ବଣଭୋଜିର ଉତ୍ସାହ ତୁଳନାରେ ସତର୍କତା ଅବଲମ୍ବନ ଅଧିକ ଜରୁରୀ

0
257

ଭୁବନେଶ୍ୱର: ଆଉ ମାତ୍ର ୧୦ ଦିନ ପରେ କ୍ୟାଲେଣ୍ଡର ବର୍ଷ ୨୦୨୦ ଶେଷ ହୋଇଯିବ । ଆରମ୍ଭ ହୋଇଯିବ ୨୦୨୧ ମସିହା । କୋଭିଡ-୧୯ର ପ୍ରଭାବ ୨୦୨୦ ମସିହାର ବର୍ଷତମାମ ଦେଖାଯାଇଥିବାରୁ ଲୋକଙ୍କ ମନରେ ଉତ୍ସାହ କମିଯାଇଥିଲା । ଏବେ ରାଜ୍ୟରେ କରୋନା ଭାଇରସ ମହାମାରୀ ନିୟନ୍ତ୍ରଣରେ ଥିବାରୁ ଯୁବପିଢ଼ି ଉତ୍ସବ ପାଳନ କରୁଛନ୍ତି । ପ୍ରାୟ ଏକ ମାସ ହେବ ବଣଭୋଜିର ସମୟ ଆସିଯାଇଛି । ନଦୀ କୂଳ, ଝରଣାର କୁଳୁକୁଳ ଶବ୍ଦ, ପାହାଡ, ମନ୍ଦିର, ବେଳାଭୂମିର ବାଲିରେ ବଣଭୋଜି ଚାଲିଛି । ବଣଭୋଜି ସ୍ଥଳରେ ଯୁବପିଢ଼ିଙ୍କ ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ପରିବାର କରିଥିବା ଲୋକେ ମଧ୍ୟ ବଣଭୋଜିରେ ଯୋଡ଼ି ହୋଇଯାଉଛନ୍ତି । କିନ୍ତୁ ଆମକୁ ମନେ ରଖିବାକୁ ହେବ ଯେ, ବଣଭୋଜି ଯେତିକି ଗୁରୁତ୍ୱ ନୁହେଁ, ତାଠାରୁ ସଚେତନତା ଅଧିକ ଗୁରୁତ୍ୱପୂର୍ଣ୍ଣ । ଆମେ ବଂଚିଥିଲେ ତ ଜୀବନରେ ଅନେକ ଖୁସି ମୂହୁର୍ତ୍ତ ଓ ଉତ୍ସବ ସହିତ ଜଡ଼ିତ ହୋଇପାରିବା ।

ଆଜିର ଯୁବପିଢ଼ି ଖୁସି ଆଳରେ ସତର୍କତାକୁ ଭୁଲି ଯାଉଛନ୍ତି, ଯେଉଁଥିପାଇଁ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ବଣଭୋଜି ସମୟରେ ଅନେକ ଦୁର୍ଘଟଣା ଘଟୁଥିବା ପରିଲକ୍ଷୀତ ହେଉଛି, ଯେଉଁଥି ପାଇଁ ପ୍ରାଣହାନୀ ଘଟୁଛି । ଡିସେମ୍ବର ୨୦ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ଦେଇ ପ୍ରବାହିତ କୋଏଲ ଓ ବ୍ରହ୍ମଣୀ ନଦିରେ ବୁଡ଼ିଯିବାରୁ ୩ ଜଣ ଛାତ୍ର ଓ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।

କୋଏଲ ନଦୀରେ ବୁଡ଼ିଗଲେ ୩ ଛାତ୍ର

ବିଶ୍ରାର କୋଏଲ ନଦୀର ଜାମସେରା ଘାଟରେ ରବିବାର ବୁଡ଼ିଯାଇଥିଲେ ୩ ଜଣ ଛାତ୍ର । ମୃତକମାନେ ହେଲେ ରାଉରକେଲା ସେକ୍ଟର-୧୮ର ଭୁବେଶ ପ୍ରସାଦ, ଛେଣ୍ଡ କଲୋନୀର ସୁଜନ ଶର୍ମା ଓ ସେକ୍ଟର-୫ର କୌଶିକ ମଲିକ । ଏମାନେ ସମସ୍ତେ ସେକ୍ଟର-୫ସ୍ଥିତ ଦୀପିକା ଇଂରାଜୀ ସ୍କୁଲର ଯୁକ୍ତର ଛାତ୍ର । ଗତକାଲି ଭୁବେଶ ଓ ସୁଜନଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ସକାଳୁ କୌଶିଙ୍କ ମୃତଦେହ ମିଳିଛି ।

ପାଣି ବୋତଲ ଖେଳୁ ଖେଳୁ ପାଣିରେ ପଶିଲେ

ବଣଭୋଜି ପାଇଁ ପ୍ରାୟ ୧୦ ଜଣ ଛାତ୍ର କୋଏଲ ନଦୀର ଜାମସେରା ଘାଟରେ ଦିନ ୧୨ଟାରେ ପହଂଚିଥିଲେ । ଏହା ପରେ ଆରମ୍ଭ ହୋଇଯାଇଥିଲା ପାଣି ବୋତଲ ଫିଙ୍ଗାଫିଙ୍ଗି ଖେଳ । ଖେଳୁ ଖେଳୁ ଗୋଟିଏ ବୋତଲ ପାଣି ଭିତରେ ପଡ଼ିଯିବାରୁ ଏହାକୁ ଧରିବା ପାଇଁ ଜଣେ ଜଣେ ମୋଟ ୪ ଜଣ ନଦୀକୁ ପ୍ରବେଶ କରିଥିଲେ । ଅଳ୍ପ ସମୟ ପରେ ଜଣେ ଉଦ୍ଧାର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ପର୍ଯ୍ୟାୟ କ୍ରମେ ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିଲା ।

ବ୍ରାହ୍ମଣୀର ପଥର ଚେପାରେ ଗୋଡ଼ଲାଗିଲା

ଭାସିଗଲେ ସୁନ୍ଦରଗଡ଼ ଜିଲ୍ଲା ବିରତୋଳି ବ୍ରାହ୍ମଣୀ ନଦୀ ଘାଟରେ ଲହୁଣୀପଡ଼ା କୁଡ଼ାପଡାର ଯୁବକ ମାନସ ରଂଜନ ମହାନ୍ତ ପାଣିରେ ବୁଡିଯାଇଥିଲେ । ତାଙ୍କର ମୃତଦେହ ପାଣିରୁ ଉଦ୍ଧାର କରାଯାଇଥିଲା । ମାନଓ ଗାଁର ଅନ୍ୟ ସାଙ୍ଗମାନଙ୍କ ସହିତ ବଣଭୋଜି କରିବାକୁ ଯାଇଥିଲେ । ଭୋଜି ସମୟରେ ସେ ଗାଧୋଇବାକୁ ନଦୀ ଭିତରକୁ ଯାଇଥିଲେ । ନଦୀର ଜଳରାଶି ସଂପର୍କରେ ସେ ଜାଣି ପାରି ନଥିବାରୁ ତାଙ୍କର ଗୋଡ଼ ଖସିଯାଇଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଜାଖୋଜି ମାନସଙ୍କ କୌଣସି ସନ୍ଧାନ ମିଳି ନଥିଲା । ପରେ ଅଗ୍ନିଶମ ଓ ପୋଲିସ କର୍ମଚାରୀ ପହଂଚି ମାନସଙ୍କ ମୃତଦେହ ଉଦ୍ଧାର କରିଥିଲେ ।

Share the article

LEAVE A REPLY