ଖୋଲିଲାନି ଦେବାଳୟ, କାର୍ତ୍ତିକ ସୋମବାରରେ ଶ୍ରଦ୍ଧାଳୁ ନିରାଶ

0
308

ଭୁବନେଶ୍ୱର: ସାଧାରଣ ଭକ୍ତଙ୍କ ଲାଗି ଦେବାଳୟଗୁଡ଼ିକ ପୂର୍ବ ଭଳି ବନ୍ଦ ରହିଛି । ଯାହା ଆଶା କରାଯାଉଥିଲା, ତାହା ଆଶାରେ ହିଁ ରହିଯାଇଛି । ବିଗତ ମାର୍ଚ୍ଚ ତୃତୀୟ ସପ୍ତାହ ପରଠାରୁ ମନ୍ଦିର ପରିସରକୁ ଭକ୍ତମାନେ ଯାଇପାରୁ ନାହାନ୍ତି । ଫଳରେ କାର୍ତ୍ତିକ ବ୍ରତଧାରୀଙ୍କ ଘରେ ତୁଳସୀ ଚଉରା ମୂଳରେ ଭାଗବତ ଓ କାର୍ତ୍ତିକ ମହାତ୍ମା ବହି ପଢ଼ି ମନ ବୁଝାଇବାକୁ ପଡୁଛି । ରାଜ୍ୟରେ କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ନିୟନ୍ତ୍ରଣକୁ ଆସିଥିବା ନେଇ ସରକାର କହୁଥିଲେ ମଧ୍ୟ ଦେବାଳୟ ଗୁଡ଼ିକ ନଖୋଲାଯିବାରୁ ଶ୍ରଦ୍ଧାଳୁଙ୍କ ମନରେ ଅସନ୍ତୋଷ ଭାବ ସୃଷ୍ଟି ହୋଇଛି । ଏହାର କାରଣ ହେଲା ଯେ, ଶ୍ରଦ୍ଧାଳୁମାନେ କାର୍ତ୍ତିକମାସରେ ମନ୍ଦିର ଯାଇ ଠାକୁରଙ୍କୁ ଦର୍ଶନ କରିବେ । ଆଜି ହେଉଛି କାର୍ତ୍ତିକ ମାସର ପ୍ରଥମ ସୋମବାର । ଏହି ଅବସରରେ ମନ୍ଦିରରେ ଠାକୁରଙ୍କୁ ଯାଇ ଦର୍ଶନ କରିଆସିଲେ ମନରେ ଟିକିଏ ଶାନ୍ତି ମିଳିଥାଏ । ମାତ୍ର ରାଜ୍ୟ ସରକାରଙ୍କ ଗାଇଡଲାଇନ ଯୋଗୁଁ ଆଜି ଦେବାଳୟରେ ଭକ୍ତଙ୍କ ପାଇଁ ମୁଖ୍ୟ ଫାଟକରେ ତାଲା ଝୁଲୁଛି ।

ମହାପ୍ରସାଦ ଲାଗି ଠେଲାପେଲା

ଶ୍ରୀମନ୍ଦିରର ଉତ୍ତର ଓ ଦକ୍ଷିଣ ଦ୍ୱାରରେ କାର୍ତ୍ତିକ ମାସରେ ହବିଷ୍ୟାଳିମାନଙ୍କ ସହ ଅନ୍ୟମାନଙ୍କୁ ମଧ୍ୟ ମହାପ୍ରସାଦ ବିତରଣ କରାଯାଉଛି । କୋଭିଡ-୧୯କୁ ଦୃଷ୍ଟିରେ ରଖି ୫ଟି ଧାଡ଼ି କରାଯାଇଛି । ପ୍ରତ୍ୟେକ ଧାଡ଼ିରେ ଅତିବେଶୀରେ ୩୦ ଜଣ ଶ୍ରଦ୍ଧାଳୁ ଛିଡ଼ା ହୋଇପାରିବେ । କିନ୍ତୁ ମହାପ୍ରସାଦ ପାଇଁ ଭକ୍ତମାନଙ୍କ ମଧ୍ୟରେ ଯେଭଳି ଭାବରେ ଠେଲାପେଲା ହେଉଛି, ଏଥିରେ ହବିଷ୍ୟାଳିମାନେ ଅଧିକ ହଟହଟା ହେଉଛନ୍ତି । ପ୍ରଶାସନର ଦୂରଦୃଷ୍ଟି କମ ଥିବାରୁ ହବିଷ୍ୟାଳିମାନଙ୍କ ମଧ୍ୟରୁ ଅଧିକାଂଶ ବରିଷ୍ଠ ନାଗରିକ ହୋଇଥିବାରୁ ସେମାନେ ବେଶୀ ହଇରାଣ ହେଉଛନ୍ତି । ମହାପ୍ରସାଦ ବିତରଣ ସମୟରେ ପୋଲିସ ମୁତୟନ ଥିଲେ ମଧ୍ୟ ଭୀଡ଼କୁ ନିୟନ୍ତ୍ରଣ କରିପାରୁ ନାହାନ୍ତି । କରୋନା ସଂକଟ କାଳରେ ହବିଷ୍ୟାଳିମାନଙ୍କ ଯୋଗୁଁ ଶ୍ରୀମନ୍ଦିରରେ ଅଧିକ ମହାପ୍ରସାଦ ପ୍ରସ୍ତୁତି କରାଯାଉଛି ।

