ପାଠକ ପେଡି ଖୋଲାଚାଲିଛି, ବଲାଙ୍ଗୀରରେ ରେଂଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

0
506


ଭୁବନେଶ୍ୱର: ରାଜ୍ୟରେ ଅଧିକାରୀମାନେ ଦୁର୍ନୀତି ଟଙ୍କାରେ କୋଟିପତି ହେବାର ସ୍ୱପ୍ନ ଦେଖୁଛନ୍ତି । ସାଧାରଣ ଲୋକ, ଠିକାରଦାରଙ୍କ ଠାରୁ ଲାଂଚ ନେଇ ଅଥବା ସରକାରୀ ଟଙ୍କା ଅସାଧୁ ଉପାୟରେ ଉପାଜର୍ନ କରି କୋଟି କୋଟି ଟଙ୍କା ଠୁଳ କରି ବିଳାସମୟ ଜୀବନଯାପନ କରିବାକୁ ଆଶା ରଖୁଛନ୍ତି । ଭିଜିଲାନ୍ସ ବିଭାଗ ଦ୍ୱାରା ଅଧିକାରୀ ଓ କର୍ମଚାରୀମାନେ ଧରାପଡୁ ଥିଲେବି ଅନ୍ୟମାନେ ଏଥିରୁ କିଛି ଶିକ୍ଷା ପାଉ ନାହାନ୍ତି । ଯେଉଁ ଦେଶରେ କୋଟି କୋଟି ଜନତା ଭୂମିହୀନ, ସେହି ମାଟିରେ ଜଣେ ବ୍ୟକ୍ତିଙ୍କ ନାଁରେ ବହୁ ସଂପତ୍ତି ରହିବା ବୁଦ୍ଧିଜୀବୀ ଓ ଉଚ୍ଚଶିକ୍ଷିତ ସମାଜର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡ଼ିଥିବା ଆଇଏଫ୍‌ଏସ୍ ଅଧିକାରୀ ଅଭୟକାନ୍ତ ପାଠକଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଅଡୁଆ ବଢ଼ିଚାଲିଥିବା ବେଳେ ଦୁର୍ନୀତି ନିବାରଣ ସଂସ୍ଥା ଆଜି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଂଜର ପ୍ରଶାନ୍ତ ନାୟକଙ୍କ ଟିଟିଲାଗଡ଼ର ହାଟପଡ଼ାସ୍ଥିତ ବାସଭବନରେ ଚଢ଼ାଉ କରିଛି । ଗତକାଲି ଭିଜିଲାନ୍ସ ବିଭାଗ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲ୍ଲାର ଜଣେ ପଂଚାୟତ କାର୍ଯ୍ୟାଳୟର ସେକ୍‌ସନ ଅଫିସର ସଂଯୁକ୍ତା ଦାସଙ୍କୁ ଧରାପକାଇଥିଲା ।

ବଲାଙ୍ଗୀରରେ ଅଭୟ ପାଠକ ଲିଙ୍କ!

ମୁରିବାହାଲ ରେଂଜର ପ୍ରଶାନ୍ତ କୁମାର ନାୟକ ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ବଲାଙ୍ଗୀର, ସୋନପୁର, ସମ୍ବଲପୁର ଓ ବରଗଡ଼ରେ ସଂପତ୍ତି ରଖିଛନ୍ତି । ଆଜି ଭୋର ସକାଳୁ ଭିଜିଲାନ୍ସ ଟିମ ପ୍ରଶାନ୍ତଙ୍କ ହାଟପଦାସ୍ଥିତ ବାସଭବନରେ ୨୫ ଜଣିଆ ଟିମ ଅତର୍କିତ ଭାବେ ଚଢ଼ାଉ କରିଥିଲେ । କୁହାଯାଉଛି ଯେ, ପ୍ରଶାନ୍ତଙ୍କ ପାଖରେ ମଧ୍ୟ କୋଟିଏରୁ ଅଧିକ ଟଙ୍କାର ସଂପତ୍ତି ରହିଛି । କିନ୍ତୁ ଭିଜିଲାନ୍‌ସ ଦ୍ୱାରା ତଥ୍ୟ ଦିଆଯିବା ପରେ ତାଙ୍କର ପ୍ରକୃତ ସଂପତ୍ତି କେତେ ଜଣାପଡିବ । ଭିଜିଲାନ୍ସ ବିଭାଗ ପ୍ରଶାନ୍ତଙ୍କ ସହିତ ଅଭୟ ପାଠକଙ୍କ ଲିଙ୍କକୁ ମଧ୍ୟ ସଂଦେହ କରୁଛି ।

