୍ୟାରେ ଡ. ମିଶ୍ରଙ୍କୁ ଅଗ୍ରଣୀ ବିପର୍ଯ୍ୟୟ ପରିଚାଳନା ବିଶେଷଜ୍ଞ ଭାବରେ ବର୍ଣନା କରାଯାଇଛି। ବନ୍ୟା ଓ ମରୁଡ଼ି ଭଳି ଆପଦର ମୁକାବିଲା ପାଇଁ ଲୋକଙ୍କ ପ୍ରତିରୋଧ କ୍ଷମତାରେ ଉନ୍ନତି ଆଣିଥିବାରୁ ଗତ ବର୍ଷ ଡ଼. ମିଶ୍ର ୨୦୧୯ ରେ ମିଳିତ ଜାତିସଂଘ ପକ୍ଷରୁ ସମ୍ମାନଜନକ ସାସାକାଓା ପୁରସ୍କାର ହାସଲ କରିଥିଲେ। ପତ୍ରିକାର ଏହି ସଂଖ୍ୟାର ସମ୍ପାଦକୀୟରେ ପ୍ରଭାବଶାଳି ବ୍ୟକ୍ତିତ୍ୱ ମାନଙ୍କ ସମ୍ପର୍କରେ କୁହାଯାଇଛି ଯେ, ଏଥିରେ ଆମ ଜନଜୀବନକୁ ପ୍ରଭାବିତ କରିବାବାର କ୍ଷମତା ଏହି ବର୍ଗର ରହିଛି। ନିଜର ପଦପଦବୀ ଓ ସମୃଦ୍ଦିରୁ ଉଧ୍ୱର୍କୁ ଯାଇପାରିବାର ଦକ୍ଷତା ଯୋଗୁ ଏମାନେ ପ୍ରଭାବ ଆହରଣ କରିପାରୁଛନ୍ତି। 

ସମ୍ବଲପୁର ମାଟିର ଏହି ବରପୁତ୍ର ଗତ ୫ ବର୍ଷ ମଧ୍ୟରେ ବ୍ୟୁରୋକ୍ରାସି ଟୁଡ଼େ ଏବଂ ଇଣ୍ଡିଆ ଟୁଡ଼େ ଭଳି ପତ୍ରପତ୍ରିକାର ସର୍ଭେରେ ଦେଶର ପ୍ରଭାବଶାଳୀ ପ୍ରଶାସକମାନଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ସମ୍ବଲପୁର ପଟ୍ଟନାୟକପଡ଼ାର ବିଶିଷ୍ଟ ଆଇନଜୀବୀ ପ୍ରସନ୍ନ କୁମାର ମିଶ୍ରଙ୍କ ପୁତ୍ର ଡ. ମିଶ୍ର ଚନ୍ଦ୍ର ଶେଖର ବେହେରା ଜିଲ୍ଲାସ୍କୁଲରୁ କୃତୀତ୍ୱର ସହ ମାଟ୍ରିକ୍ ପାସ କଲା ପରେ ଗଙ୍ଗାଧର ମେହେର କଲେଜରୁ ଅର୍ଥନୀତିରେ ସ୍ନାତକ ଡିଗ୍ରି ହାସଲ କରି ଦିଳ୍ଲୀରେ ପିଜି ଓ ବ୍ରିଟେନରୁ ପିଏଚଡି ହାସଲ କରିଥିଲେ।

ପ୍ରଚାର ପ୍ରସାରରୁ ଦୂରରେ ରହି ଆସିଥିବା ଡ. ମିଶ୍ର ଜଣେ ଅତ୍ୟନ୍ତ ପ୍ରତିଭାବାନ ଛାତ୍ର ଥିଲେ। ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବା ପରଠାରୁ ପ୍ରମୁଖ ସଚିବ ଥିଲେ। ଆର୍‌ଏସ୍‌ଏସ୍‌ ପ୍ରଚାରକରୁ ସଫଳ ମୁଖ୍ୟମନ୍ତ୍ରୀ ହେବା ପଛରେ ଡ. ମିଶ୍ରଙ୍କ ଭୂମିକା ରହିଥିବା କୁହାଯାଏ। ଡ. ମିଶ୍ର ଗୁଜୁରାଟର ବିଭିନ୍ନ ଜିଲ୍ଲାର ଜିଳ୍ଲାପାଳ ଓ ବିଭିନ୍ନ ବିଭାଗର ସଚିବ ପଦରେ ରହିବା ସହିତ ପ୍ରଳୟଙ୍କରୀ ଭୂମିକମ୍ପ ପରେ କଚ୍ଚ ପ୍ରଭୃତି ଜିଲ୍ଲାରେ ପୁନଃ ନିର୍ମାଣ ଓ ଥଇଥାନ କାର୍ଯ୍ୟର ନେତୃତ୍ୱ ନେଇଥିଲେ। ସେ କେନ୍ଦ୍ର କୃଷି ମନ୍ତ୍ରଣାଳୟର ସଚିବ ପଦରେ ମଧ୍ୟ ରହିଥିଲେ।

୨୦୦୮ରେ ଅବସର ଗ୍ରହଣ କରିବା ପରେ ମଧ୍ୟ ତାଙ୍କୁ ଗୁଜୁରାଟ ନିୟାମକ ଆୟୋଗର ଅଧ୍ୟକ୍ଷ ଓ ୨୦୧୪ ପର୍ଯ୍ୟନ୍ତ ଗୁଜୁରାଟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷର ମୁଖ୍ୟ ଭାବ ଅବସ୍ଥାପିତ କରାଯାଇଥିଲା। ପ୍ରଶାସନିକ ପରିଚାଳନା ଓ ବିଭିନ୍ନ ସମୟରେ ଗୁଜୁରାଟ ଓ ପରେ କେନ୍ଦ୍ରରେ ଆର୍ଥିକ ଅଭିବୃଦ୍ଧି ହାସଲ ଦିଗରେ ଉଦ୍ୟମ କରି ଡ. ମିଶ୍ର ବିଭିନ୍ନ ସମୟରେ ପ୍ରଶଂସିତ ହୋଇଛନ୍ତି। ଏପରିକି କ୍ଷତିରେ ଥିବା ରାଜ୍ୟ ସରକାରଙ୍କ ଉଦ୍ୟୋଗକୁ ଲାଭପ୍ରଦ କରିବାରେ ତାଙ୍କର ବୌଦ୍ଧିକ ଉପଯୋଗ ଉଲ୍ଲେଖନୀୟ ବୋଲି କୁହାଯାଏ।

Share the article

LEAVE A REPLY