ଦୁଃଖ କେବେ ସରିବ ? ପୁଣି ୨୩ ମହିଳା ଓ ୮ ଶିଶୁଙ୍କ ସମେତ ୫୬ ଦାଦନ ଉଦ୍ଧାର

0
182

ଭୁବନେଶ୍ୱର: ରାଜ୍ୟରୁ ଦାଦାନ ଦୁଃଖ କେବେ ଶେଷ ହେବ, ତା’ର କିଛି ଠିକ ଠିକଣା ନାହିଁ । ରାଜ୍ୟରେ କଳକାରଖାନାର ଅଭାବ, କର୍ମନିଯୁକ୍ତି ପାଇଁ ସୁଯୋଗ କମ ଓ ସରକାରଙ୍କ ଦୁରଦୃଷ୍ଟି ନଥିବାରୁ ଲକ୍ଷାଧିକ ଲୋକ ପେଟ ପୋଷିବା ପାଇଁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି । ଏହାରି ମଧ୍ୟରେ ଅନେକ ପରିବାର ମଧ୍ୟ ଉଜୁଡିଯାଉଛି । ଦାଦନ ଖଟିବାକୁ ଯାଇଥିବା ଲୋକ, ଅନେକ ସମୟରେ ପରିବାରର ସୁଖ-ଦୁଃଖରେ ସାମିଲ ହୋଇପାରୁ ନାହିଁ । ମଲା ବେଳକୁ ବାପାର ଓଠର ପାଣି ମୁନ୍ଦାଏ ଦେଇପାରୁ ନାହିଁ ଦାଦନ ଯାଇଥିବା ପୁଅ । ବାହାର ରାଜ୍ୟରେ ମାଲିକ ଓ ଦଲାଲଙ୍କ ନିର୍ଯାତନା ସହି ପେଟ ପୋଷିବା କେତେ ଯେ, କଷ୍ଟ ତାହା ସେହିମାନେ ହିଁ ଜାଣିଛନ୍ତି, ଯେଉଁମାନେ ଘର ଛାଡ଼ି ବାହାର ରାଜ୍ୟରେ କାମ କରିଛନ୍ତି ।

ଦାଦନ ପରିବାର ପ୍ରତି ନେଇଥିଲେ ୪୦ ହଜାର

ଶୁକ୍ରବାର ବିଳମ୍ବିତ ରାତି ବଲାଙ୍ଗୀର ଜିଲ୍ଲା କଂଟାବାଂଜି ରେଳଷ୍ଟେସନରୁ ୫୬ ଜଣ ଦାଦାନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଏଥିରେ ୨୫ ଜଣ ପୁରୁଷ, ୨୩ ଜଣ ମହିଳା ଓ ୮ ଜଣ ଶିଶୁ ଅଛନ୍ତି । କିଛି ଦଲାଲଙ୍କ ମାଧ୍ୟମରେ ଏହି ଦାଦାନ ଶ୍ରମିକମାନେ ହାଇଦ୍ରାବାଦ ଅଂଚଳରେ ଗଢ଼ିଉଠିଥିବା ଇଟା କାରଖାନାରେ କାମ କରିବାକୁ ଯାଉଥିଲେ । ସେଥିପାଇଁ ସେମାନେ ଅଗ୍ରୀମ ଆକାରରେ ଦଲାଲଙ୍କ ଠାରୁ ପ୍ରାୟ ୪୦ ହଜାର ଟଙ୍କା ଲେଖାଏଁ ନେଇଥିଲେ । ବରଗଡ଼ ଜିଲ୍ଲା ବରପାଲି, ବଲାଙ୍ଗୀର ଜିଲ୍ଲା ମୁରିବାହାଲ, ଚୂଡ଼ାପାଲି ଅଂଚଳ ଓ ନୂଆପଡ଼ା ଜିଲ୍ଲା ବୁଡେନ ଓ ସିନାପାଲି ଅଂଚଳର ଏହି ଶ୍ରମିକମାନେ ହାଇଦ୍ରାବାଦ ଟ୍ରେନରେ ଯିବାକୁ ଗତକାଲି କଂଟାବାଂଜି ରେଳଷ୍ଟେସନରେ ଆସି ପହଂଚିଥିଲେ ।

