ସରକାରୀ ଶିକ୍ଷକ ହେବାକୁ ମନ, ପାଠ ପଢ଼ିବା ପାଇଁ ସନ୍ତାନଙ୍କୁ ପଠାଇବେ ଘରୋଇ ସ୍କୁଲ

0
555

ଭୁବନେଶ୍ୱର: ସମଗ୍ର ଦେଶ ସମେତ ଓଡ଼ିଶାରେ ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ସରକାରୀ ଚାକିରୀ। ଏହା ପୁଣି ଶିକ୍ଷକ ହେଲେ ଭଲ। ସରକାରୀ ବିଦ୍ୟାଳୟରେ ଭଲ ପଢ଼ାଇ ପିଲାମାନଙ୍କୁ ଆଦର୍ଶ ମଣିଷ ଭାବରେ ଗଢ଼ିବା ଅଥବା ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷିତ କରିବା ଆଶା ନୁହେଁ। ବରଂ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଚାକିରୀ ମିଳିଗଲେ କମ ପରିଶ୍ରମ କରିବାକୁ ପଡ଼ିବ। ଭଲ ଦରମା ମିଳିବ। ଘର କାମ କରିହେବ। କର୍ତ୍ତବ୍ୟରେ ଅବହେଳା କଲେ ବି ବିଭାଗୀୟ ଅଧିକାରୀମାନେ ଜାଣିପାରିବେ ନାହିଁ। କିନ୍ତୁ କ୍ଷୋଭର ବିଷୟ ହେଲା ଯେ, ସରକାରୀ ଶିକ୍ଷକମାନେ ସରକାରଙ୍କ ଠାରୁ ବହୁ ସୁବିଧା ପାଉଥିଲେ ହାତ ଗଣତି କିଛି ଶିକ୍ଷକଙ୍କୁ ଛାଡ଼ି ଦେଲେ ଅନ୍ୟମାନେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାକୁ ଆଦୌ ଚିନ୍ତା କରିନଥାନ୍ତି।

ଭିତ୍ତିଭୂମିର ଅଭାବ

ସରକାରୀ ଶିକ୍ଷକମାନେ ଭଲଭାବରେ ହୃଦୟଙ୍ଗମ କରିଛନ୍ତି ଯେ, ସରକାରୀ ବିଦ୍ୟାଳୟରେ ପାଠ ଭଲ ପଢ଼ାହେଉନାହିଁ। ଏଠାରେ ଭଲ ଭିତ୍ତିଭୂମି ନାହିଁ। ପିଲାମାନଙ୍କର ସର୍ବାଙ୍ଗୀନ ବିକାଶ ହୋଇପାରୁ ନାହିଁ। ତେଣୁ ସେମାନେ ନିଜର ସନ୍ତାନମାନଙ୍କୁ ଘରୋଇ ସ୍କୁଲ ଅଥବା କେନ୍ଦ୍ର ସରକାରଙ୍କ ସ୍କୁଲରେ ପାଠ ପଢ଼ାଇବାକୁ ବେଶି ଆଗ୍ରହ ପ୍ରକାଶ କରନ୍ତି।

ସହରାଭିମୁଖୀ ହେଉଛନ୍ତି ଶିକ୍ଷକ

ସରକାରୀ ଶିକ୍ଷକ ହେଲେ ନିଜ ଘରେ ଅବା ଘର ପାଖରେ ରହିବାକୁ ସୁବିଧା ହେବ। ଚାକିରି ଜୀବନ ସହିତ ଅନ୍ୟକାମ ଧନ୍ଦା ମଧ୍ୟ ସହଜରେ କରିହେବ। କିନ୍ତୁ ଏବେ ଏହି ମାନସିକତାରେ ପରିବର୍ତ୍ତନ ଦେଖାଯାଇଛି। ସରକାରୀ ଶିକ୍ଷକମାନେ କାଁ ଭାଁ ନିଜ ସ୍କୁଲ ପାଖରେ ଥିବା ଘରେ ରହୁଛନ୍ତି। ଅଧିକାଂଶ ଶିକ୍ଷକ ନିଜ ପିଲାଙ୍କୁ ପାଠ ପଢ଼ାଇବା ଓ ବିଳାସମୟ ଜୀବନଯାପନ କରିବା ପାଇଁ ବ୍ଲକ ସଦର ମହକୁମା କିମ୍ବା ଜିଲ୍ଲା ମୁଖ୍ୟାଳୟରେରେ ବସବାସ କରୁଛନ୍ତି। ଏପରିକି ଅଧିକାଂଶ ଶିକ୍ଷକ ନିଜ ଜନ୍ମକଲା ବାପା-ମା’ଙ୍କୁ ମଧ୍ୟ ପାଖରେ ରଖୁନାହାନ୍ତି। ଫଳରେ ଏହା ଦ୍ୱାରା ମଧ୍ୟ ପାଠପଢ଼ାରେ ବାଧା ପହଂଚୁଛି। ସ୍କୁଲ ଠାରୁ ୨୦ରୁ ୪୦ କିଲୋମିଟର ଦୂରରେ ରହୁଥିବା ଶିକ୍ଷକମାନେ ଅନେକ ସମୟରେ ବିଳମ୍ବରେ ସ୍କୁଲ ପହଂଚୁଥିବା ଅଭିଯୋଗ ହେଉଛି। ଅପରପକ୍ଷେ ସ୍କୁଲ ବନ୍ଦ ହେବାର ନିର୍ଦ୍ଧାରିତ ସମୟ ପୂର୍ବରୁ ମଧ୍ୟ ଘରକୁ ଯାଉଛନ୍ତି।

