ଯନ୍ତ୍ରଣା ପାଉଛି ଶିଶୁକନ୍ୟା

0
390

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ସଦର ଥାନା ଅଂଚଳର ପାଂଚ ବର୍ଷର ନାବାଳିକା ଅମ୍ରିତାସ୍ନେହା ଓରଫ୍ ପରୀ, ରଣପୁର ଥାନା ଅଂଚଳର ୩ ବର୍ଷର ଶିଶୁକନ୍ୟା ହରପ୍ରିୟା ଓରଫ ସ୍ୱାତୀ ଓ ଯାଜପୁର ଜିଲ୍ଲା ବିଂଝାରପୁର ଅଂଚଳର ଅଢ଼େଇ ବର୍ଷର ଝିଅ ଶୁଭଲକ୍ଷ୍ମୀ ଓରଫ ପିହୁ ନିଖୋଜ ହେବା ଘଟଣା ରାଜ୍ୟବାସୀଙ୍କର ଚିନ୍ତା ବଢ଼ାଇଛି । ଏବେ ଅଭିଭାବକମାନଙ୍କୁ ଛୋଟ ଶିଶୁକନ୍ୟା ବାହାରେ ଛାଡ଼ିବା ପୂର୍ବରୁ ଅନେକ କଥା ଚିନ୍ତା କରିବାକୁ ପଡୁଛି । ଶିଶୁକନ୍ୟାମାନଙ୍କୁ ଜଗିବାକୁ ମଧ୍ୟ ପଡୁଛି । ସନ୍ଧ୍ୟା କଥା ଛାଡନ୍ତୁ ଅପରାହ୍ନରେ ମଧ୍ୟ ପିଲାଙ୍କ ଉପରେ ନଜର ରଖିବାକୁ ହେଉଛି । ଆଗାମୀ ଦିନରେ ଆହୁରି ସତର୍କ ରହିବାକୁ ପଡିବ ।

ଶିଶୁକନ୍ୟାର ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ

ରାଜ୍ୟରେ ଅଳ୍ପ କମ ଦିନରେ ୩ଟି ଶିଶୁ ନିଖୋଜ ହେବା ଘଟଣା ଚର୍ଚ୍ଚାକୁ ଆସିଥିବା ବେଳେ ଆହୁରି କେତେ ଶିଶୁ ନିଖୋଜ ଥିବା ତାହା ଲୋକଲୋଚନକୁ ଆସିପାରୁ ନାହିଁ । ଶିଶୁ କନ୍ୟାଟିଏ ନିଖୋଜ ହେଉଛି କେମିତି? ଶିଶୁକନ୍ୟା ଘର ସମ୍ମୁଖରେ ଯେତେବେଳେ ଖେଳୁଛି, ତାକୁ କ’ଣ କେହି ଦେଖୁ ନାହାନ୍ତି ନାଁ ପର ପିଲା ବୋଲି ମାନବିକତାକୁ ଭୁଲି ଯାଉଛନ୍ତି ଏଭଳି ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ସମାଜର ଉତ୍ତର ଦାୟିତ୍ୱ ମଣିଷ ଭାବରେ ଯଦି ଜଣେ ବ୍ୟକ୍ତି ଅନ୍ୟ ପିଲାର ଅବସ୍ଥିତି ସଂପର୍କରେ ମଧ୍ୟ ଜାଗ୍ରତ ରହିପାରନ୍ତା, ତା’ହେଲେ ଅନେକ ମାତ୍ରାରେ ଶିଶୁକନ୍ୟା ନିଖୋଜ ଭଳି ଘଟଣାକୁ ନିୟନ୍ତ୍ରଣ କରାଯାଇପାରନ୍ତା ।

ଆଜିର ଶିଶୁକନ୍ୟା ଭବିଷ୍ୟତର ଜନନୀ

ଜନନୀ ଓ ଜନ୍ମଭୂମିକୁ ସ୍ୱର୍ଗ ସହିତ ତୁଳନା କରାଯାଇଥାଏ । ଆଜିର ଶିଶୁକନ୍ୟା ଆଗାମୀ ଦିନରେ ପର୍ଯ୍ୟାୟ କ୍ରମରେ ନାବାଳିକା, ଯୁବତୀ ଓ ମହିଳା ରୂପରେ ରୂପାନ୍ତରିତ ହେବ । ଶିଶୁକନ୍ୟାଟି ଭବିଷ୍ୟତରେ ସମାଜକୁ ଦିଗଦର୍ଶନ ଦେବାରେ ବଡ଼ ଭୂମିକା ତୁଲାଇବ । ସମାଜରେ ଯେହେତୁ ମହିଳାଙ୍କର ଉଚ୍ଚସ୍ଥାନ ରହିଛି, ସେହି ଆଧାରରେ ପ୍ରତ୍ୟେକ ବ୍ୟକ୍ତି ଶିଶୁକନ୍ୟାଟିର ଭବିଷ୍ୟତ ସଂପର୍କରେ ମଧ୍ୟ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।

ଅଲୋଡା ହେଉଛନ୍ତି ଶିଶୁକନ୍ୟା!

