ଜଙ୍ଗଲ ଅବକ୍ଷୟ ଲାଗି ମଣିଷ ଓ ବାର୍‌ହା ମଧ୍ୟରେ ଅଘୋଷିତ ଲଢ଼େଇ

0
485

ହ୍ରାସ ପାଉଛି ଜଙ୍ଗଲ –ବଢୁଛି ପଶୁ ଶିକାର

ଭୁବନେଶ୍ୱର: କ୍ରମାଗତ ଭାବେ ଲୋକସଂଖ୍ୟା ବଢୁଥିବାରୁ ଜଙ୍ଗଲ ଅବକ୍ଷୟ ହେଉଛି । ରାଜ୍ୟ ସରକାରଙ୍କ ବନ ବିଭାଗ ଯଦିଓ କହୁଛନ୍ତି, ଯେ ଜଙ୍ଗଲ ବଢ଼ିଛି ଏବଂ ଏଥିପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି, ତାହା ବାସ୍ତବରେ ଜଙ୍ଗଲକୁ ଯାଇ ଦେଖିଲେ ଯାଇ ବିଶ୍ୱାସ କରିହେବ । ଅତି ସାଧାରଣ କଥା ହେଲା ଯେ, ଯଦି ଜଙ୍ଗଲ ଅବକ୍ଷୟ ନ ହୁଅନ୍ତା, ତା’ହେଲେ ବନ୍ୟ ଜନ୍ତୁମାନେ ବାହାରି ଆସନ୍ତେ ନାହିଁ । ବନ୍ୟ ଜନ୍ତୁମାନେ ପଦାକୁ ବାହାରି ଆସିବା ଦ୍ୱାରା ମନୁଷ୍ୟର ଶିକାର ହେଉଛନ୍ତି ଏବଂ ସେମାନେ ଆକ୍ରମଣ ମଧ୍ୟ କରୁଛନ୍ତି । ଦେଖିବାକୁ ମିଳୁଛି ଯେ, ହାତୀମାନଙ୍କ ପରେ ରାଜ୍ୟରେ ବାର୍‌ହାମାନଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ଗାଁ ପାଖରେ ଥିବା ଜଙ୍ଗଲରୁ ବାର୍‌ହାମାନେ ଆସି ଲୋକଙ୍କୁ ଆକ୍ରମଣ କରୁଥିବା ବିଗତ କିଛି ମାସରେ ଅନେକ ନଜର ଆସିଛି । ଅପରପକ୍ଷେ ଶିକାରୀମାନେ ବାର୍‌ହା ଶିକାର ଲାଗି ବୋମା ଖଞ୍ଜୁଛନ୍ତି ।

ପୋଖରୀରେ ୮ ଜଣଙ୍କୁ ବାର୍‌ହା ଆକ୍ରମଣ କଲା

ରାଜ୍ୟର ଗଂଜାମ, ଅନୁଗୁଳ, ସମ୍ବଲପୁର, ବରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ନୂଆପଡ଼ା ଆଦି ଜିଲ୍ଲା ଗୁଡ଼ିକରେ ବାର୍‌ହା ଶିକାର ବୃଦ୍ଧି ପାଉଛି । ଗଂଜାମ ଜିଲ୍ଲାର ହିଞ୍ଜିଳି ବ୍ଲକ ଅନ୍ତର୍ଗତ ସିକିରି ଗାଁରେ ଆଜି ବାର୍‌ହା ଆକ୍ରମଣରେ ୮ ଜଣ ଲୋକ ଆହତ ହୋଇଛନ୍ତି । ସମସ୍ତଙ୍କର ଚିକିତ୍ସା ଲାଗି ବ୍ରହ୍ମପୁର ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ହୋଇଥିବା ଲୋକେ ଗାଁ ପୋଖରୀ ହୁଡ଼ାରେ ଛିଡ଼ା ହୋଇଥିବା ବେଳେ ନିକଟ ଜଙ୍ଗଲରୁ ଏକ ବାର୍‌ହା ହଠାତ୍ ଆସି ଆକ୍ରମଣ କରିଥିଲା ।

