ସରିଲା ବିହାର ନିର୍ବାଚନ ଓ ୧୧ଟି ରାଜ୍ୟରେ ଉପନିର୍ବାଚନ, ଏବେ ଉତ୍ସବର ମାହୋଲ

0
301

ଭୁବନେଶ୍ୱର/ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ସମେତ ୧୧ଟି ରାଜ୍ୟରେ ୫୪ଟି ବିଧାନସଭା ପାଇଁ ହୋଇଥିବା ଉପନିର୍ବାଚନ ମଙ୍ଗଳବାର ଶେଷ ହୋଇଛି । ବିହାରରେ ବିଜେପି ନେତୃତ୍ୱରେ ଏନଡିଏକୁ ସରକାର ଗଢ଼ିବା ପାଇଁ ୧୨୫ଟି ଆସନରେ ବିଜୟ ହାସଲ ହୋଇଛି । ମଧ୍ୟପ୍ରଦେଶରେ ଉପନିର୍ବାଚନରେ ବିଜେପି ୪୦ରୁ ୧୯ଟିରେ ବିଜୟୀ ହୋଇଛି । ସେହିଭଳି ଗୁଜୁରାଟ, ଉତ୍ତରପ୍ରଦେଶ, ମଣିପୁର, କର୍ଣ୍ଣାଟକ ଓ ତେଲେଙ୍ଗାନାରେ ଉପନିର୍ବାଚନ ଲାଗି ହୋଇଥିବା ଭୋଟରେ ଭାରତୀୟ ଜନତା ପାର୍ଟି ଜିତିଛି । ଓଡ଼ିଶାରେ ଶାସକ ବିଜୁ ଜନତା ଦଳ ବାଲେଶ୍ୱର ସଦର ଆସନ ଦଖଲ କରିଛି । ସେହିଭଳି ବିଜେଡିକୁ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଜନତା ପୁଣି ଥରେ ଭରସା କରି ଭୋଟ ଦେଇଛନ୍ତି । ଝାରଖଣ୍ଡ, ହରିୟାଣା, ଛତିଶଗଡ଼, ନାଗାଲାଣ୍ଡରେ ମଧ୍ୟ ଉପନିର୍ବାଚନ ଶେଷ ହୋଇଛି ।

କୋଭିଡ-୧୯କୁ ଗୁରୁତ୍ୱ ଦେବାର ସମୟ

ନିର୍ବାଚନ ଫଳାଫଳ ଆସିବା ପରେ ବିଜୟୀ ପ୍ରାର୍ଥୀମାନେ ସେମାନଙ୍କର ସମର୍ଥକ ଓ ଦଳୀୟ ନେତାମାନଙ୍କ ସହିତ ଆଜି ବିଜୟ ଉତ୍ସବ ପାଳନ କରୁଛନ୍ତି । କିନ୍ତୁ ଏହି ନିର୍ବାଚନ କୋଭିଡ-୧୯ ସମୟରେ ହୋଇଥିବାରୁ ଉତ୍ସବ ତୁଳନାରେ ସଂକ୍ରମଣର କ୍ଷମତା ଅଧିକ । ତେଣୁ ନେତାମାନେ ଚିନ୍ତା କରିବା ଦରକାର ଏବଂ କୋଭିଡକୁ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । କରୋନା ଭାଇରସର ବିଭିନ୍ନ ପର୍ଯ୍ୟାୟ ଦେଇ ଦେଶବାସୀ ଜୀବନ ଅତିବାହିତ କରିଥିବା ବେଳେ ଏବେ ଆଭେ ଅଲନକ-୫ କଟକଣା ସହିତ ପରିଚାଳିତ ହେଉଛି, ଯାହାକି ଅକ୍ଟୋବର ମାସ ପାଇଁ କେନ୍ଦ୍ର ସରକାର ଜାରି କରିଥିଲେ । କିନ୍ତୁ ଶୀତ ଋତୁକୁ ଦୃଷ୍ଟିରେ ରଖି ସରକାର ଏହାକୁ ନଭେମ୍ବର ମାସ ପାଇଁ ମଧ୍ୟ ବଳବତ୍ତର ରଖିଛନ୍ତି ।

