ପ୍ରେମ କବିତାର ପରିଭାଷା

0
359

ସେଇ ଯେତେସବୁ ନୂଆ ଓ ପୁରୁଣା ସହରର କଲେଜ୍ ଛକ୍ ସାମ୍ନାରେ ସାଙ୍ଗମାନଙ୍କ ଗହଣରେ ଚା ପିଉଥିବାବେଳେ ବି ପ୍ରେମ କବିତା ଲେଖାଯାଏ ,ପଢାଯାଏ ଏବଂ ଚର୍ଚ୍ଚା କରାଯାଏ ! ନୀରବୀ ସନ୍ଧ୍ୟାରେ ପାର୍କ ଭିତରର ନିଛାଟିଆ ଝାଉଁଗଛ ତଳେ ନିରୋଳା ମୁହୂର୍ତରେ ବି ପ୍ରେମର କବିତା ଝରିପଡୁଥାଏ ପ୍ରେମୀ ଯୁଗଳଙ୍କ ପରସ୍ୱରକୁ ସ୍ନେହ ଦେଉଥିବାର ପ୍ରତିଟି ଶବ୍ଦରେ ଅଥବା ତଥାପି ଭରପୂର ସାନ୍ନିଧ୍ୟ ପାଇନ ପାରି ବିଦେଶ ଯାଇଥିବା ସ୍ୱାମୀକୁ ପ୍ରତୀକ୍ଷା କରିଥିବା ରୂପସୀ ପ୍ରମିଳା ବି ଗାଳି କରେ ଜହ୍ନରାତିକୁ ବିରହରେ ଏବଂ ସେଇଠି ବି ଥାଏ ଅସୁମାରୀ ସ୍ରୋତ କବିତାର !


ତେଣୁ କବିତାର ମାନେ ହିଁ ତ ପ୍ରେମର ଚିଠି ! ଯେଉଁଠି ଭଲପାଇବା ଓ ପାଇ ନପାରିବାର ଇତିକଥା ନିବିଡ ଭାବରେ ଖୁନ୍ଦି ହୋଇ ରହିଥାଏ ସବୁ ଯୁଗରେ , ସବୁଠି । କବିତା ତେଣୁ ସ୍ୱଗତୋକ୍ତିର ପରିଭାଷା ! ଚୁରମାର ହୋଇ ଭାଙ୍ଗିଯାଉଥିବା ସ୍ୱପ୍ନର ଚୁପ୍‌ଚାପ ଅନ୍ଧାରି କଥା । ଏକଲାପଣ , ଅପ୍ରାପ୍ତି ,ଏବଂ କ୍ଷୋଭିତ ଆତ୍‌ମାର ମେଂଚାମେଂଚା ଶୂନ୍ୟତା ଓ ନୀରବତା । ପ୍ରେମ କବିତା ସବୁ କାଳରେ ନିରହଂକାରୀ ଓ ଅଙ୍ଗୀକାର ବିହୀନ ଆତ୍ମୀୟତା ।
ତେଣୁ ପ୍ରେମ କବିତା ଫୁଲକୁ ଦେଖେ , ଫଗୁଣକୁ ଦେଖେ , ବର୍ଷାକୁ ଦେଖେ , ଶ୍ରାବଣକୁ ବି ଦେଖେ । ପ୍ରେମ କବିତା ଲୁହ ସହ କଥା ହୋଇପାରେ ଖୁବ୍ ଜାକିଜୁକି ଏକାନ୍ତରେ !


