ଫସଲ ଉପାଜର୍ନ ସମୟରେ ହାତୀ ଉତ୍ପାତ

0
306

ଭୁବନେଶ୍ୱର: ଚାଷୀମାନଙ୍କର ଫସଲ ଉପାର୍ଜନ କରିବାର ବେଳ ଆସିଛି । ରାଜ୍ୟସାରା ଚାଷୀମାନେ ଏବେ ଧାନ କାଟିବା ସହିତ ଏହା ଘରକୁ ଆଣିବାରେ ବ୍ୟସ୍ତ ଅଛନ୍ତି । ସରକାର ମଧ୍ୟ ଧାନ ମଣ୍ଡି ଖୋଲିସାରିଛନ୍ତି । ଚାଷୀମାନେ ଧାନ ସଂଗ୍ରହ କରି ବଳକା ଫସଲକୁ ମଣ୍ଡିରେ ବିକ୍ରି କରିବାକୁ ମନସ୍ଥ ଅଛି । କିନ୍ତୁ ବିଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ଅଧିକ ଦେଖାଯାଇଛି । ଜଙ୍ଗଲରୁ ଧାନ ଖାଇବାକୁ ଆସିଥିବା ହାତୀମାନେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ଫଳରେ ଚାଷୀମାନଙ୍କୁ ବହୁ କ୍ଷତି ସହ୍ୟ କରିବାକୁ ପଡୁଛି । ଏପରିକି ହାତୀମାନେ ମଣିଷ ମାରିବାକୁ ପଛାଉ ନାହିଁ । ଗତକାଲି ଢେଙ୍କାନାଳ ଜିଲ୍ଲାରେ ଜଣେ ଚାଷୀଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ବେଳେ ଆଜି ଢେଙ୍କାନାଳ ଜିଲ୍ଲାରେ ଜଣେ ଚାଷୀଙ୍କ ଜୀବନ ନେଇଛି ଦନ୍ତା ।

ନିମିଷକେ ୬ ମାସର ପରିଶ୍ରମ ବେକାର

ଚାଷୀ ଦୀର୍ଘ ୬ ମାସର ପରିଶ୍ରମ କରି ଖେତରେ ସୁନା ଫଳାଉଛି । ଧାନ ଚାଷ ପାଇଁ ପୂରା ପରିବାର କାମ କରୁଛନ୍ତି । ଅଭାବୀ ଚାଷୀମାନେ ବ୍ୟାଙ୍କ ଓ ସାହୁକାରମାନଙ୍କ ଠାରୁ ଟଙ୍କା ଋଣ ଆଣି ଚାଷ କରୁଛନ୍ତି । ଫସଲ ଉପାଜର୍ନ କରି ଏହାକୁ ବିକିବା ପରେ ଋଣ ପରିଷୋଧ କରିବେ । କିନ୍ତୁ ବିଡମ୍ବନାର ବିଷୟ ଯେ, ହାତୀମାନେ ଅଚାନକ ଧାନ ଖେତକୁ ଆସି ଖାଇବା ସହ ନଷ୍ଟ କରିଦେଉଛନ୍ତି । କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଂଚଳରେ ଗତକାଲି ହାତୀପଲ ଆସି ଖଳାରୁ ଧାନ ଖାଇଯାଇଛନ୍ତି । ଫଳରେ ଋଣ ସୁଝିବା ନେଇ ଚାଷୀ ବ୍ୟସ୍ତ ହୋଇପଡିଛି । ହାତୀ ଦୌରାତ୍ୱ୍ୟ ଯୋଗୁଁ ଅନେକ ଚାଷୀ ଚିନ୍ତାରେ ଦିନରେ କାଟୁଛନ୍ତି ।

