ଝଲସିବ ମା’ ସମଲେଶ୍ୱରୀଙ୍କ ମନ୍ଦିର, ଭିତ୍ତିଭୂମିର ବିକାଶ ଲାଗି ଖର୍ଚ୍ଚ ହେବ ୨୦୦ କୋଟି

0
156

ଭୁବନେଶ୍ୱର: କୋଟି କୋଟି ଓଡିଆଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ତଥା ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ‘ମା’ ସମଲେଶ୍ୱରୀ’ ମନ୍ଦିର ଓ ଏହାର ପାରିପାର୍ଶ୍ୱିକ ଅଂଚର ଭିତ୍ତିଭୂମକୁ ବିକାଶ କରାଯିବ। ମନ୍ଦିର ପରିସର ଓ ଏହାର ବାହାର ପାଖରେ ଅଳିଆ-ଆବର୍ଜନା ରହିବ ନାହିଁ। ପରିଷ୍କାର ଓ ପରଚ୍ଛନ ପରିବେଶରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ମା’ ସମଲେଶ୍ୱରୀଙ୍କୁ ଦର୍ଶନ କରିବେ। ଏଥି ସହିତ ମହାନଦୀ କୂଳରେ ସକାଳ ଓ ସନ୍ଧ୍ୟାର ଦୃଶ୍ୟ ଉପଭୋଗ କରିପାରିବେ।

ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏଠାରେ ଆକର୍ଷଣୀୟ ସ୍ୱାଗତ ତୋରଣ, ପରିକ୍ରମା ଓ ମହାନଦୀ ଆଳତୀ ଭକ୍ତମାନଙ୍କୁ ଅପୂର୍ବ ଆନନ୍ଦ ଦେବା ଉଦେଶ୍ୟରେ ରାଜ୍ୟ ସରକାର ରୂପରେଖ ପ୍ରସ୍ତୁତ କରିଛନ୍ତି। ସମଲେଶ୍ୱରୀ ମନ୍ଦିରର ଭିତ୍ତିଭୂମି ବିକାଶ ଲାଗି ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ।

୧୦୮ ଏକର ଜମିରେ ବିକାଶ କାମ

ମହାନଦୀ କୂଳରେ ଅବସ୍ଥିତ ମା’ ସମଲେଶ୍ୱରୀ ମନ୍ଦିରକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଆଗମନ ହେଉଛି। ନବରାତ୍ରୀ, ଦଶହରା, ନୂଆଁଖାଇ ଓ ଅନ୍ୟ ବଡ଼ ପର୍ବପାର୍ବାଣୀ ଶ୍ରଦ୍ଧାଳୁମାନଙ୍କର ସଂଖ୍ୟା ଆହୁରି ଅଧିକ ବଢ଼ିଯାଇଥାଏ। ଷୋଡଶ ଶତାଦ୍ଦୀରେ ନିର୍ମିତ Samaleswari Temple Area Management & Local Economy Initiatives (SAMALEI)  ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନାରେ ଆର୍ଥିକ ବର୍ଷ ୨୦୨୧-୨୨ରେ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସମଲେଶ୍ୱରୀଙ୍କ ପୀଠ ତଥା ଆଖପାଖର ୧୦୮ ଏକର ଜମିରେ ବିକାଶ କରାଯିବ। ମନ୍ଦିରର ସୌନ୍ଦର୍ଯ୍ୟକରଣ, ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ତଥା ପର୍ଯ୍ୟଟକ ଓ ଭକ୍ତ ମାନଙ୍କ ପାଇଁ ଏକ ଅନନ୍ୟ ଅନୁଭୂତି ହେବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ କରିବ।

