ଲୌହ ମାନବଙ୍କ ଆଖିରେ ଜମ୍ମୁ କଶ୍ମୀର

0
384

ନୂଆଦିଲ୍ଲୀ: ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜମ୍ମୁ କଶ୍ମୀରର ବିକାଶ ଚାହୁଁଥିଲେ । ସେ ଦେଶର ଅନ୍ୟ ରାଜ୍ୟ ଭଳି ଜମ୍ମୁକଶ୍ମୀରକୁ ଗଢ଼ିତୋଳିବାକୁ ଚାହିଁଥିଲେ । ଦୁଃଖର କଥା ହେଲା ଯେ, ତତ୍କାଳୀନ ରାଜନୈତିକ ଚାପ ଯୋଗୁଁ ଜମ୍ମୁ କଶ୍ମୀରର ବିକାଶ ଅଟକି ଯାଇଥିଲା । ସ୍ୱର୍ଗତ ପଟେଲଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହା କହିଛନ୍ତି । କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ଗୋଟିଏ ବର୍ଷରୁ ମଧ୍ୟ ଅଧିକ ସମୟ ଅତିକ୍ରାନ୍ତ କରିଛି । ଆଜି ଜମ୍ମୁ କଶ୍ମୀରରେ ସମାରୋହ କରିବାରେ କୌଣସି ଅସୁବିଧା ହେଉନାହିଁ । କିନ୍ତୁ ଏଠାରେ କହି ରଖୁଛି ଯେ, ସର୍ଦ୍ଦାର ପଟେଲଙ୍କୁ ଏହି କାମ କରିବାକୁ ସୁଯୋଗ ମିଳିଥିଲେ, ଆଜି ମୋତେ ଏହି କାମ କରିବାକୁ ପଡ଼ିନଥାନ୍ତା । କଶ୍ମୀର ବିକାଶର ଏକ ନୂତନ ଶୀର୍ଷରେ ପହଂଚିପାରିଥାନ୍ତା ବୋଲି ମୋଦୀ କହିଛନ୍ତି ।

ଜମ୍ମୁ କଶ୍ମୀରରେ ବର୍ଷତମାମ ହିଂସା

ଜମ୍ମୁ କଶ୍ମୀରରେ ବର୍ଷତମାମ ହିଂସା ଜାରି ରହିଛି । କେତେବେଳେ ଆତଙ୍କବାଦୀ ସାଧାରଣ ଜନତାଙ୍କୁ ଟାର୍ଗେଟ କରୁଛନ୍ତି, ତ ପାକିସ୍ତାନୀ ସେନା ଭାରତୀୟ ସୁରକ୍ଷାକର୍ମୀଙ୍କୁ ଲକ୍ଷ୍ୟ କରି ଗୁଳି ଫୁଟାଉଛନ୍ତି । ସୀମା ବିବାଦର ସମାଧାନ ଦେଶ ସ୍ୱାଧୀନତା ହେବାର ୭୩ ବର୍ଷ ପରେ ମଧ୍ୟ ଲାଗିରହିଛି । ସର୍ଦ୍ଦାର ପଟେଲ ଯଦି ଏହି ସମସ୍ୟାର ସମାଧାନ କରିଦେଇଥାନ୍ତେ, ତାହଲେ ଆଜି ଦେଶ ସୁରକ୍ଷା ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁ ନଥାନ୍ତା । ସୀମାରେ ଖର୍ଚ୍ଚ ହେଉଥିବା ଟଙ୍କା କୃଷି, ଶିଳ୍ପ, ବାଣିଜ୍ୟ, ସ୍ୱାସ୍ଥ୍ୟ ଆଦି ବିକାଶ ମୂଳକ କାମରେ ବିନିଯୋଗ ହୋଇପାରିଥାନ୍ତା ।

