ସୀମା ଟପିଲା ଦୁର୍ନୀତି, ଦିନକରେ ଭିଜିଲାନ୍ସ ଜାଲରେ ୩ ସରକାରୀ କର୍ମଚାରୀ

0
437

ଭୁବନେଶ୍ୱର: ରାଜ୍ୟର ନିମ୍ନ କର୍ମଚାରୀଙ୍କ ଠାରୁ ବଡ଼ ଅଧିକାରୀଙ୍କ ପର୍ଯ୍ୟନ୍ତ ଦୁର୍ନୀତିରେ ବୁଡ଼ି ରହୁଛନ୍ତି । ଅଧିକାଂଶ ସରକାରୀ ଚାକିରିଆ ନିଜର କର୍ତ୍ତବ୍ୟକୁ ଅବହେଳା କରୁଥିବା ଦୃଷ୍ଟିଗୋଚର ହେଉଛି । ନିଜର କର୍ତ୍ତବ୍ୟକୁ ଭୁଲିଯାଇ ବହ୍ୟ କାମରେ ଅଧିକ ମୁଣ୍ଡ ପୁରାଉଛନ୍ତି । ବେଆଇନ ଭାବେ ସଂପତ୍ତି ବଢ଼ାଇବାରେ ବ୍ୟସ୍ତ ରହୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ଯୋଗାଯୋଗ, ପଂଚାୟତରାଜ, ପୋଲିସ, ବନବିଭାଗ, ରାଜସ୍ୱ ଆଦି ପ୍ରତ୍ୟେକ ବିଭାଗରେ ଦୁର୍ନୀତିର ଚେର ଶକ୍ତ ହେଉଛି । ରାଜ୍ୟରେ ଦୁର୍ନୀତିର ସୀମା ଟପିଛି । ଆଜି ଗୋଟିଏ ଦିନରେ ୩ ଜଣ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଯିବା ଏହାର ଜ୍ୱଳନ୍ତ ଉଦାହରଣ । ବ୍ରହ୍ମପୁରରେ ଅଙ୍ଗନବାଡ଼ି କର୍ମୀ, ଭୁବନେଶ୍ୱରରେ ବରିଷ୍ଠ କିରାଣୀ ଓ ରାଉରକେଲାରେ ଜଣେ ଅଧକାରୀଙ୍କ ଘରେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଅତର୍କିତ ଚଢ଼ାଉ କରିଛନ୍ତି ।

ଆୟ ତୁଳନାରେ ସଂପତ୍ତି ଅଧିକ

ରାଜ୍ୟରେ ରୋଜଗାରର ଘୋର ସଂକଟ ରହିଛି । କଳକାରଖାନା ନଥିବାରୁ କାମଧନ୍ଦା ମିଳିପାରୁ ନାହିଁ । ଚାଷୀ ପାଇଁ ଉପଯୁକ୍ତ ଭିତ୍ତିଭୂମିର ଅଭାବ । ଫଳରେ ଲୋକେ ବାହାର ରାଜ୍ୟରେ ଗୋତି ଶ୍ରମିକ ଓ ଦିନମଜୁରିଆ ଭାବେ କାମ କରି ପେଟ ପୋଷୁଛନ୍ତି । ଯେଉଁ ରାଜ୍ୟର ଜନତା ଦୁଇବେଳା ମୁଠାଏ ଭଲ ଖାଇବାକୁ ପାଆନ୍ତି ନାହିଁ, ସେହି ରାଜ୍ୟରେ ସରକାରୀ କର୍ମଚାରୀମାନେ ରାଜସ୍ୱ ଲୁଟିବାରେ ବ୍ୟସ୍ତ । ରାଜ୍ୟରେ ଏଭଳି ଅନେକ ସରକାରୀ କର୍ମଚାରୀ ଅଛନ୍ତି, ଯେଉଁମାନଙ୍କ ନାଁରେ ଏକାଧିକ ଫ୍ଲାଟ, ଘଟ, ଜମି, ଯାନବାହାନ ରହିଛି । କେବଳ ସେତିକି ନୁହେଁ, ବ୍ୟାଙ୍କ ବାଲାନ୍ସ, ବୀମା, ବିଳାସମୟ ଜୀବନଯାପନ ଶୈଳୀ ମଧ୍ୟ ସ୍ୱତନ୍ତ୍ର ଭାବେ ରହିଛି । ମୋଟାମୋଟି ଭାବେ କହିବାକୁ ଗଲେ ସରକାରୀ ରାଜସ୍ୱ ହେଉ ଅଥବା ଲୋକଙ୍କୁ ଠାରୁ ଲାଞ୍ଚ ନେଇ ଅନେକ ସରକାରୀ କର୍ମଚାରୀ ବିଳାଶମୟ ଜୀବନଯାପନ କରିବାକୁ ଭଲ ପାଉଛନ୍ତି ।