୩ ଭାଇ-ଭଉଣୀଙ୍କୁ ଆକ୍ରମଣ କରିଥିଲା ବାର୍‌ହା

ଗତ ନଭେମ୍ବର ୭ ତାରିଖର ଘଟଣା । ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅଧୀନ ବୁଢାକେନ୍ଦୁ ମନ୍ଦିର ଦେଇ ଆସୁଥିବା ବେଳେ ୩ ଭାଇ-ଭଉଣୀ ବାର୍‌ହା ଆକ୍ରମଣରେ ଶିକାର ହୋଇଥିଲେ । ସେଦିନି ସେମାନେ ନିକଟସ୍ଥ ଗୋବରା ଗାଁରୁ ଫେରୁଥିବା ବେଳେ ବାର୍‌ହା ଅତର୍କିତ ଭାବେ ଆକ୍ରମଣ କରିଥିଲା । ତିନି ଭାଇ-ଭଉଣୀଙ୍କ ପେଟ, ଗାଲ ଓ ଜଙ୍ଘରେ ଗଭୀର କ୍ଷତ ହୋଇଥିଲା ।

ବାର୍‌ହା ପାଇଁ ଖଂଜା ଯାଇଥିଲା ବୋମା! ଶିକାର ହେଲେ ଗାଈ

ଅଳ୍ପ ଦିନ ପୂର୍ବରୁ ଗଂଜାମ ଜିଲ୍ଲାରେ ୨ଟି ଭିନ୍ନ ସ୍ଥାନରେ ୨ଟି ଗାଈ ବୋମା ବିସ୍ଫୋରଣରେ ଗଭୀର ଆହତ ହୋଇଥିଲେ । ଉଭୟ ସ୍ଥାନରେ ଗାଈର ମୁହଁ କ୍ଷତ ହୋଇଥିଲା । ଏହାର କାରଣ ହେଉଛନ୍ତି ଶିକାରୀ ବୋଲି ଚର୍ଚ୍ଚା ହୋଇଥିଲା । ବାର୍‌ହା ଶିକାର ପାଇଁ ଲୋକେ ପଡ଼ିଆରେ ବୋମା ଖଂଜିଥିବା ବେଳେ ପଡିଆରେ ଚରୁଥିବା ଗାଈମାନେ ଏହାର ସମ୍ମୁଖୀନ ହୋଇଥିଲେ । କିନ୍ତୁ କେଉଁମାନେ ଏହି ବୋମା ଖଂଜିଥିଲେ, ତାହା ଜଣାପଡ଼ି ନଥିଲା ।

ବାର୍‌ହା ଆକ୍ରମଣ: କେନ୍ଦ୍ରାପଡ଼ା ଜିଲ୍ଲାରେ ୭ ଆହତ


କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ତେରଗାଁରେ ମଧ୍ୟ ଜଙ୍ଗଲି ବାର୍‌ହା ଆକ୍ରମଣ କରିଥିଲା ୭ ଜଣଙ୍କୁ । ଚାଷ ଜମିରେ ବାର୍‌ହା ବୁଲୁଥିବା ଦେଖି ଲୋକେ ଚିତ୍କାର କରିବାରୁ ଆକ୍ରମଣର ଶିକାର ହୋଇଥିଲେ । ଏହା ଥିଲା ୨୦୧୯ ଏପ୍ରିଲ ୭ ତାରିଖ ଦିନର ଘଟଣା । ସେଦିନ ଲୋକେ ନିଜର ଚାଷ ଜମିରେ ବୁଲାବୁଲି କରୁଥିଲେ ।

ରାଜ୍ୟରେ ବାର୍‌ହା ଶିକାର ବୃଦ୍ଧି

ରାଜ୍ୟରେ ବାର୍‌ହା ଶିକାର ବୃଦ୍ଧି ପାଉଛି । ବିଭିନ୍ନ ସ୍ଥାନରେ ବାର୍‌ହା ଶିକାର କରି ଏହାର ମାଂସ ବିକ୍ରି କରାଯାଉଥିବାର ମଧ୍ୟ ଅଭିଯୋଗ ହେଉଛି । ବାର୍‌ହା ଦାନ୍ତ ମଧ୍ୟ ବହୁ ମୂଲ୍ୟରେ ବିକ୍ରି ହେଉଥିବା ଚର୍ଚ୍ଚା ହେଉଛି । ବାର୍‌ହା ଦାନ୍ତ ବହୁତ ଟାଣ ଏବଂ ଏହାର ଔଷଧୀୟ ଗୁଣ ଥାଏ ବୋଲି ମଧ୍ୟ ଅନେକ ମତ ଦିଅନ୍ତି । ବନ ବିଭାଗ ପକ୍ଷରୁ ବେଳେ ବେଳେ ଚଢ଼ାଉ କରାଯାଇ ବାର୍‌ହା ମାଂସ ଜବତ କରାଯିବା ସହିତ ଶିକାରୀମାନଙ୍କୁ ଗିରଫ କରାଯାଉଛି । କିନ୍ତୁ ଏଥିରେ ଶିକାରୀମାନଙ୍କର ମାନସିକ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସୁନାହିଁ ।

Share the article

LEAVE A REPLY