ଦିନକୁ ଦିନ ଶିଶୁକନ୍ୟା ଅଲୋଡା ହୋଇପଡ଼ିଛି । ବର୍ଷର ବିଭିନ୍ନ ସମୟରେ ରାସ୍ତାକଡ଼, ପୋଖରୀ ହୁଡ଼ା, ହସ୍ପିଟାଲ ପଛପଟ, ଅଳିଆ ଗଦା, ଜଙ୍ଗଲ, ପରିତ୍ୟକ୍ତ ସ୍ଥାନରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହେବା ଘଟଣା ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ଅନେକ ସ୍ଥାନରେ ମୃତ ଶିଶୁକନ୍ୟା ଉଦ୍ଧାର ହେଉଥିବାର ପରିଲକ୍ଷିତ ହେଉଛି । ଏଭଳି କ୍ଷେତ୍ରରେ ଶିଶୁକନ୍ୟାକୁ ଅଲୋଡା କରୁଛି କିଏ? ପ୍ରଥମତଃ ଘଟଣା ପାଇଁ ନବଜାତ ଶିଶୁକନ୍ୟାର ମା’ଙ୍କୁ ହିଁ ଦାୟୀ କରାଯାଇଥାଏ । କିନ୍ତୁ ବାସ୍ତବରେ ଯଦି ଚିନ୍ତା କରାଯିବ କନ୍ୟା ସନ୍ତାନ ଯେଉଁ ପୁରୁଷଙ୍କ ଦ୍ୱାରା ସୃଷ୍ଟି ହୋଇଥାଏ, ସେହି ବ୍ୟକ୍ତି ଜଣକ ଶିଶୁଟିର ମା’ଙ୍କୁ ନିର୍ଯାତନା ଦେବା ସହିତ ଠକି ଦେଇଥାଏ ।

ତିନି ଦିନ ହେଲା ସ୍ୱାତୀ ନିଖୋଜ

ପରୀ ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଏଭଳି ଏକ ଦୁର୍ଦ୍ଦିନ ସମୟରେ ରଣପୁର ଥାନା ଅନ୍ତର୍ଗତ ଦଧୀପାଟଣା ଗାଁରୁ ଡିସେମ୍ବର ୧୧ ତାରିଖ ଅପରାହ୍ନ ଠାରୁ ନିଖୋଜ ଥିବା ସ୍ୱାତୀ ତିନିଦିନ ପରେ ମଧ୍ୟ କୌଣସି ସନ୍ଧାନ ମିଳିପାରି ନାହିଁ । ପୋଲିସ ଓ ଓଡ୍ରାଫର ଟିମ୍ ମଧ୍ୟ ଗାଁର ୩ଟି ପୋଖରୀରେ ନିଷ୍ପାପ ଶିଶୁକନ୍ୟାକୁ ଖୋଜି ପାଇବାରେ ବିଫଳ ହୋଇଛନ୍ତି । ସାଧାରଣ ଚାଷୀ ସଂଜୟ କୁମାର ସାହୁଙ୍କ ଝିଅ ସ୍ୱାତୀ ଗତ ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟାରେ ଗାଁ ଦାଣ୍ଡରେ ଖେଳୁଥିଲା ବେଳେ ନିଖୋଜ ଅଛି ।

ପରୀ ଭଳି ପିହୁ ବି ନିଖୋଜ

ନୟାଗଡ଼ ଜିଲ୍ଲା ଯଦୁପୁର ଗାଁର ଝିଅ ପରୀ ଗତ ଜୁଲାଇ ୧୪ ତାରିଖରେ ଗାଁ ଦାଣ୍ଡରୁ ନିଖୋଜ ହୋଇଯାଇଥିଲା । ୮ ଦିନ ଅନ୍ତରାଳେ ଅର୍ଥାତ ଜୁଲାଇ ୨୩ରେ ପରୀର ମୃତଦେହ ମିଳିଥିଲା । ସେହିଦିନ ଠାରୁ ପୁଲିସ ଘଟଣାର ତଦନ୍ତ କରୁଛି । କିନ୍ତୁ ହତ୍ୟାକାରୀ କିଏ, ତାହା ଜଣାପଡ଼ି ନାହିଁ । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ସାନକୃଷ୍ଣପୁର ଅଧୀନ ନାୟକସାହିର ଲକ୍ଷ୍ମଣ ନାୟକଙ୍କ ଝିଅ ପିହୁ ଅଗଷ୍ଟ ୯ ତାରିଖରୁ ନିଖୋଜ ଅଛନ୍ତି । ନିଖୋଜ ଦିନ ପିହୁ ମା ମୋନାଲିସା ସହ ବିଝାରପୁର ଅନ୍ତର୍ଗତ ରଥସାହି ଗାଁରେ ଥିଲେ ।

Share the article

LEAVE A REPLY