ଅଲୋଡ଼ା ହେଉଛନ୍ତି ବୟସ୍କ ପିତା-ମାତା, ମୃତ୍ୟୁ ପୂର୍ବରୁ ପାଉଛନ୍ତି ନିର୍ଯାତନା

0
259

ଭୁବନେଶ୍ୱର: ସଂସାରେ ବିଚିତ୍ର ନିୟମ ଦେଖିବାକୁ ମିଳୁଛି । ସନ୍ତାନଟିଏ ପାଇଁ ଏକ ଦଂପତ୍ତିଙ୍କୁୁ ବହୁ କଷ୍ଟ ଭୋଗିବାକୁ ପଡୁଛି । ନିଜେ ନ ଖାଇ ନ ପିଇ ପିଲାକୁ ପାଳିବାକୁ ହୋଇଥାଏ । ବ୍ୟକ୍ତି ଗରିବ ହେଉ କି ଧନୀ ହେଉ, ସମସ୍ତଙ୍କ କ୍ଷେତ୍ରରେ ପିଲାଟି ପାଇଁ ସମାନ ପ୍ରକାରର ସ୍ନେହ ଓ ଆଦର ଥାଏ । ପୁଣି ଛିଆଟିକୁ ଛୋଟରୁ ବଡ଼ କରିବା ପାଇଁ ସାମାଜିକ ଓ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥାଏ । ଆମେ ଯେପରି ଆମର ସନ୍ତାନର ଉଜ୍ୱଳ ଭବିଷ୍ୟତ ପାଇଁ ସବୁବେଳେ ଉଦ୍ୟମ କରୁଛେ, ଠିକ ସେହିପରି ଆମର ପିତା-ମାତା ମଧ୍ୟ ଆମ ପାଇଁ ସେତିକି ପରିବାଣରେ ପ୍ରୟାସ କରିଥିବେ । ସଂସାରରେ ପ୍ରତ୍ୟେକ ପିତା-ମାତା ଚାହାନ୍ତି ଯେ, ତାଙ୍କର ସନ୍ତାନ ସମାଜରେ ଯୋଗ୍ୟ ଭାବରେ ମୁଣ୍ଡ ଟେକି ଛିଡ଼ା ହେଉ ।
କ୍ଷୋଭର ବିଷୟ ଯେ, ଆଜିକାଲି ପିତା-ମାତାଙ୍କ ବୟସ ଗଡ଼ିଗଲେ, ସେମାନେ ଅଲୋଡା ହୋଇଯାଉଛନ୍ତି । ପିଲା ବଡ଼ ହୋଇଗଲେ ଓ ଭଲ ଚାକିରୀ କଲେ ଘର ଛାଡ଼ି ବାହାରେ ରହୁଛନ୍ତି । ଘରେ ବୃଦ୍ଧ ପିତା ଓ ମାତା କେମିତି ଅଛନ୍ତି, ତାହା ପଚାରିବାକୁ ସମୟ ପାଉନାହାନ୍ତି । ବିଶେଷ ଭାବରେ ଗ୍ରାମାଂଚଳରେ ଏହା ଅଧିକ ପରିଲକ୍ଷିତ ହେଉଛି । ସରକାର ଦେଉଥିବା ବୃଦ୍ଧା ଭତ୍ତା ଉପରେ ରୋଜଗାରୀଆ ପୁଅର ଆଖି ପଡୁଛି ।

ବୃଦ୍ଧ ବାପାଙ୍କୁ ରାସ୍ତାରେ ଛାଡ଼ି ଚାଲିଗଲେ ପୁଅ-ବୋହୂ

କଟକର ଶିଶୁଭବନ ନିକଟରେ ଜଣେ ୯୨ ବର୍ଷୀୟ ବୃଦ୍ଧଙ୍କୁ ତାଙ୍କର ପୁଅ ଓ ବୋହୂ ଛାଡ଼ି ଦେଇ ସେଠାରୁ ପଳାୟନ କରିଥିଲେ । ସବୁଠାରୁ ବଡ଼ ଦୁଃଖର କଥା ହେଲା ଯେ, ପୁଅ-ବୋହୂ ବୃଦ୍ଧ ବ୍ୟକ୍ତିଙ୍କୁ ଯାତ୍ରା ଦେଖାଇ ନେବା ବାହାନାରେ କଟକ ବୁଲାଇ ଆଣିଥିଲେ ଏବଂ ରାସ୍ତାରେ ଛାଡ଼ି ଦେଇ ପଳାଇଯାଇଥିଲେ । ପରେ ଲାଲବାଗ ପୋଲିସ ସଂପୃକ୍ତ ବୃଦ୍ଧଙ୍କୁ ଉଦ୍ଧାର କରିଥିଲା । କେନ୍ଦ୍ରାପଡ଼ା ଜିଲ୍ଲା ତିରିଣିଆ ଜୟପୁରର ଗଜେନ୍ଦ୍ର ନାୟକଙ୍କୁ ତାଙ୍କର ପୁଅ-ବୋହୂ ଶନିବାର ସନ୍ଧ୍ୟାରେ କଟକର ଶିଶୁଭବନ ରାସ୍ତାର ହାଇକୋର୍ଟ ଛକ ନିକଟରେ ଛାଡ଼ିଦେଇ ଚାଲିଯାଇଥିଲେ । ଏଣେ ପୁଅ-ବୋହୂଙ୍କ ଅପେକ୍ଷାରେ ଥିବା ବୃଦ୍ଧଙ୍କୁ ଏକାକୀ ଦେଖି ସ୍ଥାନୀୟ ଅଂଚଳର ଏକ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ପଚରାଉଚରା କରିଥିଲେ ।

