ଗୁଣୁପୁର-ସୁବର୍ଣ୍ଣପୁରରେ ଭିଜିଲାନ୍ସ ଜାଲରେ ଛନ୍ଦିହେଲେ ୨ ଚାକିରିଆ

0
259

ଭୁବନେଶ୍ୱର: ଚଳିତ ବର୍ଷ ଶେଷ ହେବାକୁ ଆଉ ଏକ ସପ୍ତାହ ବାକି ଅଛି । କିନ୍ତୁ ଏହାରି ମଧ୍ୟରେ ଶତାଧିକ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇସାରିଛନ୍ତି । ଭିଜିଲାନ୍ସର ଜାଲରେ ପିଅନ ଠାରୁ ଆରମ୍ଭ କରି ଅଧିକାରୀ ପର୍ଯ୍ୟନ୍ତ ଫସିଛନ୍ତି । କେବଳ ୨୦୨୦ ଡିସେମ୍ବର ମାସରେ ୨୪ ଦିନ ଭିତରେ ୨୦ରୁ ଅଧିକ ସରକାରୀ କର୍ମଚାରୀ ଦୁର୍ନୀତି ନିବାରଣ ସଂସ୍ଥାର ଜାଲ ଭିତରେ ପଡ଼ିସାରିଛନ୍ତି । ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ, ରାଜ୍ୟ ସରକାରୀ କର୍ମଚାରୀମାନେ କେତେ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ରଖି କାମ କରୁଛନ୍ତି । ରାଜ୍ୟରେ ଗୋଟିଏ ଦିନରେ ଏକାଧିକ ସରକାରୀ କର୍ମଚାରୀମାନେ ଭିଜିଲାନ୍ସ ହାତରେ ଧରାପଡୁଥିବା ନଜର ରହୁଛି । ଦିନକ ପୂର୍ବରୁ ବ୍ରହ୍ମପୁରରେ ଅଙ୍ଗନବାଡ଼ି କର୍ମୀ, ଭୁବନେଶ୍ୱରରେ ବରିଷ୍ଠ କିରାଣୀ ଓ ରାଉରକେଲାରେ ଜଣେ ଅଧକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ବେଳେ ଆଜି ରାୟଗଡ଼ା ରାସ୍ତା ଓ କୋଠାବାଡ଼ି ବିଭାଗରେ କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଚେରୁପାଲି ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସମାନ ଦଶା ଭୋଗିଛନ୍ତି ।

ଇଓ ଏବଂ ପିଇଓଙ୍କ ଘରେ ଚଢ଼ାଉ

ଆୟ ବର୍ହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ମେହେର ଓ ରାୟଗଡ଼ା ଜିଲ୍ଲା ଗୁଣୁପୁର ରାସ୍ତା ଓ କୋଠାବାଡ଼ି ବିଭାଗର ସହକାରୀ ନିର୍ମାହୀ ଯନ୍ତ୍ରୀ ଉଦ୍ଧବ ପାଢ଼ୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ୫ଟି ଟି ଶ୍ରୀ ପାଢ଼ୀଙ୍କ ବ୍ରହ୍ମପୁର, ଧରାକୋଟ, ପୁରୀ ଠିକଣାରେ ଚଢ଼ାଉ ଜାରି ରଖିଛନ୍ତି । ସେହିପରି ବଲାଙ୍ଗୀର, ସମ୍ବଲପୁର ଓ ସୋନପୁର ଭିଜିଲାନ୍ସ ଶାଖା ତରଫରୁ ଶ୍ରୀ ମେହେରଙ୍କ ସୋନପୁରସ୍ଥିତ ବାସଭବନ ଓ ଚେରୁପାଲି କାର୍ଯ୍ୟାଳୟରେ ଚଢ଼ାଉ କରିଛନ୍ତି । ଏହି ଉଭୟ ଅଧିକାରୀଙ୍କ ସଂପତ୍ତି କେତେ ଆକଳନ ପରେ ଜଣାପଡ଼ିବ ।

