ସ୍ୱାଭାବିକ ଅବସ୍ଥାକୁ ଫେରୁଛି କର୍ପୋରେଟ ଜଗତ, ୨୦୨୧ରେ ବଢ଼ିବ ଦରମା !

0
386

ଭୁବନେଶ୍ୱର/ନୂଆଦିଲ୍ଲୀ: ଦେଶର ଅର୍ଥନୀତି ଉପରେ କରୋନା ଭାଇରସ ମହାମାରୀ ବ୍ୟାପକ ଭାବରେ ପ୍ରକାଇଛି । ପ୍ରଭାବିତ ଅର୍ଥନୀତି ଯୋଗୁଁ ଦେଶର ହଜାର ହଜାର କୋଟି ଟଙ୍କା କ୍ଷତି ହୋଇଛି । ସ୍ୱାସ୍ଥ୍ୟ ସଂପର୍କିତ ଭିତ୍ତିଭୂମିକୁ ବାଦ ଦେଲେ ଅନେକ ସ୍ଥାନରେ ବିକାଶ ମୂଳକ କାମ ଅଟକି ଯାଇଛି । ଅନେକ ସ୍ଥାନରେ ଆର୍ଥିକ କାରବାର ବନ୍ଦ ହୋଇଯାଇଛି । ଦେଶର କୋଟି କୋଟି ଲୋକ ରୋଜଗାର ହରାଇ ଏବେ ହାତବାନ୍ଧି ଘରେ ବସିଛନ୍ତି । କିନ୍ତୁ କୋଭିଡ-୧୯ ମହାମାରୀର କଳା ଛତ୍ରତଳେ ଆର୍ଥିକ କାରବାର ପୁଣି ଥରେ ସକ୍ରିୟ ହେବାକୁ ଯାଉଛି । କର୍ପେରେଟ ଇଣ୍ଡିଆରେ ଏହାର ପ୍ରଭାବ ଦୃଶ୍ୟମାନ ହୋଇଛି ।

ଏକ ସର୍ଭେ ଅନୁସାରେ ଦେଶର ୮୭ ପ୍ରତିଶତ କଂପାନୀ ୨୦୨୧ରେ ନିଜର କର୍ମଚାରୀଙ୍କ ଦରମା ବଢ଼ାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । ବର୍ଷ ୨୦୨୦ରେ ଏହା କେବଳ ୭୧ ପ୍ରତିଶତ ଥିଲା । କିନ୍ତୁ ୨୦୨୧ରେ ହାରାହାରୀ ୭.୩ ପ୍ରତିଶତ ରହିବାର ଅନୁମାନ କରାଯାଉଛି, ଯାହାକି ୨୦୨୦ରେ ୬.୧ ପ୍ରତିଶତ ଥିଲା ।

ଦରମା ବଢ଼ିପାରେ ୫ରୁ ୧୦%

ଆଓନ ସାଲାରୀ ସର୍ଭେ ରିପୋର୍ଟ ଅନୁସାରେ ୬୧ ପ୍ରତିଶତ କଂପାନୀ ୨୦୨୧ରେ ଦରମାରେ ୫ରୁ ୧୦ ପ୍ରତିଶତ ଯାଏଁ ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । ଗତ ବର୍ଷ କେବଳ ୪୫ ପ୍ରତିଶତ କଂପାନୀ ନିଜର କର୍ମଚାରୀଙ୍କ ଦରମା ବୃଦ୍ଧି କରିଥିଲେ । ଟେକ୍ନୋଲୋଜୀ, ଆଇଟିଇଏସ, ଫାର୍ମା ଆଣ୍ଡ ଲାଇଫସାଇନ୍ସ, ଇ-କମର୍ସ ଓ ଏଫଏମସିଜିରେ କର୍ମଚାରୀଙ୍କ ଦରମାରେ ୮ରୁ ଅଧିକ ପ୍ରତିଶତ ବଢ଼ିବାର ଅନୁମାନ କରାଯାଉଛି । ଗ୍ଲୋବାଲ ପ୍ରଫେସନାଲ ସର୍ଭିସେଜ ଫାର୍ମ ‘ଆଓଡ଼ ପ୍ଲାସ୍‌’ ର ସଦ୍ୟତମ ସାଲାରୀ ଟ୍ରେଣ୍ଡସ ସର୍ଭେ ଇନ ଇଣ୍ଡିଆରେ ୨୦ରୁ ଅଧିକ ଶିଳ୍ପର ୧୦୫୦ କଂପାନୀ ଅଂଶଗ୍ରହଣ କରିଥିଲେ ।

