ଆଉ ଏକ ସମ୍ଭାବନା: ଶିଳାନ୍ୟାସ ହେଲା ଆଇଆଇଏମ୍‌-ସମ୍ବଲପୁରର ସ୍ଥାୟୀ ପରିସର

0
300

ଭୁବନେଶ୍ୱର: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍‌) ସମ୍ବଲପୁରର ସ୍ଥାୟୀ ପରିସରକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଳାନ୍ୟାସ କରିଛନ୍ତି । ବହୁ ପ୍ରତିକ୍ଷୀତ ଏହି ବୃହତ୍ତ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନର ଶିଳାନ୍ୟାସ ହେବା ପରେ ସମ୍ବଲପୁର ସମତେ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଆଉ ଏକ ବଡ଼ ସମ୍ଭାବନା ସୃଷ୍ଟି ହୋଇପାରିଛି । ଏଠାରେ ଆଇଆଇଏମ ଏକ ଅନ୍ତର୍ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ଭାବେ ଗଢ଼ିତୋଲିବ । ଭବିଷ୍ୟରେ ମ୍ୟାନଜେମଣ୍ଟ ଶିକ୍ଷାର ମାଇଲଖୁଣ୍ଟ ଭାବେ ପରିଚୟ ହାସଲ କରିବ । ବିଦେଶୀ ଛାତ୍ରଛାତ୍ରୀ ମଧ୍ୟ ଏଠାକୁ ପାଠ ପଢ଼ିବାକୁ ଆସିବାର ଆଶଙ୍କା ରହିଛି । ମହାନ ଶିକ୍ଷାନୁଷ୍ଠାନର ସ୍ଥାୟୀ ପରିସର ଯେତେବେଳେ ଛିଡ଼ା ହେବ, ଏହି ଅଂଚଳର ଲୋକଙ୍କୁ ଛୋଟ ବଡ଼ ବ୍ୟବସାୟ କରିବା ସହ ନିଜ ଜୀବନଶୈଳୀକୁ ମଧ୍ୟ ପରିବର୍ତ୍ତନ କରିପାରିବେ । ବୁର୍ଲା ଓ ଗୋଶାଳା ଠାରୁ କମ ଦୂରରେ ଆଇଆଇଏମ ସମ୍ବଲପୁରର ସ୍ଥାୟୀ ପରିସର ନିର୍ମାଣ ହେଉଥିବାରୁ ଏଠାରେ ନୂତନ ଟାଉନସିପ ମଧ୍ୟ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ମୋଟାମୋଟି ଭାବେ କହିବାକୁ ଗଲେ ଏହା ରାଜ୍ୟର ଶିକ୍ଷା ଓ ବ୍ୟବସାୟର ଅନ୍ୟ କେନ୍ଦ୍ର ଭାବେ ଗଣତି ହୋଇପାରିବ ।

ଆଇଆଇଏମ-ଏସ୍ ନିଜେ ନିଜେ ପରୀକ୍ଷାଗାର

ଭର୍ଚ୍ୟୁଆଲ ମାଧ୍ୟମରେ ଆଇଆଇଏମ୍‌-ସମ୍ବଲପୁରର ସ୍ଥାୟୀ ପରିସର ପାଇଁ ଶିଳାନ୍ୟାାସ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ନୂତନ ଦଶନ୍ଧିରେ ବ୍ରାଣ୍ଡ ଇଣ୍ଡିଆକୁ ନୂତନ ପରିଚୟ ଦେବାର ଆବଶ୍ୟକତା ରହିଛି । ଯୁବଗୋଷ୍ଠୀଙ୍କୁ ନିଜର କ୍ୟାରିୟରକୁ ନୂଆଁ ସମ୍ଭାବନା ସହିତ ଯୋଡ଼ିବା ଦରକାର ବୋଲି ସେ ପରାମର୍ଶ ଦେଇଛନ୍ତି । ସମ୍ବଲପୁର ଆଇଆଇଏମ ନିଜେ ନିଜେ ଏକ ପରୀକ୍ଷାଗାର । ଏହି ସ୍ଥାୟୀ ପରିସର ଓଡ଼ିଶାର ମହାନ ସଂସ୍କୃତି ଓ ସମ୍ଭାବନାକୁ ଏବେ ମ୍ୟାନେଜମେଣ୍ଟ ଦୁନିଆରେ ଏଭ ନୂଆ ପରିଚୟ ଦେବାକୁ ଯାଉଛି । ଆଇଆଇଏମ୍ ସ୍ଥାନୀୟ ଓ ଗ୍ଲୋବାଲ ଉତ୍ପା ମଧ୍ୟରେ ସେତୁ ଭଳି କାମ କରିବ । ଟେକ୍ନୋଲୋଜୀ ଆଜି ସବୁ ଭୌଗଳିକ ସମସ୍ୟାକୁ ଦୂର କରିପାରିଛି ।