ମନ୍ଦିରରେ ନାହିଁ କୋଳାହଳ

କାର୍ତ୍ତିକ ମାସ ହେଲେ ମନ୍ଦିର ଗୁଡ଼ିକ ଚଳଚଂଚଳ ଦେଖାଯାଇଥାଏ । ଭୋର ୪ଟାରୁ ମନ୍ଦିର ପରିସରରୁ ଭାସି ଆସୁଥାଏ ଭଗବାନଙ୍କ ବିଷ୍ଣୁ ସହସ୍ର ନାମ, ଶିବ ସହସ୍ର ନାମ, ଭଜନ, ଘଣ୍ଟ, ଶଙ୍ଖର ଧ୍ୱନୀ । କିନ୍ତୁ କରୋନା ଲାଗି ମନ୍ଦିର ପରିସର ସ୍ତବ୍ଧ ପାଲଟିଯାଇଛି । ଶ୍ରୀକ୍ଷେତ୍ର ପୁରୀ, ଭୁବନେଶ୍ୱରର ଏକାମ୍ର କ୍ଷେତ୍ର, ଆଠଗଡ଼ର ଧବଳେଶ୍ୱର, କୋରାପୁଟର ଗୁପ୍ତେଶ୍ୱର, ହୁମାର ବିମଳେଶ୍ୱର ତଥା ରାଜ୍ୟର ଅନ୍ୟ ଶିବାଳୟ ଗୁଡ଼ିକରେ ନାହିଁ ନଥିବା ଭକ୍ତଙ୍କର ସମାଗମ ହୋଇଥାଏ । ଭକ୍ତମାନେ ଶୈବପୀଠକୁ ଆଜି କାର୍ତ୍ତିକ ସୋମବାରରେ ପୂଜାର୍ଚ୍ଚନା କରି ଠାକୁରଙ୍କୁ ଆଶୀର୍ବାଦ ମାଗିଥାନ୍ତି । ଏଥିରୁ ଅନେକ ଶ୍ରଦ୍ଧାଳୁ ଦିନକୁ ଥରଟିଏ ଖାଇ ବ୍ରତ ମଧ୍ୟ ରଖିଥାନ୍ତି । ଏବେ ପରିସ୍ଥିତି ଏଭଳି ହୋଇଛି କାର୍ତ୍ତିକ ମାସର ବାତାବରଣ ହୃଦୟଙ୍ଗମ କରିହେଉନାହିଁ ।

ମନ୍ଦିର ଖୋଲିବାରେ ଅସୁବିଧା କେଉଁଠି?

ମନ୍ଦିର ଖୋଲିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଦାୟିତ୍ୱ ଦେଇଛନ୍ତି । ଇତି ମଧ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର କିଛି ରାଜ୍ୟରେ ମନ୍ଦିର ତଥା ଅନ୍ୟ ଧର୍ମାନୁଷ୍ଠାନ ଖୋଲି ସାରିଛି । ଓଡ଼ିଶା ସରକାରଙ୍କ ଗାଇଡଲାଇନ ଅନୁସାରେ ପର୍ଯ୍ୟାୟକ୍ରମେ ଦୋକାନ ବଜାର, ସପିଂମଲ, ପାର୍କ, ଜିମ, ଯୋଗକେନ୍ଦ୍ର, ସନ୍ତରଣାଗାର ଖୋଲାସରିଛି । ଏସବୁ ସ୍ଥାନରେ କୋଭିଡ-୧୯ ଗାଇଡଲାଇନକୁ ପାଳନ କରି କାମ କରାଯାଉଛି । କିନ୍ତୁ ସରକାର ମନ୍ଦିରକୁ ଏବେବି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ନିଜର ଦୋଷ ନ ହେବ ବୋଲି ମନ୍ଦିର ଖୋଲିବା ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।

Share the article

LEAVE A REPLY