ସରକାରୀ ପ୍ରାଥମିକ ଉନ୍ନତି କରିବ କେମିତି

-ସରକାରୀ କର୍ମଚାରୀ ନିଜର ପିଲାଙ୍କୁ ସରକାରୀ ସ୍କୁଲରେ ପଢ଼ାଇଲେ।
-ବିଶେଷ କରି ଶିକ୍ଷକମାନେ ତାଙ୍କର ପିଲାମାନଙ୍କୁ ବାଧ୍ୟତାମୂଳକ ଭାବେ ନିଜ ବିଦ୍ୟାଳୟରେ ପଢ଼ାଇବା।
-ସ୍କୁଲ ଆସିବା ପୂର୍ବରୁ ଶିକ୍ଷକମାନେ ପାଠ୍ୟ ଖସଡ଼ା ପୂର୍ବ ପ୍ରସ୍ତୁତି କଲେ।
-ସ୍କୁଲରେ ଥିବା ଭିତ୍ତିଭୂମିର ବିକାଶ ହୋଇପାରିଲେ।
-ବିଦ୍ୟାଳୟର ପିଲାମାନଙ୍କୁ ବିଭିନ୍ନ ଗ୍ରୁପରେ ଭାଗକରି ପଛୁଆ ପିଲାଙ୍କୁ ସ୍ୱତନ୍ତ୍ର ଶିକ୍ଷା ଦିଆଗଲେ।
-ମଧ୍ୟାହ୍ନ ଭୋଜନ, କୋଠାବାଡ଼ି ନିର୍ମାଣ ଦାୟିତ୍ୱ ପାଇଁ ଏକ କର୍ମଚାରୀ ରଖିଲେ।
-ଭୋଟ, ଆଧାରକାର୍ଡ ତାଲିକା ପ୍ରସ୍ତୁତି କାମରେ ଶିକ୍ଷକଙ୍କୁ ନିୟୋଜିତ ନକଲେ।

ଏମିତ ଚାଲିଛି ସର୍ବଶିକ୍ଷା ଅଭିଯାନ


କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ ଅନେକ ଗୁଡ଼ିଏ ପଦକ୍ଷେପ ନେଇଛନ୍ତି। ସର୍ବଶିକ୍ଷା ଅଭିଯାନ ନାଁରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଏହା ସଫଳ ହୋଇପାରୁ ନାହିଁ। ମାଗଣା ମଧ୍ୟାହ୍ନ ଭୋଜନ, ପୋଷାକ, ପୁସ୍ତକ ଆଦି ଦିଆଗଲେ ବି ସରକାରୀ ପ୍ରାଥମିକ ସ୍କୁଲରେ ଶିକ୍ଷାର ଗୁଣବତ୍ତା ଦେଖାଯାଉ ନାହିଁ।

ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ହ୍ରାସ

ସରକାରୀ ବିଦ୍ୟାଳୟ ଗୁଡିକରେ କିଛି ବର୍ଷ ହେଲା ଛାତ୍ରାଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ପିଲାମାନଙ୍କର ମୁହଁ ମୋଡିବା ପରେ ଉପସ୍ଥାନ କମ ରହୁଛି।  କିଛି ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦ କିମ୍ବା ଏହା ଠାରୁ କମରହୁଛି। ଏମତି ସ୍କୁଲକୁ ବନ୍ଦ କରିବାକୁ ସରକାର ନିଷ୍ପତ୍ତିି ନେଇଛନ୍ତି। ସରକାର ନିଷ୍ପତ୍ତି ନେଇଥିଲେ ଯେ, ଯେଉଁ ସ୍କୁଲରେ ୨୦ କିମ୍ବା ଏହାଠାରୁ କମ ଛାତ୍ରଛାତ୍ରୀ ରହିଥିବେ ଅର୍ଥାତ ବିଦ୍ୟାଳୟରେ ୨୦ରୁ ୨୫ ଜଣ ପିଲା ଥିଲେ ମଧ୍ୟ ୧ କିମି ଦୂରତା  ଭିତରେ  ଆଉ ଏକ ବିଦ୍ୟାଳୟ ରହିଥିଲେ ଏହାକୁ ବନ୍ଦକରି ଦିଆଯିବ। ଯେଉଁ ଉଚ୍ଚ ପ୍ରାଥମିକ  ବିଦ୍ୟାଳୟ ଗୁଡିକରେ ଷଷ୍ଠରୁ ଅଷ୍ଠମ ଶ୍ରେଣୀ ପର୍ଯ୍ୟନ୍ତ  ଅଳ୍ପ ପିଲା ହେଉଥିବ, ସେଠାରେ କେବଳ ୫ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାହେବ। ସରକାରଙ୍କ ଏହି ନିଷ୍ପତ୍ତି ପରେ ରାଜ୍ୟରେ ପ୍ରାୟ ୬ ହଜାର ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବ ବୋଲି  ଜଣାପଡିଛି।

Share the article

LEAVE A REPLY