ପ୍ରେମ କବିତା ତେଣୁ ପ୍ରତିଶୃତି ମାଗେ ନାହିଁ । ଖାଲି ସ୍ୱପ୍ନ ବୁଣୁଥାଏ ଓ କେତେବେଳେ ହାରୁଥାଏ ବି ! ପ୍ରେମ କବିତା ହୋଇପାରେ ମୁହୂର୍ତକର ମୂର୍ଛନା ଓ ମୁଠାଏ ପ୍ରବଣତା ; ତଥାପି ଯୁଗଯୁଗର ଭାବାବେଗ ଓ ଦୃଢ ପ୍ରତିଶୃତି । ଏ କବିତା ହୁଏତ ସମାଜ ତିଆରି କରିପାରେ ନାହିଁ ; କିନ୍ତୁ ବୈଷମ୍ୟ ବି ସୃଷ୍ଟି କରେ ନାହିଁ । ସାମ୍ୟ ହିଁ ରକ୍ଷା କରିଥାଏ । ସୀମାବଦ୍ଧ ଶ୍ରଦ୍ଧାକୁ ସେ ବିଶ୍ୱାସ ରଖେ ନାହିଁ । ଏ କବିତା ହୃଦୟର କୋହ ସହ ବି ବାର୍ତାଳାପ କରିପାରେ ଅଭିନବ ପୁଲକରେ ।ତାର ଗୋଟେ ମଜବୁତ ଶକ୍ତିଥାଏ ପାଠକକୁ ଓଦା କରିଦେବାରେ । ପ୍ରେମ କବିତା ଅନ୍ୟମନସ୍କ କରେ ନାହିଁ ; ଆତ୍ମ ମନସ୍କକରେ । ଏବଂ ଏହା ସବୁ ଯୁଗରେ ସୁନ୍ଦର ଓ ନୂଆଭଳି ପ୍ରତୀତ ହୁଏ ଭାବମୁଗଧ ପାଠକକୁ । କାହା ସହ ସାଲିସ କରେ ନାହିଁ । ସଂଗ୍ରାମ ପାଇଁ ଆହ୍ୱାନ କରେ ନାହିଁ । ରାସ୍ତାକୁ ଓହ୍ଲାଇ ଚକାବନ୍ଦ କରି ଧର୍ମଘଟ କରେ ନାହିଁ । ପ୍ରେମ କବିତା କାନ୍ଦୁଥିବା ମେଘର ଦୁଃଖକୁ ସାଇତି ରଖେ ଓ ରଖୁଥାଏ । ଉଜୁଡି ଯାଉଥିବା ବଗିଚା ଓ ନିରୁଦ୍ଦିଷ୍ଟ ହୋଇଯାଉଥିବା ପ୍ରଜାପତିକୁ ଝୁରି ହେଉଥାଏ ।
ଯେଉଁଠି ଭଲପାଇବା ସୀମାବଦ୍ଧ ହୋଇ ରହିଯାଏ ଏବଂ ଏରୁଣ୍ଡି ବନ୍ଧ ଡେଇଁ ପାରେନାହିଁ.,ସେଠି ଭଲପାଇବା ମଜବୁତ ହୁଏ ନାହିଁ । ତେଣୁ ଦେହକୁ ଛାଡି ଭଲପାଇବା ହୁଏ ନାହିଁ । ଦେହକୁ ଝୁରି ହେବାର ଦୁଃଖ ଅପରାଧ ନୁହେଁ ; ଏ ଝୁରିହେବା ଭିତରେ ନିଜକୁ ଜାକିଜୁକି ଧରିବା ଲାଗି ଅବସର ଓ ଖୋରାକ ମିଳେ ।


