ରାତି ଅଧରେ ଡାକ୍ତରଖାନାରେ ନିଆଁ, ୧୦ ନବଜାତ ମୃତ

0
650

ଭୁବନେଶ୍ୱର: ଡାକ୍ତରଖାନାରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାରେ ଡାକ୍ତରଖାନାର ସିକ ନ୍ୟୁବର୍ଣ୍ଣ କେୟାର ୟୁନିଟ (ଏସ୍‌ଏସ୍‌ସିୟୁ)ରେ ଶୁକ୍ରବାର ଓ ଶନିବାର ରାତି ପ୍ରାୟ ୨ଟାରେ ହୋଇଥିବା ଅଗ୍ନିକାଣ୍ଡରେ ୧୦ ଜଣ ନବଜାତଙ୍କ ମୃତ୍ୟୁ ହୋଇଛି । ଖୁସିର କଥା ହେଲା ଯେ, ୭ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇପାରିଛି । ଉଦ୍ଧାର ଶିଶୁମାନଙ୍କ ଚିକିତ୍ସା ଜାରି ରହିଛି । ନିଆଁ ଯେଉଁ ସମୟରେ ଲାଗିଲା, ସେହି ସମୟରେ ଡାକ୍ତରଖାନା ପରିସର ଶାନ୍ତ ଥିଲା । ନିଷ୍ପାପ ଶିଶୁମାନେ ଶୋଇଥିଲେ । କିଛି ଅଭିଭାବକ ଶୋଇଥିବା ବେଳେ କାଁ ଭାଁ ଡାକ୍ତରଖାନା କର୍ମଚାରୀ ଚେଇଁ ଥିଲେ ।

ନିଆଁ ଲାଗିବା କ୍ଷଣି ଏସ୍‌ଏନ୍‌ସିୟୁରେ କଳା ଧୂଆ ଭର୍ତ୍ତି ହୋଇଯାଇଥିଲା । ଭିତରେ ଆଉ କିଛି ଦେଖାଯାଉ ନଥିଲା । ବଡ଼ ମଣିଷମାନେ ମଧ୍ୟ ନିଃଶ୍ୱାସ ନେଇପାରୁ ନଥିଲେ । ଛୋଟ ଶିଶୁମାନେ କଳା ପଡ଼ିଯାଇଥିଲେ । ଶିଶୁମାନେ ଅଣନିଃଶ୍ୱାସୀ ହୋଇ ମୃତ୍ୟୁ ମୁଖରେ ପଡ଼ିଥିବା ଅନୁମାନ କରାଯାଉଛି । ଏସ୍‌ଏନ୍‌ସିୟୁରେ ନିଆଁ ଲାଗିବା କ୍ଷଣି ସମସ୍ତେ ସ୍ତବ୍ଧ ପାଲଟି ଯାଇଥିଲେ । ଯେଉଁମାନେ ପ୍ରଥମେ ନିଆଁକୁ ଦେଖିଲେ, ସେମାନଙ୍କର ମୁଣ୍ଡ କାମ କରୁ ନଥିଲା । ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । କିନ୍ତୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳକୁ ପହଂଚିବା ପୂର୍ବରୁ ୧୦ଟି ମୂଲ୍ୟବାନ ଶିଶୁଙ୍କର ଜୀବନ ଦୀପ ଲିଭି ସାରିଥିଲା ।

ଝୁରି ହେଉଛି ପରିବାର

ଅଳ୍ପ ସମୟ ମଧ୍ୟରେ ଅଭିଭାବକମାନେ ନିଜର ୧୦ ଶିଶୁଙ୍କୁ ହରାଇଲେ । ଏକ ଅସ୍ୱାଭାବିକ ମୃତ୍ୟୁ ଲାଗି ପରିବାର ଲୋକଙ୍କ କାନ୍ଦରେ ଚାରିଆଡେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଥିଲା । କାହାରି ମୁହଁରୁ କଥା ବାହାରୁ ନଥିଲା । ରାତି ପାହି ଯାଇଥିଲେ ଏମାନଙ୍କ ମଧ୍ୟରୁ କିଛି ଶିଶୁ ଘରକୁ ଯାଇଥାନ୍ତେ । ଜେଜେବାପା, ଜେଜେମା ଓ ଅନ୍ୟ ସଂପର୍କୀୟଙ୍କ କୋଳରେ ଶୋଇଥାନ୍ତେ । କିନ୍ତୁ ବିଧିର ବିଧାନ ବଡ଼ ବିଚ୍ରିତ ସେତକ ଏମାନଙ୍କ ଭାଗ୍ୟରେ ଜୁଟିଲା ନାହିଁ । ଦଶ ମାସ ପର୍ଯ୍ୟନ୍ତ ଗର୍ଭ ଯନ୍ତ୍ରଣା ସହି ଯେଉଁ ମା’ ମାନେ ଏହି ପିଲାମାନଙ୍କୁ ଜନ୍ମ ଦେଇଥିଲେ, ସେମାନେ ଏବେ ଝୁରି ଝୁରି ଓ ଆଖିର ଲୁହ ପିଇ ବଂଚିବା ଶିଖିବେ ।

