ଦେଶବ୍ୟାପୀ ଶୁଭାରମ୍ଭ ହେଲା କରୋନା ଟିକାକରଣ, ଭାବୁକ ହୋଇଗଲେ ପ୍ରଧାନମନ୍ତ୍ରୀ ମୋଦୀ

0
307

ନୂଆଦିଲ୍ଲୀ/ଭୁବନେଶ୍ୱର: ଏକବିଂଶ ଶତାବ୍ଦୀର ସବୁଠାର ବଡ଼ ମିଶନ ‘କରୋନା ଟିକାକରଣ’ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଭିଡିଓ କନ୍‌ଫରେନ୍ସଂ ଜରିଆରେ ଶୁଭାରମ୍ଭ କରିଛନ୍ତି। ଜନସଂଖ୍ୟା ଦୃଷ୍ଟିରୁ ବିଶ୍ୱର ୨ୟ ସର୍ବବୃହତ୍ତ ଦେଶରେ ଆଜିଠାରୁ ୩୦୦୦ କେନ୍ଦ୍ରରେ ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ସହିତ ଜଡ଼ିତ ଅନ୍ୟ କର୍ମଚାରୀଙ୍କୁ ଟିକା ଦିଆଯାଉଛି। ପ୍ରତିଟି କେନ୍ଦ୍ରରେ ୧୦୦ ଜଣ ଲେଖାଏଁ ହିତାଧୀକାରୀଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରରେ ୬ଟି ସ୍ଥାନ ସମେତ ପୂରା ରାଜ୍ୟରେ ମୋଟ ୧୬୧ଟି କେନ୍ଦ୍ରରେ ହିତାଧିକାରୀମାନଙ୍କୁ ଟିକା ଦିଆଯିବା ପ୍ରକ୍ରିୟା ଆରମ୍ଭ ହୋଇଛି।  

ଆମର ଅନେକ ସାଥୀ ହସ୍ପିଟାଲ ଯାଇ ଫେରିଲେ ନାହିଁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି ଭାବୁକ ହୋଇଯାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, କରୋନା ସଂକଟ ସମୟରେ ଆମର କିଛି ଲୋକ ରୋଗୀ ହସ୍ପିଟାଲ ଆସିଥିଲେ, କିନ୍ତୁ ସେମାନେ ଆଉ ଥରେ ଘରକୁ ଫେରି ନଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସଂକଟର ସେହି ସମୟରେ, ନିରାଶାର ସେହି ବାତାବରଣରେ, କିଛି ଲୋକ ଆଶା ସଂଚାର କରୁଥିଲେ, ଆମକୁ ବଂଚାଇବାକୁ ଯାଇ ନିଜର ଜୀବନକୁ ସଂକଟରେ ପକାଇ ଦେଉଥିଲେ । ସେମାନେ ଥିଲେ ଆମର ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ, ଆମ୍ବୁଲାନ୍ସ ଡ୍ରାଇଭର, ଆଶା ୱାର୍କର, ସଫାଇ କର୍ମଚାରୀ, ପୋଲିସ ଓ ଅନ୍ୟ ଆଗଧାଡ଼ିର ଯୋଦ୍ଧା । ଆମେର ଅନେକ ସାଥୀ କରୋନା ଗ୍ରସ୍ତିତ ହୋଇ ହସ୍ପିଟାଲକୁ ଯାଇ ଆଉ ଥରେ ଘରକୁ ଫେରି ନାହାନ୍ତି । ଏଭଳି ସାଥୀଙ୍କୁ ଆମେ ସାଦରାଂଜଳି ଅର୍ପଣ କରୁଛୁ । 
ମା’ କାନ୍ଦୁଥିଲା, ପିଲା ପାଖକୁ ବାରଣ ଥିଲାପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଏହି ରୋଗ ଲୋକଙ୍କୁ ନିଜ ଘର ଠାରୁ ଦୂରରେ ରଖିଥିଲା । ମା’ମାନେ ପିଲାପାଇଁ କାନ୍ଦୁଥିଲେ । କିନ୍ତୁ ସେମାନେ ନିଜ ପିଲାଙ୍କ ପାଖକୁ ଯାଇପାରୁ ନଥିଲେ । କାରଣ କରୋନା କଟକଣା ସେମାନଙ୍କୁ ବାରଣ କରିଥିଲା । ଲୋକେ ହସ୍ପିଟାଲରେ ନିଜ ସଂପର୍କୀୟଙ୍କୁ ଦେଖା କରିପାରୁ ନଥିଲେ । ଅନେକ ଲୋକ ନିଜର ପ୍ରିୟ ଜନଙ୍କୁ ଅନ୍ତିମ ସଂସ୍କାର ମଧ୍ୟ କରିପାରି ନଥିଲେ । 

