ବିଦେଶରେ ପୁଣି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ବାହାରିନ୍‌ରେ ପ୍ରାଣ ହାରିଲେ ଚାନ୍ଦବାଲିର ଯୁବକ

0
305

ଭୁବନେଶ୍ୱର: ଓଡ଼ିଶାର ଦାରିଦ୍ର‌୍ୟତା ପୁଣି ଥରେ ପଦାରେ ପଡ଼ିଛି । ଜଣେ ଓଡ଼ିଆ ଶ୍ରମିକଙ୍କ ବିଦେଶରେ ମୃତ୍ୟୁ ହୋଇଛି । ଭଦ୍ରକ ଜିଲ୍ଲା ଚନ୍ଦବାଲି ବିଜ୍ଞାପିତ ଅଂଚଳ ପରିଷଦର କିସ୍ମତ ଗାଁର ବସନ୍ତ କୁମାର ସାହୁଙ୍କ ପୁଅ ଦେବାଶିଷ ସାହୁ ବାହାରିନର କ୍ରାଉନ ଇଲେକ୍ଟ୍ରୋ ମେକାନିକ କଂପାନୀରେ କାର୍ଯ୍ୟରତ ଥିବା ସମୟରେ ପ୍ରାଣ ହାରିଛନ୍ତି । ସେ ଅନ୍ୟ ୨ ଜଣ ଭାରତୀୟଙ୍କ ସହିତ ୩୫ପୁଟ ମାଟି ଚଳେ ପ୍ଲମିଂ କାମ କରୁଥିବା ସମୟରେ ଅଣନିଃଶ୍ୱାସୀ ହୋଇଯାଇଥିଲେ ।

ଆସନ୍ତା ବର୍ଷ ଘରକୁ ଆସିଥାନ୍ତେ ଦେବାଶିଷ

ଦେବାଶିଷ ୨୦୧୫ ମସିହା ଫେବୃୟାରୀ ମାସରେ ଭୁବନେଶ୍ୱରସ୍ଥିତ ଏକ ଠିକା ସଂସ୍ଥା ମାଧ୍ୟମରେ ବାହାରିନକୁ ଯାଇଥିଲେ । ଘଟଣା ଦିନ ସେ ଅନ୍ୟ ୨ ଭାରତୀୟ (ବିହାର ନିବାସୀ) ଫିଟରଙ୍କ ସହିତ କାମ କରୁଥିଲେ । ଭୋର ସକାଳ ସମୟରେ ଅକ୍ସଜେନ ନେଇ ୩୫ ଫୁଟ ମାଟି ତଳେ କାମ କରୁଥିବା ବେଳେ ଅଣନିଃଶ୍ୱାସୀ ହୋଇଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୀର୍ଘ ୬ ବର୍ଷ ହେଲା ସେବ ବାହାରିନରେ ରହୁଥିଲେ ଏବଂ ୨୦୨୧ରେ ଓଡ଼ିଶା ଫେରିବେ ବୋଲି ପରିବାର ଲୋକଙ୍କୁ କହିଥିଲେ ।

ବାହାଘର ପାଇଁ ଝିଅ ଖୋଜା ଚାଲିଥିଲା

ନିଜ ଅଂଚଳରେ କାମର ଅଭାବ ତଥା ରାଜ୍ୟରେ ରୋଜଗାର ନମିଳିବାରୁ ଦେବାଷିଶ ବାଧ୍ୟ ହୋଇ ଭିଟା ମାଟି ଛାଡି ଦରିଆ ଡେଇଁ ବିଦେଶ ଯାଇଥିଲେ । ବିଦେଶରେ ଶ୍ରମିକ କାମ କରି ପରିବାରର ଆର୍ଥିକ ଅବସ୍ଥା ସୁଧାରିବାକୁ ଚିନ୍ତା କରିଥିଲେ । ସେଠାରେ ସେ ମାସକୁ ୩୦ ହଜାର ଟଙ୍କା ରୋଜଗାର କରୁଥିଲେ । କିନ୍ତୁ ୬ ବର୍ଷର ରହଣି କାଳରେ ୭୦ ହଜାର ଟଙ୍କା ପଠାଇ, ବାକି ଟଙ୍କା ନେଇ ଘରକୁ ଆସିଥାନ୍ତେ । ସେହି ଟଙ୍କାରେ ଘର ନିର୍ମାଣ କରିଥାନ୍ତେ । ଆସନ୍ତାବର୍ଷ ଦେବାଷିଶଙ୍କ ବାହାଘର ହୋଇଥାନ୍ତା । ଏଥି ପାଇଁ ଘରେ ବାପା-ମା’ ଝିଅ ଦେଖା ପ୍ରକ୍ରିୟା ଆରମ୍ଭ କରି ଦେଇଥିଲେ । ଦେବାଷିଶଙ୍କ ବଡ଼ ଭାଇ ମଧ୍ୟ ବାହାର ରାଜ୍ୟରେ କାମଧନ୍ଦା କରିଥାନ୍ତି । ସେ ଲକଡାଉନ ସମୟରେ ଘରକୁ ଆସିଥିଲେ ଏବଂ ବାହାରକୁ ଯାଇନାହାନ୍ତି । ଏବେ ପରିବାରରେ ଶୋକାକୂଳ ଅବସ୍ଥା ଦେଖାଯାଇଛି ।