ଚଳିତ ମାସରେ ଏମାନେ ଥିଲେ ଭିଜିଲାନ୍ସ ଟାର୍ଗେଟରେ

-ଡିସେମ୍ବର ୨୩: ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ହାଟସାହି ଗ୍ରାମର ଅଙ୍ଗନବାଡ଼ି ଦିଦି ପ୍ରଭାତି ମିଶ୍ର ।
-ଡିସେମ୍ବର ୨୨: ବଲାଙ୍ଗୀର ସ୍ପେଶାଲ ଟାଉନ ପ୍ଲାନିଂ କାର୍ଯ୍ୟାଳୟର ଟ୍ରେସର ଜୀବଦୀଶ ପାତ୍ର ।
-ଖୋର୍ଦ୍ଧା ପୌର ପରିଷଦର ଟାକ୍ସ ସଂଗ୍ରହକାରୀ ସଦାଶିବ ସ୍ୱାଇଁ ।
-ଡିସେମ୍ବର ୧୭: ନବରଂଗପୁର ଜିଲ୍ଲା ସମନ୍ୱିତ ଉନ୍ନୟନ ସଂସ୍ଥାର ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମାଝି ।
-ଡିସେମ୍ବର ୧୬: ବରଗଡ଼ ଜିଲ୍ଲା ବରପାଲି ବ୍ଲକର ତିଲେଇମାଳ ସ୍କୁଲର ଶିକ୍ଷକ ପ୍ରମୋଦ ପାଣିଗ୍ରାହୀ ।
-ଡିସେମ୍ବର ୧୬: ସୋନପୁର ସହକାରୀ ନିବନ୍ଧକ ସମବାୟ ସମିତି ସମୂହର କାର୍ଯ୍ୟାଳୟର ଆଶିଷ ରାଉତ ।
-ଡିସେମ୍ବର ୧୫: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଏସ୍ ରାଉତପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦୁଷ୍ମନ୍ତ ନାୟକ ।
-ଡିସେମ୍ବର ୧୫: ସୁନ୍ଦରଗଡ଼ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନ ।
-ଡିସେମ୍ବର ୯: ପୁରୀ ଜିଲ୍ଲା ପିପିଲି ପ୍ରାଣୀ ଚିକିତ୍ସାଳୟର ପଶୁଚିକିତ୍ସକ ସୁରେଶ ଚନ୍ଦ୍ର ବେହେରା ।
-ଡିସେମ୍ବର ୯: ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକର ଦହିତା ପଂଚାୟତ ନିର୍ବାହୀ ଅଧିକାରୀ ପୁରନ୍ଦର ସାହୁ ।
-ଡିସେମ୍ବର ୩: କଳାହାଣ୍ଡି ଜିଲ୍ଲା କୋକସରା ସିଡିପିଓ ଜୟନ୍ତୀ ମହାନ୍ତି ।
-ଡିସେମ୍ବର ୩: ଜଳେଶ୍ୱର ଥାନାର ପୂର୍ବତନ ଆଇଆଇସି ଧନେଶ୍ୱର ସାହୁ ।
-ଡିସେମ୍ବର ୩: ବଲାଙ୍ଗୀର ଜିଲ୍ଲା ମୁରୀବାହାଲ ବନ ବିଭାଗର ରେଞ୍ଜର
-ଡିସେମ୍ବର୨: ଜଗତସିଂହପୁର ଜିଲ୍ଲା ପଂଚାୟତ କାର୍ଯ୍ୟାଳୟର ଅଧିକାରୀ ସଂଯୁକ୍ତ ଦାଶ ।

ଶକ୍ତ ହେଉଛି ଦୁର୍ନୀତିର ଚେର

ଅଧିକାଂଶ ସରକାରୀ ଚାକିରିଆ ନିଜର କର୍ତ୍ତବ୍ୟକୁ ଅବହେଳା କରୁଥିବା ଦୃଷ୍ଟିଗୋଚର ହେଉଛି । ନିଜର କର୍ତ୍ତବ୍ୟକୁ ଭୁଲିଯାଇ ବହ୍ୟ କାମରେ ଅଧିକ ମୁଣ୍ଡ ପୁରାଉଛନ୍ତି । ବେଆଇନ ଭାବେ ସଂପତ୍ତି ବଢ଼ାଇବାରେ ବ୍ୟସ୍ତ ରହୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ଯୋଗାଯୋଗ, ପଂଚାୟତରାଜ, ପୋଲିସ, ବନବିଭାଗ, ରାଜସ୍ୱ ଆଦି ପ୍ରତ୍ୟେକ ବିଭାଗରେ ଦୁର୍ନୀତିର ଚେର ଶକ୍ତ ହେଉଛି ।

Share the article

LEAVE A REPLY