ସାଧାରଣ ଲୋକଙ୍କୁ କନ୍ଦାଉଛି ତେଲ ଓ ପିଆଜ ଦର

0
215

ଭୁବନେଶ୍ୱର: ଦରଦାମ୍ ବୃଦ୍ଧି ସାଧାରଣ ଲୋକଙ୍କର ଚିନ୍ତା ବଢ଼ାଇଛି । ଗରିବ ଓ ମଧ୍ୟବିତ୍ତ ଲୋକଙ୍କର ଅବସ୍ଥା ଆହୁରି ଦୟନୀୟ ହୋଇଯାଇଛି । ସ୍ଥିତି ଏଭଳି ହୋଇଛି ଯେ, ଲୋକେ ଘରୁ ବାହାରିବା ପୂର୍ବରୁ ନିଜର ଖର୍ଚ୍ଚ ନେଇ ଅନେକ କଥା ଚିନ୍ତା କରୁଛନ୍ତି । ଦରଦାମ ବୃଦ୍ଧିରେ ତେଲ ଦର ବୃଦ୍ଧି ଅନ୍ୟତମ କାରଣ ବୋଲି ବୁଦ୍ଧିଜୀବୀମାନେ କହୁଛନ୍ତି । ଡିଜେଲ ଦର ବୃଦ୍ଧି ହେବା ଦ୍ୱାରା ପରିବହନ ଉପରେ ପ୍ରତ୍ୟକ୍ଷ ଭାବରେ ପ୍ରଭାବ ପଡୁଛି, ଯାହାର ଶିକାର ହେଉଛନ୍ତି ସାଧାରଣ ଜନତା । ସାଧାରଣ ପରିବହନ ହେଉ ଅଥବା ରିଜର୍ଭ ଗାଡ଼ିର ପରିବହନ ପାଇଁ ଲୋକଙ୍କ ପ୍ୟାକେଟରୁ ଅଧିକ ଖର୍ଚ୍ଚ ହେଉଛି । ବସ୍‌, ଯାତ୍ରୀ ଅଟୋ, ଟ୍ୟାକ୍ସି ଭଡ଼ା ଆଶାତିତ ଭାବେ ବୃଦ୍ଧି କରାଯାଇଛି । ଫଳରେ ଲୋକଙ୍କ ମନିପର୍ସକୁ ପ୍ରଭାବ ପକାଇଛି ।

ମାଲକାନଗିରି ଗାଁରେ ପେଟ୍ରୋଲ ଲିଟର ୧୦୫ ଟଙ୍କା

କେବଳ ଡିଜେଲ ଦର ନୁହେଁ ବରଂ ପେଟ୍ରୋଲ ଦର ମଧ୍ୟ ୨୦୨୧ରେ ଆକାଶଛୁଆଁ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୬୬ ପଇସା ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ଶୁକ୍ରବାର ୯୬ ଟଙ୍କା ୩୧ ପଇସାରେ ପହଂଚିଛି । ଏହା ହେଉଛି ସହରାଂଚଳର ପେଟ୍ରୋଲ ଦର । କିନ୍ତୁ ଗ୍ରାମାଂଚଳରେ ସ୍ଥିତି ଭିନ୍ନ । ଗାଁ ଗହଳିର ଖୁଚୁରା ବ୍ୟବସାୟୀମାନେ ନିକଟସ୍ଥ ସହରରେ ଥିବା ପେଟ୍ରୋଲ ଟାଙ୍କିରୁ ପେଟ୍ରୋଲ କିଣିଥାନ୍ତି । ସେମାନେ ଯେତେବେଳେ ଗ୍ରାହକଙ୍କୁ ଏହା ବିକ୍ରି କରିଥାନ୍ତି, ତାହା ୧୦୦ ଟଙ୍କା ଅତିକ୍ରମ କରୁଛି । ଅର୍ଥାତ ମାଲକାନଗିରି ଜିଲ୍ଲାର ଗାଁମାନଙ୍କରେ ଲୋକେ ଏବେ ପେଟ୍ରୋଲ ପିଛା୧୦୫ ଟଙ୍କାରେ କିଣୁଛନ୍ତି । ସେହିପରି ରାଜ୍ୟର ଅନ୍ୟ ଗ୍ରାମାଂଚଳରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୧୦୦ରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହେଉଛି ।