ବାହାରିନରେ ଓଡ଼ିଆ ଶ୍ରମିକ

ଓଡ଼ିଶାରୁ ଶତାଧିକ ଲୋକ ଯାଇ ବାହାରିନରେ ଶ୍ରମିକ ଭାବେ କାମ କରିଥାନ୍ତି । ବିଶେଷ କରି ଫିଟର କାମରେ ବହୁ ଓଡ଼ିଆ ଶ୍ରମିକ ନିୟୋଜିତ ହୋଇଥାନ୍ତି । ଏହା ପ୍ରମାଣିତ କରିଛି ଲକଡାଉନ । ଗତ ଜୁନ ୨୧ ତାରିଖରେ ବାହାରିନରୁ ୧୪୨ ଜଣ ପ୍ରବାସୀ ଓଡ଼ିଆ ଫେରିଥିଲେ । ଏଥିରୁ ଅନେକ ଶ୍ରମିକ ଭାବେ ସେଠାରେ କାମ କରୁଥିଲେ । ବାହାରିନରେ କାମ କରୁଥିବା ଓଡ଼ିଆ ସମାଜ ପକ୍ଷରୁ ପ୍ରବାସୀ ଓଡ଼ିଆମାନଙ୍କୁ ଫେରାଇଆଣିବାରେ ବଡ଼ ଭୂମିକା ତୁଲାଇଥିଲା ।

କ୍ୟୁବାରେ ଗଂଜାମ ଯୁବକ ମୃତ

ବିଦେଶରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହେବା ନୂଆ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ବିଦେଶରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଚଳିତ ବର୍ଷ ଜାନୁଆରୀ ୩୦ ତାରିଖରେ ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କହ୍ନେଇପୁର ପଂଚାୟତର ଗୋଳିଆବନ୍ଦ ସାହିର ରମେଶ ଚନ୍ଦ୍ର ମହାରଣା (୩୫) ପ୍ରାଣ ହାରିଥିଲେ । ଗାଁର ଶ୍ରମିକ ସଂସ୍ଥା ସୁରେନ୍ଦ୍ର ହୁଡ୍ଡିଙ୍କ ମାଧ୍ୟମରେ ରମେଶ କ୍ୟୁବା ଯାଇଥିଲେ । ସେଠାରେ ସେ ୨ ମହଲା କୋଠା ଉପରେ କାର୍ଯ୍ୟରତ ଥିବା ବେଳେ ତଳେ ପଡ଼ିଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ରମେଶଙ୍କୁ ସେଠାକାର ଡାକ୍ତର ମୃତ ଘୋଷଣା କରିଥିଲେ ।

ମାଲେସିଆରେ ଗିରଫ ହୋଇଥିଲେ ଓଡ଼ିଆ ଶ୍ରମିକ

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଡ଼ଆଙ୍କୋ ଗ୍ରାମର କୈଳାସ ମଲ୍ଲିକଙ୍କ ପୁଅ ଅଶୋକ ମାଲେସିଆରେ ବହୁ ହଇରାଣ ହୋଇଥିଲେ । ମାଲେସିଆ ପୋଲିସ ଅଶୋକଙ୍କୁ ଗିରଫ କରିଥିଲା । ଏହା ଥିଲା ୨ ବର୍ଷ ତଳର ଘଟଣା । ସିଙ୍ଗିରି ଗ୍ରାମର ଜଣେ ଏଜେଣ୍ଟ ରଂଗାଧର ଦାସ ମାସିକ ୨୫ ହଜାର ଟଙ୍କାରେ କାମ କରିବାକୁ କହି ୨୦୧୭ ନଭେମ୍ବର ମାସରେ ମାଲେସିଆ ପଠାଇଥିଲେ । ମାଲେସିଆ ପଠାଇବା ସମୟରେ ଅଶୋକଙ୍କୁ ପାଣି ପାଇପ କମ୍ପାନୀରେ କାମ ଦିଆଯିବ ବୋଲି କୁହାଯାଇଥିଲା । କିନ୍ତୁ ପରେ ସେଠାରେ ଅନ୍ୟ କାମ ଦିଆଯାଇଥିଲା । ଅନ୍ୟପଟରେ ଅଶୋକ ଟୁରିଷ୍ଟ ଭିସାରେ ଯାଇଥିବାରୁ ଏହାର ଅବଧି ଶେଷ ହୋଇଯିବା ପରେ ପୋଲିସ ଗିରଫ କରିଥିଲା ।

Share the article

LEAVE A REPLY