ଶିକାରୀଙ୍କ ପ୍ରାଦୂର୍ଭାବ ଯୋଗୁଁ ସଂକଟରେ ବାଘ ବଂଶ

0
311
Spread the love

ଭୁବନେଶ୍ୱର: ଜଙ୍ଗଲର ଅନ୍ୟତମ ବଳବାନ ପଶୁ ବାଘ ବଂଶକୁ ଆକ୍ରମଣ କରାଯାଉଛି । ଦାନ୍ତ, ନଖ, ଚମଡ଼ାକୁ ବିକ୍ରୀ କରି ଟଙ୍କା ରୋଜଗାର କରିବା ପାଇଁ ଶିକାରୀମାନେ ବାଘ ଶିକାର କରୁଛନ୍ତି । ରାଜ୍ୟରେ ଯଦିଓ ମହାବାଳ ବାଘ ସଂଖ୍ୟା ହାତଗଣତି ରହିଛି ତଥାପି ଚିତାବାଘଙ୍କ ବଂଶ ବୃଦ୍ଧି ପାଇଛି ବୋଲି ନିକଟରେ ଏକ ସରକାରୀ ରିପୋର୍ଟରୁ ଜଣାଯାଇଛି । ଜଙ୍ଗଳ ଅବକ୍ଷୟ ଯୋଗୁଁ ବାଘ ରହିବା ପାଇଁ ଆବଶ୍ୟକ ସ୍ଥାନ ମିଳିପାରୁ ନାହିଁ । ବାଘ ରହିବା ପାଇଁ ଘଂଚ ଜଙ୍ଗଲର ଆବଶ୍ୟକତା ରହିଛି, ଯେଉଁଠି କେବଳ ବନ୍ୟ ଜନ୍ତୁ ହିଁ ରହୁଥିବେ । ମନୁଷ୍ୟର ପାଦ ପଡୁ ନଥିବା ଘଂଚ ଜଙ୍ଗଲ ହେଉଛି ବାଘ ରହିବା ପାଇଁ ପ୍ରକୃଷ୍ଠ ଭିତ୍ତିଭୂମି । ଶିମିଳିପାଳ ଅଭୟାରଣ୍ୟ ଓ ସୁନାବେଡ଼ା ଅଭୟାରଣ୍ୟରେ ଅଳ୍ପ ପରିମାଣରେ ବାଘ ଅଛନ୍ତି । ରାଜ୍ୟର ଅନ୍ୟ କିଛି ଅଭୟାରଣ୍ୟରେ ବେଳେ ବେଳେ ଚିତାବାଘ ଦୃଶ୍ୟମାନ ହେଉଛନ୍ତି ।

ଓଡ଼ିଶାରେ ବଢ଼ିଛି ଚିତାବାଘ ସଂଖ୍ୟା

୨୦୨୦ରେ ସର୍ଭେ କରାଯାଇଥିବା ଏକ ରିପୋର୍ଟ ଆଧାରରେ ଭାରତରେ ମୋଟ ୫୦ଟି ଅଭୟାରଣ୍ୟରେ ମୋଟ୍ ୨ ହଜାର ୯୬୭ଟି ବାଘ ଅଛନ୍ତି । କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର ଏହା କହିଛନ୍ତି । ଉତ୍ତରାଖଣ୍ଡର ଜିମ କାରବେଟ ଜାତୀୟ ଉଦ୍ୟାନରେ ସର୍ବାଧିକ ୨୩୧ଟି ବାଘ ଅଛନ୍ତି । ଏନଟିସିଏ ର ଗଣନା ଅନୁସାରେ ଓଡ଼ିଶାରେ ୨୦୧୪ରୁ ୨୦୧୮ମଧ୍ୟରେ ୨୮ଟି ବାଘ ଥିଲେ । ଗତବର୍ଷ ଡିସେମ୍ବରରେ ପ୍ରକାଶିତ ରିପୋର୍ଟ ଅନୁସାରେ ଓଡ଼ିଶାରେ ଚିତାବାଘ ସଂଖ୍ୟା ୭୬୦ । କିନ୍ତୁ ରିପୋର୍ଟରେ କୁହାଯାଇଛି ଯେ, ଦେଶରେ ଏହି ସଂଖ୍ୟା ୧୨ ହଜାର ୮୫୨ । ରିପୋର୍ଟ ଅନୁସାରେ ୨୦୧୪ ତୁଳନାରେ ଦେଶରେ ଚିତାବାଘଙ୍କ ସଂଖ୍ୟା ୬୦ ପ୍ରତିଶତ ବୃଦ୍ଧି ପାଇଛି । ବର୍ତ୍ତମାନ ପରିପ୍ରେକ୍ଷୀରେ ମଧ୍ୟପ୍ରଦେଶରେ ସର୍ବାଧିକ ୩୪୨୧ଟି, କର୍ଣ୍ଣାଟକରେ ୧୭୮୩ଟି ଓ ମହାରାଷ୍ଟ୍ରରେ ୧୬୯୦ଟି ଚିତାବାଘ ଅଛନ୍ତି ।

