ନାଁ କରୁଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଅନ୍ୟ ସରକାରୀ ଅବସ୍ଥା ଦୟନୀୟ

0
459

ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଜାତୀୟ ସ୍ତରରେ ନାଁ କରୁଛି । ଦେଶର ଶ୍ରେଷ୍ଠ ୧୦ଟି ସରକାରୀ ବିଦ୍ୟାଳୟ ତାଲିକାର ବିଭିନ୍ନ ବର୍ଗରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୨ଟି ସ୍କୁଲ ସାମିଲ ହୋଇପାରିଛି । ଗୋଟିଏ ଗଂଜାମ ଜିଲ୍ଲା ପୋଲସାର ଅନ୍ତର୍ଗତ ହାତୀଓଟାରେ ଥିବା ବେଳେ ଅନ୍ୟଟି ରହିଛି ବଲାଙ୍ଗୀର ଜିଲ୍ଲା ପଥରଚେପାରେ । ତେବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଜାତୀୟ ସ୍ତରରେ ନାଁ କରିବା ନିଶ୍ଚିତ ଭାବେ ରାଜ୍ୟବାସୀଙ୍କ ପାଇଁ ଗୌରବ ବିଷୟ । କିନ୍ତୁ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଲକ୍ଷାଧିକ ଶିକ୍ଷାନୁଷ୍ଠାନ ଏକ ଘଡ଼ି ସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ।

ବନ୍ଦ ହୋଇଯିବ ୧୦ ହଜାରରୁ ଅଧିକ ସ୍କୁଲ

କେନ୍ଦ୍ର ସରକାରଙ୍କ ନବୋଦୟ ବିଦ୍ୟାଳୟ ଢାଚାରେ ରାଜ୍ୟ ସରକାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି । ଏଥି ପାଇଁ ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା, ଦକ୍ଷତା ସଂପନ୍ନ ଶିକ୍ଷକ, ଭଲ ଭିତ୍ତିଭୂମି ଯୋଗାଇ ଦେଇଛନ୍ତି । କିନ୍ତୁ ସରକାରୀ ଅବସ୍ଥା ଦିନକୁ ଦିନ ଦୟନୀୟ ଅବସ୍ଥାକୁ ଚାଲିଯାଉଛି । ରାଜ୍ୟ ସରକାର ୨୦ ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ଗୁଡ଼ିକ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିପରି ୨୦ରୁ ଅଧିକ ଓ ୪୦ରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ମଧ୍ୟ ବନ୍ଦ କରି ନିକଟସ୍ଥ ସ୍କୁଲ ସହିତ ମିଶାଇ ଦେବାକୁ ଚାହୁଁଛନ୍ତି । ସରକାରଙ୍କ ଏହି ପ୍ରକ୍ରିୟା ଦ୍ୱାରା ୧୦ ହଜାରରୁ ଅଧିକ ବିଦ୍ୟାଳୟ ବନ୍ଦ ହୋଇଯିବ ।

ଢିଙ୍କି ସ୍ୱର୍ଗକୁ ଗଲେ ବି ଧାନ କୁଟିବ

କମ ଛାତ୍ରଛାତ୍ରୀ ଥିବା ସ୍କୁଲ ଗୁଡ଼ିକ ବନ୍ଦ କରି ଦିଆଯାଇ, ନିକଟସ୍ଥ ସ୍କୁଲରେ ଏହାକୁ ମିଶାଇ ଦିଆଗଲେ ଛାତ୍ରଛାତ୍ର୍ରୀଙ୍କ ଉପସ୍ଥାନ, ଶିକ୍ଷକଙ୍କ କ୍ଷମତାରେ ସୁଧାର ଆସିବ ବୋଲି ସରକାର ଚିନ୍ତା କରୁଛନ୍ତି । କିନ୍ତୁ ଏଥିରେ ପିଲାମାନଙ୍କର ଗୁଣାତ୍ମକ ଶିକ୍ଷା ଆସିବ, ତାହା ଭାବିବ ଭୁଲ । କାରଣ ଢିଙ୍କି ସ୍ୱର୍ଗକୁ ଗଲେ ବି ଏହା ଧାନ କୋଟିବ । ବନ୍ଦ ହୋଇଯାଇଥିବା ସ୍କୁଲର ଶିକ୍ଷକ ଅନ୍ୟ ସ୍କୁଲରେ ପାଠ ପଢ଼ାଇବେ । ଗ୍ରାମାଂଚଳରେ ଥିବା ବିଦ୍ୟାଳୟଗୁଡ଼ିକର ଦକ୍ଷତାକୁ ସରକାର ଠିକ ଭାବେ ପରଖୁ ନାହାନ୍ତି । ପ୍ରତି ବ୍ଲକରେ ଶିକ୍ଷା ଅଧିକାରୀ ଅଛନ୍ତି ସତ, କିନ୍ତୁ ସେମାନେ ବିଦ୍ୟାଳୟଗୁଡ଼ିକୁ ରାଉଣ୍ଡ ଅପରେ ଯାଉ ନଥିବା ଅଭିଯୋଗ ହେଉଛି । ଫଳରେ ଶିକ୍ଷକମାନେ ନିଜର କର୍ତ୍ତବ୍ୟରେ ମଧ୍ୟ ଅବହେଳା କରୁଛନ୍ତି । ୮୦ ପ୍ରତିଶତ ଶିକ୍ଷକମାନଙ୍କର ପାଠପଢ଼ା ମନୋବୃତ୍ତି ନାହିଁ । ବାକି ଶିକ୍ଷକମାନେ ଯାହା ରହିଲେ ସେମାନଙ୍କୁ ପାଠପଢ଼ା ସହିତ ଅନ୍ୟ କାମରେ ନିୟୋଜିତ କରାଯାଉଛି । ଫଳରେ ଶିକ୍ଷାଦାନ ପ୍ରକ୍ରିୟାରେ ବାଧା ଉପୁଜୁଛି ।

