କରୋନା ଟିକାକରଣକୁ ଅପେକ୍ଷା, ୧୬ରେ ମିଳିବ ଟିକା

0
236

ଭୁବନେଶ୍ୱର: କରୋନା ଭାଇରସ ମହାମାରୀ ନେଇ ସମଗ୍ର ବିଶ୍ୱବାସୀ ଚିନ୍ତିତ ଥିବା ବେଳେ ପୃଥିବୀର କିଛି ଶକ୍ତିଶାଳୀ ଓ ବିକଶଶୀଳ ଦେଶଗୁଡ଼ିକରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ଭାରତ ମଧ୍ୟ ବହୁ ଆଗରେ ରହିଛି । ଦେଶରେ ଆଉ ମାତ୍ର ୪ ଦିନ ପରେ ଅର୍ଥାନ ଜାନୁଆରୀ ୧୬ ତାରିଖ ଦିନ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯିବ ।

କରୋନା ଟିକା ନେବାକୁ ଭୟ?

କରୋନା ଟିକାକରଣକୁ ନେଇ ଅନେକଙ୍କ ମନରେ ଭୟ ମଧ୍ୟ ସୃଷ୍ଟି ହୋଇଛି । କାରଣ ବିଗତ ଦିନରେ କରୋନା ଟିକା ଗ୍ରହଣ କରି କିଛି ଲୋକଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ପ୍ରଥମେ ପର୍ତ୍ତୃଗ୍ରୀଜରେ ଜଣେ ନର୍ସ ଟିକା ନେବାର ୪୮ ଘଣ୍ଟା ମଧ୍ୟରେ ମୃତ୍ୟୁ ହୋଇଥିବା ତାଙ୍କର ପରିବାର ଲୋକେ ଅଭିଯୋଗ ଆଣିଥିଲେ । ସେହିପରି ଟିକା ନେବାର ୧୬ ଦିନ ପରେ ଆମେରିକାର ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କର ପତ୍ନୀ ଅଭିଯୋଗ ଆଣିଥିଲେ । ଉଭୟ ସ୍ଥାନରେ ଫାଇଜର ଟିକା ଦିଆଯାଇଥିଲା । ଭାରତରେ ମଧ୍ୟ କରୋନା ଟିକାର ସଫଳତା ନେଇ ପଶ୍ନ ଛିଡା ହୋଇଛି । କାରଣ ନିକଟରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜଣେ ଦିନ ମଜୁରିଆ ସ୍ୱେଚ୍ଛାସେବୀ ଭାବେ ଟିକା ଗ୍ରହଣ କରିବାର ଅଳ୍ପ ଦିନ ମଧ୍ୟରେ ମୃତ୍ୟୁ ହୋଇଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । କିନ୍ତୁ ଭାରତ ବାୟୋଟେକ କଂପାନୀ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ପକ୍ଷରୁ କୁହାଯାଇଥିଲା ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ ସହିତ ଟିକାର କୌଣସି ସଂପର୍କ ନାହିଁ ।

ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା

କୋଭିଡ-୧୯ ଯୁଦ୍ଧରେ ନିଜ ଜୀବନକୁ ବାଜି ଲଗାଇ ସଂକଟ ସମୟରେ କାମ କରିଥିବା ଯୋଦ୍ଧାମାନଙ୍କୁ ପ୍ରଥମେ ଏହି ଟିକା ମିଳିବ । ଏହି କ୍ରମରେ ଦେଶର ପ୍ରାୟ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କୁ କୋଭିଡ-୧୯ ଟିକା ମିଳିବ । ସେହିଭଳି ୫୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯିବ । ୫୦ ବର୍ଷରୁ କମ ବୟସ ବର୍ଗ ଯଦି ବହୁରୋଗରେ ପୀଡ଼ିତ ଥାଆନ୍ତି, ତା’ହେଲେ ସେମାନେ ମଧ୍ୟ କରୋନା ଟିକା ପାଇପାରିବେ । କେନ୍ଦ୍ର ସରକାର କରୋନା ଟିକାକୁ ମାଗଣାରେ ଦେବାକୁ ବ୍ଲୁ ପ୍ରିଣ୍ଟ ପସ୍ତୁତ କରିଛନ୍ତି । କରୋନା ଟିକାକରଣ ପୂର୍ବରୁ ଦେଶରେ ଗତ ୮ ତାରିଖରେ ଡ୍ରାଏ ରନ୍ (ଅଭ୍ୟାସ) କରାଯାଇଥିଲା । କେଉଁ ପଦ୍ଧତିରେ ଟିକାକରଣ କରାଗଲେ କାମ ସହଜରେ ସଂପାଦିତ ହୋଇପାରିବ ସେଥିପାଇଁ ବ୍ୟବସ୍ଥା କରାଯାଇଥିଲା । ଏଥି ପାଇଁ ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୭୩୬ଟି ଜିଲ୍ଲାରେ ଡ୍ରାଏ ରନ କାର୍ଯ୍ୟକ୍ରମ କରାଯାଇଥିଲା ।

ଟିକାକୁ ନେଇ ଓଡ଼ିଶାର ଆଶା

କୋଭିଡ ଟିକାକରଣ ନେଇ ଓଡ଼ିଶାର ମଧ୍ୟ ଆଶା ଓ ଆକାଂକ୍ଷା ବଢ଼ିଛି । ରାଜ୍ୟରେ ମୋଟ ୧୬୦ଟି ସ୍ଥାନରେ କରୋନା ଟିକା ଦିଆଯିବ । ଏହା ପୂର୍ବରୁ ଦୁଇରୁ ୩ ଦିନ ମଧ୍ୟରେ ରାଜ୍ୟକୁ ଟିକା ଆସିପାରେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଟିକାକରଣକୁ ସୁବନ୍ଦୋବସ୍ତ କରିବା ଲାଗି ରାଜ୍ୟ ସ୍ତରରେ ପରିଚାଳନା କମିଟି ଗଠନ କରାଯାଇଛି । ଏହି କମିଟି ଜିଲ୍ଲା କମିଟି ଉପରେ ନଜର ରଖିବ । ରାଜ୍ୟ ସରକାର କରୋନା ଟିକାକରଣ ପାଇଁ ଚଳିତ ମାସ ୧୭ରୁ ୧୯ ତାରିଖ ମଧ୍ୟରେ ଦିଆଯିବାକୁ ଥିବା ପଲସ ପୋଲିଓ ଟିକା ଅଭିଯାନକୁ ସ୍ଥଗିତ ରଖିଛନ୍ତି ।

Share the article

LEAVE A REPLY