ଝୋଟରୁ ପ୍ରସ୍ତୁତ ବ୍ୟାଗରେ ଭର୍ତ୍ତି ହେବ ଖାଦ୍ୟ ସାମଗ୍ରୀ

0
425

ନୂଆଦିଲ୍ଲୀ: ଦିନକୁ ଦିନ ନଳିତା ଫସଲ ଚାଷ ଜମିରୁ ଉଭାନ ହୋଇଯାଉଥିବା ବେଳେ ଏହାକୁ ବଂଚାଇ ରଖିବା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଚାଷୀଙ୍କ ମଙ୍ଗଳ ପାଇଁ ଓ ଝୋଟ ଶିଳ୍ପକୁ ପ୍ରୋତ୍ସାହନ ଦେବା ଲାଗି କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗୁରୁବାର ଅନୁଷ୍ଠିତ କେନ୍ଦ୍ରୀୟ କ୍ୟାବିନେଟ ବୈଠକରେ ସରକାର ଖାଦ୍ୟାନ୍ନକୁ ଝୋଟରେ ପ୍ରସ୍ତୁତ ବ୍ୟାଗ ଅଥବା ବସ୍ତାରେ ପ୍ୟାକିଂକୁ ବାଧ୍ୟତାମୂଳକ କରିଦେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିରେ ଖାଦ୍ୟାନ୍ନର ଶତପ୍ରତିଶତ ପ୍ୟାକିଂ ଓ ଚୀନୀର ୨୦ ପ୍ରତିଶତ ପ୍ୟାକିଂ ଝୋଟରୁ ପ୍ରସ୍ତୁତ ବସ୍ତାରେ ବାଧ୍ୟତାମୂଳକ ଭାବେ କରାଯିବ । ଭାରତରେ ୬୦ ପ୍ରତଶିତ ଝୋଟ ଶିଳ୍ପ ରହିଛି । କିନ୍ତୁ ଦୁଃଖର କଥା ହେଲା ଯେ, ଏହାର କଂଚାମାଳ ଅଧକାଂଶ ବାଂଲାଦେଶରୁ ଆସିଥାଏ ।

ଝୋଟ ଚାଷକୁ କେନ୍ଦ୍ର ସରକାରଙ୍କ ଗୁରୁତ୍ୱ

କେନ୍ଦ୍ର ସରକାରଙ୍କ ଏହି ଘୋଷଣା ନେଇ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଚାଷୀ ଓ ଶ୍ରମିକଙ୍କ ମଙ୍ଗଳ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଝୋଟରୁ ପ୍ରସ୍ତୁତ ବ୍ୟାଗ, ଆପଣ ଜାଣିଥିବେ ପ୍ୟାକିଂଜି ଲାଗି ବ୍ୟବହୃତ ହୋଇଥାଏ । ତେଣୁ ସରକାର ଝୋଟ ଚାଷ ଓ ଶିଳ୍ପକୁ ଗୁରୁତ୍ୱ ଦେଉଛନ୍ତି । ଏହା ଦ୍ୱାରା ଝୋଟ ଚାଷୀ ଓ ଝୋଟ ଶିଳ୍ପକୁ ଲାଭ ମିଳିବ । ଶ୍ରମିକଙ୍କୁ ରୋଜଗାର ମିଳିବ ଏବଂ ଚାଷୀ ଉପକୃତ ହେବେ ।

ଭାରତରେ ୪୦ ଲକ୍ଷ ଝୋଟ ଚାଷୀ

ସାଧାରଣ ଲୋକଙ୍କ ଲାଗି ଝୋଟ ବିଡା କେତେ ଟଙ୍କା ହେବ, ଏହାର ନିଷ୍ପତ୍ତି କମିଟି କରିବ । ଏହି ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଜାଭଡେକର କହିଛନ୍ତି, ଚାଷୀଙ୍କ ଚାହିଦା ବଢ଼ିବ । ପ୍ରାୟ ୪୦ ଲକ୍ଷ ଚାଷୀଙ୍କ ସହିତ ଝୋଟ ଶିଳ୍ପରେ ନିୟୋଜିତ ହୋଇଥିବା ୪ ଲକ୍ଷ ଶ୍ରମିକଙ୍କୁ ଲାଭ ହେବ । ପଶ୍ଚିମବଙ୍ଗ, ଓଡ଼ିଶା, ଆସାମ, ମେଘାଳୟ, ତ୍ରିପୁରା ଓ ଆନ୍ଧ୍ରପ୍ରଦେଶର ଝୋଟ ଚାଷୀଙ୍କୁ ଲାଭ ହେବ । କାରଣ ଏହି ରାଜ୍ୟଗୁଡ଼ିକରେ ସର୍ବାଧିକ ଝୋଟ ଚାଷ କରାଯାଇଥାଏ ।