କୋଟିଏ ୪୨ ଲକ୍ଷର ମାଲିକାଣୀ ସଂଯୁକ୍ତା

ପଂଚାୟତ କାର୍ଯ୍ୟାଳୟର ସେକ୍‌ସନ ଅଫିସର ସଂଯୁକ୍ତା ଦାସ କୋଟିଏ ୪୨ ଲକ୍ଷ ୮ହଜାର ୮୭୦ଟଙ୍କାର ମାଲିକାଣୀ । ସାତପୁରାରେ ୩ମହଲା କୋଠା, ପାଣିଶିଆଳିରେ ୨ ମହଲା ଘର, କଟକର ମହାନଦୀବିହାରରେ ୩ବିଏଚକେ ଫ୍ଲାରେ ସନ୍ତୁଷ୍ଟ ନୁହଁନ୍ତି ସଂଯୁକ୍ତା । ତାଙ୍କ ନାଁରେ ଆହୁରୀ ୬ଟି ଜମି ପ୍ଲଟ ଥିବା ବେଳେ ୬ ଲକ୍ଷ ୨୨ ହଜାର ୩୭୭ଟଙ୍କାର କାର, ବାଇକ, ୨୧ ଲକ୍ଷ ୧୩ ହଜାର ୬୫୨ ଟଙ୍କା ବ୍ୟାଙ୍କ ଜମା, ଲକ୍ଷେ ୮୮ ହଜାର ୮୪୮ଟଙ୍କାର ବୀମା ପଲିସି, ୯ଲକ୍ଷ ଟଙ୍କାର ସ୍ୱର୍ଣ୍ଣ ଅଳଂକାର, ଲକ୍ଷାଧିକ ଟଙ୍କାର ଘରୋଇ ସାମଗ୍ରୀ ଥିବା ଭିଜିଲାନ୍ସ ବିଭାଗ ସ୍ପଷ୍ଟ କରିଛି ।

୧୯୯୦ରେ ୧୦ ହଜାର ଦରମା ପାଉଥିଲେ ପାଠକ

ଦୁର୍ନୀତିକୁ ପ୍ରଶୟ ଦେଉଥିବା ଅଧିକାରୀମାନେ ହିଁ ବିଳାମସମୟ ଜୀବନଯାପନ କରିପାରିଥାନ୍ତି । ଏହାକୁ ଭଲଭାବରେ ପ୍ରମାଣିତ କରିପାରିଛନ୍ତି ଆଇଏଫ୍‌ଏସ୍ ତଥା ଅତିରିକ୍ତ ପିସିସିଏଫ୍ ଅଭୟ ପାଠକ । ୧୯୯୦-୯୧ରେ ଆଇଏଫ୍‌ଏସ୍ ପାସ କରିବା ପରେ ଅଭୟ ଫରେଷ୍ଟ୍ରି ବିଭାଗରେ ଚାକିରି ଜୀବନ ଆରମ୍ଭ କରିଥିଲେ । ସେହି ସମୟରେ ସେ ମାସିକ ୧୦ ହଜାର ଟଙ୍କା ଦରମା ପାଉଥିଲେ । କିନ୍ତୁ ୩୦ ବର୍ଷ ମଧ୍ୟରେ ନିଜର ଆର୍ଥିକ ଭାଗ୍ୟ ପରିବର୍ତ୍ତନ କରିପାରିଛନ୍ତି । ଅଭୟ ପାଠକଙ୍କ ୪ଟି ରାଜ୍ୟର ୧୨ଟି ସ୍ଥାନରେ ସଂପତ୍ତି ରହିଛି । ସବୁଠାରୁ ବଡ଼ କଥା ହେଲା ଯେ, କରୋନା ପାଇଁ ଲକଡାଉନ ଜାରି ଥିବା ବେଳେ ଶ୍ରୀ ପାଠକ ୨୦ ଥର ଚାର୍ଟର ପ୍ଲେନରେ ବୁଲିଥିଲେ ।

ଆକାଶ ପାଠକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୪.୭୭ କୋଟି

ଅଭୟ ପାଠକଙ୍କ ବ୍ୟତୀତ ତାଙ୍କର ପୁଅ ଆକାଶ ପାଠକ ମଧ୍ୟ ନିଜକୁ କୋଟିପତି ଭାବେ ଗଢ଼ିପାରିଛନ୍ତି । ଆକାଶ ପାଠକଙ୍କ ୩ଟି ବ୍ୟାଙ୍କ ଆକାଉଣ୍ଟରେ ୧୪ କୋଟି ୭୭ ଲକ୍ଷ ଟଙ୍କା ଜମା ହେବା ପରେ ଭିଜିଲାନ୍ସ ବିଭାଗର ଏସ୍‌ଆଇଟି ବାପା-ପୁଅଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି । ବାପା-ପୁଅଙ୍କ ରିମାଣ୍ଡ ଅବଧି ଶେଷ ହେବା ପୂର୍ବରୁ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here