କୋରାପୁଟର କଫି, ସୃଷ୍ଟି କରୁଛି ପରିଚୟ

0
348

ଭୁବନେଶ୍ୱର: ବିଗତ କିଛି ବର୍ଷ ହେବ କେରାପୁଟରେ କଫି ଚାଷ ହେଉଛି । ଥଣ୍ଡା ଜଳବାୟୁ ଲାଗି କୋରାପୁଟ ଜିଲ୍ଲାର ସଦର ବ୍ଲକ, ଲମତାପୁଟ, ଲକ୍ଷ୍ମୀପୁର, ପଟାଙ୍ଗୀ, ଦଶମନ୍ତପୁର, ନନ୍ଦପୁର ଓ ସେମିଳିଗୁଡ଼ା ଅଂଚଳରେ ପ୍ରାୟ ୩୦୦୦ ଏକର ଜମିରେ କଫି ଚାଷ ହେଉଛି । ବର୍ଷକୁ ପାଖାପାଖି ୫୫୦ ମେଟ୍ରିକ ଟନ କଫି ମଂଜି ଉତ୍ପାଦନ ହୋଇ ତାହା ସାରା ଦେଶ-ବିଦେଶକୁ ରପ୍ତାନୀ କରାଯାଉଛି । କୋରାପୁଟ ଜିଲ୍ଲାରୁ ଉତ୍ପାଦନ ହୋଇ ବିଦେଶରେ ମଧ୍ୟ ନାଁ କରୁଛି ।

କୋରାପୁଟରେ କଫି ଚାଷ ହେଉଛି । କିନ୍ତୁ କଫି ମଂଜି ପ୍ରକ୍ରିୟାକରଣ କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ନାହିଁ । ତେଣୁ ଏଠାରୁ ମଂଜି ବାହାରକୁ ରପ୍ତାନୀ କରାଯାଇଥାଏ । କଫି ପ୍ରକ୍ରିୟାକରଣ ପାଇଁ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଯାଇଥାଏ । ଚାଷୀମାନେ ଅଶୋଧିତ କଫି ମଂଜିକୁ କିଲୋ ପ୍ରତି ୨୦୦ଟଙ୍କାରେ ବିକ୍ରି କରିଥାନ୍ତି । କିନ୍ତୁ ଚଳିତ ବର୍ଷ କରୋନା କଟକଣା ସମୟରେ ଚାଷୀମାନେ ଅଭାବୀ ବିକ୍ରିର ଶିକାର ହୋଇଥିଲେ । ଚାଷୀମାନଙ୍କୁ ଅଶୋଧିତ କଫି ମଂଜି ୮୦ରୁ ୧୦୦ ଟଙ୍କାରେ ବିକ୍ରି କରିଥିଲେ । ଫଳରେ ସେମାନେ ଘୋର ଆର୍ଥିକ କ୍ଷତିର ଶିକାର ହୋଇଥିଲେ । ଚାଷୀମାନଙ୍କୁ ପ୍ରକୃତ ମୂଲ୍ୟ ମିଳୁ ନଥିଲେ ମଧ୍ୟ ଆନ୍ଧ୍ରର ବ୍ୟବସାୟୀ ଓ ଦଲାଲାମାନେ ମାଲାମାଲ ହେଉଛନ୍ତି ।

ପ୍ରୋତ୍ସାହନ ଚାହୁଁଛି କଫି ଚାଷୀ

କଫି ଚାଷୀମାନଙ୍କୁ ପ୍ରୋତ୍ସାହନର ଆବଶ୍ୟକତା ରହିଛି । ରାଜ୍ୟ ସରକାର କଫିଚାଷୀମାନଙ୍କୁ ଆବଶ୍ୟକ ଅନୁସାରେ ପ୍ରୋତ୍ସାହନ ଯୋଗାଇ ଦେଇପାରିଲେ । ଆଗାମୀ ଦିନରେ ଆହୁରି ଅଧିକ କଫି ଉତ୍ପାଦନ ହୋଇପାରନ୍ତା । ଏହା ଦ୍ୱାରା ସ୍ଥାନୀୟ ଚାଷୀ ଉପକୃତ ହେବା ସହିତ ସରକାରଙ୍କୁ ରାଜସ୍ୱ ମିଳିପାରନ୍ତା । ସେହିଭଳି ରାଜ୍ୟରେ କଫି ଦର ମଧ୍ୟ କମ ରୁହନ୍ତା । କେବଳ କୋରାପୁଟ ନୁହେଁ, ଗଜପତି ଓ କନ୍ଧମାଳ ଜିଲ୍ଲାର ଥଣ୍ଡା ଅଂଚଳରେ ମଧ୍ୟ କଫି ଚାଷ ପାଇଁ ଉଦ୍ୟମ ହେବା ଦରକାର ।

