ମହିଳା ଅଧିକାରୀ ଦୁର୍ନୀତିରେ ବୁଡ଼ି ରହିଲେ ସମାଜ ଆଗକୁ ବଢ଼ିବ କେମିତି?

0
147

ଭୁବନେଶ୍ୱର: ମହିଳା ସଶକ୍ତିକରଣ ଦ୍ୱାରା ସମାଜର ଉନ୍ନତି ହେବ । ମହିଳାମାନେ ପ୍ରତିଟି କ୍ଷେତ୍ରରେ କାମ କଲେ ସମାଜ ଆଉ ଏକ ପାଦ ଆଗକୁ ବଢ଼ିବ । କାରଣ ପୁରୁଷଙ୍କ ତୁଳନାରେ ମହିଳାମାନେ ସମାଜକୁ ଭଲ ଭାବରେ ଦେଖିଥାନ୍ତି ବୋଲି ବୁଦ୍ଧିଜୀବୀମାନେ ମତ ଦେଇଥାନ୍ତି । ମହିଳାମାନେ ସରକାରଙ୍କ ପ୍ରତିଟି ବିଭାଗରେ କାମ କରିବା ଦ୍ୱାରା ତୃଣମୂଳ ସ୍ତରରେ ଲୋକେ ସୁବିଧା ପାଇପାରିବେ । ଏହି ଉଦ୍ଦେଶ୍ୟରେ ସରକାର ତଥା ସମାଜ ମହିଳା କର୍ମଚାରୀଙ୍କ ପ୍ରତି ଭରସା ଓ ବିଶ୍ୱାସ ରଖୁଛି । କିନ୍ତୁ ରାଜ୍ୟରେ ଏମିତି କିଛି ମହିଳା କର୍ମଚାରୀ ଅଛନ୍ତି, ଯେଉଁମାନେ ସରକାରୀ ଓ ସାଧରଣ ଜନତାଙ୍କ ସଂପତ୍ତି ଖାଇବାରେ ବ୍ୟସ୍ତ ରହିଥାନ୍ତି । ବିଗତ ଦିନରେ କିଛି ଲାଞ୍ଚୁଆ ମହିଳାମାନେ ଭିଜିଲାନ୍ସ ହାତରେ ମଧ୍ୟ ଧରାପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଜେଲର ଚାରିକାନ୍ଥ ଭିତରେ ରହିଥିବା ବେଳେ ଆହୁରି କିଛି ମହିଳାଙ୍କୁ ଚାକିରୀରୁ ନିଲମ୍ବନ ହେବାକୁ ପଡିଛି । ଦୁର୍ନୀତି ନିବାରଣ ବିଭାଗ ଚଳିତ ବର୍ଷ ମାତ୍ର ୧୮ ଦିନ ଭିତରେ ୨ ଜଣ ମହିଳାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇସାରିଛି ।