ଅଙ୍ଗନବାଡ଼ି ଦିଦିଙ୍କ ଭୁବନେଶ୍ୱରରେ ୨ ଆପାର୍ଟମେଣ୍ଟ

ବ୍ରହ୍ମପୁର ସହରର ଜଣେ ଅଙ୍ଗନବାଡ଼ି ଦିଦି ନମିତା ଦଳାଇଙ୍କର ୨ଟି ଆପାର୍ଟମେଣ୍ଟ ରହିଛି ଅଙ୍ଗନବାଡ଼ିରେ । ଭୁବନେଶ୍ୱର ଭଳି ମହାନଗରରେ ୨ଟି ଆପାର୍ଟମେଣ୍ଟର ମାଲିକ ହେବାକୁ ହେଲେ ଅତିକମରେ କୋଟିଏ ଟଙ୍କା ଦରକାର । ବ୍ରହ୍ମପୁର ମହାନଗର ନିଗମର ୯ ନମ୍ବର ୱାର୍ଡର ଅଙ୍ଗନବାଡ଼ି କର୍ମୀ ନମିତାଙ୍କ ବ୍ରହ୍ମପୁରର ଲକ୍ଷ୍ମୀନୃସିଂହ ନଗରରେ ୨ଟି ବାସଭବନ ଓ ଗଣେଶ ନଗରରେ ମଧ୍ୟ ଘର ଅଛି । ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସକୁ ଏହି ସୂଚନା ମିଳିଛି ।

ଜିଏସଟି ଠକଙ୍କ ଗୁରୁ ଧରାପଡ଼ିଲେ?

ବିଗତ ୧ ମାସରେ ଇସ୍ପାନ ନଗରୀରେ ଅନେକ ଜିଏସଟି ଠକ ବନ୍ଧା ହୋଇଯାଇଛନ୍ତି । ରାଉରକେଲାରେ କୋଟି କୋଟି ଟଙ୍କାର ଜିଏସଟି ଠକ ଅଛନ୍ତି । ତେବେ ଜିଏସଟି ଠକମାନେ ଯେଉଁ କର୍ମଚାରୀଙ୍କ ସହାୟତାରେ ଠକେଇ କାମ କରୁଥିଲେ, ସେମାନଙ୍କ ମଧ୍ୟରୁ ଜଣେ ସହକାରୀ ବାଣିଜ୍ୟ କର ଏବଂ ଜିଏସଟି ଅଧିକାରୀ ଅଲେଖ ମହାନନ୍ଦ ଧରାପଡ଼ିଛନ୍ତି । ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଆଜି ସକାଳୁ ସକାଳୁ ଅଲେଖ ମହନନ୍ଦଙ୍କ ଘରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ । ଏଥି ସହିତ ଛେଣ୍ଡସ୍ଥିତ ଫେଜ-୧ ଏଲ୍ ବାସଭବନ ସହ କାର୍ଯ୍ୟାଳୟ, ନିଜ ଗାଁ ଓ ଶଶୁରଙ୍କ ଘର ଉପରେ ଚଢ଼ାଉ କରାଯାଇଛି । ଅଲେଖଙ୍କ ସଂପତ୍ତି ଆକଳନ ହୋଇ ନଥିଲେ ବି ସେ ମଧ୍ୟ ଜଣେ କୋଟିପତି ବୋଲି କୁହାଯାଉଛି ।

ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭୁବନେଶ୍ୱର ଅର୍‌ବି ଡିଭିଜନ-୧ରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଅସିତ କୁମାର ନାୟକଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ ହୋଇଛି । ଭିଜିଲାନ୍ସ ବିଭାଗ ଅସିତଙ୍କ ଡୁମଡୁମାସ୍ଥିତ ୧୭୮ ଫେଜ-୪, ଜଟଣୀର ପ୍ରଧାନସାହିସ୍ଥିତ ଡୁପ୍ଲେକ୍ସ କଲୋନୀ, ବ୍ରହ୍ମପୁର ଗୋଲନ୍ଥରାସ୍ଥିତ କଇଠାପାଲି ଓ ତାଙ୍କର କାର୍ଯ୍ୟାଳୟର ଭିଜିଲାନ୍ସ ସର୍ଚ୍ଚ କରିଛି । ଚଢ଼ାଉ ସମୟରେ ୧ ଲକ୍ଷ ୬୨ ହଜାର ୬୦୫ଟଙ୍କା ଜବତ ହୋଇଛି ।

Share the article

LEAVE A REPLY