ବଣଭୋଜିରେ ଖୁସି: ଅସାବଧାନତା ଲାଗି ମୃତ୍ୟୁ

0
281

ଭୁବନେଶ୍ବର: ବର୍ଷ ୨୦୨୧ ଆରମ୍ଭ ହୋଇଯିବା ସହିତ ରାଜ୍ୟର ଚାରିଆଡେ ବଣଭୋଜିର ଆସର ଦେଖିବାକୁ ମିଳିଛୁ। କରୋନା କଟକଣା ଯୋଗୁଁ ଲୋକେ ପ୍ରାୟ ୯ ମାସ ପର୍ଯ୍ୟନ୍ତ ଘରୁ ବାହାରି ପାରି ନଥିବାରୁ ଏବେ ବାହାରକୁ ଯାଇ ମଜାମସ୍ତି କରିବାରେ ବ୍ୟସ୍ତ ‌ହୋଇପଡ଼ିଛନ୍ତି। ଗତ ବର୍ଷ ନଭେମ୍ବର ଓ ଡିସେମ୍ବର ମାସରେ ବଣଭୋଜି ଯେଭଳି ହେବାର କଥା ହୋଇପାରି ନଥିଲା। ଚାରିଆଡେ କଟକଣା ଓ ମନରେ ଭୟ ଥିବାରୁ ଲୋକେ ବାହାରକୁ ଯିବା ପାଇଁ ସୁରକ୍ଷିତ ମନେ କରୁ ନଥିଲେ। କିନ୍ତୁ ରାଜ୍ୟରେ କ୍ରମାଗତ ଭାବେ କରୋନାର ସ୍ଥିତିରେ ସୁଧାର ଆସୁଥିବାରୁ ଏବେ ବଣଭୋଜି ସ୍ଥଳରେ ଲୋକଙ୍କର ଭିଡ ଲାଗୁଛି। 


ପାଣିରେ ବୁଡ଼ି ମୃତ

ବଣଭୋଜି ଜୀବନରେ ଏକ ଖୁସି ମୂହୁର୍ତ୍ତ ଆଣିଦେଇଥାଏ। କିନ୍ତୁ ସତର୍କ ନରହିଲେ ଜୀବନ ମଧ୍ୟ ଚାଲିଯାଇଥାଏ। ନୂଆବର୍ଷ ୩ ଦିନ ଯାଇଛି। ଏହାରି ମଧ୍ୟରେ ରାଜ୍ୟରେ ବଣଭୋଜିସ୍ଥଳୀରେ ୩ ଜଣଙ୍କ ଜୀବନ ଦୀପ ମଧ୍ୟ ଲିଭିସାରିଛି। ମୃତ୍ୟୁର ମୂଳ କାରଣ ହେଉଛି ଅସାବଧାନତା। ବଣଭୋଜି ପାଳନ କରିବା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଧୀନ ସେଲେଡି ଗାଁରେ ଜଣେ ୨୨ ବର୍ଷୀୟ କଲେଜ ଛାତ୍ର, ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ଥାନା ଅନ୍ତର୍ଗତ ଘୋଘର ନାଳରେ ଜଣେ ଯୁବତୀ ଓ ବୌଦ୍ଧ ଜିଲ୍ଲାରେ ଜଣେ ଶିଶୁ ପାଣି‌ରେ ବୁଡ଼ି ଯାଇ ଜୀବନ ହାରିଛନ୍ତି।


