ଅଯୋଧ୍ୟାରେ ସ୍ୱତନ୍ତ୍ର ଡିଜାଇନ୍‌ରେ ନିର୍ମାଣ ହେବ ମସଜିଦ୍‌

0
407

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଯାଇଛି । ଆସନ୍ତା ୩ ବର୍ଷ ମଧ୍ୟରେ ଏହାର ନିର୍ମାଣ କାମ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ରାମମନ୍ଦିର ଓ ବାବ୍ରୀ ମସଜିଦ ବିବାଦର ସମାଧାନ ହେବା ପରେ ରାମ ମନ୍ଦିର ନିର୍ମାଣ କାମ ସମ୍ଭବ ହୋଇପାରିଛି । ଏହାରି ମଧ୍ୟରେ ରାମ ମନ୍ଦିର ଠାରୁ ୩୦ କିଲୋମିଟର ଦୂରରେ ଧନ୍ନୀପୁର ମସଜିଦ୍ ନିର୍ମାଣ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ଜାନୁଆରୀ ୨୬ କିମ୍ବା ଅଗଷ୍ଟ ୧୫ ତାରିଖ ଦିନ ବହୁ ପ୍ରତୀକ୍ଷିତ ଏହି ମସଜିଦ ନିର୍ମାଣ କାମ ଆରମ୍ଭ ହୋଇପାରେ । କିନ୍ତୁ ମସଜିଦ ନିର୍ମାଣ ହେବା ପୂର୍ବରୁ ଶନିବାର ଏହାର ଡିଜାଇନ ଜାରି କରାଯାଇଛି ।

ବିଶ୍ୱର ଅନ୍ୟ ସଂସ୍କୃତି ତୁଳନାରେ ଭାରତର ସ୍ଥାନ ସ୍ୱତନ୍ତ୍ର । କୁହାଯାଇଥାଏ ଯେ, ଭାରତରେ ପ୍ରତ୍ୟେକ ୫ରୁ ୧୦ କିଲୋମିଟରରେ ବିଭିନ୍ନତାର ଆଭାସ ଦେଖିବାକୁ ମିଳିଥାଏ । ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ନିଜର ପ୍ରସିଦ୍ଧ ପୁସ୍ତକ ‘ଡିସ୍କଭରି ଅଫ ଇଣ୍ଡିଆ’ରେ ଏକ ଅଧ୍ୟାୟରେ ଉଲ୍ଲେଖ କରିଛନ୍ତି ଯେ, ‘ଭିନ୍ନତା ମଧ୍ୟରେ ଏକତା’ । ଏହି ପୁସ୍ତକରେ ଭାରତର ବଳ ସଂପର୍କରେ ବର୍ଣ୍ଣନା କରାଯାଇଛି । ଏବେ ଅଯୋଧ୍ୟାରେ ମାତ୍ର ୩୦ କିଲୋମିଟର ଦୂର ବ୍ୟବଧାନରେ ୨ଟି ସ୍ମାରକ ସ୍ଥଳ ନିର୍ମାଣ ହେଉଛି, ଯେଉଁଠି ଭାରତୀୟ ସଂସ୍କୃତିର ଝଲକ ଦେଖିବାକୁ ମିଳିବ ।

ନିର୍ମାଣ ଶୈଳୀ ହେବ ଭିନ୍ନ

ସୁପ୍ରିମକୋର୍ଟଙ୍କ ଫଇସଲା ପରେ ଏବେ ଭବ୍ୟ ରାମ ମନ୍ଦିର ନିର୍ମାଣ ଆଗେଇ ଚାଲିଛି । ସେହିପରି କିଛି ଦୂରରେ ନିର୍ମାଣ ହେବାକୁ ଯାଉଛି ଭବ୍ୟ ମସଜିଦ । ଏହି ୨ଟି ଐତିହାସିକ ସ୍ମାରକୀ ଆଗାମୀ ପିଢ଼ିର ଲୋକଙ୍କୁ ଶାନ୍ତି ଓ ପ୍ରେମ ବାଣ୍ଟିବ । ସାଧାରଣତଃ ମନୁଷ୍ୟ ଯେତେବେଳେ କୌଣସି ବିପତ୍ତିର ସମୟ ଦେଇ ବାଟ ଚାଲୁଥାଏ, ସେତେବେଳେ ନିଜର ଧର୍ମକୁ ମନେପକାଇଥାଏ । ଅଯୋଧ୍ୟାର ଧନ୍ନୀପୁର ମସଜିଦ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମାଣ ହେବ । ଯଦି ଲୋକଙ୍କୁ ଫଟୋ ଦେଖି ପଚରାଯିବ, ତାହେଲେ ୧୦୦ରୁ ୯୦ ଜଣ ଏହାକୁ କହିବେ ୫ତାରକା ହୋଟେଲ ଅଥବା ବିମାନବନ୍ଦ, ସପିଂମଲ ଅଥବା ବୁଲିବା ପାଇଁ ଏକ ସ୍ଥାନ । ଅର୍ଥାତ ସାଧାରଣତଃ ମସଜିଦର ଆକାର ଯେଭଳି ହୋଇଥାଏ, ଏହା ସେହିଭଳି ହେବନାହିଁ ।

ଧନ୍ନୀପୁର ମସଜିଦରେ ରହିବ କ’ଣ

-୫ ଏକର ଜମିରେ ନିର୍ମାଣ ହେବ ମସଜିଦ ।
-ସଂଗ୍ରହାଳୟ, ପାଠାଗାର ଓ ବଡ଼ ରୋଷେଇ ଶାଳ ।
-୩୦୦ ଶଯ୍ୟା ବିଶିଷ୍ଠ ଡାକ୍ତରଖାନା
-କୌଣସି ରାଜା ଅଥବା ମସଜିଦର ନାମକରଣ ହେବ ନାହିଁ ।
-୩୫୦୦ ବର୍ଗଫୁଟରେ ନିର୍ମାଣ ହେବ ମସଜିଦ ।
-ବ୍ୟବହାର ହେବ ଶୌରଶକ୍ତି ।
-ଏକକାଳୀନ ୨୦୦୦ ଲୋକଙ୍କ ନମାଜପାଠ ବ୍ୟବସ୍ଥା ।

ଆକଳନ ହୋଇନାହିଁ ଖର୍ଚ୍ଚ କେତେ?

ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ଆର୍କିଟେକ ବିଭାଗର ପ୍ରଫେସର ଏସ୍‌ଏମ୍ ଅଖତର ଭିଡିଓ କନଫରେନସିଂ ଜରିଆରେ ସାମ୍ବାଦିକ ସମ୍ମିଳନୀରେ ମସଜିଦର ଡିଜାଇନ ଜାରି କରିଛନ୍ତି । ଅଖତର କହିଛନ୍ତି, ନୂତନ ମସଜିଦ ବାବରୀ ମସଜିଦ ଠାରୁ ବଡ଼ ହେବ । କିନ୍ତୁ ଏହାରି ଭଳି ନିର୍ମାଣ ହେବ ନାହିଁ । ପୈଗମ୍ବର ୧୪୦୦ ବର୍ଷ ପୂର୍ବରୁ ଶିକ୍ଷା ଦେଇଯାଇଥିଲେ ଯେ, ମାନବ ସେବା ହେଉଛି ମହାନ ସେବ । ମସଜିଦ ନିର୍ମାଣରେ କେତେ ଟଙ୍କା ଖର୍ଚ୍ଚ ହେବ, ତାହା ଏବେ ଠାରୁ ଆକଳନ କରିହେବ ନାହିଁ ।

Share the article

LEAVE A REPLY