ବାଘ ଛାଲ ଚାଲାଣକାରୀ ଛତିଶଗଡ଼ରେ ଗିରଫ

ଛତିଶଗଡ଼ ପୋଲିସ ଗତ ୧୮ ତାରିଖ ଦିନ ବାଘ ଛାଲ ଚାଲାଣ କରୁଥିବା ସମୟରେ କଳାହାଣ୍ଡି ଜିଲ୍ଲାର ୨ ଜଣ ଯୁବକଙ୍କୁ ଗିରଫ କରିଥିଲା । ଅଭିଯୁକ୍ତମାନେ ହେଲେ ଜୁନାଗଡ଼ ଥାନା ଅନ୍ତର୍ଗଚ ଝାରବନ୍ଧ ଗାଁର ରମେଶ ନାଏକ ଓ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ନକଟିକାନି ଗାଁର କେଶବ ମାଝୀ । ଉଭୟ ରମେଶ ଓ କେଶବ ବାଘ ଛାଲ ବିକ୍ରି କରିବା ପାଇଁ ଗରିଆବନ୍ଧ ଜିଲ୍ଲା ଦେଓଭୋଗ ଥାନା ଅନ୍ତର୍ଗତ ଧୂପକୋଟ ଗାଁରେ ଗ୍ରାହକଙ୍କୁ ଅପେକ୍ଷା କରିଥିଲେ । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ଅତର୍କିତ ଭାବେ ଚଢ଼ାଉ କରି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ଦ୍ୱୟରେ ଚିତାବାଘକୁ କେଉଁ ଜଙ୍ଗଲରୁ ଶିକାର କରିଥିଲେ । ସମ୍ଭବତଃ ନୂଆପଡ଼ାସ୍ଥିତ ସୁନାବେଡ଼ା ଅଭୟାରଣ୍ୟରୁ ଚିତାବାଘକୁ ଶିକାର କରିଥାଇପାରନ୍ତି ।

କଲରାପତରିଆ ବାଘ ଭୟ

ସୁନାବେଡ଼ା ଅଭୟାରଣ୍ୟ ନିକଟରେ ଥିବା କୋମନା ବ୍ଲକ ଅନ୍ତର୍ଗତ କିଛି ଗାଁଗୁଡ଼ିକ ଗତ ଏକ ସପ୍ତାହ ଧରି କଲରାପତରିଆ ବାଘ ଆତଙ୍କର ଶିକାର ହୋଇଛନ୍ତି । ବାଗମୁଣ୍ଡା, ଝିପାବାହାଲ, ଭାଲୁକୋନା, କରଙ୍ଗାଭଟା, ଦିଆମୁଣ୍ଡା ଓ ସିଆଲଲଟି ଗାଁର ଲୋକେ ସଂଜ ନଇଁଲେ ଘରୁ ବାହାରକୁ ବାହାରିବା ସୁରକ୍ଷିତ ମନେ କରୁନାହାନ୍ତି । ଗତ ୧୫ ତାରିଖ ଦିନ କାଶିପଲା ଗାଁ ନିକଟ ପୋଖରୀରେ ମେଣ୍ଢାକୁ ଆକ୍ରମଣ କରିଥିଲେ ୨ଟି ବାଘ । କଳାହାଣ୍ଡି ଓ ନବରଂଗପୁର ଜିଲ୍ଲା ସୀମାବର୍ତ୍ତୀ ଅଂଚଳ ଆମ୍ବପାଣି ଘାଟିରେ ଚଳିତ ମାସର ପ୍ରଥମ ସପ୍ତାହରେ କଲାରାପତରିଆ ବାଘ ବୁଲୁଥିବା ଦେଖାଯାଇଥିଲା । ଏହି ରାସ୍ତାରେ ଯାଉଥିବା ଲୋକ ଚିତାବାଘର ଚଳପ୍ରଚଳ ସମୟର ଦୃଶ୍ୟ ମୋବାଇଲରେ ରେକର୍ଡିଂ କରିଥିଲେ ।

LEAVE A REPLY