ଝୁରିହେବାରେ ଜୀବନର ନିଆରା ମଜାଟିଏ ରହିଛି !ଏଥିପାଇଁ କବି ଯାହା ଦେଖେ ଏବଂ ଉପଲବ୍ଧି କରେ ସେଇ ସବୁ ଆବେଗକୁ ହିଁ ତାର କବିତାରେ ରୂପାୟିତ କରିଥାଏ । ତାକୁ ପାଠକରି ଜଣେ ଆନନ୍ଦରେ ଆତ୍ମହରା ହୁଏ । ଏବଂ କବି ତା ପାଖରେ ସାରା ଜୀବନ ବନ୍ଦୀ ଯୋଏ !
କବିଟିଏ ଏମିତି ଜୀଉଁଥାଏ , କେତେବେଳେ ଫୁଲଭର୍ତି ବଗିଚାରେ ବୁଲୁବୁଲୁ ଅକସ୍ମାତ ନଦୀରେ ବନ୍ୟା ଆସି କବିକୁ ଭସେଇ ନିଏ ସ୍ରୋତରେ , ବିଚରା କବି ଅଜାଣତରେ ତାର ପିଟି ହେଉଥାଏ ପଥର ଦେହରେ ; ତଥାପି କବି ବଂଚୁଥାଏ କେତେବେଳେ ବାଘମୁହଁରେ ତ କେତେବେଳେ ଚଢେଇ ବସାରେ !
ତେଣୁ ପ୍ରେମକୁ ଉପେକ୍ଷା କରି କୌଣସି ବି ଯୁଗରେ କୌଣସି ବି ଭାଷାରେ କୌଣସି କବି କବିତା ଲେଖି ନାହାନ୍ତି । ସବୁ ଯୁଗରେ ପୃଥିବୀର ସବୁ ଭାଷାରେ କବିମାନେ କିଛିନା କିଛି ପ୍ରେମ କବିତା ଅବଶ୍ୟ ଲେଖିଛନ୍ତି । ଏବଂ ତାଙ୍କ କବିତାରେ ପ୍ରେମ , ଭଲପାଇବା ଓ ସୌନ୍ଦର୍ଯ୍ୟ ଦର୍ଶନର ଆଭାସ ଦେଇଛନ୍ତି ।
ପ୍ରେମ କବିତା ଆତ୍ମାର ଉଚ୍ଚାରଣ ! ନିରୁତା ସତ୍ୟ ଓ ଆବେଗର ଉଦବେଳନ । କବିତାରେ ପ୍ରେମ ନାହିଁ ତ ସେ କବିତାର ଶବ୍ଦପୁଂଜ ଗୁଡିକରେ କୌଣସି ପ୍ରକାର ମାଧୁର୍ଯ୍ୟ ନାହିଁ । ପ୍ରେମ କବିତା ତେଣୁ ନିଜକୁ ନିଜେ ନିବିଡ ଭାବରେ ସ୍ପର୍ଶ କରିବାର ଉପଲବ୍ଧି ଶିଖାଏ । ପ୍ରେମ କବିତା ବି ମଣିଷକୁ ନୂଆ ସ୍ୱପ୍ନ ନେଇ ପୁଣିଥରେ ଅଭିନବ ଶୈଳୀରେ ବଂଚିବାର ଟେକ୍ନିକ ଦେଇଥାଏ ।