ଶୋକ ଜଣାଇଲେ ପ୍ରଧାନମନ୍ତ୍ରୀ

ଉପରୋକ୍ତ ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ଜଣାଇଛନ୍ତି । ସେ କହିଛନ୍ତି ଯେ ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାରେ ହୃଦୟ ବିଦାରକ ଘଟଣା ଘଟିଛି । ଆମେ ୧୦ ଜଣ ବହୁମୂଲ୍ୟବାନ ଶିଶୁଙ୍କୁ ହରାଇଲେ । ପୀଡ଼ିତ ପରିବାର ଲୋକଙ୍କ ସହିତ ମୁଁ ଅଛି । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୋଦୀ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଟୁଇଟ କରି କହିଛନ୍ତି, ଘଟଣା ଦୁର୍ଭାଗ୍ୟପୂର୍ଣ୍ଣ । ଏଭଳି ବିପତ୍ତି ସମୟରେ ମୁଁ ଶୋକ ସନ୍ତପ୍ତ ପରିବାର ସହିତ ଛିଡ଼ା ହୋଇଛି । ଭଗବାନ ସେମାନଙ୍କୁ ଶକ୍ତି ଦିଅନ୍ତୁ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଟୁଇଟ କରି କ୍ଷତିଗ୍ରସ୍ତ ପରିବାର ଲୋକଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ଆଦେଶ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଚାଇଲ୍ଡ କେୟାର ୟୁନିଟ ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି । ନିଆଁ କେଉଁ କାରଣରୁ ଲାଗିଲା, ତାହା ଏବେ ସ୍ପଷ୍ଟ ହୋଇ ନଥିବା ବେଳେ ସର୍ଟସର୍କିଟ ଯୋଗୁଁ ଏମିତି ଏକ ଅଭାବନୀୟ ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି । ସରକାରଙ୍କ ଦ୍ୱାରା ଜାରି ପ୍ରେସ ନୋଟରେ କୁହାଯାଇଛି ଯେ, ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେଙ୍କ ସହିତ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି । ଏଥି ସହିତ ସେ ପୂରା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଜିଲ୍ଳାପାଳ ଓ ଏସପିଙ୍କ ସହିତ କଥା ହୋଇ ଘଟଣା ସଂପର୍କରେ ଅବଗତ ହୋଇଛନ୍ତି ।

ଦୁର୍ଘଟଣା ପାଇଁ ଦାୟୀ କିଏ?

ନିଶ୍ଚିତ ଭାବେ କୁହାଯାଇପାରିବ ଯେ, ହସ୍ପିଟାଲର ପରିଚାଳନା ଗତ ତ୍ରୁଟି ଯୋଗୁଁ ଏଭଳି ଏକ ଦୁର୍ଘଟଣା ଘଟିଛି । ଏଠାରେ ରୋଗୀଙ୍କ ତୁଳନାରେ କର୍ମଚାରୀ କମ ଅଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବିଧାୟକ ନରେନ୍ଦ୍ର ଭୋଣ୍ଡେକର । ତେଣୁ ଏଠାରେ ଥିବା କର୍ମଚାରୀମାନେ ହିଁ ଘଟଣା ପାଇଁ ଦାୟୀ ଏବଂ ଏମାନଙ୍କୁ ନିଲମ୍ବନ କରାଯାଉ ବୋଲି ଦାବି କରିଛନ୍ତି ।

Share the article

LEAVE A REPLY