ହସିଲେ ମଂଚ କଳାକାର, ନିରାଶ ହେଲେ ଛାତ୍ର-ଅଭିଭାବକ

0
247
Spread the love

ଭୁବନେଶ୍ୱର: ଦୀର୍ଘ ୩୫୦ ଦିନ ପରେ ପୁଣି ଥରେ ଯାତ୍ରା ମଂଚ ତଳେ ଦର୍ଶକଙ୍କ ସମାଗମ ହେବ। ଦର୍ଶକଙ୍କୁ ଆକର୍ଷିତ କଲା ଭଳି ମଂଚ କଳାକାରମାନେ ଆବେଗପୂର୍ଣ୍ଣ ସଂଳାପ କହିବେ। ଦର୍ଶକ ରାତି ସାରା ହସିବେ, କାନ୍ଦିବେ ଓ କଳାକାରଙ୍କୁ ପ୍ରଶଂସା କରିବେ। ରାଜ୍ୟ ସରକାରଙ୍କ ଦ୍ୱାରା ମାର୍ଚ୍ଚ ମାସ ପାଇଁ କରୋନା ଗାଇଡଲାଇନ୍‌ ଜାରି ହେବା ପରେ ଏହି ଆଶା ପ୍ରକଟ କରାଯାଇଛି। ଅନ୍ୟପଟରେ ଛାତ୍ର-ଅଭିଭାବଙ୍କୁ ପୁଣି ଥରେ ନିରାଶ ହେବାକୁ ପଡୁଛି। ଅନ୍‌ଲାଇନ୍‌ କ୍ଲାସ ନାମକୁ ମାତ୍ର ଚାଲିଥିବା ବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଅଫ୍‌ଲାଇନ୍‌ କ୍ଲାସ ହେବ ବୋଲି ଯେଉଁ ଆଶା ଦେଖାଯାଉଥିଲା, ତାହା ବର୍ତ୍ତମାନ ପରିପ୍ରେକ୍ଷୀରେ ସମ୍ଭବ ନୁହେଁ ବୋଲି ସରକାର ଏକପ୍ରକାର ସ୍ପଷ୍ଟ କରିଦେଇଛନ୍ତି। କାରଣ ରାଜ୍ୟ ବାହାରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।  

ମାର୍ଚ୍ଚ ପହିଲାରୁ ଯାତ୍ରା ଆୟୋଜନ

ମାର୍ଚ୍ଚ ୧ ତାରିଖ ଠାରୁ କରୋନା କଟକଣା ସହ ଯାତ୍ରା ଆୟୋଜନ କରାଯାଇ ପାରିବ। ଦର୍ଶକମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରି ପରସ୍ପର ମଧ୍ୟରେ ୬ ଫୁଟର ଦୂରତା ରଖା କରି ଯାତ୍ରା ଦେଖିପାରିବେ। ଯାତ୍ରା  ମଂଚକୁ ପ୍ରବେଶ ପୂର୍ବରୁ ଥର୍ମାଲ୍‌ ସ୍କ୍ରିନିଂ ବାଧ୍ୟତାମୂଳକ। ସେହିପରି ଦର୍ଶକ ବସିବା ପାଇଁ ଉଦ୍ଦିଷ୍ଟ ୨ଟି ଚୌକି ମଧ୍ୟରେ ଦୂରତା ରହିବ ୬ଫୁଟ। ସଂକ୍ରମଣରୁ ରକ୍ଷା ପାଇବା ଲାଗି ଅନ୍‌ଲାଇନ୍‌ ଟିକେଟ ବୁକିଂ କେନ୍ଦ୍ର ଅଧିକ ଖୋଲାଯିବା ଲାଗି ପରାମର୍ଶ ଦିଆଯାଇଛି। ଅନ୍ୟପଟରେ କରୋନା ଲକ୍ଷଣ ଥିବା ଲୋକଙ୍କୁ ଯାତ୍ରା ଦେଖିବା ମନା ହୋଇଛି।  

