ନୂଆପଡ଼ାରେ ବାଘ ଆତଙ୍କ

0
354

ନୂଆଦିଲ୍ଲୀ: ବାଘ ଭୟରେ ନୂଆପଡ଼ା ଜିଲ୍ଲାବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ସଂଜ ନଇଁଲେ ଲୋକେ ଘର ଭିତରୁ ବାହାରିବାକୁ ସାହାସ କରୁ ନାହାନ୍ତି । ସୂର୍ଯ୍ୟ ଅସ୍ତ ହୋଇଯିବା ପରେ ଯଦି କୌଣସି ବଡ଼ ଧରଣର ଅଦ୍ଭୁତ ଶବ୍ଦ ଶୁଣିବାକୁ ମିଳୁଛି, ତା’ହେଲେ ଲୋକେ ଏହାକୁ ବାଘ ବୋଲି ବିଶ୍ୱାସ କରୁଛନ୍ତି । ଜିଲ୍ଲାବାସୀ ଏମିତି ଆଶା ଓ ଆଶଙ୍କାରେ ଦିନ କାଟୁଛନ୍ତି । ସଦର ବ୍ଲକ ଅନ୍ତର୍ଗତ ଭରୁଆମୁଣ୍ଡା ପଂଚାୟତ ଅନ୍ତର୍ଗତ ଛୋଟଲୋଡ୍ରା ଗାଁରେ ଗୁରୁବାର ଜଣେ ମହିଳାଙ୍କୁ ବାଘ ଖାଇଗଲା ବୋଲି ରାଜ୍ୟ ସାରା ଚର୍ଚ୍ଚା ହୋଇଛି । ମକର ମାଝୀଙ୍କ ପତ୍ନୀ ଭାନୋବାଇ ମାଝୀ ଗୁରୁବାର ପୂର୍ବାହ୍ନରେ ଗାଁ ନିକଟସ୍ଥ ଚାଷ ଜମିକୁ ଯାଇଥିବା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ଆଉ ଫେରି ନଥିଲେ । ସନ୍ଧ୍ୟାରେ ପରିବାର ଓ ଗାଁ ଲୋକେ ଯାଇ ଦେଖିବାରୁ ଚାଷ ଜମିଠାରୁ ୫୦ ମିଟର ଦୂରତାରେ ଭାନୋବାଇଙ୍କ ମୃତଦେହ ପଡ଼ିଥିଲା । ଗାଁ ଲୋକେ ସେଠାରେ ବଡ଼ ଧରଣର ଶବ୍ଦ ଶୁଣି ବାଘ ହୋଇଥିବ ଭାବି ପ୍ରାଣ ବିକଳରେ ଦୌଡ଼ି ଫେରିଆସିଥିଲେ ।

ରାତି ସାରା ଜଙ୍ଗଲରେ ପଡ଼ିରହିଲା ମୃତଦେହ

ଗୁରୁବାର ବିଳମ୍ବିତ ସନ୍ଧ୍ୟା ହୋଇଯାଇଥିବାରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇପାରି ନଥିଲା । ରାତି ହୋଇଯାଇଥିବାରୁ ଗାଁ ଲୋକେ ପୁଣି ଥରେ ଜଙ୍ଗଲକୁ ଯାଇ ମହିଳାଙ୍କ ମୃତଦେହ ଉଦ୍ଧାର କରିବା ଲାଗି ବନ ବିିଭାଗକୁ ସହଯୋଗ କରିପାରି ନଥିଲେ । ତେଣୁ ବନ ବିଭାଗର କର୍ମଚାରୀମାନେ ମଧ୍ୟ ଘଟଣାସ୍ଥଳକୁ ପହଂଚିପାରି ନଥିଲେ । ବନ ବିଭାଗର ଡିଏଫଓ ରମେଶ ଚନ୍ଦ୍ର ପ୍ରଧାନ ଓ ନୂଆପଡ଼ା ସୁନାବେଡା ବନ ବିଭାଗର ରେଂଜର ଦିଲୀପ ଚଂପତରାୟ ଆଜି ଘଟଣାସ୍ଥଳକୁ ଯାଇ ମହିଳାଙ୍କର ମୃତଦେହ ଉଦ୍ଧାର କରିଛନ୍ତି । ତେବେ ସେମାନେ ପ୍ରାରମ୍ଭିତ ତଦନ୍ତରୁ ଜାଣିବାକୁ ପାଇଛନ୍ତି ଯେ, ଭାନୋବାଇଙ୍କୁ ବାଘ ଆକ୍ରମଣ କରି ନାହିଁ ।

