କୋଟିଆ ପାଇଁ ବଳ କଷୁଛି ଆନ୍ଧ୍ରପ୍ରଦେଶ

0
401

ଭୁବନେଶ୍ୱର: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆକୁ ନେଇ ପୁଣି ଥରେ ବିବାଦ ଦେଖାଯାଇଛି । ଶହ ଶହ ବର୍ଷ ଧରି କୋଟିଆ ଅଂଚଳର ଲୋକେ ଓଡ଼ିଶାର ଅଧିବାସୀ ବୋଲି ପରିଚୟ ଦେଇ ଆସିଥିବା ବେଳେ ଏଠାକାର ଲୋକଙ୍କୁ ବିଭିନ୍ନ ଯୋଜନାରୁ ସୁବିଧା ଦେଇ ଆନ୍ଧ୍ରପ୍ରଦେଶ ନିଜର ଅକ୍ତିଆରକୁ ନେବାକୁ ଷଡ଼ଯନ୍ତ୍ର କରୁଛି । ଆଦିବାସୀ ଅଧ୍ୟୁଷିତ ଅଂଚଳର ନୀରିହ ଲୋକେ ନିଜର ପ୍ରକୃତ ଠିକଣା ନେଇ ଦ୍ୱନ୍ଦ୍ୱରେ ପଡ଼ିଯାଇଥିବା ବେଳେ ରାଜନୈତିକ ନେତାମାନେ ଏଥିରୁ ଲାଭ ଉଠାଉଥିବା ଅଭିଯୋଗ ହେଉଛି । ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ଓ ପଂଚାୟତରାଜ ନିର୍ବାଚନ ଭିନ୍ନ ଭିନ୍ନ ସମୟରେ ଅନୁଷ୍ଠିତ ହେଉଥିବାରୁ ଜନତାଙ୍କୁ ଆକର୍ଷିତ ଉପହାର ଦେଇ ସେମାନଙ୍କ ମଧ୍ୟରେ ଏକପ୍ରକାର ଅଘୋଷିତ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରାଯାଉଛି ।
ଆନ୍ଧ୍ରପ୍ରଦେଶ ସରକାର ଏବେ ନିଜ ରାଜ୍ୟରେ ପଂଚାୟତ ନିର୍ବାଚନ ପାଇଁ ବ୍ୟସ୍ତ ଅଛନ୍ତି । ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ପ୍ରସଙ୍ଗ କ୍ରମେ ଆନ୍ଧ୍ରପ୍ରଦେଶର ପଂଚାୟତ ନିର୍ବାଚନରେ ଓଡ଼ିଶାର ୩ଟି ଗାଁକୁ ସାମିଲ କରାଯାଇଛି । ଏହା ହେଉଛି ଓଡ଼ିଆଙ୍କ ପାଇଁ କ୍ଷୋଭର ବିଷୟ । ପଟ୍ଟାଙ୍ଗୀ ବ୍ଲକର ତିନିଟି ଗାଁ ତଳଗଂଜେଇପଦର, ଫାଟୁସିନେରି ଓ ଫଗୁଣସିନ୍ଦେରିରେ ଆସନ୍ତା ୧୩ ଓ ୧୭ ତାରିଖରେ ଭୋଟ ଗ୍ରହଣ କରାଯିବ । ଏହି ୩ ଗାଁକୁ ଆନ୍ଧ୍ରସରକାର ବହୁ ଦିନରୁ ଷଡ଼ଯନ୍ତ୍ରକରି ନିଜ ଅଧିନକୁ ନେଇଯାଇଛନ୍ତି । ଆନ୍ଧ୍ରପ୍ରଦେଶ ସରକାର ବହୁଦିନ ଆଗରୁ ୩ଟି ଗାଁକୁ ପଂଚାୟତର ମାନ୍ୟତା ଦେଇସାରିଛନ୍ତି । ଆଗରୁ ଏଠାରେ ସରପଂଚ, ନାଏବ ସରପଂଚଙ୍କୁ ମନୋନୀତ କରାଯାଉଥିବା ବେଳେ ଏଥର କିନ୍ତୁ ପ୍ରତକ୍ଷ୍ୟ ଭାବେ ନିର୍ବାଚନ କରାଯାଉଥିବାରୁ ପ୍ରସଙ୍ଗଟି ପଦାରେ ପଡ଼ିଛି ।