ନେତା ପାଳନ କରୁଛନ୍ତି ବିଜୟ ଉତ୍ସବ

ବିଜୟୀ ରାଜନେତାମାନେ ଏବେ ଉତ୍ସବ ପାଳନରେ ବ୍ୟସ୍ତ ରହୁଥିବା ପରିଲକ୍ଷିତ ହେଉଛି । ଯଦି ପୂର୍ବ ଭଳି ଶୋଭାଯାତ୍ରାକୁ ସରକାରୀ ଭାବେ ଅନୁମତି ମିଳି ନାହିଁ, କିନ୍ତୁ ଯଥା ସମ୍ଭବ ନେତାମାନେ ମୁହଁରେ ମାସ୍କ ପିନ୍ଧି ଓ ସାମାଜିକ ଦୂରତାକୁ ପାଳନ କରି ଉତ୍ସବ ମନାଉଛନ୍ତି । କିନ୍ତୁ କିଛି ସ୍ଥାନରେ କୋଭିଡ ନିୟମ ଉଲ୍ଲଂଘନ ହେଉଥିବା ମଧ୍ୟ ପରିଲକ୍ଷିତ ହେଉଛି । ନେତାମାନେ ମାସ୍କ ଗୁଡ଼ିକ ମୁହଁରେ ପିନ୍ଧିବା ପରିବର୍ତ୍ତେ ମୁହଁ ତଳକୁ ଏହାକୁ ଝୁଲାଇ ରଖୁଛନ୍ତି ।

ଛୋଟ ସମାରୋହ ପାଇଁ ସାଧାରଣ ଜନତା ଚିନ୍ତିତ

ସରକାର ମନ୍ଦିର ଖୋଲିବା ଓ ସାଧାରଣ ଜନତା ଏକତ୍ର ହେବାକୁ ବାରଣ କରିଛନ୍ତି । କିନ୍ତୁ ନିର୍ବାଚନ ସମୟରେ ସ୍ଥାନର ଆବଶ୍ୟକତା ଅନୁସାରେ ସ୍ଥାନୀୟ ପ୍ରଶାସନର ଅନୁମତି ନେଇ ଏକତ୍ର ହେବାକୁ ନିୟମ ପ୍ରସ୍ତୁତ କରିଥିଲେ । ଏହା ଦ୍ୱାରା ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେଉଛି ଯେ, ଜନସାଧାରଣଙ୍କ ଜୀବନ ତୁଳନାରେ ରାଜନୈତିକ ଲାଭ ବଡ଼ । ଜଣେ ସାଧାରଣ ଜନତା ଘରେ ହେଉ ଅଥବା ନିଜ ଘର ପାଖରେ ଏକ ଛୋଟ ସମାରୋହ ଯଥା, ଜନ୍ମଦିନ, ନିର୍ବନ୍ଧ, ଏକୋଇଶା ପୂଜା, ହୋମଯଜ୍ଞ ଆଦି କରିବାକୁ ବହୁ ଥର ଚିନ୍ତା କରିବାକୁ ପଡୁଛି । ଅଥଚ ଯେଉଁମାନେ ଗଣତନ୍ତ୍ରର ଭାଗ୍ୟବିଧାତା ସେମାନେ ନିୟମ ଉଲ୍ଲଂଘନ କରୁଛନ୍ତି ।

ଉତ୍ସବ ପାଳନ କଲା ବିଜେଡି

ରାଜ୍ୟରେ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଓ ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଦଳର ବିଜୟ ପରେ ବିଜେଡି ନେତାମାନେ ଉତ୍ସବ ପାଳନ କରିଛନ୍ତି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ନେଇ ଦଳୀୟ କର୍ମୀମାନେ ଉତ୍ସାହିତ ହୋଇଉଠିଛନ୍ତି । ବିଜେଡି କାର୍ଯ୍ୟାଳୟରେ ମିଠା ବଣ୍ଟା ହୋଇଛି । ଅଳ୍ପ ସମୟ ପାଇଁ ହେଲେ ନୃତ୍ୟର ଆସର ହୋଇଛି । ଅବଶ୍ୟ ନେତାମାନେ ମୁହଁରେ ମାସ୍କ ପିନ୍ଧିଥିଲେ । ନିର୍ବାଚନରେ ପରାଜିତ ହୋଇଥିବା ଯୋଗୁଁ ବିଜେପି ଓ କଂଗ୍ରେସ କାର୍ଯ୍ୟଳୟରେ ନେତା ଓ କର୍ମୀ ଦେଖା ନଥିଲେ ।

ବିହାର, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ ବିଜେପିର ଉତ୍ସବ

ଭାରତୀୟ ଜନତା ପାର୍ଟିକୁ ବିହାର ବିଧାନସଭା ନିର୍ବାଚନ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ଗୁଜୁରାଟ ଓ ମଣିପୁରରେ ବିପୁଳ ସମର୍ଥନ ମିଳିଛି । ଏଠାରେ ଛିଡ଼ା ହୋଇଥିବା ନେତାମାନେ ବିଜୟୀ ହୋଇଛନ୍ତି । ବିଜୟ ମୁହାଁ ବିଜେପି ମଧ୍ୟ ଉତ୍ସବ ପାଳନ କରିଛି । ବିଜେପି ନେତାମାନେ ପାଟଣାସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଉତ୍ସବ ପାଳନ କରିଛନ୍ତି ।

Share the article

LEAVE A REPLY