ସୂର୍ଯ୍ୟ ଅସ୍ତ ପରେ ଫୁଟିଲା ବାଣ, ଲୋକେ ମାନିଲେ ନାହିଁ କରୋନା କଟକଣା

0
333
Spread the love

ଭୁବନେଶ୍ୱର: କରୋନା ଭାଇରସ ମହାମାରୀ ଯୋଗୁଁ ରାଜ୍ୟ ସରକାର କଟକଣା ଜାରି କରିଥିଲେ ମଧ୍ୟ ଏହାକୁ ଲୋକେ ମାନିନାହାନ୍ତି। ରାଜଧାନୀ ଭୁବନେଶ୍ୱର, ତାରକସିର ସହର କଟକ, ଇସ୍ପାତ ନଗରୀ ରାଉରକେଲା, ବ୍ୟବସାୟିକ ସହର ବ୍ରହ୍ମପୁର ସମେତ ରାଜ୍ୟର ଅନ୍ୟ ସହର ଓ ଗ୍ରାମାଂଚଳରେ ଦୀପାବଳି ପାଳନ ହୋଇଛି। ଚଳିତ ବର୍ଷ ବାଣ ବିକ୍ରିକୁ ନିଷେଧ କରାଯାଇଥିଲେ ମଧ୍ୟ ବ୍ୟବସାୟୀମାନେ ଚୋରାରେ ଏହାକୁ ବିକ୍ରି କରିଛନ୍ତି। ଫଳ ସ୍ୱରୂପ ଓଡ଼ିଶାବାସୀ ଦୀପାବଳିରେ ଦୀପ ଜାଳିବା ସହିତ ବାଣ ମଧ୍ୟ ଫୁଟାଇଛନ୍ତି। କିନ୍ତୁ ଚଳିତ ବର୍ଷ ଯଦିବ ଦିନ ବେଳା ବାଣ କମ ପରିମାଣରେ ଫୁଟିଥିଲା, ସୂର୍ଯ୍ୟ ଅସ୍ତ ହୋଇଯିବା ପରେ ଲୋକେ ଆଇନ-କାନୁନ ଓ କଟକଣାକୁ ଭୁଲିଯାଇ ବାଣ ଫୁଟାଇଥିଲେ।

ରାଜଧାନୀ ଭୁବନେଶ୍ୱରରେ ଫୁଟିଲା ବାଣ

ରାଜଧାନୀ ଭୁବନେଶ୍ୱରରେ ସଂଜ ନଇଁଯିବା ପରେ ବାଣ ଫୁଟିବା ଆରମ୍ଭ ହୋଇଯାଇଥିଲା। ଏହା ରାତି ୧୦ଟା ପର୍ଯ୍ୟନ୍ତ ମଧ୍ୟ ଚାଲିଥିଲା। ରାଜଧାନୀବାସୀ ଘରେ ଦୀପ ଜଳାଇ ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ସହିତ ବାଣ ମଧ୍ୟ ଫୁଟାଇଥିଲେ। ଉତ୍ସବ ମନାଇବା ବେଳେ ଯୁବପିଢ଼ି କରୋନା କଟକଣାକୁ ଭୁଲିଯାଇଥିଲେ।

କଟକଣା ସତ୍ତ୍ୱେ ବି ଲକ୍ଷାଧିକ ଟଙ୍କାର ବାଣ ଜବତ

ରାଜ୍ୟ ସରକାର ଗତ ୩ ତାରିଖ ଦିନ ବାଣ ବିକ୍ରି ନେଇ କଟକଣା ଲଗାଇଥିଲେ। କିନ୍ତୁ ଏହାକୁ କେହି ଭ୍ରୁକ୍ଷେପ କରିନାହାନ୍ତି। ଭୁବନେଶ୍ୱର, କଟକ, ନବରଂଗପୁର, କୋରାପୁଟ, ଯାଜପୁରରେ ପୁଲିସ ବିପୁଳ ପରିମାଣରେ ବାଣ ଜବତ କରିଛି। ବାଣ ବିକ୍ରି ଅଭିଯୋଗରେ ପୋଲିସ ଅନେକ ସ୍ଥାନରେ ଅଭିଯୁକ୍ତମାନଙ୍କୁ ଅଟକ ରଖିଥିଲା। ରାଜ୍ୟ ସରକାର ବାଣ ବିକ୍ରି ନେଇ ନିଷେଧାଦେଶ ଲାଗୁ କରିବା ପୂର୍ବରୁ ଅନେକ ବ୍ୟବସାୟୀମାନେ ବାଣ କିଣି ସାରିଥିଲେ। ସେଥିପାଇଁ ସେମାନେ ବାଧ୍ୟ ହୋଇ ଚୋରାରେ ବିକ୍ରି କରଥିଲେ।  

ରାଉରକେଲା ଓ ଚନ୍ଦାହାଣ୍ଡିରେ ଅଘଟଣ

ଦୀପାବଳିରେ ଅଘଟଣ ଘଟିଛି। ନରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଝାଲିଆପଡା ଗ୍ରାମରେ ପିଲାମାନେ ବାଣ କିଣି ଫୁଟାଉ ଥିବା ପାଖରେ ଥିବା ଘନଶ୍ୟାମ ଭୂଞ୍ଜିଆଙ୍କ ପାଳଗଦାରେ ପଡି ନିଆଁ ଲାଗି ଯାଇଥିଲା। ଫଳରେ ପାଳ ଗଦା ପୋଡ଼ିଯାଇଥିଲା। ସମସ୍ତ ଗ୍ରାମବାସୀ ପାଣି ପକାଇ ନିଆଁକୁ ଆୟତ କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ସେହିପରି ରାଉରକେଲାରେ ଦୀପ ନିଆଁରୁ ଅଘଟଣ ଘଟିଥିଲା। ଜଣେ ବ୍ୟକ୍ତି ଆହତ ହେବାରୁ ତାଙ୍କୁ ରାଉଉକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ଏହି ଦୁର୍ଘଟଣାରୁ ଜଣେ ଶିଶୁ ଅଳ୍ପକେ ବର୍ତ୍ତି ଯାଇଥିଲା।

LEAVE A REPLY