କଲେଜ ଅଧ୍ୟକ୍ଷା ମାଗିଲେ ଲକ୍ଷେ ଟଙ୍କା ଲାଞ୍ଚ

ଏମିତି ଜଣେ ଦୁର୍ନୀତିଗ୍ରସ୍ତ ସରକାରୀ ମହିଳା ଅଧିକାରୀ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ପଂଚାୟତ ସମିତିର ଅଧ୍ୟକ୍ଷା ମିନତି ରଥ । ସେ ଗତକାଲି ନିଜ କଲେଜର ଲାଇବ୍ରେରିଆନ ଡୋଲାମଣି ମେହେରଙ୍କ ଠାରୁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସମ୍ବଲପୁର, ବଲାଙ୍ଗୀର ଓ ସୁବର୍ଣ୍ଣପୁର ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଶ୍ରୀମତୀ ରଥଙ୍କୁ ଲାଞ୍ଚ ଟଙ୍କା ନେଉଥିବା ବେଳେ ଧରାପକାଇଥିଲେ । ଲାଇବ୍ରେରିଆନ ଶ୍ରୀ ମେହେରେ କିଛି ଦିନ ପୂର୍ବରୁ ଗୋଟିଏ ଦିନକ ପାଇଁ ଛୁଟିରେ ଥିଲେ । କିନ୍ତୁ ଛୁଟିରେ ଥାଇ ମଧ୍ୟ ଦରଖାସ୍ତ ଦେଇ ନଥିଲେ । ଏହାକୁ ନେଇ ଶ୍ରୀ ମେହେରଙ୍କୁ ଅଧ୍ୟକ୍ଷା ଶ୍ରୀମତୀ ରଥ ଚାକିରୀରୁ ବାହାର କରିଦେବେ ବୋଲି ଧମକ ଦେଇଥିଲେ । କିନ୍ତୁ ଏକ ଲକ୍ଷ ଟଙ୍କା ମିଳିଳେ ସମସ୍ୟାର ସମାଧାନ ହୋଇଯିବ ବୋଲି କହିଥିଲେ । ପରେ ଶ୍ରୀ ମେହେର ଘଟଣା ସଂପର୍କରେ ଭିଜିଲାନ୍ସ ବିଭାଗର ଅଧିକାରୀଙ୍କୁ କହିଥିଲେ । ଭିଜିଲାନ୍ସ ବିଭାଗ ଯୋଜନା ଅନୁସାରେ ଶ୍ରୀ ମେହେର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଶ୍ରୀମତୀ ରଥଙ୍କ ନିକଟରେ ପହଂଚିଥିଲା ।

୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେଇ ବିଦା ହେଲେ ସିଡିପିଓ

ଆଧୁନିକ ସମାଜର ଆଉ ଜଣେ ବଡ଼ ଦୁର୍ନୀତିଗ୍ରସ୍ତ ଅଧିକାରୀ ହେଉଛନ୍ତି କୋରାପୁଟ ଜିଲ୍ଲା ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର । ସେ ଗତବର୍ଷ ଅକ୍ଟୋବର ୨୭ ତାରିଖରେ ଛତୁଆ ଯୋଗାଣ କରୁଥିବା ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବିଲ ପାସ କରିବା ପାଇଁ ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଏହି ଦୁର୍ନୀତିଗ୍ରସ୍ତ ମହିଳା ଜଣକ ଲାଞ୍ଚ ଟଙ୍କା ନେଉଥିବା ଘଟଣା ପ୍ରମାଣିତ ହେବା ପରେ ଜେଲରେ ଅଛନ୍ତି । ତାଙ୍କୁ କୋରାପୁଟ ଜିଲ୍ଲାପାଳ ଚାକିରିରୁ ନିଲମ୍ବନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମତୀ ମିଶ୍ରଙ୍କୁ ଚଳିତ ବର୍ଷର ପ୍ରଥମ ସପ୍ତାହରେ ଚାକିରୀରୁ ବହିଷ୍କାର କରିଛନ୍ତି ।

୨୦୨୦ରେ ଏକାଧିକ ସିଡିପିଓ ଭିଜିଲାନ୍ସ ଜାଲରେ

ବର୍ଷ ୨୦୨୦ ମସିହାରେ ଏକାଧିକ ସିଡିପିଓ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିଲେ । ଏହି ତାଲିକାରେ ଥିଲେ କଳାହାଣ୍ଡି ଜିଲ୍ଲା କୋକସରା ସିଡିପିଓ ଜୟନ୍ତୀ ମହାନ୍ତି, ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ସିଡିପିଓ ଜାନକୀ ଦାସ, ମାଲକାନଗିରି ଜିଲ୍ଲା ସିଡିପିଓ ବିପୁଳା ସର୍ଦ୍ଦାର ପ୍ରମୁଖ । ସେହିଭଳି ୨୦୧୯ ମସିହାରେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ସିଡିପିଓ ସୁରମା ମହାପାତ୍ରଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଥିଲେ ।

Share the article

LEAVE A REPLY