ମନ୍ଦିରର ଭିତ୍ତିଭୂମିରେ କାହାକୁ ଗୁରୁତ୍ୱ

– ୧୨ ଏକର ଜମି ଉପରେ ପ୍ରତିଷ୍ଠିତ ମା’ ଙ୍କ ମନ୍ଦିରର ସୁରକ୍ଷା ଓ ବିକାଶ। ଧାଡି ପରିଚାଳନା ବ୍ୟବସ୍ଥା, ବିଭିନ୍ନ ଧାର୍ମିକ ଉତ୍ସବ ଅନୁଷ୍ଠାନ ପାଇଁ ସ୍ଥାନ ସହିତ ଭୋଗମଣ୍ଡପ ଓ ପୂଜୀରୀଙ୍କ ବିଶ୍ରାମଗୃହ ନିର୍ମାଣ ହେବ।
– ମନ୍ଦିର ଚାରିପାର୍ଶ୍ୱରେ ଐତିହ୍ୟ କରିଡ଼ର। ୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ପାଦଚଲା ରାସ୍ତା ନିର୍ମାଣ ହେବ।
– ଯାତ୍ରୀ ସୁବିଧା ପାଇଁ ପାର୍କିଂ, ଶୌଚାଳୟ, ସୂଚନା କେନ୍ଦ୍ର, ଦାନ କେନ୍ଦ୍ର ଇତ୍ୟାଦି।  
– ମନ୍ଦିର ନିକଟରେ ରହୁଥିବା ସେବାୟତ ପରିବାର ପାଇଁ ବାସଗୃହ ହେବ ନିର୍ମାଣ। – ଭକ୍ତମାନେ ମନ୍ଦିର ଦର୍ଶନ ପରେ ମହାନଦୀକୁ ଯିବା ପାଇଁ ଏକ ୩୦ ମିଟର ପ୍ରସ୍ଥ ବିଶିଷ୍ଟ ରାସ୍ତା ନିର୍ମାଣ ହେବ।  
– ପ୍ରତିଦିନ ଆକର୍ଷଣୀୟ ମହାନଦୀ ଆଳତୀ ଆୟେଜନ।

ବଦଳିବ ସମ୍ବଲପୁର ସହରର ନକ୍ସା

ସମଲେଶ୍ୱରୀ ମନ୍ଦିରର ବିକାଶ ସହିତ ସହରର ବିକାଶକୁ ଯୋଜନାରେ ସାମିଲ କରାଯାଇଛି। ଏହି ଆଧାରରେ ରିଙ୍ଗ ରୋଡକୁ ଚଉଡା କରାଯିବ ଏବଂ ସେଥିରେ ସ୍ୱତନ୍ତ୍ର ଭାବରେ ନଦୀ କୂଳେ କୂଳେ ଚଲାପଥ ଓ ଅବସର ସୁବିଧା ରହିବ। ମହାନଦୀ କୂଳକୁ ଯୋଜନାବଦ୍ଧ ଭାବରେ ବିକାଶ କରାଯିବ। ଲୋକେ ସୁବିଧାରେ ସେମାନଙ୍କର ପରମ୍ପରା ଓ ରୀତିନୀତି ପାଳନ କରିପାରିବେ। ସେହିପରି ୨୨ ଏକର ଜମିରେ ହ୍ରଦ କୂଳର ବିକାଶ ହେବ।

ବ୍ୟବସାୟର ସମ୍ଭାବନା

ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଫୁଡ ପାର୍କ ବ୍ୟବସ୍ଥା କରାଯିବ। ସେହିପରି ସମ୍ବଲପୁରର ପ୍ରସିଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ସହିତ ବିଭିନ୍ନ ସ୍ମାରକୀ ସାମଗ୍ରୀର ବିକ୍ରି ପାଇଁ ଭେଣ୍ଡିଂ ବ୍ୟବସ୍ଥା  କରାଯିବ। ଫଳରେ ଅନେକ ଗୁଡ଼ିଏ ଷ୍ଟଲ ଖୋଲିବ। ଏହା ଦ୍ୱାରା ହଜାର ହଜାର ଲୋକ ପରୋକ୍ଷ ଓ ପ୍ରତକ୍ଷ୍ୟ ଭାବେ ଟଙ୍କା ରୋଜଗାର କରିପାରିବେ। ସମ୍ବଲପୁରୀ ବସ୍ତ୍ରାଳୟ ଉତ୍ପାଦନ କରିବା ପାଇଁ ନିୟୋଜିତ ଥିବା କାରିଗର ଓ ବ୍ୟବସାୟୀଙ୍କ ମଧ୍ୟ ଲାଭ ହେବ।

Share the article

LEAVE A REPLY