ଭାଲୁ ଆକ୍ରମଣରେ ମହିଳା ମୃତ

ଭାଲୁ ଆକ୍ରମଣରେ ସଂପୃକ୍ତ ମହିଳା ପ୍ରାଣ ହାରିଛନ୍ତି । ଘଟଣାସ୍ଥଳରେ ବାଘର ପାଦ ଚିହ୍ନ ଓ ମହିଳାଙ୍କ ଶରୀରରେ ଭାଲୁର ନଖ ଦ୍ୱାରା ହୋଇଥିବା କ୍ଷତ ଚିହ୍ନ ଥିବା ବନ ବିଭାଗର ଅଧିକାରୀମାନେ ସୂଚନା ଦେଇଛନ୍ତି । ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ବାଘର ପାଦ ଚିହ୍ନ ଭାଲୁର ପାଦଚିହ୍ନ ଠାରୁ ଅଲଗା । ସେହିଭଳି ବାଘ ଓ ଭାଲୁର ଆକ୍ରମଣ କରିବା ଶୈଳୀ ମଧ୍ୟ ଭିନ୍ନ ହୋଇଥାଏ ।

ବାଘ ଆକ୍ରମଣ ନୂଆ କଥା ନୁହେଁ

ସାଢ଼େ ୩ ବର୍ଷ ପୂର୍ବରୁ ନୂଆପଡ଼ା ଜିଲ୍ଲାରେ ଏଭଳି ବାଘ ଆତଙ୍କ ଦେଖାଯାଇଥିଲା । ୨୦୧୭ ମସିହା ଜୁଲାଇ ୨୫ ତାରିଖରେ ଡୁମେରପାଣି ପଂଚାୟତ ଅନ୍ତର୍ଗତ ହଳଦୀ ଗାଁରେ ମା’ କୋଳରୁ ୪ ବର୍ଷର ଶିଶୁପୁତ୍ରକୁ ବାଘ ଝାମ୍ପି ନେଇଥିଲା । ଏହି ଘଟଣା ମଧ୍ୟ ସେହି ସମୟରେ ରାଜ୍ୟସାରା ଚର୍ଚ୍ଚା ହୋଇଥିଲା । ବାଘ ଧରିବା ପାଇଁ ଜଙ୍ଗଲରେ ଯନ୍ତା ବସାଯାଇଥିଲା । ୨୦୧୭ ମସିହା ଅଗଷ୍ଟ ୧୫ ତାରିଖରେ ଏକ ଅଣ୍ଡିରା ବାଘ ଓ ଅକ୍ଟୋବର ୩୦ରେ ଏକ ମାଈ ବାଘ ଜନ୍ତାରେ ପଡ଼ିଥିଲେ । ଉଭୟ ବାଘକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଛଡ଼ାଯାଇଥିଲା କିନ୍ତୁ ୨ଟି ବାଘ ଯନ୍ତାରେ ପଡ଼ିବା ପରେ ମଧ୍ୟ ହଳଦୀ ଗାଁର ଅନ୍ୟ ୨ ଜଣ ବାଘ ଆକ୍ରମଣର ଶିକାର ହୋଇଥିଲେ । ସ୍ଥାନୀୟ ଲୋକଙ୍କର ଦାବି ଅନୁସାରେ ହଳଦୀ ଗାଁରେ ତାରଜାଲି ଦିଆଯାଇଥିଲା ।

ହଳଦୀ ଜଙ୍ଗଲରେ ୩ଟି ବାଘ!

ପ୍ରାୟ ୧୫ ଦିନ ହେବ ହଳଦୀ ଗାଁରେ ପୁଣି ଥରେ ଲୋକଙ୍କୁ ବାଘ ଚିନ୍ତା ପଶିଛି । ଖରିଆର ରୋଡ଼ ରେଂଜ ଅନ୍ତର୍ଗତ ହଳଦୀ ଗାଁ ନିକଟସ୍ଥ ଜଙ୍ଗଲରେ ଥିବା ଶୀଳତା ମନ୍ଦିର ପାଖ ଚଟାଣା ଉପରେ ନିକଟରେ ୩ଟି ବାଘ ବୁଲୁଥିବା ଗାଁ ଲୋକେ ଦେଖିଥିଲେ । ଗ୍ରାମବାସୀ ବାଘ ବୁଲୁଥିବା ଦେଖିଥିଲେ । ଯୋଗଭଟ୍ଟା, ତିଲେଇପାଳନା, ଡୁମେରବାହାଲ, ବୈଜଲପୁର ଅଂଚଳରେ ଛେଳି ଓ ମେଣ୍ଡାକୁ ବାଘ ଖାଇଯାଉଥିବା ଅଭିଯୋଗ ହୋଇଛି ।

Share the article

LEAVE A REPLY