ସମ୍ବଲପୁରୀ ବସ୍ତ୍ରାଳୟର ଚାହିଦା ବଢ଼ିଛି

ଅଭିଭାଷଣ ପୂର୍ବରୁ ମୋଦୀ ପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସମଲେଶ୍ୱରୀଙ୍କୁ ପ୍ରଣାମ କରିଛନ୍ତି । ସମ୍ବଲପୁର ବସ୍ତ୍ରାଳୟ ପୂରା ଦେଶ-ବିଦେଶରେ ଲୋକପ୍ରିୟତା ହାସଲ କରିଛି । ଦେଶକୁ ନୂତନ ସମ୍ଭାବନା ଲାଗି ପ୍ରସ୍ତୁତ ରହିବାର ଅଛି । ଓଡ଼ିଶାବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇ କହିଛନ୍ତି, କୋଭିଡ ସଂକଟ ସମୟରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ମଳିଛି । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ସଫଳତା ମିଳିଛି । ସମ୍ବଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ହେବା ଦ୍ୱାରା ଶିକ୍ଷାର ହବ ହେବ । କାରଣ ସମ୍ବଲପୁରରେ ସବୁ କିଛି ଅଛି । ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ବିକାଶ କରାଯାଇପାରିବ । ଏଥି ସହିତ ମୋଦୀ ହୀରାକୁଦର ଗୌରବ ଓ ବୀର ସୁରେନ୍ଦ୍ର ସାଏଙ୍କୁ ମନେ ପକାଇଛନ୍ତି । ପ୍ରଧାନମନ୍ତ୍ରୀ ନିଜର ସମ୍ବୋଧନରେ କହିଛନ୍ତି ଯେ, ବର୍ଷ ୨୦୧୩ରେ ଦେଶରେ ୧୩ଟି ଆଇଆଇଏମ ଥିଲା । କିନ୍ତୁ ଏବେ ୨୦ଟିରେ ପହଂଚିଛି ।

ଶିଳାନ୍ୟାସ ଉତ୍ସବରେ ଅତିଥି

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ, ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ, ଆଇଆଇଏମ ସମ୍ବଲପୁର ଅଧ୍ୟକ୍ଷ, ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ, ଅଧ୍ୟାପକ, ପ୍ରଫେସର, କର୍ମଚାରୀ, ଛାତ୍ରଛାତ୍ରୀ, ଆଲମୁନୀ ଇତ୍ୟାଦି ଉପସ୍ଥିତ ଥିଲେ ।

୨୦୦ ଏକର ଜମି, ୪୦୦ କୋଟି ଅନୁଦାନ

ସମ୍ବଲପୁରରେ ଆଇଆଇଏମ୍ ୨୦୧୫ ମସିହାରେ ଆରମ୍ଭ ହୋଇଛି । ସେହି ଦିନଠାରୁ ଏପର୍ଯ୍ୟନ୍ତ ଏହି ଶିକ୍ଷାନୁଷ୍ଠାନ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଅସ୍ଥାୟୀ ଭାବେ ପରିଚାଳିତ ହେଉଛି । ବୁର୍ଲା ନିକଟ ବସନ୍ତପୁରରେ ଶିଳାନ୍ୟାସ ହୋଇଥିବା ସ୍ଥାୟୀ ପରିସରର ନିର୍ମାଣ କାମ ୨୦୨୨ ସୁଦ୍ଧ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ନିର୍ମାଣ ପାଇଁ ରାଜ୍ୟ ସରକାର ୨୦୦ ଏକର ଜମି ଯୋଗାଇ ଦେଇଥିବା ବେଳେ କେନ୍ଦ୍ର ୪୦୦ କୋଟି ଟଙ୍କାର ଅନୁଦାନ ଦେଇଛି ।

Share the article

LEAVE A REPLY