ବ୍ରିଟେନରେ ଭାରତର ଚାଷୀ ଆନ୍ଦୋଳନ

0
209

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂତନା କୃଷି ଆଇନ ବିରୋଧରେ ଜାତୀୟ ରାଜଧାନୀ ଦିଲ୍ଲୀ ସୀମାରେ ଜାରି ରହିଥିବା ଚାଷୀ ଆନ୍ଦୋଳନ ସୋମବାର ୧୨ ଦିନରେ ପହଂଚିଛି । ଏହି ଆନ୍ଦୋଳନ ଏବେ ବ୍ରିଟେନକୁ ପହଂଚିଛି । ପ୍ରାୟ ୩୫୦୦ରୁ ୪୦୦୦ ପ୍ରଦର୍ଶନକାରୀ ଲଣ୍ଡନସ୍ଥିତ ଭାରତୀୟ ହାଇକମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦର୍ଶନ କରିଛନ୍ତି । ପ୍ରଦର୍ଶନକାରୀମାନେ ପାଖାପାଖି ୭୦୦ ଗାଡି ନେଇ ପହଂଚି ଥିଲେ । ସେମାନେ ଭାରତ ସରକାରଙ୍କ ନୂତନ କୃଷି ଆଇନକୁ କୃଷକମାରଣ ନୀତି ଦର୍ଶାଇ ଖଲିସ୍ତାନର ପତାକା ଉଡାଇଥିଲେ ।

ଭାରତୀୟ ଉଚ୍ଚାୟୋଗର ଅଧିକାରୀ ୟୁକେ ମେଟ୍ରୋପଲିଟେନ ପୋଲିସ, ବ୍ରିଟେନର ବିଦେଶ କାର୍ଯ୍ୟାଳୟ ଓ ଗୃହ କାର୍ଯ୍ୟାଳୟକୁ ସଂପର୍କ କରିଥିଲେ । ପରେ ପୋଲିସ ଭିଡ଼କୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲା । ଭାରତୀୟ ହାଇ କମିଶନଙ୍କ ଅଧିକାରୀ ବିଶ୍ୱେଶ ନେଗି କହିଛନ୍ତି, ପ୍ରଦର୍ଶନକାରୀମାନେ ଭାରତରେ ନୂଆ କୃଷି ଆଇନକୁ ବିରୋଧ କରିଥିଲେ । ସେମାନେ ଧାରଣାସ୍ଥଳରେ ଖଲିସ୍ଥାନର ପତାକା ମଧ୍ୟ ଧରିଥିଲେ । କିଛି ଲୋକଙ୍କୁ ଗିରଫ କରାଯାଇଛି ।

୯ରେ ସରକାର-ଚାଷୀଙ୍କ ଆଲୋଚନା

ସରକାର ୫ଟି ପର୍ଯ୍ୟାୟରେ ଚାଷୀମାନଙ୍କ ସହିତ ଆଲୋଚନା କରିସାରିଥିଲେ ବି ସମସ୍ୟାର ସମାଧାନ ହୋଇପାରି ନାହିଁ । କାରଣ ଚାଷୀମାନେ ନିଜର ଜିତରେ ଅଟଳ ଅଛନ୍ତି । ସରକାର ଓ ଚାଷୀଙ୍କ ମଧ୍ୟରେ ଆଗାମୀ ୯ ତାରିଖରେ ପୁଣି ଥରେ ଆଲୋଚନା ହେବ ।

ଆସନ୍ତାକାଲିର ଭାରତ ବନ୍ଦକୁ ରାଜନୈତିକ ସମର୍ଥନ

ଆସନ୍ତାକାଲି ଭାରତ ବନ୍ଦ ହେବ । ଏହି ବନ୍ଦ ପାଳନକୁ ସମର୍ଥନ ଜଣାଇଛି କଂଗ୍ରେସ, ଟିଆରଏସ୍‌, ଏନସିପି, ଡିଏମ୍‌କେ, ବହୁଜନ ସମାଜ ପାର୍ଟି ଓ ଆମ ଆଦମୀ ପାର୍ଟି, ତୃଣମୂଳ କଂଗ୍ରେସ, ଆରଜେଡି ଓ ବାମପଂଥୀ ଦଳ । ଦେଶର ବଡ଼ ବଡ଼ ୧୦ଟି ପରିବହନ ସଂଗଠନ ମଧ୍ୟ ‘ଭାରତ ବନ୍ଦ’କୁ ସମର୍ଥନ ଜଣାଇଛନ୍ତି ।