ବୟନ ମନ୍ତ୍ରୀଙ୍କ ବୟାନ

ଝୋଟ ଚାଷ ଓ ଝୋଟ ଶିଳ୍ନ ନେଇ କେନ୍ଦ୍ର ସରକାରଙ୍କ ବୟନ ମନ୍ତ୍ରୀ ସ୍ମୁତି ଇରାନୀ ବୟାନ ଦେଇଛନ୍ତି । ସେ ଟୁଇଟ କରି କହିଛନ୍ତି, ସରକାର ଚାହିଦାକୁ ଜାରି ରଖିବା ଲାଗି ୭୫୦୦ କୋଟି ଟଙ୍କାର ଝୋଟ କିଣିଥାନ୍ତି । ଝୋଟର ଯୋଗାଣରେ କମ ଅଥବା କୌଣସି ପ୍ରକାରରେ ଏହାକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯିବା ଦରକାର । ଏହା ଦ୍ୱାରା ଝୋଟ ଶିଳ୍ପରେ ନିୟୋଜିତ କର୍ମଜୀବୀଙ୍କ ଜୀବନ ଜୀବୀକାକୁ ସମର୍ଥନ କରିବ ।

ହ୍ରାସ ପାଉଛି ନଳିତା ଖେତ

କାଉଁରିଆ ଖେତ ଦିନକୁ ଦିନ ଲୋପପାଇବାରେ ଲାଗିଛି । ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାତଗଣତି ଚାଷୀ ଏହି ଚାଷ କରୁଥିବା ବେଳେ ପଶ୍ଚିମ ଓଡ଼ିଶାରେ ଝୋଟ ଚାଷ ଏକ ପ୍ରକାଳ ଲୋପ ପାଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ୨୦ ବର୍ଷ ପୂର୍ବରୁ ଏହି ଚାଷ ଗାଁଗଣ୍ଡାରେ ବହୁ ପରିମାଣରେ କରାଯାଉଥିଲା । କିନ୍ତୁ ଆଜିକାଲି ଏହା ଆଉ ହେଉନାହିଁ । ଝୋଟରୁ ଦଉଡି ତିଆରି କରି ଚାଷୀ ନିଜର ଆବଶ୍ୟକତାକୁ ପୂରଣ କରୁଥିଲା । ଆଜିକାଲି କୃଷକ ବଜାରରୁ ମିଳୁଥିବା ପ୍ଲାଷ୍ଟିକ ଦଉଡି ଉପରେ ନିର୍ଭର କରୁଛି ।

ଦୀପାବଳିରେ ଖୋଜାପଡ଼ିଥାଏ କାଉଁରିଆ କାଠି

ଦୀପାବଳି ଆସିଲେ କାଉଁରିଆ କାଠି ମନେପଡ଼ିଥାଏ । କାରଣ ଏବେ ଝୋଟ ଚାଷ ଅଳ୍ପ ପରିମାଣରେ ହେଉଥିବାରୁ ବଜାରରେ କାଉଁରିଆ କାଠି ଚଢ଼ା ଦରରେ ବିକ୍ରି ହେଉଛି । ଏକଦା ଗାଁ ପୋଖରୀରେ ଏଗୁଡ଼ି ଅଦରକାରୀ ହୋଇ ପଡ଼ିଥିବା ବେଳେ ଆଜିକାଲି ଗୋଟିଏ କାଠିକୁ ୫ଟଙ୍କାରେ ବିକ୍ରି ହୋଇଥାଏ । ଏହି କାଠିରେ ନିଆଁ ଲଗାଇ ଛୋଟ ପିଲାମାନେ ଫୋଟକ ଫୁଟାଇଥାନ୍ତି ।

ପରିବେଶ ପାଇଁ ଭଲ ଝୋଟରୁ ପ୍ରସ୍ତୁତ ଦଉଡ଼ି

ପ୍ଲାଷ୍ଟିକରୁ ପ୍ରସ୍ତୁତ ଦଉଡ଼ି ପରିବେଶ ଓ ସ୍ୱାସ୍ଥ୍ୟ ପାଇଁ ଖରାପ ପ୍ରଭାବ ପକାଇପାରେ । କିନ୍ତୁ ଝୋଟରୁ ପ୍ରସ୍ତୁତ ଦଉଡି ପରିବେଶ ଓ ସ୍ୱାସ୍ଥ୍ୟ ପାଇଁ ଭଲ । ଝୋଟରୁ ପ୍ରସ୍ତୁତ ଦଉଡିରୁ ପାପୋଚ, ବଳଦ ବାନ୍ଧିବା ପାଇଁ ଦଉଡି, ଚାଷ କାମରେ ବ୍ୟବହୃତ ହେଉଥିବ ଦଉଡି, ଧାନ ବସ୍ତା, ଶୋଇବା ଖଟ, ବସିବା ଚଟେଇ ଆଦି ପ୍ରସ୍ତୁତ ହୋଇଥାଏ । କିନ୍ତୁ ସମୟ ବଦଳିବା ସହିତ ଆଜି ମଣିଷ ପ୍ଲାଷ୍ଟିକ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ।

Share the article

LEAVE A REPLY