ଗଂଜାମରେ ମଦ୍ୟପ ଶିକ୍ଷକଙ୍କ କାଣ୍ଡ

ଶିକ୍ଷକ ହେଉଛନ୍ତି ସମାଜ ରୂପି ମନ୍ଦିର ଗଢ଼ି ପାରୁଥିବା ବିଶ୍ୱକର୍ମା । ସେ ଯେତିକି ଭଲ ଛାତ୍ର ଗଢ଼ିପାରିବେ, ସମାଜ ସେତିକି ଭଲ ରାସ୍ତାରେ ଗତି କରିବ । ଶିକ୍ଷକ ଯଦି ସଚ୍ଚୋର୍ଟ, ସତ୍ୟବାଦୀ, କର୍ତ୍ତବ୍ୟ ପରାୟର ହେବ, ତା’ହେଲେ ସମାଜର ପ୍ରଗତି ସୁନିଶ୍ଚିତ । କିନ୍ତୁ ଯଦି ଜଣେ ଶିକ୍ଷକ ବିପଥଗାମୀ ହେବ, ତା’ହେଲେ ତାର ପରିବାର ଓ ତା ଦ୍ୱାରା ଗଢ଼ାଯାଇଥିବା ଛାତ୍ରମାନେ ମଧ୍ୟ ସମାଜ ପାଇଁ ବ୍ୟାଧୀ ପାଲଟିବେ । ଗତ ୪ ତାରିଖର ଘଟଣା । ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଧୀନ ଅତରାଇପଲ୍ଲୀ ଗାଁର ଜଣେ ଶିକ୍ଷକ ନିଶାସକ୍ତ ଅବସ୍ଥାରେ ନିଜର ବୃଦ୍ଧ ବାପାଙ୍କୁ ଯେଭଳି ଭାବେ ନିର୍ଯାତନା ଦେଇଛି, ପ୍ରତକ୍ଷ୍ୟଦର୍ଶୀ ସଂପୃକ୍ତ ଶିକ୍ଷକଙ୍କ ଶରୀର ଉପରେ ଛେପ ପକାଇବାକୁ ତିଳେ ମାତ୍ର ସଂକୋଚ କରିବ ନାହିଁ । ଇଙ୍ଗିନାଠି ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶଙ୍କର ନାଇକ ଫେବ୍ରୁଆରୀ ୪ ତାରିଖରେ ମଦ ପିଇ ଘରକୁ ଆସିଥିଲେ । ସେ ପାରିବାରିକ ଭୁଲ ବୁଝାମଣାକୁ ନେଇ ବୃଦ୍ଧ ପିତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଏହା ପରେ ଘରୁ ଖସିଯାଉଥିବା ବେଳେ ଗାଁ ଲୋକେ ପୋଲିସ ନିକଟରେ ଜିମା ଦେଇଥିଲେ ।

ବୃଦ୍ଧଙ୍କ ମାନସିକତା ଛୋଟ ଶିଶୁ ଭଳି

କେବଳ ସେତିକି ନୁହେଁ ବୟସ୍କ ପିତା-ମାତାଙ୍କୁ ପୁଅ-ବୋହୂଙ୍କ ନର୍ଯାତନା ସୀମା ଟପିଯାଉଛି । ଆଜିକାଲି ଏହା ଏକ ସାମାନ୍ୟ କଥା ହୋଇଯାଇଛି । ଯେଉଁ ପିତା-ମାତା ଜବାବ ନଦେଇ ଅର୍ଥାତ ପାଟିରେ ତାଲା ଦେଇ ରହୁଛନ୍ତି, ସେମାନେ ବର୍ତ୍ତି ଯାଉଛନ୍ତି । କିନ୍ତୁ ପୁଅ-ବୋହୂଙ୍କୁ ଉପଦେଶ ଦେଲେ ମାଡ଼ ଖାଇବାକୁ ପଡୁଛି । ବୟସର ସାୟାହ୍ନରେ ବ୍ୟକ୍ତି ଛୋଟ ପିଲା ହୋଇଯାଇଥାଏ । ଛୋଟ ପିଲାର ବ୍ୟବହାର ଭଳି ବୃଦ୍ଧ ପିତା-ମାତା ମଧ୍ୟ ତାହା କରିଥାନ୍ତି । ସେମାନଙ୍କୁ ଗାଳି, ତରସ୍କାର ଓ ହତାଦର ବଦଳରେ ସେବା ଶୁଶ୍ରୁଷା ଆବଶ୍ୟକ ହୋଇଥାଏ ।

Share the article

LEAVE A REPLY