ବର୍ଷେ ବସିଲେ କଳାକାର

ସୂଚନାଯୋଗ୍ୟ, ସମଗ୍ର ବିଶ୍ୱ ସମେତ ରାଜ୍ୟରେ କରୋନା ଭାଇରସ ସଂକ୍ରମଣ ବ୍ୟାପିବା ପରେ ଗତବର୍ଷ ମାର୍ଚ୍ଚ ୧୫ ତାରିଖଠାରୁ ଯାତ୍ରାମଂଚ ଗୁଡ଼ିକ ବନ୍ଦ ହୋଇଯାଇଥିଲା। ଏହା ପରେ କଳାକାରମାନେ ଘରେ ବସି ରହିଥିଲେ। ବାରମ୍ବାର ଅନ୍ଦୋଳନ କରିବା ପରେ ଗତମାସ ଠାରୁ କିଛି ଯାତ୍ରା ଅନୁଷ୍ଠାନ ସୀମିତ ସଂଖ୍ୟାରେ ଦର୍ଶକଙ୍କୁ ନେଇ ନାଟକ ପରିବେଷଣ କରୁଛନ୍ତି। ଏବେ କିନ୍ତୁ ୨ ହଜାର ଦର୍ଶକଙ୍କୁ ଯାତ୍ରା ଦେଖିବାକୁ ଅନୁମତି ମିଳିଛି।

୯ମ-୧୧ଶ ପରୀକ୍ଷା ଅନ୍‌ଲାଇନ୍

ସେହିପରି ଗତବର୍ଷ ମାର୍ଚ୍ଚ ୧୭ ତାରିଖ ଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଯାଇଥିଲା। ଅନ୍‌ଲାଇନ୍‌ କ୍ଲାସ ଗୁଡ଼ିକ ଚାଲୁଥିଲା। ଗତ ୧୧ ତାରିଖ ଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା ଅଫ୍‌ଲାଇନ୍‌ରେ କ୍ଲାସ କରୁଛନ୍ତି। ନିକଟରେ ଅଫ୍‌ଲାଇନ୍‌ କ୍ଲାସରେ ୯ମ ଓ ଏକାଦଶ ଶ୍ରେଣୀର ପିଲାଙ୍କୁ ସାମିଲ କରାଯାଇଛି। କିନ୍ତୁ ଅଭିଭାବକମାନଙ୍କ ସମ୍ମତିକ୍ରମେ ୯ମ ଓ ୧୧ଶ ଶ୍ରେଣୀ ପରୀକ୍ଷା ଅନ୍‌ଲାଇନ୍‌ରେ ମାଧ୍ୟମରେ କରାଯାଇପାରେ।

ଶିକ୍ଷା ବିଭାଗ ଜାରି କରିବ ଏସ୍‌ଓପି!

ମାର୍ଚ୍ଚ ମାସର ଗାଇଡଲାଇନ ଅନୁସାରେ ଗତ ବର୍ଷଠାରୁ ବନ୍ଦ ଥିବା ପ୍ରାଥମିକ ସ୍କୁଲ ବିଦ୍ୟାଳୟ ଗୁଡ଼ିକ ଖୋଲିବା ନିଷ୍ପତ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନେବେ। ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ବିଭାଗ ଅଧିନରେ ଥିବା ସ୍କୁଲ ଖୋଲିବା ନିଷ୍ପତ୍ତି ମଧ୍ୟ ସଂପୃକ୍ତ ବିଭାଗ ନେବ। ପ୍ରାଥମିକ ସ୍କୁଲଗୁଡ଼ିକ ଖୋଲିବା ପାଇଁ ବିଭାଗ ଏସଓପି ପ୍ରସ୍ତୁତ କରିବ।

ବିବାହ-ଅନ୍ତିମ ସଂସ୍କାର ପାଇଁ ମାସ୍କ ନିୟମ

ବିବାହ ସମାରୋହ ଏବଂ ଅନ୍ତିମ ସଂସ୍କାର ସମୟରେ ସର୍ବାଧିକ ୫୦୦ ଜଣ  ଲୋକ ଏକତ୍ର ହୋଇପାରିବେ। ବାହାଘର ଓ ଶୁଦ୍ଧିକ୍ରିୟାରେ କରୋନା ଗାଇଡ଼ଲାଇନ୍‌  କେମିତି ପାଳନ ହେଉଛି, ଆୟୋଜକ ଏହାରି ଉପରେ ନଜର ରଖିବେ। ସେହିଭଳି କାର୍ଯ୍ୟକ୍ରମସ୍ଥଳୀରେ ଯେଉଁମାନେ ମାସ୍କ ପିନ୍ଧି ନ ଥିବେ, ସେମାନଙ୍କୁ ମାସ୍କ ଯୋଗେଇ ଦେବାକୁ ହେବ। ଆୟୋଜକ ତରଫରୁ ସବୁ ପ୍ରବେଶ ପଥରେ ରହି ଅତିଥିମାନେ ମାସ୍କ ପରିଧାନ କରିଛନ୍ତି କି ନାହିଁ ତାହା ଦେଖିବାକୁ ପଡ଼ିବ। 

LEAVE A REPLY