ସ୍ୱାର୍ଥ ପାଇଁ ରାଜନୀତି ନହେଉ

ଗତବର୍ଷ ଫେବୃୟାରୀ ୧୪ରେ ଜମ୍ମୁ କଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଘଟଣା ନେଇ ପ୍ରଶ୍ନ ଉଠାଇଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଡ଼ା ଜବାବ ଦେଇ କହିଛନ୍ତି, ସୁରକ୍ଷାବାହିନୀଙ୍କୁ ନେଇ ସ୍ୱାର୍ଥ ଲାଗି ରାଜନୀତି ନହେଉ । କିଛି ଲୋକ ପୁଲୱାମା ଆକ୍ରମଣରେ ମଧ୍ୟ ରାଜନୈତିକ ସ୍ୱାର୍ଥ ହାସଲ କରିବାକୁ ସ୍ରୋତ ଖୋଜୁଥିଲେ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୫ତମ ଜୟନ୍ତୀ ଅବସରରେ ମୋଦୀ ‘ଏକଦା ଦିବସ ପରେଡ’ କାର୍ଯ୍ୟକ୍ରମରେ ଏହା କହିଛନ୍ତି । ଆଜି ମୁଁ ଏଠାରେ ଯେତେବେଳେ ଅର୍ଦ୍ଧସୈନିକ ବଳର ପରେଡ ଦେଖୁଥିଲି, ମନରେ ଏକ ଏକ ଚିତ୍ର ପରିଦୃଶ୍ୟ ହେଉଥିଲା ।

ପୁଲୱାମା ଆକ୍ରମଣକୁ ଦେଶବାସୀ କେବେ ଭୁଲିପାରିବେ ନାହିଁ, ଯେଉଁଥିରେ କି ୪୦ ଜଣ ବୀର ଯବାନ ସହିଦ ହୋଇଥିଲେ । ପୂରା ଦେଶ ମନଦୁଃଖରେ ଥିବା ବେଳେ କିଛି ଲୋକ ଏହି ଦୁଃଖରେ ସାମିଲ ନଥିଲେ । କାରଣ ଏଭଳି ହୀନମନ ନେଇ ଜୀବନ ବିତାଉଥିବା ଲୋକେ ରାଜନୈତିକ ଲାଭ ଉଠାଇବା ଲାଗି ଉଦ୍ୟମ କରିଥିଲେ । ଏକ ବିପତ୍ତି ସମୟରେ ଏଭଳି ବୟାନ ଆସିଥିଲା, ଦେଶବାସୀ କେବେ ଭୁଲିପାରିବେ ନାହିଁ । ସ୍ୱାର୍ଥ ପାଇଁ ଲୋକେ କିପରି ହୀନ ରାଜନୀତି କରିପାରନ୍ତି, ତାହା ହେଉଛି ପୁଲୱାମା ଆକ୍ରମଣର ଜ୍ୱଳନ୍ତ ଉଦାହରଣ ବୋଲି ମୋଦୀ କହିଛନ୍ତି ।

ବିକାଶ ପାଇଁ ଏକତା ଜରୁରୀ

ଏକତା ଦିବସର ଆହ୍ୱାନ ହେଉଛି ପରିବାର ହେଉକି ସମାଜ, ଗା ହେଉ କି ଗୋଷ୍ଠୀ । କୌଣସି ଜିନିଷର ବିକାଶ କରିବାକୁ ହେଲେ ‘ଏକତା’ର ଆବଶ୍ୟକତା ରହିଛି । ଏକତା ବିନା ଆଗକୁ ବଢ଼ିବା ସମ୍ଭବ ନୁହେଁ । ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ଆଜି ସମଗ୍ର ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ହୋଇଛି ।

ଏହି ଦିବସକୁ ସ୍ମରଣୀୟ ରଖିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଓ ବକ୍ତାମାନେ ଏକତା ଓ ବିକାଶ ନେଇ ଅନେକ ଭାଷଣବାଜି ମଧ୍ୟ କରିଛନ୍ତି । କିନ୍ତୁ ବଡ଼ବଡିଆଙ୍କ ଭାଷଣରେ ବିକାଶ ହେବନାହିଁ । ବିକାଶ ସେତେବେଳେ ହେବ, ଯେତେବେଳେ ଜଣେ ଅନ୍ୟକୁ ଭଲଭାବରେ ଚିହ୍ନିପାରିବ । ଅନ୍ୟର ଆବଶ୍ୟକତା ପାଇଁ ନିଜର ଉପସ୍ଥିତିକୁ ଜାହିର କରିବ । ସେହିପରି ସର୍ଦ୍ଦାର ପଟେଲଙ୍କ ଭଳି ନିଜର ସ୍ୱାଭିମାନକୁ ଗୁରୁତ୍ୱ ଦେବାକୁ ପଡ଼ିବ ।

Share the article

LEAVE A REPLY