ହାତୀ ଆକ୍ରମଣରେ ଆଜି ପୁଣି ଚାଷୀ ଜୀବନ ହାରିଲେ

ହାତୀ ଆକ୍ରମଣରେ ଗତକାଲି ଜଣେ ଚାଷୀ ଜୀବନ ହାରିଥିଲେ । କଟକ ଜିଲ୍ଲା ଯାଜଭୈରବ ନୂଆଗଁରେ ଚୌଦ୍ୱାର ପୌରପାଳିକାର ୧୨ ନମ୍ବର ୱାର୍ଡର ଚାଷୀ ରତ୍ନାକର ବେହେରା ଧାନ କାଟିବାକୁ ଯାଇଥିବା ବେଳେ ହାତୀ ସମ୍ମୁଖରେ ଆସିଯାଇଥିଲେ । ଘଟଣାସ୍ଥଳରେ ତାଙ୍କୁ ହାତୀ ଦଳିଦେବାରୁ ରତ୍ନାକରଙ୍କର ପ୍ରାଣବାୟୁ ଉଡିଯାଇଥିଲା । ସେହିପରି ଢେଙ୍କାନାଳ ଜିଲ୍ଲା ଗଦିଆଁ ବ୍ଲକ ଷଡ଼ଙ୍ଗୀ ରେଂଜ ମୁଗୁପଦା ଗାଁର ଚାଷୀ ରବିନାରାୟଣ ବିଶ୍ୱାଳ ଦନ୍ତା ହାବୁଡ଼ରେ ପଡ଼ି ଜୀବନ ହାରିଛନ୍ତି । ଚାଷୀ ଜଣକ ନିଜ ଧାନ ବିଲକୁ ଯାଇଥିଲେ । ଜଙ୍ଗଲ ନିକଟରେ ଜମି ଥିବାରୁ ହାତୀ ଗଛ ତଳେ ଛିଡ଼ା ହୋଇଥିବା ସେ ଜାଣିପାରି ନଥିଲେ । ଫଳରେ ସେ ହାତୀ ଆକ୍ରମଣର ଶିକାର ହୋଇଥିଲେ ।

ବିନିକାରେ ମାତିଲେ ହାତୀପଲ

ପ୍ରାୟ ୧ ସପ୍ତାହରୁ ଅଧିକ ସମୟ ହେବ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଂଚଳରେ ହାତୀପଲ ମାତିଥିବା ଜଣାପଡ଼ିଛି । ୪୦ଟିକିଆ ହାତୀପଲ ଶହ ଶହ ଏକର ଧାନ ଫସଲ ଖାଇଯାଉଛନ୍ତି । ହାତୀପଲକୁ ଘଉଡାଇବାକୁ ଉଦ୍ୟମ କରାଯାଉଛି ସତ, କିନ୍ତୁ ଏଥିରୁ କିଛି ସୁଫଳ ମିଳିପାରୁ ନାହିଁ । ସ୍ଥାନୀୟ ଲୋକେ ହାତୀପଲକୁ ଘଉଡାଇବା ଲାଗି ନିଆଁ ଜାଳିବା ସହିତ ବାଣ ଫୁଟାଉଛନ୍ତି । କିନ୍ତୁ ଏହି କାମ ହାତୀମାନଙ୍କ ଉପରେ କିଛି ପ୍ରଭାବ ପକାଇପାରୁ ନାହିଁ । ପାପକ୍ଷୟ ଘାଟ ନିକଟରେ ହାତୀପଲ ମହାନଦୀ ପାର ହୋଇଛନ୍ତି । ଗୁରୁବାର ରାତି ହାତୀପଲ ବିନିକା ଷ୍ଟାଡିୟମ ନିକଟକୁ ପହଂଚିଯାଇଥିଲେ । ହାତୀମାନଙ୍କର ଏଭଳି କାରନାମା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ ।

କ୍ଷତିପୂରଣ ତୁଳନାରେ ସହାୟତା ନଗଣ୍ୟ

ଜଙ୍ଗଲୀ ହାତୀ ଗାଁରେ ପହଂଚି ଯେଭଳି ଭାବରେ ଫସଲ ନଷ୍ଟ କରୁଛନ୍ତି, ଏଥିରେ ଚାଷୀ ଅତିଷ୍ଠ ହୋଇସାରିଛନ୍ତି । ସରକାର, ପ୍ରଶାସନ ଓ ବନ ବିଭାଗ ହାତୀ ସୁରକ୍ଷାକୁ ଯେତିକି ଗୁରୁତ୍ୱ ଦେଉଛନ୍ତି, ସମାନ ପରିମାଣରେ ଚାଷୀଙ୍କ ବ୍ୟକ୍ତିଗତ ଜୀବନକୁ ଦେଖୁ ନାହାନ୍ତି । ହାତୀମାନେ ଯେଭଳି ଭାବରେ ଫସଲ ନଷ୍ଟ କରୁଛନ୍ତି, ଚାଷୀମାନଙ୍କୁ ସେହି ପରିମାଣରେ ସହାୟତା ମିଳିପାରୁ ନଥିବା ଅଭିଯୋଗ ହେଉଛି ।

Share the article

LEAVE A REPLY