ଖାଇବା ତେଲ ଦର ମଧ୍ୟ ବୃଦ୍ଧି

ପେଟ୍ରୋଲ ଏବଂ ଡିଜେଲ ବ୍ୟତୀତ ଖାଇବା ତେଲ ମଧ୍ୟ ନିୟନ୍ତ୍ରଣ ବାହାରେ । ପେଟ୍ରୋଲ ଓ ଡିଜେଲ ଦର ଖାଇବା ତେଲ ଉପରେ ପ୍ରଭାବ ପକାଇଛି । ତେଲ କାରଖାନାର ମାଲିକ ଖାଇବା ତେଲ ପରିବହନ ପାଇଁ ଯେଉଁ ଡିଜେଲ ବ୍ୟବହାର କରୁଛି, ଏଥି ପାଇଁ ସେ ଦୋକାନୀ ଉପରେ ଚାର୍ଜ ଲଗାଉଛି । ଫଳରେ ଗ୍ରାହକମାନେ ପରୋକ୍ଷ ଭାବରେ ଆର୍ଥିକ କ୍ଷତି ସହ୍ୟ କରିବାକୁ ପଡୁଛି । ଲିଟର ପିଛା ଏବେ ୧୩୦ରୁ ୧୮୦ ଟଙ୍କା ବିକ୍ରି ହେଉଛି । ଏହା ଦ୍ୱାରା ଗରିବ ଓ ମଧ୍ୟବିତ୍ତ ପରିବାର ଉପରେ ଅତିରକ୍ତ ବୋଝ ପଡ଼ିଛି । ଏତଦ ବ୍ୟତୀତ ଡାଲି, ମସଲା, ଚାଉଳ ଓ ଦୋକାନର ଅନ୍ୟ ସାମଗ୍ରୀରେ ମଧ୍ୟ ବିଗତ ୨ ମାସ ମଧ୍ୟରେ ୧୦ରୁ ୨୦ ପ୍ରତିଶତ ବୃଦ୍ଧି ଘଟିଛି ।

ପିଆଜ କିଲୋ ୬୦ ଟଙ୍କାରେ ବିକ୍ରି

ଦୋକାନ-ବଜାରରୁ ଏବେ ପିଆଜ କିଣିବା ପୂର୍ବରୁ ଚିନ୍ତା କରିବାକୁ ପଡୁଛି । କିଛି ଲୋକଙ୍କର ରୋଷେଇରେ ପିଆଜର ବ୍ୟବହାର ହେଉନାହିଁ । କାରଣ ବଜାରରେ ଏବେ ପିଆଜ କିଲୋ ୬୦ରୁ ୭୦ ଟଙ୍କାରେ ବିକ୍ରି ହେଉଛି । ଦୁଇ ମାସ ପୂର୍ବରୁ ପିଆଜ କିଲୋ ୪୦ ଟଙ୍କାରେ ବିକ୍ରି ହେଉଥିଲା । ପିଆଜ ଦର ଆହୁରି ବଢ଼ିପାରେ । ପିଆଜର ମଣ୍ଡି କୁହାଯାଉଥିବା ମହାରାଷ୍ଟ୍ରର ନାସିକରେ ମଧ୍ୟ ପିଆଜ ଦର ବଢ଼ି ଏବେ କିଲୋ ପିଛା ୬୦ ଟଙ୍କା ହୋଇଛି । ୨ ମାସ ତଳେ ଏଠାରେ ପିଆଜ ଦର ୧୦ରୁ ୩୦ ଟଙ୍କା ମଧ୍ୟରେ ମିଳୁଥିଲା । ପୂର୍ବରୁ କୁହାଯାଉଥିଲା ଯେ, ୨୦୨୧ ଜାନୁଆରୀ ବେଳକୁ ପିଆଜ ଦର ହ୍ରାସ ପାଇଯିବ । ଚାଷୀଙ୍କ ଦ୍ୱାରା ଉତ୍ପାଦିତ ପିଆଜ ବଜାରକୁ ଆସିଯାଇଥିବ । ଫଳରେ ଲୋକଙ୍କୁ ଶସ୍ତାରେ ପିଆଜ ମିଳିପାରିବ । କିନ୍ତୁ ପରିସ୍ଥିତି ଓଲଟା । ପିଆଜ ଦର ବଢିଚାଲିଛି ।

Share the article

LEAVE A REPLY