ସମସ୍ତଙ୍କୁ ମିଳୁନି କରୋନା ଟିକା

ଏବେ କରୋନା ଟିକା ସମସ୍ତଙ୍କୁ ମିଳିପାରି ନାହିଁ। ଏଥି ଯୋଗ୍ୟ ହିତାଧିକାରୀମାନଙ୍କୁ ଟିକା ମିଳୁଛି। କେଉଁମାନଙ୍କୁ କରୋନା ଟିକା ଦିଆଯିବ ଓ କେଉଁମାନେ ଟିକା ପାଇ ପାରିବେ ନାହିଁ ସେ ନେଇ ସରକାର ଏହାର ତାଲିକା ପ୍ରସ୍ତୁତ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦେଶକ ବିଜୟ ପାଣିଗ୍ରାହୀ ପୂର୍ବରୁ କହିଛନ୍ତି, ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମହିଳା, ଗୁରୁତର ଅସୁସ୍ଥ ବ୍ୟକ୍ତି, ମେଡିକାଲରେ ଭର୍ତ୍ତି ହୋଇଥିବା ରୋଗୀ ଏବଂ ୧୪ ଦିନ ଭିତରେ କୌଣସି ଟିକା ନେଇଥିବା ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯିବ ନାହିଁ।

ଭୁବନେଶ୍ୱରରେ କୋଭାକ୍ସିନ, ରାଜ୍ୟରେ କୋଭିସିଲଡ୍‌

ଭୁବନେଶ୍ୱର ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ କୋଭିସିଲଡ୍‌ ଟିକା ଦିଆଯାଉଛି। କିନ୍ତୁ ଭୁବନେଶ୍ୱରରେ କେବଳ କୋଭାକ୍ସିନ ଟିକା ଦିଆଯାଉଛି। ଭୁବନେଶ୍ୱର ମହାନଗର ନିଗମର କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା ଅନୁସାରେ ଟିକା ପାଇଁ ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟରେ ମୋଟ୍‌ ୨୬ ହଜାର ସ୍ୱାସ୍ଥ୍ୟକର୍ମୀଙ୍କ ନାମ  ପଞ୍ଜିକରଣ କରାଯାଇଛି। ୯ ହଜାର ଲୋକଙ୍କୁ ଏଠାରେ ପ୍ରଥମ ପର୍ଯ୍ୟାୟରେ ଟିକାକରଣ କରାଯିବ। ୨୮ ଦିନ ପରେ ସେମାନଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆଯିବ।  

୫୦୦୦ କେନ୍ଦ୍ରରେ ଦିଆଯିବ ଟିକା

କୋଭିଡ୍‌ ଟିକାକରଣ ପ୍ରକ୍ରିଆ ଆଗାମୀ ଦିନରେ ଆହୁରି ତୀବ୍ର ହେବ। ପରବର୍ତ୍ତୀ ସମୟରେ ଦେଶବ୍ୟାପୀ ୫୦୦୦ରୁ ଅଧିକ କେନ୍ଦ୍ରରେ ଟିକା ଦିଆଯିବ। ଆଗାମୀ କିଛି ମାସ ମଧ୍ୟରେ କେବଳ ଅଧିକ ସଂକ୍ରମଣ ଆଶଙ୍କା ଥିବା ୩୦୦ ନିୟୁତ ବ୍ୟକ୍ତିଙ୍କୁ ଏହି ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର ସ୍ଥିର କରିଛନ୍ତି। କିନ୍ତୁ ଆଜି ଠାରୁ ଆରମ୍ଭ ହୋଇଥିବା ଟିକାକରଣର ପ୍ରଥମ ପର୍ଯ୍ୟାୟରେ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସେବା ଦେଇଥିବା ଅନ୍ୟ କର୍ମଚାରୀଙ୍କୁ ଟିକା ଦିଆଯିବ। ପରେ ୩୦ କୋଟି ଲୋକଙ୍କୁ (୫୦ରୁ ଊର୍ଦ୍ଧ୍ୱ ଓ ୫୦ ବର୍ଷ ବୟସ୍କ ଭିତରେ ବହୁବିଧ ରୋଗର ସମ୍ମୁଖୀନ ହେଉଥିବା ଲୋକ) ଟିକା ଦିଆଯିବ।

ଭାରତ ଉପରେ ବିଶ୍ୱର ନଜର

କରୋନା ଟିକା ନେଇ ସମଗ୍ର ବିଶ୍ୱ ଭାରତ ଉପରେ ନଜର ରଖିଛି। ବିଶ୍ୱର ୨ୟ ଜନବହୁଳ ଦେଶ ହେଇଥିବାରୁ ଏଠାରେ ଟିକାକରଣ କିପରି ପରିଚାଳନା କରାଯାଉଛି। ଟିକା କେତେ ସଫଳ ହେଉଛି। ଏସବୁ ଉପରେ ବିଦେଶୀ ରାଷ୍ଟ୍ରମାନେ ନଜର ରଖୁଛନ୍ତି। କାରଣ ଭାରତରେ ଉତ୍ପାଦିତ ହୋଇଥିବା ୨ଟି ଟିକା ସଫଳ ହେଲେ ଅନ୍ୟ ଦେଶଗୁଡ଼ିକ ଏଠାର ଆମଦାନୀ କରିବେ। ଏହି କ୍ରମରେ ବାଂଲାଦେଶ ଏବେ ଠାରୁ ନିଜକୁ ପ୍ରସ୍ତୁତି କରିଦେଇଛି। 

Share the article

LEAVE A REPLY