କ’ଣ କହିଲେ ଏନ୍‌ସିପି ମୁଖ୍ୟ ଶରଦ ପାୱାର

ଜାନୀୟବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଓ ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ ଶରଦ ପାୱାର କହିଛନ୍ତି, ସରକାର ଚାଷୀଙ୍କ ପ୍ରଦର୍ଶନକୁ ଗୁରୁତର ସହିତ ଗ୍ରହଣ କରନ୍ତୁ । ଯଦି ପ୍ରଦର୍ଶନ ଜାରି ରହେ ତାହେଲେ ବଡ଼ ଅସୁବିଧା ହେବ । ଆନ୍ଦୋଳନ କେବଳ ଦିଲ୍ଲୀରେ ସୀମତି ନରହି ଦେଶର ଚାରିଆଡ଼କୁ ବ୍ୟାପିବ । ତେଣୁ ବେଳ ଥାଉ ସରକାର ବୁଝିଯିବା ଦରକାର । ଅଥଚ ପ୍ରଦର୍ଶନକାରୀ ଚାଷୀଙ୍କ ସହିତ ସାଧାରଣ ଜନତା ମଧ୍ୟ ଯୋଡ଼ିହୋଇଯିବେ ।

କଂଗ୍ରେସର ଜୋରଦାର ପ୍ରସ୍ତୁତି

ଚାଷୀ ସଂଗଠନର ଭାରତ ବନ୍ଦକୁ କଂଗ୍ରେସ ସଂପୂର୍ଣ୍ଣ ସମର୍ଥନ ଜଣାଇଛି । ପାର୍ଟି ତରଫରୁ ପ୍ରତ୍ୟେକ ରାଜ୍ୟର ମୁଖ୍ୟାଳୟରେ ପ୍ରଦର୍ଶନ କରାଯିବ । କଂଗ୍ରେସ ମୁଖପାତ୍ର ପବନ ଖେଡ଼ା ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହା କହିଛନ୍ତି । କଂଗ୍ରେସ ଡିସେମ୍ବର ୮ ତାରିଖରେ ଭାରତ ବନ୍ଦକୁ ସଂପୂର୍ଣ୍ଣ ଭାବେ ସମର୍ଥନ ଜଣାଉଛି । ପାର୍ଟିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ରାକ୍ଟର ରାଲି, ଦସ୍ତଖତ ଅଭିଯାନ ଓ ଚାଷୀ ରାଲି ଜରିଆରେ ଚାଷୀଙ୍କୁ ସପକ୍ଷରେ ସ୍ୱର ଉତ୍ତୋଳନ କରିବେ ବୋଲି ଶ୍ରୀ ସୂଚନା ଦେଇଛନ୍ତି ।

୫ମ ବିପର୍ଯ୍ୟୟର ଆଲୋଚନା ବିଫଳ

୫ ତାରିଖ ସନ୍ଧ୍ୟାରେ ସରକାର ଓ ଚାଷୀ ସଂଗଠନ ମଧ୍ୟରେ ହୋଇଥିବା ୫ମ ପର୍ଯ୍ୟାୟର ବୈଠକ ବିଫଳ ହେବା ପରେ କେନ୍ଦ୍ର କୃଷି ମନ୍ତ୍ରୀ ତୋମାର କହିଥିଲେ ଯେ, ମୁଁ ଚାଷୀଙ୍କୁ ଅନୁରୋଧ କରୁଛି ଯେ, ସେମାନେ ଆନ୍ଦୋଳନକୁ ବନ୍ଦ କରନ୍ତୁ । ବିଜ୍ଞାନ ଭବନରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସେ କହିଥିଲେ, ଏବେ ଶୀତଋତୁ ଓ କୋଭିଡ-୧୯କୁ ଦୃଷ୍ଟିରେ ରଖି ଚାଷୀ ସଂଗଠନର ନେତାମାନେ ଆନ୍ଦୋଳନ ବନ୍ଦ କରିବା ଉଚିତ । ବରିଷ୍ଠ ନାଗରିକ, ମହିଳା ଓ ଶିଶୁମାନଙ୍କୁ ବିରୋଧ ସ୍ଥଳରୁ ଫେରାଇ ଦିଆଯାଉ ।

ଓଡ଼ିଶାରେ ବି ତେଜିବ ଭାରତ ଆନ୍ଦୋଳନ

ଭାରତ ବନ୍ଦକୁ ଓଡ଼ିଶାରେ ରାଜ୍ୟ କଂଗ୍ରେସ ସମର୍ଥନ ଜଣାଇଛି । ବନ୍ଦକୁ ସଫଳ ଭାବେ ପାଳନ କରିବାକୁ ରାଜ୍ୟ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ଜନସାଧରଣଙ୍କ ନିକଟରେ ଅପିଲ କରହିଛନ୍ତି । ସେ କହିଛନ୍ତି ଯେ, କୃଷକମାନେ ହେଉଛନ୍ତି ଅନ୍ନଦାତା ଓ ଦେଶର ଅର୍ଥନୀତିର ମେରୁଦଣ୍ଡ । ତେଣୁ ସେମାନଙ୍କର ଆନ୍ଦୋଳନକୁ ସମର୍ଥନ ଜଣାଇବାର ଦରକାର ଅଛି ।

Share the article

LEAVE A REPLY