ଜଳୁଛି ଜଙ୍ଗଲ, ଚିନ୍ତାରେ ପ୍ରଶାସନ-ସରକାର

0
259

ଭୁବନେଶ୍ୱର: ଓଡ଼ିଶାର ନିଆଁକୁ ବିଶ୍ୱବାସୀ ଦେଖିଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଜଙ୍ଗଲରେ ନିଆଁ ଲାଗିବା ପରେ ନିଆଁକୁ ନେଇ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଆଡେ ଚର୍ଚ୍ଚା ଚାଲିଛି। ଗାଁ କମିଟି, ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର, କେନ୍ଦ୍ର ସରକାର, ଏନ୍‌ଜିଓ ମାନଙ୍କର ମଧ୍ୟ ଓଡ଼ିଶାର ନିଆଁକୁ ନେଇ ଆଲୋଚନା କରିଛନ୍ତି।  ଜଙ୍ଗଲରେ ନିଆଁ ଲାଗିବା ପରେ ସରକାର ସମସ୍ତ ବନ କର୍ମଚାରୀଙ୍କ ଛୁଟି ବାତିଲ ମଧ୍ୟ କରିଦେଇଛନ୍ତି।
ରାଜ୍ୟର ଜଙ୍ଗଲଗୁଡ଼ିକରେ ନିଆଁ ଲାଗିବା ପରେ ରାଜନୀତି ମଧ୍ୟ ଜୋର ଧରିଛି । ନିଆଁ ଲିଭା କାମରେ ବିଜେଡି ନେତାମାନେ ମଧ୍ୟ ସାମିଲ ହୋଇଛନ୍ତି । ନିଆଁ ଲାଗିବାକୁ ନେଇ ବିରୋଧୀ ଦଳର ନେତାମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେହିପରି ଓଡ଼ିଶାର ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଆଲୋଚନା କରିଛନ୍ତି । ମାର୍ଚ୍ଚ ୧୦ ତାରିଖରେ ଭଂଜସେନା ପକ୍ଷରୁ ମୟୂରଭଂଜ ବନ୍ଦ ପାଳନ କରାଯାଇଛି । 

ନିଆଁ ଲାଗିବା ନେଇ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ଖବର ପ୍ରଚାରିତ ହେବା ପରେ ବିଦେଶରେ ମଧ୍ୟ ଓଡ଼ିଶାର ଜଙ୍ଗଲରେ ନିଆଁ ଲାଗିଥିବା ଖବର ଜାଣିବାକୁ ମିଳିଛି। ଏଥର ନିଆଁ ଲାଗିବା ଆରମ୍ଭ ହୋଇଥିଲା ଶିମିଳିପାଳ ଜଙ୍ଗଲରୁ। କେଉଁ କେଉଁ ଜଙ୍ଗଲରେ ନିଆଁ ଲାଗିଛି, ତାହା ବନ କର୍ମଚାରୀମାନେ ଠାବ କରିପାରି ନଥିବାରୁ ଏଥର ସାଟେଲାଇଟ୍‌ର ସହାୟତା ମଧ୍ୟ ନିଆଯାଇଛି।

ସବୁ ବର୍ଷ ଜଙ୍ଗଲ ପୋଡୁଛି

ପ୍ରତିବର୍ଷ ଜଙ୍ଗଲରେ ନିଆଁ ଲାଗୁଛି। ସ୍ଥାନୀୟ ବନ କର୍ମଚାରୀମାନେ ନିଆଁକୁ ଆୟତ୍ତ କରୁଛନ୍ତି। ଏଥର କିନ୍ତୁ ଟିକିଏ ଅଲଗା। ରାଜ୍ୟର ପ୍ରାୟତଃ ଅଧିକାଂଶରେ ନିଆଁ ଲାଗିଛି, ଯେଉଁଥି ପାଇଁ ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। କୁହାଯାଉଛି ଯେ, ବିଗତ ୪ ମାସରୁ ଅଧିକ ସମୟ ଧରି ବର୍ଷା ହୋଇ ନଥିବାରୁ ମାଟି ଶୁଖିଲା ରହିଛି ଏବଂ ଏହି କାରଣରୁ ନିଆଁ ଶୀଘ୍ର ବ୍ୟାପିପାରୁଛି।