ସେଲଫି ନେଲା ଜୀବନ

ସୁନ୍ଦରଗଡ଼ ଜିଲ୍ଲାର ଘୋଘର ନାଳରେ ବର୍ଷର ପ୍ରଥମ ରବିବାର ଅବସରରେ ରାଜଗାଙ୍ଗପୁର ନିବାସୀ ଅନୁପମା ପ୍ରଜାପତି ନିଜର ପରିବାର ଲୋକଙ୍କ ସହିତ ବଣଭୋଜି କରିବାକୁ ଯାଇଥିଲେ। ରୋଷେଇ ଚାଲିଥିବା ବେଳେ ସେ ସାଙ୍ଗମାନଙ୍କ ସହିତ ଘୋଘରର ନାଳ ଉପରେ ଥିବା ପଥର ଚଟାଣ ଉପରେ ସେଲଫି ନେଉଥିଲେ। ଦୁଃଖର ବିଷୟ ହେଲା ଯେ, ସେ ନିଜର ଅସାବଧାନତା ଯୋଗୁଁ ପାଣିରେ ଖସି ପଡ଼ିଥିଲେ। ନାଳ ଛୋଟ ହୋଇଥିଲେ ବି ଜଳର ସ୍ରୋତ ଏଠାରେ ପ୍ରଖର। ଫଳରେ ଅନୁପମାକୁ ପାଣିର ସ୍ରୋତ କେଉଁଆଡେ ନେଇଗଲା  ଅଗ୍ନିଶମ ବାହିନୀ ‌ପୋଲିସ ଓ ଧୀବରମାନେ  ବହୁ ସମୟ ଧରି ଖୋଜାଖୋଜି କରି ମଧ୍ୟ ପାଇ ନଥିଲେ। 

ବୌଦ୍ଧ ଜିଲ୍ଲା ହରଭଙ୍ଗା ନିକଟ କୁମ୍ଭୀଝର ଜଳ ପ୍ରପାତରେ ସେଲ୍ଫି ନେଲା ବେଳେ ଜଣେ ୧୬ ବର୍ଷର ବାଳକ ଜ୍ୟୋତିଷମାନ ନାଏକ ପାଣିରେ ପଡ଼ିଯିବାରୁ ମୃତ୍ୟୁ ହୋଇଛି। କନ୍ଧମାଳ ଜିଲ୍ଲା ଟିକାବାଲିର ଜ୍ୟୋତିଷ ବାପା-ମା-ଭଉଣୀ ଏବଂ ସମ୍ପର୍କୀୟଙ୍କ ସହିତ ମିଶି ନୂଆଁବର୍ଷରେ ବଣଭୋଜି କରିବାକୁ ଆସିଥିଲେ। ବଣଭୋଜି ସ୍ଥଳରେ ପରିବାର ଓ ସମ୍ପର୍କୀୟ ମାନେ ରନ୍ଧାବଢା ଓ ଗପସପରେ ବ୍ୟସ୍ତଥିବା ବେଳେ ଜ୍ୟୋତିଷ ମୋବାଇଲରେ ସେଲ୍ଫି ନେଉଥିଲେ। ଏହି ସମୟରେ ସେ ଅସାବଧାନତା ଯୋଗୁଁ ଖସିପଡ଼ିଥିଲେ। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଜ୍ୟୋତିଷଙ୍କୁ ପାଣି ଭିତରୁ ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲା। କିନ୍ତୁ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା। 

ପହଁରି ନଜାଣି ମହାନଦୀକୁ ପଶିଲେ, ବୁଲିଗଲେ

ବର୍ଷ ୨୦୨୧ର ପ୍ରଥମ ଦିନ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସେଲେଡି ନିକଟ ଦେଇ ପ୍ରବାହିତ ହେଉଥିବା ମହାନଦୀ କୂଳରେ ଭୋଜିର ଆସର ଚାଲିଥିଲା। ଭୋଜିରେ ପରିବାର ଲୋକଙ୍କ ସହିତ ସାମିଲ ଥିଲେ।  ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନ ବିଷୟର ଛାତ୍ର ଅନ୍ବେଷ ପ୍ରଧାନ। ରୋଷେଇ ଚାଲିଥିବା ବେଳେ ଅନ୍ବେଷ ସାଙ୍ଗମାନଙ୍କ ସହିତ ମହାନଦୀକୁ ପ୍ରବେଶ କରିଥିଲେ। କିନ୍ତୁ ସେ ଅଳ୍ପ ସମୟ ପରେ ବୁଡ଼ିଯାଇଥିଲେ। ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଦମକଳ ବାହିନୀ ଦ୍ବାରା ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସୋନପୁର ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରଖାନାରେ ଅନ୍ବେଷଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। 

Share the article

LEAVE A REPLY