ଭାରତରେ କଫି ଚାଷ

ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକ, କେରଳ ଓ ତାମିଲନାଡୁ ବ୍ୟତୀତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ପୂର୍ବୋତ୍ତର ରାଜ୍ୟରେ କଫି ଚାଷ ହୋଇଥାଏ । ୭୧ ପ୍ରତିଶତ କର୍ଣ୍ଣାଟକ, ୨୧ ପ୍ରତିଶତ କେରଳ ଓ ୫ ପ୍ରତିଶତ ତାମିଲନାଡୁରେ ଉତ୍ପାଦନ ହୋଇଥାଏ । ଦେଶରେ ପ୍ରାୟ ୨ ଲକ୍ଷ ୫୦ ହଜାର କଫି ଚାଷୀ ଅଛନ୍ତି । ଏମାନଙ୍କ ମଧ୍ୟରୁ ୯୮ ପ୍ରତିଶତ କ୍ଷୁଦ୍ର ଚାଷୀ । ବିଶ୍ୱର ଉତ୍ପାଦିତ ହେଉଥିବା କଫିର ୪.୫ ପ୍ରତିଶତ ଭାରତର ଭାଗିଦାରୀ ରହିଛି । ଦେଶରେ ଉତ୍ପାଦିତ ହେଉଥିବା କଫିର ୮୦ ପ୍ରତିଶତ ବିଦେଶକୁ ରପ୍ତାନୀ ହୋଇଥାଏ । ଏଥିରୁ ୭୦ ପ୍ରତିଶତ ଜର୍ମାନୀ, ରୁଷିଆ, ସ୍ପେନ, ବେଲଜିୟମ, ସ୍ଲୋଭେନିଆ, ଯୁକ୍ତରାଷ୍ଟ୍ର, ଜାପାନ, ଗ୍ରୀସ, ନେଦରଲାଣ୍ଡ ଓ ଫ୍ରାନ୍ସକୁ ଯାଇଥାଏ । ସେହିଭଳି ୨୯ ପ୍ରତିଶତ ଇଟାଲୀକୁ ରପ୍ତାନୀ ହୋଇଥାଏ ।

ଶରୀରକୁ ଶକ୍ତି ଦିଏ କଫି

କଫିର ଔଷଧୀୟ ଗୁଣ ରହିଛି । ଭାରତୀୟ ଲୋକମାନେ କଫି ପ୍ରିୟ ହୋଇଥାନ୍ତି । କଫି ପିଉଥିବା ଲୋକଙ୍କ ମଧ୍ୟରୁ ଅନେକ ଭାବନ୍ତି ଯେ, ଏହା ଶରୀର ପାଇଁ ଫଳପ୍ରଦ । କଫିକୁ କେବଳ ଭାରତୀୟ ନୁହେଁ, ବରଂ ବିଶ୍ୱରେ ମଧ୍ୟ ଏହାକୁ ପିଆଯାଇଥାଏ । ସେଥିପାଇଁ ଏହାକୁ ବିଶ୍ୱର ୨ୟ ସର୍ବାଧିକ ପାନୀୟ ବୋଲି କୁହାଯାଇଥାଏ । ଚା’ ତୁଳନାରେ କଫିରେ ୨ ଗୁଣ ଶକ୍ତି ମିଳିଥାଏ । କଫି ଅନେକ ରୋଗକୁ ମଧ୍ୟ ଭଲ କରିଥାଏ । କଫି ସେବନ କରୁଥିବା ଲୋକଙ୍କ ମୃତ୍ୟୁ ୧୨ରୁ ୨୨ ପ୍ରତିଶତ କମ ଆଶଙ୍କା ରହିଥାଏ ।

ସ୍ମରଣ ଶକ୍ତି ବଢ଼ାଏ କଳା କଫି

ଗବେଷକମାନେ କୁହନ୍ତି ଯେ, କଫି ପିଇଲେ ସ୍ମରଣ ଶକ୍ତି ବଢ଼ିଥାଏ । ତେବେ ଭୋର ସକାଳୁ କଳା କଫି ପିଇପାରିଲେ ଆହୁରି ଭଲ । କାରଣ ଶୋଇକରି ଉଠିଲା ବେଳକୁ, ମସ୍ତିସ୍କ ସ୍ଥିର ଥାଏ । ମୁଣ୍ଡକୁ ଭଲ ଭାବନା ଆସିଥାଏ । ଯକୃତଜନିତ କର୍କଟ ରୋଗକୁ ନିୟନ୍ତ୍ରଣ କରିଥାଏ । ହୃଦରୋଗ, କିଡନୀ ରୋଗ, ମଧୁମେହ ରୋଗକୁ ମଧ୍ୟ କଫି ସେବନ କରିବା ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ସେହିପରି ଓଜନ ହ୍ରାସ କରିବାରେ କଫିର ଅନ୍ୟ ଏକ ଦାୟିତ୍ୱ ଥାଏ ।

Share the article

LEAVE A REPLY