ସରକାରୀ ସ୍କୁଲ ପ୍ରତି ମୁହଁ ବୁଲାଉଛନ୍ତି ଅଭିଭାବକ


ସରକାରୀ ବିଦ୍ୟାଳୟରେ ଭଲ ପାଠପଢ଼ାଯାଉ ନଥିବାରୁ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦିନକୁ ଦିନ କମୁଛି । ଏହାର ମୂଳ କାରଣ ହେଲା ସରକାରୀ ସ୍କୁଲରେ ଭଲ ପାଠ ପଢ଼ା ହେଉ ନଥିବାରୁ ଅଭିଭାବକମାନେ ତାଙ୍କର ପିଲାକୁ ପଠାଇବାକୁ ଚାହୁଁ ନାହାନ୍ତି । ଗାଁ ଗହଳିରେ ଆଜିକାଲି ଘରୋଇ ସ୍କୁଲ ଗୁଡ଼ିକ ଖୋଲିଗଲାଣି । ଧନୀ ଘରର ପିଲା କଥା ଛାଡନ୍ତୁ । ମଧ୍ୟବିତ୍ତ ପରିବାରର ପିଲା ମଧ୍ୟ ଘରୋଇ ସ୍କୁଲରେ ପାଠ ପଢ଼ୁଛନ୍ତି । ତେଣୁ ସରକାରୀ ସ୍କୁଲରେ ଛାତ୍ର ସଂଖ୍ୟା କମ ହେଉଛି ।

ଦକ୍ଷତା ସଂପନ୍ନ ଶିକ୍ଷକ ଦରକାର

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଖୋଲିବା ପୂର୍ବରୁ ପ୍ରଥମେ ପ୍ରତିଭା ସପନ୍ନ ଶିକ୍ଷକଙ୍କ ଚିନ୍ତା କରାଯାଇଥିଲା । କିନ୍ତୁ ରାଜ୍ୟ ସରକାର ଅନ୍ୟ ସରକାରୀ ସ୍କୁଲରେ ଶିକ୍ଷକ ନିଯୁକ୍ତି ଦେବା ପୂର୍ବରୁ ବିଳମ୍ବରେ ଦକ୍ଷତା କଥା ଚିନ୍ତା କରିଥିଲେ । ବର୍ଷ ୨୦୦୦ରୁ ୨୦୦୬ ମଧ୍ୟରେ ଶିକ୍ଷକଙ୍କ ଯୋଗ୍ୟତା ଓ ଦକ୍ଷତାକୁ ଗୁରୁତ୍ୱ ଦିଆଯାଇ ନଥିଲା । ଏହି ସମୟରେ ନିଯୁକ୍ତି ପାଇଥିବା ହଜାର ହଜାର ଶିକ୍ଷକ ଯେଉଁ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଉଛନ୍ତି ପ୍ରତିଭାବାନ ଛାତ୍ର ମିଳିବା ସମ୍ଭବ ନୁହେଁ । କାରଣ ଏହି ସମୟରେ ନିଯୁକ୍ତି ପାଇଥିବା ଅନେକ ଶିକ୍ଷକ ଶୁଦ୍ଧ ଭାବରେ ଏକ ଆବେଦନ ଅଥିବା ଉଚ୍ଚାରଣ ଲେଖିପାରନ୍ତି ନାହିଁ । ତେଣୁ ଏଭଳି ଶିକ୍ଷକଙ୍କ ଠାରୁ ଅଧିକ ଆଶା ରଖିବା ଠିକ ନୁହେଁ । ଏକଦା ରାଜ୍ୟ ସରକାର ଜାତିଭିତ୍ତିକ କୋଟା ଆଧାରରେ ଚାକିରୀ ଦେଇଥିଲେ । ସରକାର ଚିନ୍ତା କରି ନଥିଲେ ଯେ, ଛାତ୍ରର ଭବିଷ୍ୟତ ଗଢ଼ିବା ପାଇଁ ଭଲ ଦକ୍ଷତାସଂପନ୍ନ ଶିକ୍ଷକଙ୍କ ଆବଶ୍ୟକତା ରହିଛି । କିନ୍ତୁ ରାଜ୍ୟ ସରକାର ଏବେ ଶିକ୍ଷକଙ୍କୁ ନିଯୁକ୍ତି ଦେବା ପୂର୍ବରୁ ପ୍ରଥମେ ଯୋଗ୍ୟତା ଓ ଦକ୍ଷତାକୁ ଗୁରୁତ୍ୱ ଦେଉଛନ୍ତି, ଯାହାକି ଉନ୍ନତମାନର ଛାତ୍ର ବାହାରିବା ଆଶା ଦେଖାଯାଉଛି ।

Share the article

LEAVE A REPLY