ଅଭାବ ଲାଗି ଶିଶୁକନ୍ୟାକୁ ଅନ୍ୟ ହାତରେ ଟେକିଦେଲେ ମା’ !

0
468

ଭୁବନେଶ୍ୱର: ଦଶ ମାସର ଗର୍ଭଯନ୍ତ୍ରଣା ସହ୍ୟ କରି ସନ୍ତାନ ଜନ୍ମ କରିବା ମା’ ପାଇଁ ସବୁଠାରୁ କଷ୍ଟ ଓ ସ୍ମରଣୀୟ ମୂହୁର୍ତ୍ତ । ପ୍ରତ୍ୟେକ ମା’ ସନ୍ତାନ ଜନ୍ମ କରିବା ପୂର୍ବରୁ ଅନେକ ଆଶା ଓ ସ୍ୱପ୍ନ ଦେଖିଥାନ୍ତି । କାରଣ ଜଣେ ମହିଳାଙ୍କ ପାଇଁ ସବୁଠାରୁ ସଫଳତାର ସମୟ, ସେ ଯେତେବେଳେ ମା’ର ପରିଚୟ ପାଇଥାଏ । କିନ୍ତୁ ଆଜିର ଦିନରେ ମା’ଟିଏ ହୋଇଯିବା ଯେତିକି ବଡ଼ କଥା ନୁହେଁ, ସନ୍ତାନକୁ ଯୁଗ ସହିତ ତାଳ ଦେଇ ଗଢ଼ିବା ହେଉଛି ସବୁଠାରୁ ବଡ଼ ଆହ୍ୱାନ ।

କୁଆଁ କୁଆଁ କାନ୍ଦୁଥିବା ଶିଶୁକୁ ବଡ଼ କରି ଭଲ ମଣିଷଟିଏ ଗଢ଼ିବା ପାଇଁ ଅର୍ଥ ଦରକାର । ଯଦି ପରିବାରରେ ଅର୍ଥର ବଳ ନଥାଏ, ଶିଶୁଟି ଆଧୁନିକ ଯୁଗରେ ଯେଭଳି ଶିକ୍ଷା, ସ୍ୱାସ୍ଥ୍ୟର ଆବଶ୍ୟକତା ରହିଛି, ତାହା ହେବା ସମ୍ଭବପର ନୁହେଁ ।

ଓଡ଼ିଶାରେ ଆର୍ଥିକ ଅଭାବ ଯୋଗୁଁ ଶିଶୁ ବିକ୍ରି ଘଟଣା ମଧ୍ୟ ଅନେକ ଥର ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି । ଶିଶୁକୁ ପାଳନ କରି ନପାରି ମା’ମାନେ ଅନ୍ୟ ହାତରେ ଟେକି ଦେଉଥିବା ନଜର ରହିଛି । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡର ଚାରମାଳ ଥାନା ଅନ୍ତର୍ଗତ କେଉଟିବାହାଳ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।

ଏହି ଗାଁର ଶଙ୍କର କର୍ଣ୍ଣ ୪ ବର୍ଷ ପୂର୍ବରୁ ନଳୀନିଙ୍କୁ ବିବାହ କରିଥିଲେ । ଉଭୟଙ୍କର ୨ଟି ସନ୍ତାନ ଅଛନ୍ତି । ପ୍ରଥମ ସନ୍ତାନର ବୟସ ପ୍ରାୟ ୪ ବର୍ଷ ହୋଇଥିବା ବେଳେ ଦ୍ୱିତୀୟ ସନ୍ତାନର ବୟସ ପ୍ରାୟ ଦେଢ଼ ବର୍ଷ ।

ଅଭାବ ପାଇଁ ଶିଶୁକୁ ଅନ୍ୟ ହାତରେ ଟେକିଦେଲେ

ତେବେ ଶିଶୁର ମା’ ନଳୀନିଙ୍କ କହିବା ଅନୁସାରେ ତାଙ୍କ ସ୍ୱାମୀ ୬ ମାସ ଆଗରୁ ତାଙ୍କୁ ଛାଡ଼ି କେଉଁଆଡ଼େ ଚାଲିଯାଇଛନ୍ତି । ଏବେ ୨ଟି ଶିଶୁଙ୍କୁ ପାଳନ କରିବା ତାଙ୍କ ପକ୍ଷେ ସମ୍ଭବ ପର ହୋଇପାରୁ ନାହିଁ । ତେଣୁ ସେ ପୋଷ୍ୟକନ୍ୟା ଭାବେ ରେଢ଼ାଖୋଲ ଥାନା ଅନ୍ତର୍ଗତ କୁଶାପାଲି ଗାଁର ଲଳିତ ପ୍ରଧାନଙ୍କୁ ଦେଇଥିଲେ । ଶିଶୁକନ୍ୟାକୁ ନେଇଥିବା ଲଳିତଙ୍କ କହିବା ଅନୁସାରେ ସେ ରେଢ଼ାଖୋଲ ନୋଟାରୀ କାର୍ଯ୍ୟାଳୟରେ ଲେଖାପଢ଼ା କରି ଶିଶୁକନ୍ୟାର ପିତା-ମାତାଙ୍କ ସମ୍ମତି କ୍ରମେ ରଖିଛନ୍ତି ।

୧୫ ହଜାର ଟଙ୍କାରେ ଶିଶୁ ବିକ୍ରି ଅଭିଯୋଗ!