ଉଦ୍ଧାର ଦାଦନ ପରିବାର ପାଳିବେ କେମିତି

ଦାଦନ ଚାଲାଣ ନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହା ପରେ ଅତର୍କିତ ଭାବେ ରେଳଷ୍ଟେସନରେ ଚଢ଼ାଉ କରାଯାଇଥିଲା । କିନ୍ତୁ ପୋଲିସ ଆଗରେ ଧରାପଡ଼ିବା ପୂର୍ବରୁ ଦଲାଲ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସଫଳ ହୋଇଛି । ଏବେ ପ୍ରଶ୍ନ ଉଠୁଛି ଦଲାଲ ଠାରୁ ଅଗ୍ରୀମ ଟଙ୍କା ନେଇଥିବା ଶ୍ରମିକମାନେ ଘର ଚଳାଇବେ କେମିତି ।

ଦାଦନ ଯାଇ ଲକ୍ଷାଧିକ ଟଙ୍କା ରୋଜଗାର

ରାଜ୍ୟରେ ରୋଜଗାର ମିଳୁ ନଥିବାରୁ ଦାଦନ ଶ୍ରମିକମାନେ ନିଜସ୍ୱ ନିଷ୍ପତ୍ତିରେ କାମ କରିବାକୁ ବାହାରକୁ ଯାଉଥିଲେ । ଗୋଟିଏ ପରିବାର ହାଇଦ୍ରାବାଦର ଇଟା କାରଖାନାରେ ମାସେ କାମ କଲେ ଅତିକମରେ ୧୫ରୁ ୨୦ ହଜାର ଟଙ୍କା ରୋଜଗାର କରିଥାନ୍ତି । ଏହି ପରିବାରମାନେ ପ୍ରାୟ ୬ ମାସ ପାଇଁ ବାହାରକୁ କାମ କରିବାକୁ ଯାଇଥାନ୍ତି ଓ ଏହାରି ମଧ୍ୟରେ ଲକ୍ଷାଧିକ ଟଙ୍କା ରୋଜଗାର କରି ଘରକୁ ଫେରିଛନ୍ତି । କିନ୍ତୁ ପୋଲିସ ଦ୍ୱାରା ସେମାନଙ୍କୁ ଅଟକ କରାଯିବା ପରେ ରୋଜଗାର ପାଇଁ ବ୍ୟବସ୍ଥା କରାଯାଇପାରିବ କି? ଖାଲି ପୋଲିସ ନିଜର ବାହାଦୂରି ପଣ ଦେଖାଇ ଶ୍ରମିକମାନଙ୍କୁ ଉଦ୍ଧାର କରିବା ବଡ଼ କଥା ନୁହେଁ । ଉଦ୍ଧାର ହୋଇଥିବା ଲୋକଙ୍କୁ ରୋଜଗାର ଦେଇ ସେମାନଙ୍କ ପରିବାର ଲୋକଙ୍କୁ ଖାଦ୍ୟ ଦେଇପାରିଲେ ବାହାଦୂରୀ ପଣକୁ ସାବାସ କୁହାଯାଇପାରିବ ।

ରୋଜଗାର ଦେବାରେ ଅକ୍ଷମ ସରକାର

ମହାମାରୀ କରୋନା ଭାଇରସ ବ୍ୟାପିବା ପରେ ବାହାର ରାଜ୍ୟରୁ ୫ ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଆ ଆସିଥିଲେ । ଏବେ ଏମାନଙ୍କ ମଧ୍ୟରୁ ଅଧିକାଂଶ ପୁଣି ଥରେ ବାହାରକୁ ଫେରିଯାଇଛନ୍ତି । ଲକଡାଉନ ସମୟରେ ପ୍ରବାସୀ ଓଡ଼ିଆମାନଙ୍କୁ ଆଣିବା ପାଇଁ ବିଶାଳ ଦୃଦୟ ଦେଖାଇଥିଲେ । କିନ୍ତୁ ସେମାନଙ୍କୁ ରାଜ୍ୟରେ ରୋଜଗାର ଦେବାକୁ ବିଫଳ ହୋଇଛନ୍ତି । ଦୀର୍ଘ ୨୦ ବର୍ଷର ଶାସନ ମଧ୍ୟରେ ରାଜ୍ୟରେ ଆବଶ୍ୟକତା ଅନୁସାରେ କୃଷି, ଶିଳ୍ପ, ବାଣିଜ୍ୟର ବିକାଶ ହୋଇପାରି ନାହିଁ । ସେହିପରି କଳକାରଖାନାର ଅଭାବ ଥିବାରୁ ରାଜ୍ୟରୁ ଲକ୍ଷାଧିକ ଲୋକଙ୍କୁ ବାହାର ରାଜ୍ୟ ଯିବାକୁ ପଡୁଛି । ଓଡ଼ିଆମାନଙ୍କୁ ବାହାର ରାଜ୍ୟରେ ବହୁ ନିର୍ଯାତନାର ଶିକାର ମଧ୍ୟ ହେବାକୁ ପଡୁଛି ।

Share the article

LEAVE A REPLY