କୋଟିଆ ବିବାଦ ନୂଆ ନୁହେଁ

ସୀମାନ୍ତ କୋଟିଆରେ ଦେଖାଯାଇଥିବା ବିବାଦ ନୂଆଁ କଥା ନୁହେଁ । ପୂର୍ବରୁ ମଧ୍ୟ ଏଠାରେ ବିବାଦ ଦେଖାଯାଇଥିଲା । କୋଟିଆକୁ ନିଜ ଅକ୍ତିଆରକୁ ନେବା ଲାଗି ଆନ୍ଧ୍ର ସରକାର ବିଭିନ୍ନ ସମୟରେ ଷଡ଼ଯନ୍ତ୍ର କରୁଛନ୍ତି । ଉଭୟ ପ୍ରଶାସନିକ ଅଧିକାରୀ ଓ ରାଜନେତା କୋଟିଆରେ ଲୋକଙ୍କୁ ସରକାରୀ ଯୋଜନାରେ ସାମିଲ କରୁଛନ୍ତି । ଆଉ ଏହାକୁ ସମର୍ଥନ ଦେଉଛନ୍ତି ସ୍ଥାନୀୟ ଲୋକେ । ଗରିବ, ଅଶିକ୍ଷିତ ଓ ଶ୍ରମିକ ଶ୍ରେଣୀର ଲୋକ ଏଠାରେ ଅଧିକ ରହୁଥିବାରୁ ସେମାନେ ବାସ୍ତବତାକୁ ବୁଝିପାରୁ ନାହାନ୍ତି । ଫଳରେ ଭୌଗଳିକ ସୀମାକୁ ନେଇ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାର ମଧ୍ୟରେ ଟଣା ଓଟରା ଲାଗି ରହୁଛି ।

ଆନ୍ଧ୍ରପ୍ରଦେଶ ପ୍ରତି ଆକର୍ଷଣ!

କୋଟିଆର ଲୋକେ କେଉଁ ରାଜ୍ୟର ଅଧିବାସୀ ସେନେଇ ମଧ୍ୟ ସେମାନେ ଚୁପ୍ ରହୁଛନ୍ତି । ଯାହାଦ୍ୱାରାକି ଆନ୍ଧ୍ରପ୍ରଦେଶର ଅନୁପ୍ରବେଶ ଦେଖାଯାଉଛି । ଆଉ ଏହାର କାରଣ ହେଲା ସରକାରୀ ଯୋଜନା । ଓଡ଼ିଶା ତୁଳନାରେ ଆନ୍ଧ୍ରପ୍ରଦେଶରୁ ସେମାନେ ଭଲ ସୁବିଧା ପାଉଛନ୍ତି । ଚାଷୀମାନେ ଯେଉଁ ଖାଦ୍ୟ-ଶସ୍ୟ ଉତ୍ପାଦନ କରୁଛନ୍ତି, ସେଗୁଡ଼ିକ ଆନ୍ଧ୍ରପ୍ରଦେଶର ବଜାରକୁ ମଧ୍ୟ ଯାଉଛି । କୋଟିଆରୁ ପଡୋଶୀ ଆନ୍ଧ୍ରପ୍ରଦେଶକୁ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ଭଲ ରହିଛି । ଫଳରେ ସ୍ଥାନୀୟ ଲୋକେ ଆନ୍ଧ୍ରପ୍ରଦେଶ ଆଡ଼କୁ ଆକର୍ଷିତ ହୋଇଥାଇପାରନ୍ତି ।

କୋଟିଆର ବିକାଶ ପାଇଁ ଅଣ୍ଟା ଭିଡିଛି ଓଡ଼ିଶା

ଓଡ଼ିଶା ସୀମାରେ ଥିବା କିଛି ଗାଁକୁ ନେଇ ପଡୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ବିବାଦ ଲାଗିରହିଛି । ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଗାଁରେ ଲୋକଙ୍କ ସମସ୍ୟା ଦୂର କରିବା ଲାଗି ସରକାରୀ ଅଧିକାରୀମାନେ ସେସବୁ ଗାଁକୁ ଗସ୍ତ କରିଛନ୍ତି । କିନ୍ତି ସୀମାନ୍ତରେ ଲାଗି ରହିଥିବା ବିବାଦର ଅନ୍ତ ହେଉ ନାହିଁ । ୨୦୧୮ ମସିହା ଠାରୁ କୋଟିଆ ଉପରେ ଆନ୍ଧ୍ରପ୍ରଦେଶର ନଜର ରହିଛି । ୨୦୧୮ ଜୁଲାଇ ମାସରେ ଆନ୍ଧ୍ର ସରକାର କୋଟିଆରେ ରାସ୍ତା ନିର୍ମାଣ କାମ ଆରମ୍ଭ କରିବା ଦିନ ଠାରୁ ବିବାଦ ଆରମ୍ଭ ହୋଇଥିଲା । ଏହା ପରେ ଓଡ଼ିଶା ସରକାର କୋଟିଆର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି । କୋଟିଆରେ ଓଡ଼ିଶା ସରକାର ପୋଲିସ ଷ୍ଟେସନ, ଡାକ୍ତରଖାନା ଓ ବ୍ୟାଙ୍କ ସେବାକୁ ଅଧିକ ବିକଶିତ କରିଛନ୍ତି ।

Share the article

LEAVE A REPLY