ତେବେ ଗଣମାଧ୍ୟମରେ ପ୍ରଚାର ହୋଇଥିବା ଖବର ଅନୁସାରେ ଶିଶୁକନ୍ୟାକୁ ବିକ୍ରି କରାଯାଇଛି । ଏହି ଖବର ପ୍ରଚାର ହେବା ପରେ ପୁଲିସ ସଂପୃକ୍ତ ଶିଶୁକନ୍ୟାକୁ ଉଦ୍ଧାର କରିଛି । ପୁଲିସ ଶିଶୁକନ୍ୟାକୁ କିଣିଥିବା ଦଂପତିକୁ ଅଟକ ରଖି ପଚରାଉଚରା କରୁଛି । ଚାଇଲ୍ଡ ଲାଇନ ପକ୍ଷରୁ କୁହାଯାଇଛି ଯେ, ଶିଶୁକନ୍ୟାକୁ ୧୫ ହଜାର ଟଙ୍କାରେ ବିକ୍ରି କରାଯାଇଛି । ଚାଇଲ୍ଡ ଲାଇନର ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ।

ଗତ ବର୍ଷ ଶିଶୁ ଉଦ୍ୟମ ପାଇଁ ଯାଜପୁରରେ ହୋଇଥିଲା ଉଦ୍ୟମ

ଯାଜପୁର ଜିଲ୍ଲା ବ୍ୟାସନଗର ଅଂଚଳରେ ୨୦୧୯ ଜୁନ ମାସରେ ଶିଶୁ ବିକ୍ରି ଘଟଣା ପଦାକୁ ଆସିଥିଲା । ଯାଜପୁର ରୋଡ ରେଳ ଷ୍ଟେସନ ଅନଲୋଡିଂ ସାଇଟରେ ରହୁଥିବା ଭଦ୍ରକ ଜିଲ୍ଲା ରାହାନ୍ଦିଆର ମାଳତୀ ମାରାଣ୍ଡି (୩୫) ନାମରେ ଜଣେ ମହିଳା ନିଜର ନବଜାତ ଶିଶୁକନ୍ୟାକୁ ବିକ୍ରି କରିବାକୁ ଉଦ୍ୟମ କରି ଧରାପଡ଼ିଥିଲେ । ମହିଳାଙ୍କର ସ୍ୱାମୀ ନଥିବାରୁ ସେ ବାଧ୍ୟ ହୋଇ ଶିଶୁକନ୍ୟାକୁ ବିକ୍ରି କରିବାକୁ ଉଦ୍ୟମ କରିଥିଲେ । ପରେ ଶିଶୁ ସୁରକ୍ଷା କମିଟି ଘଟଣାସ୍ଥଳରେ ପହଂଚି ଶିଶୁକନ୍ୟାକୁ ଉଦ୍ଧାର କରିଥିଲା ।

ଭୁବନେଶ୍ୱରରେ ୨ ମାସର ଶିଶୁ ବିକ୍ରି ଘଟଣା ଚର୍ଚ୍ଚା ପାଲଟିଥିଲା

ରାଜଧାନୀ ଭୁବନେଶ୍ୱରରେ ୨ ମାସର ଶିଶୁକୁ ବିକ୍ରି କରାଯିବା ଘଟଣା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁଥିଲା । ୨୦୧୮ ଜାନୁଆରୀ ୩୧ ତାରିଖରେ ଏୟାରଫିଲ୍ଡ ଥାନା ଅଂଚଳରୁ ଶିଶୁକୁ ମାଳିସାହି ନିକଟ ମସଜିଦ କଲୋନିରେ ବିକ୍ରି କରାଯାଇଥିଲା । ମିଞ୍ଜି ନାମରେ ମହିଳା ଜଣକ ୪ଟି ସନ୍ତାନ ଥିଲେ । ଏଥିରେ ୨ଟି ପୁଅ ଓ ୨ ଝିଅ ସାମିଲ । କିନ୍ତୁ ମହିଳା ଜଣକ ଅଭାବ ଯୋଗୁଁ ସେ ୨ ମାସର ଶିଶୁକନ୍ୟାକୁ ମସଜିଦ କଲୋନୀର ରୁକସାନ ବେବୀଙ୍କୁ ବିକ୍ରି କରିଥିଲେ । ପରେ ପୁଲିସ ଶିଶୁକୁ ଉଦ୍ଧାର କରିଥିଲା ।

Share the article

LEAVE A REPLY