ପ୍ରେମ କବିତା ଲେଖିବା ପାଇଁ କବିକୁ ତେଣୁ ସାମାନ୍ୟ ହେଲେ ମାନସିକ କସରତ କରିବାକୁ ପଡି ନଥାଏ । କିମ୍ବା ଗଭୀର ଭାବ ଗର୍ଭକ ବୌଦ୍ଧିକ ଚିନ୍ତାର ଆବଶ୍ୟକତା ପଡି ନଥାଏ । ପ୍ରେମ କବିତା ସବୁ କାଳ ଏବଂ ସି୍ଥତିରେ କବି ଅନ୍ତରର ନାନ୍ଦନିକ ଅନୁଭବ । ଏହି ଅନୁଭବ କିନ୍ତୁ ଶୁନ୍ୟ ଭାବପ୍ରବଣତାରୁ ଆସେ ନାହିଁ । ଏହା ବାସ୍ତବ ଅନୁଭୂତିର ମର୍ମକଥା ।
ନାରୀଟିଏକୁ ଦେଖୁଦେଖୁ ତାକୁ ପ୍ରଗାଢ ଭାବରେ ଚୁମ୍ବନ ଓ ଆଲିଙ୍ଗନ କରିନେବାର ଆବେଗ ପୁରୁଷର ମନ ମଧ୍ୟରେ ସୃଷ୍ଟି ହୋଇ ନଗଲେ ନାରୀର ସୌନ୍ଦର୍ଯ୍ୟ ଆଦୌ ନାହିଁ ବୋଲି ଯେମିତି ଧରି ନିଆଯିବ । ପ୍ରେମ କବିତା ଠିକ ସେମିତି ତାର ପ୍ରଥମ ପଦ ଉଚ୍ଚାରଣରେ ପାଠକ ଆର୍ଦ ହୋଇ ନଗଲେ ସେ କବିତା ଅକବିତା ବୋଲି କୁହାଯିବ ।
ଏଥିପାଇଁ ପ୍ରେମ କବିତା ବ୍ୟକ୍ତି- କୈନ୍ଦ୍ରିକତାରୁ ଉଦାର ଏବଂ ବିଶ୍ୱମୁଖୀ ହେବାର ଉନ୍‌ୁଖତା ଶିଖାଏ । ଏ କବିତା କଦାପି ସଂକୀର୍ଣ ପରିସର ଭିତରେ ବଂଚିରହିବାର କଳା-କୌଶଳ ଦିଏ ନାହିଁ ।ଏହା ପ୍ରତି ମୁହୂର୍ତରେ ଅନୁପ୍ରେରିତ କରୁଥାଏ ଆଗକୁ ଆଗକୁ ଧାବମାନ ହେବା ଲାଗି । ମୋଟ ଉପରେ ପ୍ରେମ କବିତା ମଣିଷକୁ ବୁଢା ହୋଇ ଯିବାର ପରାଜୟ ଭିତରେ ରଖେ ନାହିଁ । ସବୁ ଦିନ ମନ ଓ ଆତ୍ମାୁକୁ ବସନ୍ତ ଋତୁଭଳି ମହକ ଓ ମଧୁରେ ଛଳ୍‌ଛଳ୍ କରି ରଖିଥାଏ ।


ଗୋଟେ ସୁନ୍ଦର ଜୀବନ ବଂଚିବାର ନିଶା ଓ ଆବେଗଠାରୁ ମଣିଷକୁ ଘୁଂଚେଇ ଦିଏ ନାହିଁ ପ୍ରେମ କବିତା । ପ୍ରେମ କବିତାକୁ ଆଜିର ବସ୍ତୁବାଦୀ ମନୁଷ୍ୟମାନେ ହେଜିପାରନ୍ତି ନାହିଁ ବୋଲି ତାହା କୌଣସି କାଳରେ ବି ମଉଳି ଯାଏ ନାହିଁ ।
ପ୍ରେମ କବିତା ଏକ ଚେତନା । ଏକ ସମର୍ପଣ । ଯିଏ ପ୍ରେମ ଓ ସୌନ୍ଦର୍ଯ୍ୟ ନିକଟରେ ନିଜକୁ ସମର୍ପଣ କରିପାରେ ନାହିଁ ତାର ଜୀବନକୁ ସେ ଠିକ ଭାବରେ ଉପଲବ୍ଧି କରିପାରି ନାହିଁ ।
ପ୍ରତି ଟଂକାକୁ ହିସାବ କରୁଥିବା ଲୋକ ହୁଏତ ତା ଜୀବନ କାଳ ଭିତରେ କୋଟିପତି ହୋଇ ଯାଇପାରେ ; ସେ କିନ୍ତୁ କେବେ କାହାର ପ୍ରେମିକ ହୋଇ ପାରେ ନାହିଁ । ପ୍ରେମ କବିତା ମଣିଷକୁ ଏକ ସଂକୀର୍ଣ ସୀମାରୁ ମୁକୁଳି ଆସିବା ଲାଗି ବାରବାର ଇଙ୍ଗିତ କରୁଥାଏ ।

(ଏହା ଲେଖକଙ୍କ ନିଜସ୍ୱ ମତ ଅଟେ )

ଅଧ୍ୟାପକ ବିପିନ ମହାନନ୍ଦ

ବିକାଶ କଲେଜ, ଶାସନ, ସଂବଲପୁର

Email: [email protected]

ମୋବାଇଲ ନଂ ୮୬୫୮୭ ୩୪୬୭୦


Share the article

LEAVE A REPLY