ବିହାରରେ ମାଗଣା କରୋନା ଟିକା, ଓଡ଼ିଶାରେ କେବେ?

0
199

ନୂଆଦିଲ୍ଲୀ: କରୋନା ଭାଇରସ ମୁକାବିଲା ଲାଗି ସମଗ୍ର ବିଶ୍ୱ ଲଢ଼େଇ ଜାରି ରଖିଛି । ଏହାରି ମଧ୍ୟରେ ଭାରତରେ ଆଜିଠାରୁ କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ ବର୍ଗ ଏବଂ ଅନ୍ୟ ରୋଗରେ ପୀଡ଼ିତ ଥିବା ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦିଆଯାଉଛି । କୋ-ୱିନ୨.୦ ପୋର୍ଟାଲରେ ମାଧ୍ୟମରେ ନାମ ପଂଜିକରଣ କରୁଥିବା ହିତାଧିକାରୀ ଟିକାକରଣ ନେଇପାରିବେ । ବିହାର ସରକାର ଘରୋଇ ଡାକ୍ତରଖାନାରେ ମଧ୍ୟ ଲୋକଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରିଛନ୍ତି । ଲୋକଙ୍କୁ ମାଗଣାରେ ଟିକା ଦେବା ପାଇଁ ନିତିଶ କୁମାରଙ୍କ ସରକାର ଗତବର୍ଷ ଡିସେମ୍ବର ୧୬ରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ଘୋଷଣା କରିଥିଲେ । ଓଡ଼ିଶାର ଜନତାଙ୍କୁ ମାଗଣାରେ କରୋନା ଟିକା ଦିଆଗଲେ ଗରିବ ଲୋକେ ବହୁ ଉପକୃତ ହୋଇପାରନ୍ତେ । ରାଜ୍ୟ ସରକାର ଗତବର୍ଷ ଘୋଷଣା କରିଥିଲେ କରୋନା ମୁକାବିଲା ପାଇଁ ଟଙ୍କା ଖର୍ଚ୍ଚ କରିବାରେ କୁଣ୍ଠାବୋଧ କରିବେ ନାହିଁ ।

ପ୍ରଧାନମନ୍ତ୍ରୀ ମୋଦୀ ନେଲେ ଟିକା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନରେ ଦିଲ୍ଲୀସ୍ଥିତ ଏମ୍ସରେ କରୋନା ଟିକା ନେଇଛନ୍ତି । ଟିକା ନେବା ପରେ ସେ ଡାକ୍ତର ଓ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେମାନଙ୍କ ଯୋଗୁଁ ଭାରତ ଆଜି କରୋନା ଭାଇରସ ମହାମାରୀ ସହ ଲଢ଼େଇ କରିପାରିଛି । ଏହି ଅବସରରେ ମୋଦୀ କହିଛନ୍ତି ଯେ, ନିର୍ଭୟର ସହିତ ସମସ୍ତେ ଟିକା ନେଇ ଭାରତକୁ କରୋନା ମୁକ୍ତ କରନ୍ତୁ ।

ଓଡ଼ିଶାର ୧୮୩ ଘରୋଇ ଡାକ୍ତରଖାନାରେ ଟିକା

କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ଏଥର ଉଭୟ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଟିକା ଦିଆଯାଉଛି । କିନ୍ତୁ ସବୁ ଘରୋଇ ଡାକ୍ତରଖାନାରେ ଟିକା ଦିଆଯାଉନାହିଁ । ରାଜ୍ୟ ସରକାରଙ୍କ ଦ୍ୱାରା କିଛି ବଛାବଛା ଘରୋଇ ଡାକ୍ତରଖାନାରେ ବରିଷ୍ଠ ନାଗରିକ ଓ ୪୫ ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯାଉଛି । ଓଡ଼ିଶାରେ ୧୮୩ଟି ଘରୋଇ ଡାକ୍ତରଖାନାରେ ଟିକାକରଣ ପାଇଁ ବ୍ୟବସ୍ଥା କରାଯାଇଛି । କେନ୍ଦ୍ର ସରକାର କହିଛନ୍ତି ଯେ, ସରକାରୀ ଡାକ୍ତରଖାନାରେ ଲୋକେ ମାଗଣାରେ ଟିକା ନେଇପାରିବେ କିନ୍ତୁ ଘରୋଇ ଡାକ୍ତରଖାନାରେ ଡୋଜ୍ ପିଛା ୨୫୦ ଟଙ୍କା ଦେବାକୁ ପଡ଼ିବ ।