ସ୍ୱାଭାବିକ ହେଉଛି କଂପାନୀ ବ୍ୟବସାୟ

ଆଓନରେ ପାର୍ଟନର ରୂପକ ଚୌଧୁରୀ କହିଛନ୍ତି, ଯେଉଁ କଂପାନୀମାନେ ୨୦୨୦ରେ ଦରମା କମ ବୃଦ୍ଧି କରିଥିଲେ ଅଥବା କର୍ମଚାରୀଙ୍କୁ ଦରମା ଆଦୌ ବଢ଼ାଇ ନଥିଲେ, ସେମାନେ ୨୦୨୧ରେ ଅଧିକ ବଢ଼ାଇବାକୁ ଯୋଜନା କରିଛନ୍ତି । ଏହାର କାରଣ ଏହା ହେଉଛି ଯେ, କଂପାନୀମାନଙ୍କ ବ୍ୟବସାୟ ଏକ ପ୍ରକାର ସ୍ୱାଭାବିକ ହୋଇଛି । ସେହିଭଳି ବ୍ୟବସାୟକୁ ନେଇ ଚିନ୍ତାରେ ପରିବର୍ତ୍ତନ ଆସିଛି । କରୋନା ଭାଇରସ ଯୋଗୁଁ ବ୍ୟାପକ ପ୍ରଭାବିତ ହୋଇଥିବା ହସ୍ପିଟାଲିଟି, ରିୟଲ ଇଷ୍ଟେଟ, ଇନଫ୍ରାଷ୍ଟ୍ରକଚର ଓ ଅଟୋମୋବାଇଲ ଭଳି କିଛି କ୍ଷେତ୍ରରେ ଏବେ ଆଗାମୀ ଦିନରେ ପଜିଟିଭ ଫଳ ଆଣିବ ବୋଲି ଆଶା କରାଯାଉଛି । କଂପାନୀ ଅନ୍ୟତମ ପାର୍ଟନର ଓ ଭାରତରେ ଫାର୍ମର ପରଫରମାନ୍ସ ଆଣ୍ଡ ରିୱାଡର୍ସ ସଲ୍ୟୁଶନସର ସିଇଓ ନିତିନ ସେଠୀ କହିଛନ୍ତି ଯେ, ଏହା ଏକ ସ୍ୱତନ୍ତ୍ର ବର୍ଷ । ଶେୟାରହୋଲ୍ଡର ରିଟର୍ଣ୍ଣ ପୂର୍ବରୁ କଂପାନୀମାନେ ନିଜର କର୍ମଚାରୀ ଓ ନିଜର ଗ୍ରାହଙ୍କ ଠାରେ ନିବେଶ କରିବାକୁ ଚାହାନ୍ତି ।

ଓଡ଼ିଶା ଫେରିଥିଲେ ୫.୬୮ ଲକ୍ଷ ପ୍ରବାସୀ

କରୋନା ଭାଇରସ ପାଇଁ ମାର୍ଚ୍ଚ ୨୫ ତାରିଖ ଠାରୁ ଦେଶ ଲକଡାଉନ ହେବା ପରେ ଓଡ଼ିଶା ସମେତ ଦେଶବ୍ୟାପୀ କଳକାରଖାନା ଓ କମ୍ପାନୀଗୁଡ଼ିକ ଦୀର୍ଘ ଦିନ ଧରି ବନ୍ଦ ହୋଇଯାଇଥିଲା । ଫଳରେ ୫ଲକ୍ଷ ୬୮ ହଜାର ୩୫୩ ଜଣ ପ୍ରବାସୀ ଓଡ଼ିଆ ଓଡ଼ିଶାକୁ ଫେରିଆସିଥିଲେ । ଏମାନଙ୍କ ମଧ୍ୟରୁ ୩ ଲକ୍ଷ ୫୮ ହଜାର ୪୦୧ ଜଣ ଟ୍ରେନରେ, ୩୨୨୭ ଜଣ ବିମାନରେ ଓ ୨ ଲକ୍ଷ ୬ ହଜାର ୭୨୫ ଜଣ ବସ୍‌ରେ ଓଡ଼ିଶା ଆସିଥିଲେ । ଏବେ କିନ୍ତୁ ଦେଶ ଅନଲକ ହେବା ପରେ କଳକାରଖାନା ଓ କଂପାନୀଗୁଡ଼ିକ ପୁଣି ଥରେ କାମ ଆରମ୍ଭ ହୋଇଯାଇଛି । ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରୁ ଅଧିକାଂଶ ପୁଣି ଥରେ ନିଜର କର୍ମସ୍ଥଳୀକୁ ଫେରିଯାଇଛନ୍ତି ।

ରୋଜଗାର ହରାଇଥିଲେ ୧୨ କୋଟିରୁ ଉର୍ଦ୍ଧ୍ୱ

କରୋନା ଯୋଗୁଁ ଗତ ଏପ୍ରିଲ ମାସ ସୁଦ୍ଧା୧୨ କୋଟି ୨୦ ଲକ୍ଷ ଭାରତୀୟ ସେମାନଙ୍କର ରୋଜଗାର ହରାଥିଲେ । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମୀ ଦ୍ୱାରା ସର୍ଭେରେ ଏହା କୁହାଯାଇଥିଲା । ରୋଜଗାର ହରାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ୭୫ ପ୍ରତିଶତ ଥିଲେ କ୍ଷୁଦ୍ର ବ୍ୟବସାୟୀ ଓ ଶ୍ରମିକ ।

Share the article

LEAVE A REPLY