ଗାଁ ଲୋକେ ଚାହିଁଲେ ଜଙ୍ଗଲ ରହିବ ସୁରକ୍ଷିତ

ଗାଁରେ ଥିବା ଜଙ୍ଗଲ କମିଟି ଗୁଡ଼ିକ ଏଥି ପାଇଁ ନିଜର ବହୁ ମୂଲ୍ୟ ଦେଉଛନ୍ତି। ଗାଁ ବାସୀମାନେ ଚାହିଁଲେ ପ୍ରକୃତରେ ଜଙ୍ଗଲର ସୁରକ୍ଷା ହୋଇପାରିବ। ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ମଧ୍ୟ ଜଙ୍ଗଲକୁ ସୁରକ୍ଷା ଦେଇପାରିବେ ନାହିଁ। ତେଣୁ ଜଙ୍ଗଲକୁ ସୁରକ୍ଷା ଦେବାକୁ ହେଲେ ଗାଁ କମିଟିକୁ ମଜବୁତ କରାଯିବା ଦରକାର। ଗାଁରେ ଥିବା ଲୋକଙ୍କୁ ସଚେତନ କରାଯାଇ ପାରିଲେ, ସେମାନେ ଜଙ୍ଗଲର ମୂଲ୍ୟ ବୁଝିପାରିବା ସହିତ ଏହା ସୁରକ୍ଷିତ ହୋଇପାରିବ। ସର୍ବୋପରି ଜଙ୍ଗଲର ସୁରକ୍ଷା ପାଇଁ ସରକାର ଗାଁ ଲୋକଙ୍କୁ ପ୍ରେତ୍ସାହନ ରାଶି ମଧ୍ୟ ଦିଆଯିବାର ଆବଶ୍ୟକତା ରହିଛି।

ଜଙ୍ଗଲ ପୋଡ଼ି ଅଭିଯୋଗରେ ୪ ଗିରଫ

ଜଙ୍ଗଲରେ ନିଆଁ ଲଗାଇବା ନେଇ ରାଜ୍ୟ ସାରା ଚର୍ଚ୍ଚା ଚାଲିଥିବା ବେଳେ ବିଭାଗୀୟ କର୍ମଚାରୀମାନେ କଡ଼ା ନଜର ରଖିଛନ୍ତି। ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ଏପର୍ଯ୍ୟନ୍ତ ୪ ଜଣ ଲୋକ ଗିରଫ ହୋଇଛନ୍ତି। ମୟୂରଭଂଜ ଜିଲ୍ଲାର କରଂଜିଆ ବନଖଣ୍ଡ ଅଧିନରୁ ଅଂଚଳରୁ ୨ ଜଣ ଯୁବକ ଗିରଫ ହୋଇଛନ୍ତି। ସେମାନେ ହେଲେ ସାଲୁ ତିଉ ଓ ପ୍ରଧାନ ହେମ୍ବ୍ରମ।  ଯାଜପୁର ଜିଲ୍ଲା ଟମକା ରେଂଜ ଅନ୍ତର୍ଗତ କଂସ ଜଙ୍ଗଲ ସେକ୍ସନର ଟିକରପଡ଼ା ଗାଁର ଗୋବିନ୍ଦ ଜୁଆଙ୍ଗ ନାଁରେ ଜଣେ ଯୁବକ ଗିରଫ ହୋଇଛି। କନ୍ଧମାଳ ଜିଲ୍ଲା ଟିକାବାଲି ବନାଂଚଳ ଅଧନୀରେ ଥିବା ସ୍ଥାନୀୟ ଗାଁର ଈଶ୍ୱର କହଁର ନାଁରେ ଜଣେ ଯୁବକକୁ ବନ ବିଭାଗ ଗିରଫ କରିଛି।

ଚର୍ଚ୍ଚାରେ ଶିମିଳିପାଳ

ରାଜ୍ୟ ସାରା ଜଙ୍ଗଲରେ ଯଦିଓ ନିଆଁ ଲାଗିଛି, ତଥାପି ଚର୍ଚ୍ଚାରେ ରହିଛି ଶିମିଳିପାଳ ଅଭୟାରଣ୍ୟ। ଏହା ଜାତୀୟ ଉଦ୍ୟାନ ହୋଇଥିବାରୁ ଜାତୀୟ ସ୍ତରରେ ଆଲୋଚନା ହେଉଛି। ଶିମିଳିପାଳରେ ନିଆଁ ଲାଗିବା ନେଇ ବାରିପଦା ଡିଏଫ୍‌ଓ ସନ୍ତୋଷ କୁମାର ଯୋଶୀ କହିଛନ୍ତି ଏହି ବନାଞ୍ଚଳ ଅଧିକରେ ଗତ ଡିସେମ୍ବରରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୬ଶହ ଫାୟାର୍‌ ପଏଣ୍ଟ୍‌ ଥିଲା। କିନ୍ତୁ ଏହି ସଂଖ୍ୟା ଏବେ ଶୂନ୍ୟକୁ ଖସିଆସିଛି। ନିଆଁ ଲିଭା କାର୍ଯ୍ୟରେ ୯୦ଟି ସ୍କ୍ଵାର୍ଡ, ୮ ଗାଡି ସହିତ ୪୪ଟି ବ୍ଲୋଅର୍‌ ମେସିନ୍‌ ନିୟୋଜିତ ଅଛନ୍ତି। ଶିମିଳିପାଳର ବିଭିନ୍ନ ରେଞ୍ଜରେ ମଧ୍ୟ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛିଯ ନିଆଁକୁ ଆୟତ କରିବାକୁ ଦିନରାତି ପରିଶ୍ରମ କରୁଥିବା ପ୍ରାୟ ୧୩ଶହ କର୍ମଚାରୀଙ୍କୁ ଏହା ସହାୟକ ହୋଇଛି ବୋଲି ଶ୍ରୀ ଯୋଶୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here