ଟିକା ନେବା ପାଇଁ କ’ଣ କରିବେ ହିତାଧିକାରୀ

ଟିକାକରଣ ପୂର୍ବରୁ ହିତାଧିକାରୀଙ୍କୁ କୌଣସି ସମୟରେ ଓ ଯେକୌଣସି ସ୍ଥାନରେ କୋ-ୱିନ୨.୦ ପୋର୍ଟାଲ ମାଧ୍ୟମରେ ପଂଜିକରଣ ଓ ବୁକିଂ କରିବାକୁ ପଡ଼ିବ । ଆରୋଗ୍ୟ ସେତୁ ଏବଂ ଅନ୍ୟ ଆଇଟି ଆପ୍ଲିକେଶନ ମାଧ୍ୟମରେ ଏହା କରିହେବ । ଏତଦ ବ୍ୟତୀତ ଅନ-ସାଇଟ ମାଧ୍ୟମରେ ମଧ୍ୟ ଟିକାକରଣ ପାଇଁ ନାଁ ପଂଜିକରଣ କରିହେବ । ହିତାଧିକାରୀମାନେ ଚିହ୍ନିତ କେନ୍ଦ୍ରକୁ ଆଧାରକାର୍ଡ, ଭୋଟ ପରିଚୟପତ୍ର, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ପାନକାର୍ଡ, ସ୍ୱାସ୍ଥ୍ୟ ବୀମା ସ୍ମାର୍ଟ କାର୍ଡ, ଭତ୍ତା ପ୍ରମାଣ ପତ୍ର, ମନେରଗା କାର୍ଡ, ଏମପି/ଏମଏଲଏ/ଏମଏଲସିର ଆଇଡି କାର୍ଡ, ସରକାରୀ କର୍ମଚାରୀ ଅଥିବା ସର୍ଭିସ ଆଇଡି କାର୍ଡ, ଏନ୍‌ପିଆର ଅଧିନରେ ଜାରି ସ୍ମାର୍ଟ କାର୍ଡ ଭଳି ପ୍ରମାଣ ପତ୍ର ଦେବାକୁ ପଡ଼ିବ ।

୩ୟ ପ୍ରବାହ ବଢ଼ାଇପାରେ ଚିନ୍ତା

ବିଶ୍ୱର ଅଧିକାଂଶ ବିକଶିତ ରାଷ୍ଟ୍ରଗୁଡ଼ିକରେ କରୋନା ଟିକା ଉତ୍ପାଦିତ ହୋଇପାରିଛି । ଯେଉଁ ରାଷ୍ଟ୍ରଗୁଡ଼ିକରେ ଟିକା ଉତ୍ପାଦନ ହୋଇପାରିନି, ସେଠାରେ ଅନ୍ୟ ଦେଶର ଟିକା ଦିଆଯାଉଛି । ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ସମେତ ଅନ୍ୟ ଦେଶଗୁଡ଼ିକରେ ଦ୍ୱିତୀୟ ପ୍ରବାହ କରୋନ ସଂକ୍ରମଣ ଦେଖାଯାଇଛି । ତେଣୁ ତୃତୀୟ ପ୍ରବାହ କରୋନା ସଂକ୍ରମଣକୁ ଏଡେଇ ଦିଆଯାଇ ନପାରେ । କେରଳର ତିରୁଅନନ୍ତପୁରମସ୍ଥିତ ବୈଜ୍ଞାନିକ ଓ ଔଦ୍ୟୋଗିକ ଗବେଷଣା ପରିଷଦ (ସିଏସ୍‌ଆଇଆର୍‌)ର ମହାନିର୍ଦ୍ଦେଶକ ଶେଖର ସି ମାଣ୍ଡେ ରବିବାର କରୋନାର ୩ୟ ପ୍ରବାହକୁ ନେଇ କହିଛନ୍ତି, ଅନେକ ଦେଶରେ କରୋନା ଟିକା ଉପଲବ୍ଧ ହେବା ଓ ନୂଆ ସଂକ୍ରମଣ ଆସିବା ପରେ କରୋନା ଭାଇରସ ସଂକ୍ରମଣ ଏବେବି ଚିନ୍ତା ବଢ଼ାଇଛି । ଆଗାମୀ ଦିନରେ କରୋନା ଭାଇରସ ଆହୁରି ବିପଦପୂର୍ଣ୍ଣ ରୂପ ନେଇପାରେ । କୋଭିଡ-୧୯ ସଂକଟ ଏବେ ଶେଷ ହୋଇନାହିଁ ଏବଂ ଯଦି ମହାମାରୀର ୩ୟ ପ୍ରବାହ ଆସେ, ତାହେଲେ ସ୍ଥିତି ଅତି ଖରାପ ଆଡ଼କୁ ଚାଲିଯିବ । ବର୍ତ୍ତମାନ ସ୍ଥିତିରୁ ମୁକୁଳିବାକୁ ହେଲେ ସହଯୋଗ ସହିତ ଜଳବାୟୁ ପରିବର୍ତ୍ତନ ଓ ଜୀବାଶ୍ମ ଇନ୍ଧନ ଉପରେ ଅତି ନିର୍ଭରରୁ ଉତ୍ପନ୍ନ ହେଉଥିବା ସଂକଟପୂର୍ଣ୍ଣ ସ୍ଥିତିକୁ ଏଡେଇବାକୁ ପଡ଼ିବ ।

ମହାରାଷ୍ଟ୍ର-ଗୁଜରାଟ ପରେ ତାମିଲନାଡୁ ଲକ୍‌ଡାଉନ୍

‌କରୋନାର ୨ୟ ପ୍ରବାହ ଦେଖାଯିବା ପରେ ମହରାଷ୍ଟ୍ର ଓ ଗୁଜରାଟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି । ଉଭୟ ରାଜ୍ୟରେ ଲକ୍‌ଡାଉନ ଓ କିଛି ସ୍ଥାନରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିଛି । ଏବେ ତାମିଲନାଡୁ ସରକାର ନିଜ ରାଜ୍ୟରେ ମାର୍ଚ୍ଚ ୩୧ ଯାଏଁ ଲକଡାଉନ ଘୋଷଣା କରିଛନ୍ତି । ଏଥି ପାଇଁ ଜିଲ୍ଲା ପ୍ରଶାସନକୁ ଗାଇଡଲାଇନ ପାଳନ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

Share the article

LEAVE A REPLY